ଘର କରିବା ମହଙ୍ଗା ପଡ଼ିବ : ରାସ୍ତା, ଡ୍ରେନ୍‌ ପାଇଁ ଲୋକେ ଟଙ୍କା ଦେବେ

ସିଆଇଡିଏଫ୍‌ରେ ମନ ବୁଝିଲାନି, ଲାଗୁ କଲେ ଇଆଇଡିପି

ଭୁବନେଶ୍ବର : ଲୋକ ଘର କରିଛନ୍ତି, କିନ୍ତୁ ଘରକୁ ଭଲ ରାସ୍ତା ନାହିଁ, ଡ୍ରେନ୍ ନାହିଁ, ସ୍ବେରେଜ୍‌ ଲାଇନ୍ ନାହିଁ, ଷ୍ଟ୍ରିଟ ଲାଇଟ୍‌ ନାହିଁ। ଯେଉଁଠି ରାସ୍ତା ଅଛି ତାହା ଖାଲଖମାରେ ଭର୍ତ୍ତି ହୋଇଛି। ଡ୍ରେନ୍‌ ନଥିବାରୁ ଘରେ ପାଣି ପଶୁଛି। ବାରମ୍ବାର ଅଭିଯୋଗ କଲେ ବି ସମସ୍ୟାର ସମାଧାନ ହେଉନି। ସହରାଞ୍ଚଳବାସୀଙ୍କର ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି। ଲୋକଙ୍କ ଠାରୁ ଟଙ୍କା ନେଇ ରାସ୍ତା, ଡ୍ରେନ୍, ସ୍ବେରେଜ୍ ଲାଇନ୍ ନିର୍ମାଣ କରିବେ, ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବେ।

ରାଜ୍ୟର ସବୁଠୁ ଅଧିକ ଟିକସଦାତା ସହରାଞ୍ଚଳରେ ରହୁଛନ୍ତି। ଲୋକଙ୍କୁ ମୌଳିକ ସେବା ଯୋଗାଇବାରେ ସରକାର ଯେପରି ସଫଳ ହେବେ ସେଥିପାଇଁ ପ୍ରତିବର୍ଷ ଆୟକର ଦେବାକୁ ଲୋକଙ୍କୁ ପ୍ରବର୍ତ୍ତାଯାଉଛି। ଲୋକଙ୍କ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଥିବାରୁ ଲୋକ ଅଧିକ ଟିକସ ଦେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କର ଏଥିରେ ମନ ବୁଝୁନି। ଏବେ ସହରାଞ୍ଚଳରେ ଲୋକ ଘର କଲେ ଘର ନିର୍ମାଣ ଖର୍ଚ୍ଚର ୧% ଏକ୍ସଟରନାଲ୍‌ ଇନ୍‌ଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ପ୍ଲାନ୍‌ (ଇଆଇଡିପି) ବାବଦକୁ ଦେବେ ବୋଲି ନିୟମ କରିଛନ୍ତି। ଏହି ଅର୍ଥ ଘର ପ୍ଲାନ୍‌ ଆବେଦନ କରିବା ସମୟରେ ଜମା କରିବାକୁ ପଡ଼ିବ। ଏହି ଅର୍ଥକୁ ନେଇ ଲୋକଙ୍କ ପାଇଁ ଭିତ୍ତିଭୂମି ନିର୍ମାଣ କରିବେ।

ଉନ୍ନୟନ କର୍ତ୍ତୃପକ୍ଷ ପୂର୍ବରୁ ଲୋକଙ୍କ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘର ନିର୍ମାଣ ଖର୍ଚ୍ଚର ୧% ଅର୍ଥ ସିଡିପି ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ଫଣ୍ଡ (ସିଆଇଡିଏଫ୍) ବାବଦକୁ ନେଉଛନ୍ତି। ଏଥିରେ ପ୍ରାୟ ୩ହଜାର କୋଟିରୁ ଅଧିକ ଅର୍ଥ ଜମା ହେଲାଣି। ଏହି ଅର୍ଥ ଯେଉଁ ଉଦ୍ଦେଶ୍ୟରେ ଆଦାୟ ହେଉଛି ସେଥିପାଇଁ ଖର୍ଚ୍ଚ କରାଯାଉନି। ଏବେ ପୁଣି ଇଆଇଡିପି ବାବଦକୁ ୧% ଅର୍ଥ ନେବେ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟର ସବୁଠୁ ବଡ଼ ସହରାଞ୍ଚଳ ଭୁବନେଶ୍ବରରେ ଦୁଇଟି ସଂସ୍ଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ବର ମହାନଗର ନିଗମ ଲୋକଙ୍କୁ ଘର କରିବାକୁ ଅନୁମତି ଦେଉଛନ୍ତି। ଘର ନିର୍ମାଣ କରିବା ପାଇଁ ଏହି ଦୁଇଟି ସଂସ୍ଥାରେ ପ୍ଲାନ୍ ଆବେଦନ କରିବାକୁ ପଡ଼ୁଛି। ତିନି ବର୍ଷ ତଳେ ଯେଉଁମାନେ ୮ରୁ ୧୦ହଜାର ଟଙ୍କା ଦେଇ ପ୍ଲାନ୍‌ ଅନୁମୋଦନ କରୁଥିଲେ ଏବେ ସେମାନଙ୍କ ଠାରୁ ପ୍ରାୟ ଏକ ଲକ୍ଷ ଟଙ୍କା ନିଆଯାଉଛି। ଏତିିକିରେ ମନ ବୁଝିଲାନି ଯେ, ଆହୁରି ଅଧଲକ୍ଷ ଟଙ୍କାର ବୋଝ ଲଦିବାକୁ ଯୋଜନା ହୋଇଛି।

ଏପରିକି ଏହି ଟଙ୍କା ଦେଲେ ଜଣେ ଲୋକଙ୍କ ଘର ନିକଟରେ ଷ୍ଟ୍ରିଟଲାଇଟ୍‌ ଜଳିବ, ସଙ୍ଗେସଙ୍ଗେ ‌ରାସ୍ତା, ଡ୍ରେନ୍ ନିର୍ମାଣ ହୋଇଯିବ, ସ୍ବେରେଜ୍ ଲାଇନ୍ ପଡ଼ିଯିବ ତାହାର ଗ୍ୟାରେଣ୍ଟି ବି ବିଏମ୍‌ସି କି ବିଡିଏ କର୍ତ୍ତୃପକ୍ଷ ଦେଉନାହାନ୍ତି। ଅର୍ଥାତ୍‌ ଇଆଇଡିପି ବାବଦକୁ ଟଙ୍କା ଦେଲେ ବି ସେମିତି ଅନ୍ଧାର ରାସ୍ତାରେ ରହିବାକୁ ପଡ଼ିପାରେ, ଘରେ ପାଣି ପଶିପାରେ, ଖାଲ ଖମା ରାସ୍ତାରେ ପଡ଼ି ଲୋକ ଆହତ ହୋଇପାରନ୍ତି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଇଆଇଡିପି ବାବଦକୁ ଯେଉଁ ଟଙ୍କା ଆସିବ ତାହା ବିଏମ୍‌ସି କିମ୍ବା ସ୍ଥାନୀୟ ପୌରସଂସ୍ଥାକୁ ହସ୍ତାନ୍ତର କରାଯିବ। ଏଥିପାଇଁ ସ୍ବତନ୍ତ୍ର ଆକାଉଣ୍ଟ ଖୋଲାଯାଇଛି। ସେମାନେ ଆବଶ୍ୟକତା ଅନୁଯାୟୀ ଏହାକୁ ଖର୍ଚ୍ଚ କରିବେ। ପର୍ଯ୍ୟାୟକ୍ରମେ ଏହି ଟଙ୍କା ଖର୍ଚ୍ଚ ହେବ। ଜଣେ କି ଦୁଇ ଜଣ ଲୋକଙ୍କ ସୁବିଧା ପାଇଁ ନୁହେଁ, ଅଧିକ ଲୋକଙ୍କ ସୁବିଧାକୁ ନଜରରେ ରଖି ଏହି ଅର୍ଥ ଖର୍ଚ୍ଚ ହେବ। ଏହାଦ୍ବାରା ପୌରସଂସ୍ଥାର ଆୟ ବଢ଼ିବ ଓ ସହର ପାଇଁ ଅଧିକ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ। ପୂର୍ବରୁ ସିଆଇଡିଏଫ୍‌ ବାବଦକୁ ଯେଉଁ ଅର୍ଥ ଆଦାୟ ହେଉଛି ସେଥିରେ ପୂରା ସହରର ବଡ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ଖର୍ଚ୍ଚ କରାଯିବ। ସିଡିପିରେ ଯେଉଁ ପ୍ଲାନିଂ ହୋଇଛି, ଯେପରି ୬୦ଫୁଟିଆ, ୧୦୦ଫୁଟିଆ ରାସ୍ତା, ପାର୍କ, ପାର୍କିଂ ଅଞ୍ଚଳ ଆଦି ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଇଆଇଡିପି ଅର୍ଥ ଗଳି କନ୍ଦିରେ ଭିତ୍ତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ ହେବ।

