ଭୁବନେଶ୍ବର: ପ୍ରଥମେ ଆମ ଜଳାଶୟର ପୁନରୁଦ୍ଧାର କର। ୱାଟର ପାର୍କ କର। ତା’ପରେ ଯାହା ହେବ। ଆମକୁ ଆଉ ‌କେତେଦିନ ଭଣ୍ଡାଇବ। ନୂଆପଲ୍ଲୀ ବେହେରା ସାହି ଜଳାଶୟରେ ହେବାକୁ ଥିବା କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ କରି ଏଭଳି ଅସନ୍ତୋଷ ଜାହିର କରିଛନ୍ତି ୱାର୍ଡ-୩୭ ବାସୀ। ସୋମବାର ବିଏମ୍‌ସିର କର୍ମଚାରୀମାନେ ଜଳାଶୟରେ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ଜମି ଚିହ୍ନଟ କରିବା ପାଇଁ ଆସିଥିବା ବେଳେ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ। ଫଳରେ ବାଧ୍ୟହୋଇ ବିଏମ୍‌ସି ଅଧିକାରୀମାନେ ଫେରିଯାଇଥିଲେ।

Advertisment

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ତଳେ ୭ଏକର ବିଶିଷ୍ଟ ଏହି ଜଳାଶୟ ଉପରେ ଅଞ୍ଚଳବାସୀ ନିର୍ଭର କରୁଥିଲେ। ହେଲେ ସମୟ କ୍ରମେ ଏହାର ରକ୍ଷଣାବେକ୍ଷଣ କରା ନ ଯିବାରୁ ଜଳାଶୟଟି ନଷ୍ଟ ହୋଇଯାଇଛି। ହେଲେ ଏହାର ପୁନରୁଦ୍ଧାର କରିବା ବଦଳରେ ମୁଷ୍ଟିମେୟ ଲୋକ ରାମ୍‌କିକୁ କହି ସେଠାରେ ଡମ୍ପିଂୟାର୍ଡ କରିଥିଲେ। ଆଉ ଧୀରେ ଧୀରେ ଜଳାଶୟକୁ ପୋତି ପକାଇଥିଲେ। ପାଖାପାଖି ୩ ଏକରରୁ ଊର୍ଧ୍ବ ଜମି ପୋତି ଦିଆ ଯାଇଥିଲା। ଖାଲି ସେତିକି ନୁହେଁ ସେଠାରେ ମନ୍ଦିର, ବରିଷ୍ଠ ନାଗରିକ ଗୃହ, ମହିଳା ସମିତି କରାଯାଇ ଜବର ଦଖଲ କରାଯାଇଥିଲା। ସ୍ଥାନୀୟ ଲୋକମାନେ ପ୍ରତିବାଦ କରିବାରୁ ସେଠାରୁ ଡମ୍ପିଂୟାର୍ଡକୁ ହଠାଇବା ପାଇଁ ତତ୍‌କାଳୀନ ବିଏମ୍‌ସି କମିସନର କ୍ରିଷନ କୁମାର ରାମ୍‌କିକୁ ନିର୍ଦେଶ ଦେଇଥିଲେ। ଏହାଛଡ଼ା ‌ସେଠାରୁ ଜବରଦଖଲ ଉଚ୍ଛେଦ ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଫଳରେ ସେଠାରୁ କେବଳ ଶନି ମନ୍ଦିରକୁ ଛାଡ଼ି ଅନ୍ୟ ସମସ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଜଳାଶୟର ପୁନରୁଦ୍ଧାର କରି ସେଠାରେ ୱାଟର ପାର୍କ କରିବା ପାଇଁ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଏମ୍‌ସି ପର୍ଯ୍ୟନ୍ତ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ହୋଇପାରିଲା ନାହିଁ। ଯାହକୁ ନେଇ ସ୍ଥାନୀୟ ଲୋକମାନେ ଏଭଳି କ୍ଷୋଭ ପ୍ରକାଶ କରିଛିନ୍ତି। ଦାବି ପୂରଣ ନ ହେଲେ ସେଠାରେ କମ୍ପୋଷ୍ଟ ପ୍ଲାଣ୍ଟ କରାଇ ଦିଆ ଯିବ ନାହିଁ ବୋଲି ଅଞ୍ଚଳବାସୀ ସିଧା ସିଧା ଶୁଣାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଅର୍ଜୁନ ବେହେରା, ନୂଆପଲ୍ଲୀ ଗ୍ରାମ କମିଟିର ସଭାପତି ନଟବର ସାମନ୍ତରାୟ, ସମ୍ପାଦକ ଦିବାକର ଜେନା, ନିତ୍ୟାନନ୍ଦ ବେହେରା, ସମରେନ୍ଦ୍ର ଜେନା, ମହେଶ୍ବର ବେହେରା, ପ୍ରଭୁଦତ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ବିରୋଧ କରିଥିଲେ।

ଅନ୍ୟପଟେ ସିଟି ଇଂଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି ଯେ, ଆମେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛୁ। ମଙ୍ଗଳବାର ଜାଗାର ମାପଚୁପ କରାଯାଇ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯିବ। ସେହିପରି ଲୋକମାନଙ୍କ ଦାବି ଉପରେ ଆଲୋଚନା ସରିଛି। ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବ।