ଭଡ଼ାରେ ବାଇକ୍‌ : ଘଣ୍ଟାକୁ ୩୯ ଟଙ୍କା

ଚନ୍ଦ୍ରଶେଖରପୁର : ଭଡ଼ାରେ ବାଇକ୍‌। କଥାରେ ଟିକିଏ ଅଖାଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାର୍‌, ସାଇକେଲ୍‌ ଭଡ଼ା‌ରେ ମିଳୁଥିବା ବେଳେ ଏବେ ରାଜଧାନୀ‌ରେ ବାଇକ୍‌ ମିଳିବ ଭଡ଼ାରେ। ଏଥିପାଇଁ ଅବଶ୍ୟ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ବାଇକ୍‌ ଅନୁଯାୟୀ ଘଣ୍ଟା ପ୍ରତି ୩୯ ଟଙ୍କାରୁ ୯୫ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ହେବ। ସ୍କୁଟି ପାଇଁ ସର୍ବନିମ୍ନ ୩୯ ଟଙ୍କା ଭଡ଼ା ରହିଥିବା ବେଳେ କେଟିଏମ୍‌ ଡ୍ୟୁକ୍‌ ୩୯୦ ପାଇଁ ୯୫ ଟଙ୍କା ରଖାଯାଇଛି। ଗାଡ଼ି ନେବା ସମୟରେ ସିକ୍ୟୁରିଟି ବାବଦରେ ୫୦୦ ଟଙ୍କା ଡିପୋଜିଟ୍‌ କରିବାକୁ ହେବ, ଯାହାକି ପରବର୍ତୀ ସମୟରେ ଫେରାଇ ଦିଆଯିବ। ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ସହ ବିଭିନ୍ନ ସଂସ୍ଥାକୁ ଲାଇସେନ୍ସ ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଆରଟିଓ-୨ ପକ୍ଷରୁ ଶିବ ରେଡ୍ଡି, ଦେବାଶିଷ ବେହେରା, ‌ରାଜେଶ କୁମାର ଖିଲୋ, ରାଜେଶ ପତିହାରୀଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ‘ୱାଇଓଆର ସ୍ମାର୍ଟରାଇଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଅନୁମତି ଦିଆଯାଇଛି।

ଆର୍‌ଟିଓ-୨ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପରିବହନ କମିସନର୍‌ ସଞ୍ଜୀବ ପଣ୍ଡା ମୁଖ୍ୟଅତିଥି ଭା‌ବେ ଯୋଗଦେଇ ଏହି ସେବାକୁ ଆଜି ଉଦ୍‌ଘାଟନ କରିଛନ୍ତି। ଶ୍ରୀ ପଣ୍ଡା କହିଲେ ସକାଳେ ‘ମୋ ସାଇକେଲ୍‌’ର ଶୁ‌ଭାରମ୍ଭ ହୋଇଥିବା ବେଳେ ଏବେ ବାଇକ୍‌ ଭଡ଼ାରେ ମିଳିବ। ଆହୁରି ୩ଟି ସଂସ୍ଥା ବାଇକ୍‌ ଭଡ଼ାରେ ହେବାକୁ ଆଗ୍ରହ ଦେଖାଇଛନ୍ତି। ଆସନ୍ତା ୫ରୁ ୬ ଦିନ ମଧ୍ୟରେ ସେମାନଙ୍କୁ ଅନୁମତି ମିଳିବ। ହକି ବିଶ୍ବକପ୍‌ ଦେଖିବାକୁ ଆସୁଥିବା ଦେଶୀ ଓ ବିଦେଶୀ ଦର୍ଶକ ଏହାଦ୍ବାରା ଉପକୃତ ହୋଇପାରି‌ବେ। ଆର୍‌ଟିଓ-୨ ସଞ୍ଜୟ କୁମାର ବେହେରା ଯୋଗଦେଇ କହିଲେ ଗୋଆ, ପଣ୍ଡିଚେରୀ, ରାଜସ୍ଥାନ, ହିମାଚଳ ପ୍ରଦେଶ ପରି ରାଜ୍ୟରେ ଏହି ବ୍ୟବସ୍ଥା ବହୁ ଆଗରୁ ଲାଗୁ ହୋଇଛି। ହକି ବିଶ୍ବକପ୍‌ ସମୟରେ ଏହି ସେବା ଆରମ୍ଭ ହେବା ଦ୍ବାରା ବାହାର ଓ ସ୍ଥାନୀୟ ପର୍ଯ୍ୟଟକ ଉପକୃତ ହୋଇପାରିବେ।

‘ୱାଇଓଆର ସ୍ମାର୍ଟରାଇଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ସହ ପ୍ରତିଷ୍ଠାତା ଦେବାଶିଷ ବେହେରା କହିଲେ ଅନ୍‌ଲାଇନ୍‌ରେ ବାଇକ୍‌ ବୁକିଂ କରିହେବ। ସିକ୍ୟୁରିଟି ବାବଦରେ ୫୦୦/୩୦୦ ଟଙ୍କା ଦାଖଲ କରିବାକୁ ହେବ। ଏହାପରେ ଗାଡ଼ି ଭଡ଼ାରେ ମିଳିବ। ଗାଡ଼ିରେ ଜିପିଏସ୍‌ ଲାଗିଛି। ଚାଳକ ଯେଉଁ ଆଡେ ଗାଡ଼ି ନେବେ ତାହା ଉପରେ ନଜର ରଖାଯାଇପାରିବ। ଯଦି କୌଣସି ଚାଳକ ୧୧୦ କିମିରୁ ଅଧିକ ବେଗରେ ଗାଡ଼ି ଚଳାନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ ହେବ। ଦରକାର ପଡ଼ିଲେ ଲକିଂ ସିଷ୍ଟମ ମାଧ୍ୟମରେ ଗାଡ଼ିକୁ ଏକ ନିର୍ଦିଷ୍ଟ ସ୍ଥାନରେ ରଖିପାରିବୁ ବୋଲି ସେ କହିଛନ୍ତି। ଶିବ ରେଡ୍ଡି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କେଟିଏମ୍‌ ଡ୍ୟୁକ୍‌ ୩୯୦, ୟାମ୍‌ହା ଆର୍‌ ୱାନ୍‌ ୫, କେଟିମ୍‌ ଆରସି ୨୦୦, ପଲସର୍‌ ଏନ୍‌ଏସ୍‌ ୨୦୦, ହୁଣ୍ଡା ଅରନେଟ୍‌, ୟାମ୍‌ହା ଫେଜର୍‌, ଆରଏକ୍ସଜେଡ୍‌, ଭେସ୍‌ପା ଆଣାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟା‌ୟରେ ଆହୁରି ଗାଡ଼ି ଆସିବ। ଯେଉଁ ବ୍ୟକ୍ତି ଗାଡ଼ି ନେବାକୁ ଚାହିଁବେ ତାଙ୍କୁ ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଛି। ଅନ୍‌ଲାଇନ୍‌ରେ ବୁକିଂ କରିବେ। ଯେଉଁ ସମୟରେ ଗାଡ଼ି ନେବାକୁ ବୁକିଂ କରିଥିବେ ତାହାର ୧୫ରୁ ୨୦ ମିନିଟ୍‌ ଆଗରୁ ଆସି ପ୍ରମାଣପତ୍ର ଯାଞ୍ଚ କରାଇବେ। ଏବେ ପଟିଆ ବଜରଙ୍ଗ ବିହାରରେ ଏହା ଖୋଲିଛି। ଆଗାମୀ ଦିନରେ ଖଣ୍ଡଗିରି ଓ ବରମୁଣ୍ଡାରେ ଖୋଲିବାକୁ ଯୋଜନା ରହିଛି। ଜଣେ ବ୍ୟକ୍ତି ଅତିକମ୍‌ରେ ୩ ଘଣ୍ଟା ପାଇଁ ଗାଡ଼ି ବୁକିଂ କରିପାରିବେ। ଚାଳକ ଗାଡ଼ିରେ ତେଲ ଭରିବେ। ଦୁର୍ଘଟଣା ପାଇଁ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା ହୋଇଛି। ଏବେ ଗାଡ଼ି ନେଇ ରାଜ୍ୟର ‌ଯେକୌଣସି ସ୍ଥାନକୁ ବୁଲିବାକୁ ଯାଇପାରିବେ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରିବହନ ସେକ୍ରେଟେରି ଇଗ୍‌ନେସ୍‌ ହାଁସ୍‌ଦା, ଅତିରିକ୍ତ କମିସନର ଶ୍ରୀନିବାସ, ଚିତ୍ତରଞ୍ଜନ ରାୟ, ମକ୍‌ବୁଲ୍‌ ଅଲ୍ଲି ପ୍ରମୁଖ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର