ଟଙ୍କିକିଆ ଚାଉଳ ପାଇଁ ଲୋକେ ହିନସ୍ତା

ଧୋକା ଦେଲା ବାୟୋମେଟ୍ରିକ୍‌ ମେସିନ୍‌

ବାଲିପାଟଣା: ବାଲିପାଟଣା ବ୍ଲକ୍‌ରେ ଟଙ୍କିକିଆ ଚାଉଳ ବଣ୍ଟନରେ ସପ୍ତାହେ ହେବ ଉତ୍କଟ ସମାସ୍ୟା ଦେଖାଦେଇଛି। ଚାଉଳ ଯୋଗାଣ ପାଇଁ ବ୍ୟବହୃତ ବାୟୋମେଟ୍ରିକ୍‌ ମେସିନ୍‌ କାମ ନ କରିବା ଫଳରେ ଏଭଳି ସମାସ୍ୟା ଉପୁଜିଛି। ଫଳରେ ବ୍ଲକର ହଜାର ହଜାର ଲୋକ ସରକାରଙ୍କ ଚାଉଳ ପାଇବାରେ ବାରହିନସ୍ତା ଭୋଗୁଛନ୍ତି। କାମଧନ୍ଦା ଛାଡ଼ି ପଞ୍ଚାୟତକୁ ଚାଉଳ ପାଇଁ ନିତିଦିନ ଯାଇ ଫେରୁଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେଉଁଠି କେଉଁଠି ଉତ୍ତେଜନା ବି ପ୍ରକାଶ ପାଇଛି। ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ନିଶ୍ଚିତପୁର ଗ୍ରାମର ବନ ବିହାରୀ ମେକାପ, ଗୁରୁ ଚରଣ ବାରିକ, ପଶ୍ଚିମଖଣ୍ଡର ପବନୀ ବାରିକ, ଇନ୍ଦୋଳ କୁସିଆରିର ଜିତେନ୍ଦ୍ର କୁମାର ବିଶ୍ୱାଳ, ଘାସିଅନ୍ଧୋଟିର ନବକିଶୋର ସ୍ୱାଇଁ, ସାନମାଛପୁରର ସନ୍ଧ୍ୟାରାଣୀ ବାରିକ, ପ୍ରମିଳା ଛାଟୋଇ ପ୍ରମୁଖ ଅଭିଯୋଗ କରିଛନ୍ତି, ଆଜକୁ ତିନି ଚାରି ଦିନ ହେବ ସେମାନେ ଦୂରଦୂରାନ୍ତରୁ କାମଧନ୍ଦା ବନ୍ଦ କରି ଟଙ୍କିକିଆ ଚାଉଳ ପାଇଁ ପଞ୍ଚାୟତକୁ ଆସୁଛନ୍ତି। ବିଲରେ ଧାନ ପଡ଼ିଛି ଯେ ଘରକୁ ଆସିପାରିନି। ଆଉ କାହାର ଖଳାରେ ଧାନ ଗଦା ହୋଇଛି ଯେ ଅମଳ ବି ହୋଇ ନାହିଁ। କିଏ ଦିନକୁ ଦୁଇଶହ ଟଙ୍କା ମଜୁରି ବନ୍ଦ କରି ଆସୁଛନ୍ତି ତ କିଏ ଘର, ଧାନ କାମ ବନ୍ଦ କରି ଆସୁଛନ୍ତି। କିନ୍ତୁ ଚାଉଳ ନପାଇ ହତାଶ ହୋଇ ଫେରୁଛନ୍ତି। କେବଳ କୁରୁଞ୍ଜିପୁର ପଞ୍ଚାୟତ ନୁହେଁ, ସମଗ୍ର ବ୍ଲକରେ ୨୨ ହଜାର ୫୨୫ ପରିବାର ପାଇଁ ଏଭଳି ସମାସ୍ୟା ଦେଖାଦେଇଛ। ଫଳରେ ପ୍ରାୟ ୮୭ ହଜାର ୬୭୨ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଦିନ ହେବ ବାୟୋମେଟ୍ରିକ୍‌ ମେସିନ୍‌ ସରଭର ଡାଉନ୍‌ ରହିଛି। ଫଳରେ ଲୋକଙ୍କ ଆଧାର ଲିଙ୍କ୍‌ର କୌଣସି ସୂଚନା ମେସିନ୍‌ରେ ମିଳି ପାରୁନାହିଁ। ସେଥିପାଇଁ ଚାଉଳ ବଣ୍ଟନ ସମ୍ଭବ ହୋଇ ପାରୁନାହିଁ। କେବଳ ବାଲିପାଟଣା ବ୍ଲକ ନୁହେଁ ସରଭର ଡାଉନ୍‌ ପାଇଁ ସାରା ରାଜ୍ୟରେ ଏଭଳି ସମାସ୍ୟା ଦେଖା ଦେଇଥିବା ଜଣେ ଅଧିକାରୀ କହିଛନ୍ତି। ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରୁ ଅପ୍ରାମାଣିକ ତଥ୍ୟ ବଳରେ ଚାଉଳ ବଣ୍ଟିବା ପାଇଁ ପ୍ରଶାସନ ପକ୍ଷରୁ ଏବେ ନିର୍ଦ୍ଦେଶ ଦିଆଯାଇଛି।

