ଦିନକୁ ୨୦ ହଜାର ଲିଟର କ୍ଷୀର ନଷ୍ଟ, ଚିନ୍ତାରେ ଦୁଗ୍ଧ ଚାଷୀ

ବିକ୍ରି ହୋଇପାରୁନି ଓମ୍‌ଫେଡ୍‌ ଖାଦ୍ୟ ସାମଗ୍ରୀ

 

ବାଲିଅନ୍ତା: କରୋନା କଟକଣା ଏବେ ସବୁ କର୍ମସଂସ୍ଥାନକୁ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ସଂକ୍ରମଣ ‌ଭୟ ଯୋଗୁଁ ତାଲା ବନ୍ଦ ଆଇନ କଡ଼ାକଡ଼ି ହେବା ପରେ ବିଭିନ୍ନ ବୃତ୍ତିଧାରୀ ଲୋକମାନେ ହାତବାନ୍ଧି ବସିଛନ୍ତି। ଗ୍ରାମାଞ୍ଚଳର ଲୋକମାନେ ବିଶେଷକରି କୃଷି ଓ ଗୋରୁ ଗାଈ ଓ ମଇଁଷି ପାଳନ କରି ପରିବାର ଚଳାଉଥିବାରୁ ସେମାନଙ୍କ ପାଇଁ କରୋନା ଦାଉ ସାଧିଛି। ଗାଈ ଓ ମଇଁଷିମାନେ ଦେଉଥିବା କ୍ଷୀର ଏବେ ବିକ୍ରି କରିବାରେ ସମସ୍ୟା ଉପୁଜିଛି। କ୍ଷୀର ସଂଗ୍ରହ କରୁଥିବା ଓମଫେଡ୍‌, ପୁମୁଲ ଭଳି ସରକାରୀ ସଂସ୍ଥା ସାଙ୍ଗକୁ ଅନ୍ୟାନ୍ୟ ଘରୋଇ ସଂସ୍ଥାଗୁଡ଼ିକ ପଞ୍ଜୀକୃତ ଚାଷୀମାନଙ୍କଠାରୁ କ୍ଷୀର ସଂଗ୍ରହ କରିବା ବନ୍ଦ କରି ଦେଇଛନ୍ତି। ଫଳରେ ଦୁଗ୍ଧ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛକ ବଜାରରେ ଥିବା ଚା’ ଓ ଛୋଟବଡ଼ ଜଳଖିଆ ତଥା ଗାଙ୍ଗୁରାମ ଦୋକାନରେ ତାଲା ଝୁଲୁଛି। ବିବାହ, ଉତ୍ସବ ଓ ବ୍ରତ ଭଳି ସାମାଜିକ କାର୍ଯ୍ୟ ମଧ୍ୟ ଠପ୍ ହୋଇଯାଇଛି। ଏଭଳି ପରିସ୍ଥିତିରେ ଚାଷୀମାନେ କ୍ଷୀର ବିକିବା ଆଉ ସମ୍ଭବ ହେଉନାହିଁ। ଏଥିପାଇଁ ବାଲିଅନ୍ତା ଅଞ୍ଚଳରେ ଦୈନିକ ପ୍ରାୟ ୨୦ ହଜାର ଲିଟର କ୍ଷୀର ନଷ୍ଟ ହେଉଥିବା ନେଇ ସୂଚନା ମିଳିଛି। ନଷ୍ଟ କ୍ଷୀର ନର୍ଦ୍ଦମାକୁ ଯାଉଛି। ପାଖ ବ୍ଲକ୍‌ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ପୁମୁଲ (ପୁରୀ ଜିଲ୍ଲା ମିଲ୍କ ୟୁନିୟନ ଲିମିଟେଡ୍‌)ର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୋଟ ୨୬ଟି ଦୁଗ୍ଧ ସମବାୟ ସମିତିରେ ମୋଟ ୫୦୦୦ ପଞ୍ଜୀକୃତ ଚାଷୀ ଅଛନ୍ତି। ସେମାନଙ୍କଠାରୁ ଦିନକୁ ୨୪ ଶହ ଲିଟର କ୍ଷୀର ସଂଗ୍ରହ ହୋଇଥାଏ। ସେହିପରି ଖମଙ୍ଗ ଓ ଭିଙ୍ଗାରପୁରଠାରେ ଦୁଇଟି କ୍ଷୀର ପ୍ରକ୍ରିୟାକରଣ କେନ୍ଦ୍ର ରହିଛି। ଏଠାରୁ କ୍ଷୀର ଚନ୍ଦ୍ରଶେଖରପୁର ପ୍ଲାଣ୍ଟକୁ ସ୍ଥାନାନ୍ତର ହୋଇଥାଏ। ତେବ‌େ ବର୍ତ୍ତମାନ ପରିସ୍ଥିତିରେ ଚାଷୀଙ୍କଠାରୁ ସମିତିଗୁଡ଼ିକ ଦୁଗ୍ଧ ସଂଗ୍ରହ କରୁନଥିବାରୁ ପ୍ରତିଦିନ ଏ ଅଞ୍ଚଳରେ ୨୦ ହଜାର ଲିଟର କ୍ଷୀର ନଷ୍ଟ ହେଉଥିବା ଜଣାଯାଇଛି। ସେହିପରି କାମଧେନୁ, ମିଲ୍‌କ ମୁ’ ଭଳି ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଅନୁରୂପ ଭାବେ କ୍ଷୀର ସଂଗ୍ରହ ବନ୍ଦ କରି ଦେଇଛନ୍ତି। ଏଭଳି ସ୍ଥିତିରେ ଘୋଡ଼ା ୬ଟଙ୍କାକୁ ଦାନା ୯ ଟଙ୍କା ହୋଇଛି। ଗୋ-ଖାଦ୍ୟର ବି ଅଭାବ ଦେଖାଯାଇଛି। ଫଳରେ ଗୃହପାଳିତ ପଶୁପାଳକମାନେ ହତାଶ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ପୁମୁଲର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସମସ୍ତ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି। ଏ ଦିଗରେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର