ଭୁବନେଶ୍ବର : ଗୁରୁବାର ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ହେବାକୁ ଥିବାବେଳେ ଏହାକୁ ଯେପରି ରାଜଧାନୀବାସୀ ବିଭିନ୍ନ ସ୍ଥାନରେ ଦେଖିପାରିବେ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବିଡିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜଧାନୀର ୫ଟି ସ୍ଥାନରେ ବଡ଼ ଏଲ୍ଇଡି ପରଦା ଲଗାଯାଇଥିବାବେଳେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏଠାରେ ଗଣତିରେ ଲାଇଭ୍ ଦୃଶ୍ୟ ଦେଖିବାକୁ ମିଳିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବିଡିଏ ପକ୍ଷରୁ ଫରେଷ୍ଟ ପାର୍କରେ ଏକ ବଡ଼ ପରଦା ଲାଗିଥିବାବେଳେ ଏଠାରେ ୪୦୦ଜଣ ଲୋକ ବସିକି ଭୋଟ୍ ଗଣତି ପ୍ରକ୍ରିୟା ଦେଖିପାରିବେ। ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଖରା ଯେପରି ଦର୍ଶକଙ୍କ ଉପରେ ନପଡ଼ିବ ସେଥିପାଇଁ ଏଠାରେ ଟେଣ୍ଟ ବନ୍ଧାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ହକି ବିଶ୍ବକପ୍ ପରି କଳ୍ପନା ଛକ, କଳିଙ୍ଗ ହସ୍ପିଟାଲ ଛକ, ରୁପାଲି ଛକ ଏବଂ ଲିଙ୍ଗରାଜ ମନ୍ଦିର ନିକଟରେ ବଡ଼ ବଡ଼ ପରଦାରେ ଲୋକମାନେ ଗଣତି ଦୃଶ୍ୟ ଦେଖିବା ସହ ନିର୍ବାଚନର ଅପ୍ ଟୁ ଡେଟ୍ ତଥ୍ୟ ପାଇବେ।
୫ ନିର୍ବାଚନ ମଣ୍ଡଳୀ ପାଇଁ ୧୦୦ ଟେବୁଲ୍
ଭୁବନେଶ୍ବର : ଭୁବନେଶ୍ବରର ୫ଟି ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ପାଇଁ ବିଜେବି କଲେଜରେ ୧୦୦ଟି ଟେବୁଲ୍ ବ୍ୟବସ୍ଥା ହୋଇଛି। ଏଥିରେ ପ୍ରତ୍ୟେକ ବିଧାନସଭା ପାଇଁ ୧୦ଟି ଟେବୁଲ୍ ଥିବାବେଳେ ଲୋକସଭା ପାଇଁ ୧୦ଟି ଲେଖାଏଁ ଟେବୁଲ୍ ରହିଛି। ମୋଟ୍ ୫ଟି ରୁମ୍ରେ ଭୋଟ୍ ଗଣତି ହେବ। ଭୁବନେଶ୍ବର ଏଡିଏମ୍ ଅରୁଣ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ହଲ୍ରେ ବିଧାନସଭା ପାଇଁ ୧୦ଟି ଓ ଲୋକସଭା ପାଇଁ ୧୦ଟି ଲେଖାଏଁ ଟେବୁଲ୍ ରହିବ। ଏଥିରରୁ ଗୋଟିଏ ଲେଖାଏଁ ଟେବୁଲ୍ ଭିଭିପାଟ୍ ଗଣତି ପାଇଁ ରହିବ। ଅଧିକ ଟେବୁଲ୍ ବ୍ୟବସ୍ଥା ହୋଇଥିବାରୁ ସଂଧ୍ୟା ସୁଦ୍ଧା ଭୁବନେଶ୍ବରର ଭୋଟ୍ ଗଣତି ଶେଷ ହେବାର ସମ୍ଭାବନା ଅଛି ବୋଲି ଶ୍ରୀ ବେହେରା କହିଛନ୍ତି।