ସବୁଠାରୁ କୌତୁହଳର ବିଷୟ ଯେ ଗତ ଡିସେମ୍ବର ୫ ତାରିଖରେ ଝାଡ଼ଖଣ୍ଡରୁ ଆସିଥିବା ତାଙ୍କ ରାଜ୍ୟ ଫୁଡ଼୍‍ କମିସନର୍‌ ଡ. ରଞ୍ଜନା କୁମାରୀ, ବୀଣା ମିଶ୍ର, ଉପେନ୍ଦ୍ର ନାରାୟଣ ଓରାନ୍‌, ରାମକରଣ ରଞ୍ଜନ, ହଲଦାର ମହତୋ ପ୍ରମୁଖଙ୍କ ଏକ ଟିମ୍‌କୁ ଏହି ବାୟୋମେଟ୍ରିକ୍‌ ମେସିନ୍‌ରେ ସରୁଖୁରୁରେ କିଭଳି ରାସନ୍‌ ଚାଉଳ ବଣ୍ଟନ ହୋଇପାରୁଛି, ତାହା ଦେଖି ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଥିଲେ। କିନ୍ତୁ ସେହି ମେସିନ୍‌ ଆଜି ଧୋକା ଦେବାରୁ ସ୍ଥାନୀୟ ଲୋକେ ଚାଉଳ ପାଇଁ ହିନସ୍ତା ଭୋଗୁଛନ୍ତି। ଏଭଳି ସମାସ୍ୟା ସଂପର୍କରେ କୁରୁଞ୍ଜିପୁର ପଞ୍ଚାୟତର ଯୋଗାଣ ସହାୟିକାଙ୍କୁ ପଚାରିବାରୁ ସେ କହିଛନ୍ତି ଗୁରୁବାରଠାରୁ ମେସିନ୍‌ କାମ କରୁନାହିଁ। ଲୋକମାନେ ବାରମ୍ବାର ଫେରିବା କାରଣରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଶେଷରେ ଆମେ ମେସିନ୍‌ର ଭରସନ୍‌ ପରିବର୍ତ୍ତନ କରି ଚାଉଳ ଦେଉଛୁ। ବାଲିପାଟଣା ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକଙ୍କୁ ସମାସ୍ୟା ସଂପର୍କରେ ପଚାରିବାରୁ ସେ କହିଛନ୍ତି, ସରଭର ଡାଉନ୍‌ ପାଇଁ ବାୟୋମେଟ୍ରିକ୍‌ ମେସିନ୍‌ କାମ କରୁନଥିଲା। ଆଧାର ଲିଙ୍କର ପ୍ରାମାଣିକ ତଥ୍ୟକୁ ନ ଦେଖି ବାୟୋମେଟ୍ରିକ୍‌ ମେସିନ୍‌ର ଅନ୍ୟ ଭରସନ୍‌ରେ ଅନ୍‌-ଅଥଣ୍ଟିକେଟେଡ୍‌ ଉପାୟରେ ଚାଉଳ ବାଣ୍ଟିବାକୁ ଅନୁମତି ଦିଆଯାଇ ସାରିଛି।

ସମ୍ବନ୍ଧିତ ଖବର