ଭୋଟର ବାଛିବେ ମେୟର

ଆଗାମୀ ଦିନରେ ମହାନଗର ନିଗମର ମେୟର ଏବଂ ପୌରସଂସ୍ଥାର ପୌରାଧ୍ୟକ୍ଷମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବେ। ଏବେ ଯେପରି ଓ୍ଵାର୍ଡରୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ପଦବି ପାଇଁ ବାଛୁଛନ୍ତି ସେହି ବ୍ୟବସ୍ଥା ଆଉ ରହିବନି। ପ୍ରତ୍ୟେକ ପୌରସଂସ୍ଥାର ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବେ। କିଏ ମେୟର/ପୌରାଧ୍ୟକ୍ଷ ହେବ ତାହା କର୍ପୋରେଟର୍‌/କାଉନସିଲର୍‌ ସ୍ଥିର କରିବେନି। ସହରବାସୀ ବାଛିବେ ସହରର ମୁଖ୍ୟ କିଏ ହେବ।
ଏହିଭଳି ବ୍ୟବସ୍ଥା ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଥିବାବେଳେ ରାଜଧାନୀବାସୀଙ୍କ ମଧ୍ୟରେ ଏନେଇ ଆଲୋଚନା ଆରମ୍ଭ ହୋଇଗଲାଣି। ପୂର୍ବରୁ ମେୟର ପଦବି ପାଇଁ ଆଶାୟୀ ଥିବା କର୍ପୋରେଟର୍‌ମାନେ ନିଜ ସପକ୍ଷରେ ଅଧିକ କର୍ପୋରେଟର୍‌ ଯୋଗାଡ଼ କରିବା ସହ ଦଳ ମୁଖିଆଙ୍କ ଗୁଡ୍‌ ବୁକ୍‌ରେ ରହିବାକୁ ଚାହୁଁଥିଲେ। କିନ୍ତୁ ଏବେ ମେୟର ଆଶାୟୀଙ୍କ ଟାର୍ଗେଟ୍‌ କିପରି ଦଳ ମୁଖିଆଙ୍କୁ ମନାଇ ମେୟର ଟିକେଟ୍‌ ପାଇବେ। ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଏନେଇ ରାଜଧାନୀବାସୀ କ’ଣ କୁହନ୍ତି ସେନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।

ପଦବିରୁ ହଟାଇବା କଷ୍ଟକର ହୋଇଯିବ
ମହାନଗର ନିଗମର ମେୟର ଏବଂ ପୌରସଂସ୍ଥାର ପୌରାଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ କରିବା ନିଷ୍ପତ୍ତି ଠିକ୍‌ ଲାଗୁନି। ଏହାଦ୍ୱାରା ଜଣେ ବାହୁବଳୀ ନେତା ବି ନିର୍ବାଚିତ ହୋଇପାରନ୍ତି। ଥରେ ନିର୍ବାଚନ ଜିତିଲେ ୫ବର୍ଷ ଯାଏଁ ତାଙ୍କୁ ସେହି ପଦରୁ ହଟାଇବା ଏକପ୍ରକାରର ଅସମ୍ଭବ ହୋଇଯିବ। ଏବେ କର୍ପୋରେଟର୍‌/କାଉନସିଲର୍‌ମାନଙ୍କ ଦ୍ୱାରା ମେୟର/ପୌରାଧ୍ୟକ୍ଷ ନିର୍ବାଚିତ ହେଉଥିବାରୁ ଯଦି କିଛି ଅଭିଯୋଗ ଆସୁଛି ତେବେ ତାଙ୍କୁ ବିଦା କରାଯାଇପାରୁଛି। ପ୍ରତ୍ୟେକ୍ଷ ଭାବେ ନିର୍ବାଚିତ ହେଲେ ପଦବିରୁ ହଟାଇବା କଷ୍ଟକର ହେବ। ଏହାଦ୍ୱାରା ଜଣେ ବ୍ୟକ୍ତି ମନଇଚ୍ଛା ନିଷ୍ପତ୍ତି ନେବେ। ତାଙ୍କର ପଦ ଯିବାର ଭୟ ରହିବନି।
ଶରତ କର, ଲୋକସମ୍ପର୍କ ଅଧିକାରୀ

କିଛି ଫରକ ପଡ଼ିବନି
ଏବେ ଯେଉଁ ମହାନଗର ନିଗମ/ ପୌରାଞ୍ଚଳରେ ଯେଉଁ ଦଳର ଅଧିକ ଲୋକ ପ୍ରତିନିଧି ଜିତୁଛନ୍ତି ସେହି ଦଳରୁ ହିଁ ମେୟର/ପୌରାଧ୍ୟକ୍ଷ ମନୋନୀତ ହେଉଛନ୍ତି। ନୂଆ ନିୟମ କାର୍ଯ୍ୟକାରୀ ହେଲେ କ୍ଷମତାରେ ଥିବା ଦଳ ବା ସ୍ଥାନୀୟ ଅଞ୍ଚଳରେ ଯେଉଁ ଦଳର ଦବ୍‌ଦବା ଥିବ ସେହି ଦଳ ହିଁ ମେୟର/ପୌରାଧ୍ୟକ୍ଷ ପଦ ହାତେଇବାକୁ ସବୁ ବଳ ଲଗାଇଦେବ। ଏବେ ଯାହା ନିର୍ବାଚନ ଜିତିବା ପରେ ହେଉଛି ଆଗକୁ ତାହା ନିର୍ବାଚନ ସମୟରେ ହେବ। ଏହାଦ୍ୱାରା ବିଶେଷ କିଛି ଫରକ ପଡ଼ିବନି।
ସାଲୁଟ୍‌ ସାହୁ, ବ୍ୟାଙ୍କ ଅଧିକାରୀ

ଘୋଡ଼ା ବେପାର ବନ୍ଦ ହେବ
ପୌର ନିର୍ବାଚନରେ ରାଜନୈତିକ ଦଳ ଯଦି କମ୍‌ ବ୍ୟବଧାନରେ ଆସନ ଜିତିଥାନ୍ତି ତେବେ ମେୟର/ପୌରାଧ୍ୟକ୍ଷ ପଦବି ହାତେଇବା ପାଇଁ ସବୁ ପ୍ରକାରର ଉଦ୍ୟମ ଲଗାଇଦେଉଛନ୍ତି। ଏପରିକି ଘୋଡ଼ା ବେପାର ଜୋରଦାର ହେଉଛି। ଏହାଦ୍ୱାରା ଗଣତନ୍ତ୍ର ବ୍ୟବସ୍ଥାକୁ ଅପମାନ ହେଉଛି। ପ୍ରତ୍ୟେକ୍ଷ ନିର୍ବାଚନ ଦ୍ୱାରା ମେୟର/ପୌରାଧ୍ୟକ୍ଷ ନିର୍ବାଚିତ ହେଲେ ଘୋଡ଼ା ବେପାର ଉପରେ ରୋକ୍‌ ଲାଗିବ।
ସୀତିକଣ୍ଠ ସେନାପତି

ଲୋକେ ପୌରସଂସ୍ଥାର ପ୍ରଥମ ନାଗରିକ ବାଛିବା ଉଚିତ
ପୌରସଂସ୍ଥାର ମୁଖ୍ୟଙ୍କୁ ସିଧାସଳଖ ଲୋକେ ବାଛିବା ପାଇଁ କ୍ୟାବିନେଟ୍‌ର ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଫଳରେ କର୍ପୋରେଟର/କାଉନ୍‌ସିଲରଙ୍କୁ ହାତକରି ଆଉ କେହି ମେୟର/ପୌରାଧ୍ୟକ୍ଷ ହେବାର ସୁଯୋଗ ପାଇବେନି। ଫଳରେ କୌଣସି ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ଲୋକ ପ୍ରତିନିଧି ମହାନଗର ନିଗମ ବା ପୌରସଂସ୍ଥାର ମୁଖ୍ୟ ହେବେ ବୋଲି ଆଉ ପୂର୍ବ ନିଶ୍ଚିତ ରହିବ ନାହିଁ। ଲୋକେ ନିଜ ମନ ମୁତାବକ ପୌରସଂସ୍ଥାର ପ୍ରଥମ ନାଗରିକ ବାଛି ପାରିବେ।
ଦୀପକ ଜେନା, ଷ୍ଟେସନ୍‌ ବଜାର

ଏହି ସୁଯୋଗକୁ ଆମେ ବହୁଦିନରୁ ଅପେକ୍ଷା କରିଥିଲୁ
ସାଧାରଣ ଜନତାଙ୍କ ଦ୍ୱାରା ମେୟର/ପୌରାଧ୍ୟକ୍ଷ ନିର୍ବାଚିତ ହେବା ୧୦୦ ପ୍ରତିଶତ ଭଲ ପଦକ୍ଷେପ। ଏହା ଫଳରେ ମେୟରଙ୍କୁ ବାଛିବା ପାଇଁ ଯେଉଁ ଭଳି ଘୋଡ଼ା ବେପାରର ସମ୍ଭାବନା ଥାଏ ତାହା ହେବ ନାହିଁ। ମେୟର ବି କର୍ପୋରେଟର୍‌ଙ୍କ ଭୋଟ୍‌ରେ ଜରିଆରେ ଜିତୁଥିବାରୁ ସବୁବେଳେ ମେୟରଙ୍କ ନିକଟରେ କର୍ପୋରେଟର୍‌ଙ୍କ ଦବ୍‌ଦବା ରହିଥାଏ। କ୍ୟାବିନେଟ୍‌ରେ ସିନା ଏବେ ପଦକ୍ଷେପ ନିଆଯାଇଛି, କିନ୍ତୁ ଏହିଭଳି ଏକ ସୁଯୋଗକୁ ଆମେ ବହୁ ଦିନରୁ ଅପେକ୍ଷା କରିଥିଲୁ।
ସବିତା ପୃଷ୍ଟି, ସଭାପତି, ଶତାକ୍ଷୀ ମହିଳା ସଂଗଠନ

ସମ୍ବନ୍ଧିତ ଖବର