ଗୋମାତାଙ୍କୁ ବୋମାମାଡ଼: ନବୀନ ନିବାସ ସମ୍ମୁଖରେ ଧାରଣା

ପୁରୁଣା ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗୋମାତାଙ୍କୁ ବୋମାମାଡ଼ ହେଉଛି। ଗୋଚାଲାଣକାରୀମାନେ ଏମିତି କରି ଆହତ ଗାଈମାନଙ୍କୁ ଚାଲାଣ କରିବାକୁ ନୂଆ ଯୋଜନା କରିଛନ୍ତି। ଏନେଇ ପୁଲିସରେ ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ ଆଜି ଗୋମାତାଙ୍କ ସୁରକ୍ଷା ଓ ବୋମା ଫିଙ୍ଗୁଥିବା ଅମଣିଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନ ନିବାସ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

‘ସେବା ହିଁ ସଙ୍କଳ୍ପ’ ଅନୁଷ୍ଠାନ ପକ୍ଷରୁ ଆଜି ନବୀନ ନିବ‌ାସ ଆଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୋମାମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିବା ୬ଟି ଗାଈଙ୍କୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ରାଜେଶ ପୃଷ୍ଟିଙ୍କ କହିବା ଅନୁଯାୟୀ ଏଭଳି ଅମାନବୀୟ ଘଟଣା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଛି। ବାଙ୍କୀରେ ଏମିତି ୩ଟି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଗାଈଙ୍କୁ ବୋମା ଫିଙ୍ଗି ଆହତ କରିବା ପରେ ସେମାନେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏନେଇ ସେମାନେ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ବୋମାମାଡ଼ କରିଥିବା ବ୍ୟକ୍ତିମାନଙ୍କୁ ଠାବ କରିନଥିଲା। ସେହିଭଳି କଟକ ଟାଙ୍ଗୀରୁ ଓ ଖୋର୍ଦ୍ଧା ଟାଙ୍ଗୀରୁ ମଧ୍ୟ ଗୋଟିଏ ଲେଖାଏ ମାମଲା ଆସିଛି। ଗୋଚାଲାଣକାରୀମାନେ ଏହି ବୋମାମାଡ଼ କରୁଛନ୍ତି ବୋଲି ଶ୍ରୀ ପୃଷ୍ଟି କହିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ଅବସରରେ ସେମାନେ ଗୋଚାଲାଣ ବନ୍ଦ କରିବାକୁ ଦାବି କରିଥିଲେ। ଏୟାର୍‌ପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ କିଛି ଅଧିକାରୀ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ପ୍ରତିବାଦରୁ ଓହରିଥିଲେ।

ସମ୍ବନ୍ଧିତ ଖବର