ଅପରପକ୍ଷେ ନଗର ଉନ୍ନୟନ ବିଭାଗର ଏହି ନିଷ୍ପତ୍ତି ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ସହରାଞ୍ଚଳରେ ଲୋକମାନେ ହୋଲଡିଂ ଟିକସ ଦେଉଛନ୍ତି। ଏହି ଟିକସ ଲୋକଙ୍କୁ ମୌଳିକ ସେବା ଯଥା ଷ୍ଟ୍ରିଟ ଲାଇଟ୍‌, ଆବର୍ଜନା ଉଠାଇବା, ସ୍ବେରେଜ୍‌ ଲାଇନ୍‌କୁ ମଳ ଛାଡ଼ିବା ବାବଦକୁ ନିଆଯାଉଛି। ତେଣୁ ଇଆଇଡିପି ବାବଦକୁ କାହିଁକି ଲୋକଙ୍କ ଠାରୁ ଅର୍ଥ ଆଦାୟ କରାଯିବ ବୋଲି ପ୍ରଶ୍ନ ଉଠିଛି।

Telegraph India

ବିଡିଏ ପ୍ଲାନିଂ ମେ‌ମ୍ବର ଗୌରୀ ଶଙ୍କର ଭୂୟାଁ କହିଛନ୍ତି ଯେ, ଇଆଇଡିପି ବାବଦକୁ ୧%ଅର୍ଥ ଆଦାୟ ହେଲେ ଲୋକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ସହଜରେ ମିଳିବ। ଏହା ୫୦୦ ବର୍ଗମିଟରରୁ ଅଧିକ ଅର୍ଥାତ୍‌ ୫୩୮୦ ବର୍ଗଫୁଟରୁ ଅଧିକ ଯେଉଁମାନେ ଘର ନିର୍ମାଣ କରୁଥିବେ ସେମାନଙ୍କ ପାଇଁ ଲାଗୁ ହେବ। ଏହା ଦ୍ବାରା ସାଧାରଣ ଲୋକ ପ୍ରଭାବିତ ହେବେନି। ବିଭିନ୍ନ ଗୃହ ପ୍ରକଳ୍ପ, ରିଅଲ ଇ‌େଷ୍ଟଟ୍ ବ୍ୟବସାୟୀଙ୍କ ପାଇଁ ଏହା ମୁଖ୍ୟତଃ ଲାଗୁ ହେବ।

ବିଡିଏ କର୍ତ୍ତୃପକ୍ଷ ଏହା କହୁଥିଲେ ହେଁ ସାଧାରଣ ଲୋକ ପ୍ରଭାବିତ ହେବେ ଏହା ଜଳ ଜଳ ଦିଶୁଛି। ଜଣଙ୍କର ଯଦି ୨୦୦୦ ବର୍ଗଫୁଟର ଜମି ଥିବ। ସେଥିରେ ଯଦି ସେ ୧୮୦୦ ବର୍ଗଫୁଟ ହିସାବରେ ତିନି ମହଲା ଘର ନିର୍ମାଣ କରିବେ ତେବେ ମୋଟ୍‌ ୫୪୦୦ ବର୍ଗଫୁଟର ଘର ହୋଇଯିବ। ସେହିପରି ଯଦି ଜଣେ ଲୋକ ସିଆଇଡିଏଫ୍ ବାବଦକୁ ଅର୍ଥ ଦେବେ ତେବେ କାହିଁକି ଇଆଇଡିପି ବାବଦକୁ ଅର୍ଥ ଦେବେ?

ସୂଚନାଯୋଗ୍ୟ ଯେ, ଜଣେ ଲୋକ ଏବେ ଘର ନିର୍ମାଣ କଲେ ଅନୁମୋଦନ ଫି’ ବାବଦକୁ ୧୫ଟଙ୍କା ପ୍ରତି ବର୍ଗମିଟର ପିଛା ଦେଉଛନ୍ତି। ଆପାର୍ଟମେଣ୍ଟ ହୋଇଥିଲେ ୫୦ଟଙ୍କା, ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ହୋଇଥିଲେ ବର୍ଗମିଟର ପିଛା ୬୦ଟଙ୍କା ଦେଉଛନ୍ତି। ଏହାବାଦ୍‌ ସିଅାଇଡିଏଫ୍ ବାବଦକୁ ଜମିର ମୋଟ୍‌ ଦାମ୍‌ ହିସାବରେ ୧% ଅର୍ଥ ଦେବେ, ‌‌ଶ୍ରମ ସେସ୍‌ ବାବଦରେ ଘର ନିର୍ମାଣ ଖର୍ଚ୍ଚର ୧% ଅର୍ଥ ଦେବାକୁ ପଡ଼ୁଛି। ୧୦ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚରେ ଘର ନିର୍ମାଣ କରୁଥିଲେ ସିଆଇଡିଏଫ୍ ବାବଦକୁ ୧% ଅର୍ଥ ଦେ‌ଉଛନ୍ତି। ତାହା ପୁଣି ଘର ନିର୍ମାଣ ଖର୍ଚ୍ଚ ବର୍ଗଫୁଟ ବାବଦକୁ ୧୭୫୦ ଟଙ୍କା ଲେଖାଏଁ ହିସାବରେ। ଏବେ ଇଆଇଡିପି ବାବଦକୁ ଆହୁରି ୧% ଦେବେ।

ସମ୍ବନ୍ଧିତ ଖବର