ପ୍ରତିବର୍ଷ ୯ ଲକ୍ଷ ଯୁବପିଢ଼ିଙ୍କୁ ରୋଜଗାର ଆବଶ୍ୟକ

ଭୁବନେଶ୍ୱର ଏସ୍‌ଡିଆଇର ଦ୍ୱିତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ୧୫ ବର୍ଷରେ ପହଞ୍ଚୁଥିବା ୯ ଲକ୍ଷ ଓଡ଼ିଆ ଯୁବପିଢ଼ିଙ୍କ ରୋଜଗାର କଥା ଚିନ୍ତା କରିବାକୁ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରସ୍ଥିତ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଡିଆଇ)ର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ, ସମସ୍ତ ଯୁବପିଢ଼ିଙ୍କୁ ଦକ୍ଷତାସମ୍ପନ୍ନ ଓ କୌଶଳୀ ହେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ତେଣୁ ବିଏ, ବିଏସ୍‌ସି, ବି.କମ୍‌ ପାଠ୍ୟକ୍ରମରେ ପାସ୍‌ ପରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ସମ୍ପନ୍ନ କରିବାକୁ ପଡ଼ିବ। ସେମାନଙ୍କ ଦକ୍ଷତାର ବିକାଶ ଦ୍ୱାରା ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ। ଓଡ଼ିଶାରେ ଟ୍ରେନର୍‌ ଓ ଟ୍ରେନିଙ୍ଗ ପାଇଁ ସ୍ୟାପ୍‌ ସହ ମନ୍ତ୍ରାଳୟର ଆଲୋଚନା ହୋଇଛି। ରାଜଧାନୀ ଉପକଣ୍ଠରେ ୬୦ ଏକର ଜମିରେ ସ୍କିଲ୍‌ ଇନ୍‌ଷ୍ଟିଚ୍ୟୁଟର ଶୁଭ ଦିଆଯାଇଛି। ୨୦୧୮ ସୁଦ୍ଧା ସେଠାରେ ପାଠପଢ଼ା ଆରମ୍ଭ ହେବ। ୩ ହଜାର ଛାତ୍ରଛାତ୍ରୀ ରହିବା ସହ ଅତ୍ୟାଧୁନିକ ଲାବରେଟୋରି ସୁବିଧା ଉପଲବ୍ଧ କରାଯିବ ବୋଲି ସେ କହିଥିଲେ। ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ଯେ ମେଗା ମଡେଲ ସ୍କିଲ ଏକାଡେମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏସ୍‌ଡିଆଇ ଏହାର ମୁଖ୍ୟ କ୍ୟାମ୍ପସର ଭିତ୍ତିଭୂମି ନିର୍ମାଣ ପାଇଁ ଏନ୍‌ବିସିସି ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଯୁବବର୍ଗ ମଧ୍ୟରେ ନୂତନ କୌଶଳ ବୃଦ୍ଧି ନିମନ୍ତେ ଉତ୍ସାହିତ କରିବା ଓ ଷ୍ଟାର୍ଟଅପ୍‌କୁ ତ୍ୱରାନ୍ଵିତ କରିବା ନିମନ୍ତେ ଇନ୍‌କ୍ୟୁବେସନ ସେଣ୍ଟରର ନିର୍ମାଣ କରାଯିବାର ପ୍ରସ୍ତାବ ରହିଥିବା ଏସ୍‌ଡିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଅବସରରେ ଏକ ବିଶେଷ ଡାକଟିକଟର ଲୋଗୋ ଜାରି କରାଯିବା ସହ ଏଲ୍‌ପିଜି ମେକାନିକ୍‌ ପାଠ୍ୟକ୍ରମର ମଧ୍ୟ ଆରମ୍ଭ ହୋଇଛି। ଭୁବନେଶ୍ୱରର ୫ଜଣ ବିଦ୍ୟାର୍ଥୀଙ୍କୁ ପ୍ରଶଂସାପତ୍ର ପ୍ରଦାନ, ଏସ୍‌ଡିଆଇ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ସହ କୌଶଳ ପ୍ରଶିକ୍ଷଣର ପ୍ରଭାବ ସଂପର୍କରେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର