ବଜାରମୁହାଁ ରାଜଧାନୀବାସୀ

ରାତି ପାହିଲେ ସାବିତ୍ରୀ

ଭୁବନେଶ୍ୱର: ଆଉ ଦିନକ ପରେ ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ କାମନା କରିବା ପାଇଁ ହିନ୍ଦୁ ନାରୀମାନେ ଏହି ବ୍ରତ କରିବେ। ଏଥି ପାଇଁ ରାଜଧାନୀର ବଜାରରେ ଏବେ ଖଚାଖଚ ଭିଡ଼। ଶାଢ଼ିଠାରୁ ଆରମ୍ଭ କରି ଫଳ, ପୂଜା ସାମଗ୍ରୀ କିଣିବାକୁ ନାହିଁ ନ ଥିବା ଗହଳି। ୟୁନିଟ୍‌-୧ ହାଟ, ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ, ବଡ଼ ସୋରୁମ୍‌ଠାରୁ ଆରମ୍ଭ କରି ଛୋଟ ଛୋଟ ହାଟ, ମାର୍କେଟ୍‌ ପର୍ଯ୍ୟନ୍ତ ସବୁଠି ଦିନତମାମ ଗହଳଚହଳ। ଗତକାଲି ଦ୍ୱିତୀୟ ଶନିବାର ଓ ଆଜି ରବିବାର ଛୁଟି ଥିବାରୁ ଲୋକମାନେ କିଣାକିଣି କରିବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ। ଶେଷ ଦିନକୁ ଅପେକ୍ଷା ନ କରି ଛୁଟିଦିନରେ କାମ ସାରିଦେବାକୁ ସମସ୍ତେ ବ୍ୟଗ୍ର ଥିଲେ। ଫଳରେ ସନ୍ଧ୍ୟାରେ ଗ୍ରାହକଙ୍କୁ ଠିଆ ହେବାକୁ ଜାଗା ନ ଥିଲା କି ବ୍ୟବସାୟୀଙ୍କୁ ଫୁର୍‌ସତ୍‌ ନ ଥିଲା। ଗତ କିଛି ଦିନ ହେବ ଫଳଗୁଡ଼ିକ ବହୁତ ଚଢ଼ା ଦରରେ ବିକ୍ରି ହେଉଛି। ଆମ୍ବ କିଲୋ ୧୦୦ ଟଙ୍କା ଥିବା ବେଳେ ସେଓ କିଲୋ ରହିଛି ପାଖାପାଖି ୨୦୦ ଟଙ୍କା। ସେମିତି ଅଙ୍ଗୁର, କମଳା, ଡାଳିମ୍ବ, ସପେତା, ଲିଚୁ, ଜାମୁରୋଳ ଓ ଆତ ଆଦିର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ଭିତରେ ରହିଛି ବୋଲି ୟୁନିଟ-୧ରେ ଫଳ ଦୋକାନ ପକାଇ ଥିବା ସୁନିଲ କୁମାର ସାହୁ କହିଛନ୍ତି। ଆଉ ଜଣେ ଫଳ ଦୋକାନୀ ପ୍ରକାଶ ମହାନ୍ତି କହିଥିଲେ, ଫଳଗୁଡ଼ିକର ଦାମ୍‌ ବହୁତ ଅଧିକ ରହୁଥିବାରୁ ଆମେ ପୂଜା ପାଇଁ ଗୋଟିଏ ଗୋଟିଏ ଫଳ ବିକ୍ରି କରୁଛୁ। ଏଥିରେ ଖଜୁରୀ ପେନ୍ଥା ଓ ଚେରି ୫ ଟଙ୍କାରେ ମିଳୁଥିବା ବେଳେ କେନ୍ଦୁ, ତାଳ ଓ ପିଜୁଳି ଗୋଟା ୧୦ ଟଙ୍କାରେ ଉପଲବ୍ଧ ହେଉଛି। ତେବେ ସାବିତ୍ରୀ ପାଇଁ ହଠାତ୍‌ ଦର ବଢ଼ାଇଦିଆଯାଇଥିବାକୁ ଦୋକାନୀମାନେ ସ୍ୱୀକାର କରିନାହାନ୍ତି। ସାବିତ୍ରୀ ପାଇଁ ପୂଜା ସାମଗ୍ରୀର ବଜାରରେ ବି ଆଜି ବେଶ୍‌ ଗହଳି ଥିଲା। ୟୁନିଟ-୧ରେ ପୂଜା ଦୋକାନ ପକାଇଥିବା ଉଲ୍ଲାସ ଚନ୍ଦ୍ର ଜେନା କୁହନ୍ତି, ଶଙ୍ଖା, ସିନ୍ଦୂର, ସାଲୁକନା, ତୁଳା, କଳାମାଳି, କାଠ ପାନିଆ, ପୂଜା ବ୍ରତ, ପାଟ ଫୁଲି, ମଥା ବସା, ଦର୍ପଣ ପରି ପୂଜା ସାମଗ୍ରୀର ଦାମ୍‌ ରହିଛି ପ୍ରାୟ ୫୦ ଟଙ୍କା। ସାବିତ୍ରୀ ପୂଜା ସାମଗ୍ରୀ କହିଲେ ଦୋକାନୀମାନେ ସିଧା ଗୋଟିଏ ସେଟ୍‌ ଧରାଇଦେଉଛନ୍ତି। ଆଉ ଗ୍ରାହକଙ୍କୁ ଗୋଟିଏ ଗୋଟିଏ ଜିନିଷ ମନେ ପକାଇ ମାଗିବାକୁ ପଡ଼ୁ ନାହିଁ। ସାବିତ୍ରୀ ପାଇଁ ଗତ ୧୫ ଦିନ ହେଲା ଶାଢ଼ି ବଜାର ବେଶ୍‌ ଚଳଚଞ୍ଚଳ ରହିଛି। ଏତେ ଦିନ ହେବ କିଣାକିଣି ଆରମ୍ଭ ହୋଇଥିଲେ ବି ଆଜି ଭିଡ଼ କିଛି କମ୍‌ ନ ଥିଲା। ସୋ’ରୁମ୍‌ଗୁଡ଼ିକର ସ୍ୱତନ୍ତ୍ର ରିହାତି ତଥା ନୂଆ ନୂଆ ଡିଜାଇନ୍‌ର ଶାଢ଼ି ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରୁଛି।

ସମ୍ବନ୍ଧିତ ଖବର