‘ପ୍ରେରଣା ଗ୍ରିନ୍‌ ଆର୍ମି’ର ଜାତୀୟ ବନ ମହୋତ୍ସବ ସପ୍ତାହ

‘ପ୍ରକୃତି ପ୍ରତି ଥିବା କର୍ତବ୍ୟ ସମ୍ପାଦନ କର’

ଭୁବନେଶ୍ବର: ଗଛ ଆମ ଜୀବନ ଧନ, ଦିଏ ଆମକୁ ପାଣି ପବନ। ଏଭଳି ଏକ ବାର୍ତା ସହ ଛାତ୍ରଛାତ୍ରୀଙ୍କ ମେଳରେ ବୃକ୍ଷ ରୋପଣ କରିବାର ଅବକାଶ ସୃଷ୍ଟି ହୋଇଥିଲା ୟୁନିଟ୍‌ ୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ। ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ଆୟୋଜିତ ଏହି ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସ୍କୁଲ୍‌ ପରିସରରେ ବୃକ୍ଷରୋପଣ ସହ ସ୍ଥାନୀୟ ଅଞ୍ଚଳରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କ ଉଦ୍ଦେଶ୍ୟରେ କହିଲେ, ପ୍ରକୃତି ଆମର ମା’। ତା’ ପ୍ରତି ମଧ୍ୟ ଆମର କର୍ତବ୍ୟ ରହିଛି। ଗଛଟିଏ ଲଗାଇଲେ ଏହା କେବଳ ପ୍ରକୃତି ପାଇଁ ଫଳପ୍ରଦ ହେବନି, ଏକ ସୁସ୍ଥ ଜୀବନ ବଞ୍ଚିବାରେ ଆମକୁ ହିଁ ସାହା ହେବ। ତେଣୁ ଅନ୍ତତଃ ବର୍ଷକୁ ଗୋଟେ ଗଛ ଲଗାଇବା ସହ ତା’ର ଯତ୍ନ ନେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସାମାଜିକ କର୍ମୀ ସୁଲତା ଦେଓ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପିଲାମାନେ ପରିବେଶ ସୁରକ୍ଷାର ବଡ଼ ମାଧ୍ୟମ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପ୍ରେରଣା ଗ୍ରିନ୍‌ ଆର୍ମିର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସମେତ ସ୍କୁଲ୍‌ର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ଦେବଦତ୍ତ ମିଶ୍ର, ପ୍ରଧାନଶିକ୍ଷକ ତପନ କୁମାର ପଣ୍ଡା, ଶିକ୍ଷକ ଗଙ୍ଗାଧର ଷଡ଼ଙ୍ଗୀ, ସାମାଜିକ କର୍ମୀ ଲୋପାମୁଦ୍ରା ପ୍ରଧାନ, ଓଡ଼ିଶୀ ନୃତ୍ୟଶିଳ୍ପୀ ଅଭିପ୍ସା ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ସକାଳେ ଶୋଭାଯାତ୍ରା ସହ ‘ଗଛ ଓ ଜୀବନ’ ଶୀର୍ଷକ ବିଷୟକୁ ନେଇ ନୃତ୍ୟ, ଗୀତ, ଏକକ ଅଭିନୟ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର