ହକି-ଡଟ୍‌ଫେଷ୍ଟ୍‌ରେ ସାହାଣମେଲା, ଖଣ୍ଡଗିରି ମେଳାକୁ ଆକଟ

ଭୁବନେଶ୍ବର: ୨୮ ତାରିଖରୁ ଖଣ୍ଡଗିରି ମେଳା। ଜାନୁଆରି ୩୦ରୁ ଯାତ୍ରା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଯାତ୍ରା ଦଳ। କିଏ କେଉଁ ନାଟକ କେତେ ରାତି ପରିବେଷଣ କରିବେ, ତାହାର ତାଲିକା ଶେଷ ହେଲାଣି। ଦୁଇବର୍ଷ ବ୍ୟବଧାନ ପରେ ଯାତ୍ରା ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଏମ୍‌ସିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଏବେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ‘ପ୍ରଚଳିତ କୋଭିଡ୍‌ କଟକଣା’ (ଏଗ୍‌ଜିଷ୍ଟିଂ କୋଭିଡ୍‌ ପ୍ରୋଟୋକଲ୍‌) ମଧ୍ୟରେ ଯାତ୍ରା ପରିବେଷଣ କରିବାକୁ ଏସ୍‌ଓପିରେ କୁହାଯାଇଛି। ଗୋଟିଏପଟେ ରାଜ୍ୟ ସରକାର ଗତ ନଭେମ୍ବର ମାସରୁ ରାଜ୍ୟରେ କୋଭିଡ୍‌ କଟକଣା ହଟାଇଛନ୍ତି। ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର୍‌ ବ୍ୟବହାର ପରି ନିୟମ ହଟିଛି। ରାଜ୍ୟରେ ଏବେ କୌଣସି କୋଭିଡ୍‌ କଟକଣା ପ୍ରଚଳିତ ନଥିଲା ବେଳେ ବିଏମ୍‌ସି ପକ୍ଷରୁ ଜାରି ଏସ୍‌ଓପିରେ କେଉଁ ‘ପ୍ରଚଳିତ କୋଭିଡ୍‌ କଟକଣା’ କଥା କୁହାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏସ୍‌ଓପିରେ କୁହାଯାଇଛି‌ ଯେ ସମ୍ପୂର୍ଣ୍ଣ ଖଣ୍ଡଗିରି ମେଳାରେ ପରିବେଷଣ ହେବାକୁ ଥିବା ଯାତ୍ରା ପେଣ୍ଡାଲରେ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରାଯିବ। ଆୟୋଜକ କମିଟିର ସମସ୍ତ ଅଫିସର, ସଦସ୍ୟ ଓ ସ୍ବେଚ୍ଛାସେବୀ ଯେପରି ସମ୍ପୂର୍ଣ୍ଣ କୋଭିଡ୍‌ ଟିକା ଗ୍ରହଣ କରିବେ, ଦକ୍ଷିଣ-ପଶ୍ଚିମ ଜୋନ୍‌ ଜେଡ୍‌ଡିସି ସୁନିଶ୍ଚିତ କରାଇବେ। ପ୍ରତି ଯାତ୍ରା ପେଣ୍ଡାଲର ପ୍ରବେଶପଥରେ ଆୟୋଜକ କମିଟି ପକ୍ଷରୁ ପ୍ରବେଶ କରୁଥିବା ଦର୍ଶକଙ୍କ ଲାଗି ହ୍ୟାଣ୍ଡ ସାନିଟାଇଜର୍‌ ଉପଲବ୍ଧ କରାଯିବ। ବର୍ତ୍ତମାନର ପ୍ରଚଳିତ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ବସିବା ଲାଗି ସିଟ୍‌ର ବ୍ୟବସ୍ଥା କରିବାକୁ ବି କୁହାଯାଇଛି।

୨୦୨୨ ନଭେମ୍ବର ୨୦ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ କୋଭିଡ୍‌ ସଂକ୍ରମଣ ହ୍ରାସ ପା‌ଇଥିବାରୁ ‘ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ ୨୦୨୦’କୁ ଉଠାଇ ଦିଆଯାଇଛି। ରାଜ୍ୟରେ ଆଉ କୋଭିଡ୍‌ କଟକଣା କିମ୍ବା ନିୟମାବଳୀ ମାନିବାକୁ କେହି ବାଧ୍ୟ ନୁହନ୍ତି। ତେବେ ସାଧାରଣ ଲୋକେ ଚାହିଲେ ସ୍ବେଚ୍ଛାକୃତ ଭାବେ ନିୟମ ପାଳନ କରିପାରିବେ। କୋଭିଡ୍‌-୧୯ ନିୟମାବଳୀ ରାଜ୍ୟରେ ବଳବତ୍ତର ଥିବା ବେଳେ ମାସ୍କ ପିନ୍ଧିବା, ସର୍ବସାଧାରଣରେ ଛେପ ପକାଇବା, ଭିଡ଼ ଜମାଇବା ଉପରେ କଟକଣା ରହିଥିଲା। ଏହି ନିୟମ ଭଙ୍ଗ କଲେ ଜରିମାନା ରୁଜୁ ହେଉଥିଲା। ମାତ୍ର ରାଜ୍ୟ ସରକାର କୋଭିଡ୍‌-୧୯ ନିୟମାବଳୀ ଉଚ୍ଛେଦ କରିବା ପରେ ସବୁ କିଛି ପୁଣିଥରେ ସ୍ବାଭାବିକ ଚାଲିଛି। ଏବେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ କିମ୍ବା ରାଜ୍ୟ ସରକାର ଆଉ କୌଣସି ଗାଇଡ୍‌ଲାଇନ୍‌ ଜାରି କରିନାହାନ୍ତି। ଦୁଇ ମାସ ହେଲା କଟକଣା ହଟିଥିଲେ ମଧ୍ୟ ବିଏମ୍‌ସିର ବାବୁମାନେ ନିଜ ଏସ୍‌ଓପିରେ କେଉଁ କଟକଣା କଥା କହୁଛନ୍ତି, ତାହା ରାଜଧାନୀବାସୀ ବୁଝି ପାରୁନାହାନ୍ତି।

ମନଇଚ୍ଛା ଏସ୍‌ଓପି ପ୍ରସ୍ତୁତ ହେଉଛି
‘ପ୍ରଚଳିତ କୋଭିଡ୍‌ କଟକଣା’ର ମାନେ କେହି ବୁଝି ପାରୁନାହାନ୍ତି
ସବୁ ସ୍ବାଭାବିକ, ଡରାଉଛି ବିଏମ୍‌ସି

ସହରବାସୀଙ୍କ କହିବା କଥା ହେଉଛି ଯେ ରାଜଧାନୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଭାବେ ଚାଲୁଛି। ହକି ଖେଳରେ ୨୦ହଜାରରୁ ଅଧିକ ଲୋକ ‌ଏକାଠି ହୋଇ ଖେଳ ଦେଖୁଛନ୍ତି। ଡଟ୍‌ ଫେଷ୍ଟରେ ଗହଳି ନ କହିବା ଭଲ। କାହା ମୁହ‌ଁରେ ମାସ୍କ ନାହିଁ କି ସାମାଜିକ ଦୂରତା କେହି ମାନୁ ନାହାନ୍ତି। ‌ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ତ ପାଦ ପକାଇବାକୁ ଜାଗା ନାହିଁ। ପଥ ଉତ୍ସବ ଆୟୋଜନ କରାଯାଇ ସହରବାସୀଙ୍କ ଲାଗି ସାହାଣମେଲା କରାଯାଇଥିଲା। ଖୋଦ୍ ଭୁବନେଶ୍ବରର ବିଧାୟକ, ମେୟର, କମିସନର୍‌ ଓ କର୍ପୋରେଟର୍‌ମାନେ ବିନା ମାସ୍କରେ ସେଠାରେ ଯୋଗ ଦେଉଛନ୍ତି। ଶତାଧିକ ଲୋକ ତାଙ୍କୁ ବିନା ସାମାଜିକ ଦୂରତାରେ ଘେରି ରହୁଛନ୍ତି। କେଉଁଠି କିଛି ସାନିଟାଇଜାର୍‌ ରଖାଯାଇନି କି ‌କାହା ପାଇଁ ଟିକା ବାଧ୍ୟତାମୂଳକ କରାଯାଇନି।

ଏଭଳି ସମୟରେ ଖଣ୍ଡଗିରି ମେଳାରେ କୋଭିଡ୍‌ କଟକଣା ଲଗାଇବା ପରି ଏକ ଉଦ୍ଭଟ ଚିନ୍ତାଧାରା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମୁଣ୍ଡରେ କିପରି ପଶିଲା, ତାହା ବୁଝାପଡ଼ୁ ନାହିଁ। ପୁଣି ‘ପ୍ରଚଳିତ କୋଭିଡ୍‌ କଟକଣା’ର ମାନେ କ’ଣ, ତାହା ବି ଦ୍ବନ୍ଦ୍ବ ସୃଷ୍ଟି କରୁଛି। ବିଏମ୍‌ସି କ’ଣ ରାଜ୍ୟ ସରକାରଙ୍କ ବାହାରେ ନିଷ୍ପତ୍ତି ନେଉଛି କି? ଯେଉଁଠି ଏବେ ରାଜ୍ୟର କୌଣସି ବି ସ୍ଥାନରେ କୋଭିଡ୍‌ କଟକଣା ନାହିଁ, ସେତେବେଳେ ବିଏମ୍‌ସିର ବାବୁମାନେ କୋଭିଡ୍‌ କଟକଣା କେଉଁଠୁ ଆଣିଲେ? ବାଉଳା‌ରେ ସେମାନେ ‘କପି ପେଷ୍ଟ’ କରି ଏଭଳି ଲେଖି ଦେଇଥିବା ପରି ଲାଗୁଛି। ଯଦି ବିଏମ୍‌ସି ଏତେ ଚିନ୍ତିତ ତେବେ ‘ପ୍ରଚଳିତ କୋଭିଡ୍‌ କଟକଣାଟି କ’ଣ, ତାହା ସ୍ପଷ୍ଟ ହେବା ଆବଶ୍ୟକ। ଯାତ୍ରା ପେଣ୍ଡାଲ୍‌ ପ୍ରବେଶ ପଥରେ ସାନିଟାଇଜର ରଖିବାକୁ କୁହାଯାଇଛି। ପ୍ରତି ରାତିରେ ଗୋଟିଏ ମଞ୍ଚରେ ଦୁଇ ହଜାରରୁ ଅଧିକ ଦର୍ଶକ ପ୍ରବେଶ କରିବେ। ସେମାନଙ୍କ ପାଇଁ ଆବଶ୍ୟକ ସାନିଟାଇଜର୍‌ କିଣିବା ଲାଗି ଅର୍ଥ କେଉଁଠୁ ଆସିବ ବୋଲି କିଛି ଆୟୋଜକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର