ଠକିଲା ଓରେରା: ପାଣି, ବିଜୁଳି ପାଇଁ ସଂଘର୍ଷ, ଟ୍ରାଇଡେଣ୍ଟ ଗାଲାକ୍ସିରେ ଘର କିଣି ଚିନ୍ତାରେ ୭୦୦ ପରିବାର

ସୁପର ମାର୍କେଟର ପ୍ରତିଶ୍ରୁତି ଥିଲା ୫ ବର୍ଷ ହେଲା ସରୁନି କାର୍ଯ୍ୟ

ଖଣ୍ଡଗିରି): ଘର ସହିତ ଟେନିସ୍‌ କୋର୍ଟ, ସୁପର ମାର୍କେଟ, ମିନି ମଲ୍‌ ପାଇଁ ୮୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଦେଇଥିଲେ କଳିଙ୍ଗ ବିହାର ସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଅଧିବାସୀ। ମାତ୍ର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି ସେମାନଙ୍କୁ ପାଣି, ବିଜୁଳି ଭଳି ସର୍ବନିମ୍ନ ସୁବିଧା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଏହାକୁ ନେଇ ଗାଲାକ୍ସିର ରେସିଡେନ୍ସି ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଓରେରା (ଓଡ଼ିଶା ରିୟଲ୍ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି)ଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। ଓଡ଼ିଶା ରିଅଲ୍ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ଭଳି ସଂସ୍ଥା ସେମାନଙ୍କୁ ଏଭଳି ଠକିବେ ବୋଲି କେବେ ବିଶ୍ବାସ କରିପାରୁନଥିବା କହିଛନ୍ତି ପରିବାର ବର୍ଗ।

୨୦୧୧ ମସିହାରୁ କଳିଙ୍ଗ ବିହାର ସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିରେ ଘର ବିକ୍ରି ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ୪୦ ଲକ୍ଷ, ୨୦୧୫ ମସିହାରେ ୬୦ ଲକ୍ଷ, ୨୦୧୮ ମସିହାରେ ୮୦ ଲକ୍ଷ ଟଙ୍କା ଦେଇ ଘର କିଣିଥିଲେ ଲୋକେ। ପ୍ରତିଶ୍ରୁତି ଥିଲା ୨୦୧୬ ମସିହା ସୁଦ୍ଧା ଟେନିସ କୋର୍ଟ, ସୁପର ମାର୍କେଟ, ମିନି ମଲ, କ୍ଲିନିକ୍, ଲାଇବ୍ରେରି, ଆରୋକାମ୍, ଇଣ୍ଟରକମ୍ ଆଦି ସମସ୍ତ ପ୍ରକାର ସୁଖ ସୁବିଧା ସହିତ ଗାଲାକ୍ସିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ନିର୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ। କ୍ରେତାଙ୍କ ଅସନ୍ତୋଷରୁ ରକ୍ଷା ପାଇଁ ରିୟଲ୍ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ପକ୍ଷରୁ ୭୦୦ ପରିବାରକୁ ଘର ହସ୍ତାନ୍ତର କରାଯାଇଥିଲା। ବାକି କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦିଆଗଲା। ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ପରିସ୍ଥିତିରେ ସୁଧାର ହୋଇ ନାହିଁ। ଆରାମ ପାଇଁ ସେମାନେ ଲକ୍ଷାଧିକ ଟଙ୍କା ଦେଲେ କିନ୍ତୁ ସର୍ବନିମ୍ନ ସୁବିଧା ବି ଅପହଞ୍ଚ ହେଲାଣି। ସଂଘ ସମ୍ପାଦକ ଅରିନ୍ଦମ ଚୌଧୁରୀ କହନ୍ତି, ଗାଲାକ୍ସିର ପାଚେରି ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି। କିଛି ଅଂଶକୁ ଟିଣ ଆଜବେଷ୍ଟସ ଦେଇ ଘେରାଉ କରାଯାଇଛି। ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ୪ଟି ଟ୍ରାନ୍ସଫର୍ମର୍ ଆବଶ୍ୟକ। ଲାଗିଛି ମାତ୍ର ୨ଟି।

ଏଥିଯୋଗୁଁ ଅଧିକାଂଶ ସମୟରେ ଭୋଲଟେଜ ଲୋ ରହୁଛି। ପ୍ୟାନେଲ ଗୃହ ନିର୍ମାଣ କରା ଯାଇଥିଲା ହେଁ କୌଣସି ପ୍ୟାନେଲ୍ ବସି ନାହିଁ। ଯେଉଁ ୨ଟି ଟ୍ରାନ୍ସଫର୍ମର୍ ବସିଛି ତା’ର ଚତୁପାର୍ଶ୍ବରେ ସୁରକ୍ଷା ବାଡ଼ ବି ନାହିଁ। ସେହିପରି ବଜ୍ରପାତ ନିରୋଧକ କାମ ଶେଷ ହୋଇଥିବା କୁହାଯାଉଥିଲେ ହେଁ ଅନ୍ତେବାସୀଙ୍କୁ ପ୍ରମାଣପତ୍ର ଦିଆଯାଇ ନାହିଁ। ଜଳଯୋଗାଣ ପାଇଁ ସବୁ ଆପାର୍ଟମେଣ୍ଟକୁ ପାଇପ ବିଛା କାର୍ଯ୍ୟ ଶେଷ ହୋଇନି। ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଜଙ୍କସନ ସହିତ ସଂଯୁକ୍ତ ହୋଇନି। ସୋଲାର୍ ପ୍ୟାନେଲ୍, ଛାତକୁ ଯିବା ପାଇଁ ରାସ୍ତା, ପାର୍କିଂ, ପ୍ରାତଃ ଭ୍ରମଣ ରାସ୍ତା, ସିସିଟିଭି, ଲିଫ୍ଟ, ବିଲ୍ଡିଂ ରଙ୍ଗ, ଅଗ୍ନିନିବାରଣ ବ୍ୟବସ୍ଥା ଭଳି ଅତି ଜରୁରୀ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଟେନିସ କୋର୍ଟ, ସୁପର ମାର୍କେଟ, ମିନି ମଲ, କ୍ଲିନିକ୍, ଲାଇବ୍ରେରି, ଆରୋକାମ୍, ଇଣ୍ଟରକମ୍ ଆଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ବି ହୋଇନାହିଁ। ତେବେ ଏ ନେଇ ଟ୍ରାଇଡେଣ୍ଟ ପ୍ରପର୍ଟିର ବିଲଡରଙ୍କୁ ଅନେକ ସମୟ ଲିଖିତ ଆକାରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ଲାଭ ହେଉନାହିଁ। ବିଭାଗୀୟ କର୍ତୃପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଓଡ଼ିଶା ରିୟଲ୍ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଉତ୍ତର ଦେଇନଥିଲେ।

ସମ୍ବନ୍ଧିତ ଖବର