ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ, ଥାଲାସିମିଆ ରୋଗୀଙ୍କୁ ପାତରଅନ୍ତର

ଖୋର୍ଧା ଜିଲ୍ଲାରେ ଅସ୍ଥାୟୀ ସାର୍ଟିଫିକେଟ୍ ପ୍ରଦାନ ନେଇ ଅସନ୍ତୋଷ

ଭୁବନେଶ୍ବର: ଥାଲାସିମିଆ ରୋଗୀଙ୍କୁ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ସ୍ଥାୟୀ ସାର୍ଟିଫିକେ୍‌ଟ ବଦଳରେ ଅସ୍ଥାୟୀ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଥିବାରୁ ସେମାନଙ୍କୁ ସରକାରୀ ସ୍ତରରେ ଯେଉଁ ସୁବିଧା ସୁ‌ଯୋଗ ମିଳିବା କଥା ତାହା ମିଳୁନାହିଁ। ବାରମ୍ବାର ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ଫଳରେ ଥାଲାସିମିଆ ରୋଗୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଥାଲାସିମିଆ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସମିତି ଏହାକୁ ନେଇ ଆନ୍ଦୋଳନ କରିବା ପାଇଁ ଆହ୍ବାନ ଦେଇଛି।

ଥାଲାସିମିଆ ରୋଗୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଯେଉଁ ବ୍ୟକ୍ତିମାନେ ନିଜର ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ, ମଧୁବାବୁ ପେନସନ୍ ଯୋଜନାରେ ସହାୟତା ସହିତ ଯାତାୟତ ପାଇଁ ୫ଶହ ଟଙ୍କା ଗସ୍ତ ଖର୍ଚ ଆକାରରେ ପ୍ରଦାନ କରାଯାଉଛି। ଏହାସହ ବସ୍‌ ଓ ରେଳରେ ମଧ୍ୟ ସେମାନଙ୍କୁ ରିହାତିର ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଗାଇଡଲାଇନ୍‌ରେ ଥାଲାସିମିଆ ରୋଗୀଙ୍କୁ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ରାଜ୍ୟର ଖୋର୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ଖୋର୍ଧା ଜିଲ୍ଲାରେ ଅସ୍ଥାୟୀଭାବେ ୨ବର୍ଷ ପାଇଁ ଏହି ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି। ରାଜ୍ୟରେ ଏବେ ପ୍ରାୟ ୧୭ହଜାର ଥାଲାସିମିଆ ‌ଆକ୍ରାନ୍ତ ଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୫୦/୩୦୦ ରୋଗୀ ରହିଛନ୍ତି। ପ୍ରତିବର୍ଷ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଧା ଜିଲ୍ଲାର ଦୁଇଟି ସ୍ଥାନରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନର ବ୍ୟବସ୍ଥା ରହିଛି। ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲରେ ଜଣେ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇପାରିବ। ୪୦-୯୦ ପ୍ରତିଶତ ପର୍ଯ୍ୟନ୍ତ ଥାଲାସିମିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ସାର୍ଟିଫିକେଟ୍ ମିଳିଥାଏ। ସବୁ ଜିଲ୍ଲାର ସିଡିଏମ୍‌ଓଙ୍କ ଅଧୀନରେ ଏହି ସାର୍ଟିଫିକେଟ୍‌ ପ୍ରଦାନର ଦାୟିତ୍ବ ଦିଆଯାଇଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ଉଦ୍ଦିଷ୍ଟ ଡାକ୍ତର ଓ ଡାକ୍ତରୀ ଟିମ୍‌ ନ ଥିବାରୁ ଏଠାରେ ଥାଲାସିମିଆ ରୋଗୀଙ୍କୁ ସାର୍ଟିଫିକେଟ୍ ଦିଆଯାଉନାହିଁ। କେବଳ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ ପ୍ରଦାନ କରାଯାଉଛି। କିଛିମାସ ପୂର୍ବରୁ ଭିନ୍ନକ୍ଷମ ସାର୍ଟିଫିକେଟ୍‌କୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ମାତ୍ର ଏବେ ଅସ୍ଥାୟୀଭାବେ ସାର୍ଟିଫିକେଟ ପ୍ରଦାନ କରାଯାଉଛି।

ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଥାଲାସିମିଆ ରୋଗୀଙ୍କୁ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନକୁ ନେଇ ସମସ୍ୟା ଉପୁଜିଥିଲା। ଥାଲାସିମିଆରେ ଜଣେ ବ୍ୟକ୍ତି ଯେତିକି ପରିମାଣରେ ଆକ୍ରାନ୍ତ ସେହି ଅନୁସାରେ ମଧ୍ୟ ତାଙ୍କୁ ସରକାରୀ ସୁବିଧା ମିଳିଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ ଆରମ୍ଭରୁ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି, ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ଥାଲାସିମିଆ ଆକ୍ରାନ୍ତ ପରିମାଣରେ ବୃଦ୍ଧି ଘଟେ ତେବେ ସାର୍ଟିଫିକେଟ୍‌ରେ ପୁନର୍ବାର ସମୀକ୍ଷା ସମ୍ଭବ ହୋଇ ନ ଥାଏ। ଏହାକୁ ନଜରରେ ରଖି ଅସ୍ଥାୟୀ ଭାବେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିଲା। କିଛିବର୍ଷ ପରେ ଏହାର ସମୀକ୍ଷା ହେବା ପରେ ପୁଣିଥରେ ସାର୍ଟିଫିକେଟ୍ ଦିଆଯାଇଥାଏ। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଥାଲାସିମିଆ ଆକ୍ରାନ୍ତମାନଙ୍କୁ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଖୁବଶୀଘ୍ର ଏହା ଆରମ୍ଭ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଥାଲାସିମିଆ କେୟାର ସୋସାଇଟିର ସାଧାରଣ ସଂପାଦକ ନିରାକାର ପଣ୍ଡା କହିଛନ୍ତି, ଥାଲାସିମିଆ ରୋଗ ସାରା ଜୀବନ ଭଲ ହୋଇ ନ ଥାଏ। କେବଳ ଖୋର୍ଧା ଜିଲ୍ଲା ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଥାଲାସିମିଆ ରୋଗୀଙ୍କୁ ହଇରାଣ କରାଯାଉଛି। ଖୋର୍ଧା ଜିଲ୍ଲାରେ ଅସ୍ଥାୟୀ ସାର୍ଟିଫିକେଟ୍ ଦିଆଯାଉଥିବା ବେଳେ କେନ୍ଦ୍ରାପଡ଼ାରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ ନାହିଁ ବୋଲି ସିଡିଏମ୍‌ଓ ରୋକଠୋକ୍ ଶୁଣାଇ ଦେଉଛନ୍ତି। କଟକ ଏସ୍‌ସିବିରୁ ହେମାଟୋଲୋଜି ବିଭାଗରୁ ଏଥିପାଇଁ ଅନୁମତି ଆଣିବା ପରେ ହିଁ ସାର୍ଟିଫିକେଟ୍ ଦିଆଯିବ ବୋଲି କହୁଛନ୍ତି। ମାତ୍ର ହେମାଟୋଲୋଜି ବିଭାଗରେ ରୋଗୀ ପହଞ୍ଚିବା ପରେ ସେଠାରେ ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦେଶ ନ ଥିବା କୁହାଯାଉଛି। ଯାହାଫଳରେ ରୋଗୀଙ୍କ ସମେତ ସେମାନଙ୍କ ପରିବାର ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥାନରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଟଙ୍କା ମଧ୍ୟ ମଗାଯାଉଛି। ୨୮ଟି ଜିଲ୍ଲାରେ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଦିଆଯାଉଥିବା ବେଳେ ଏହି ଦୁଇଟି ଜିଲ୍ଲାରେ ଆକ୍ରାନ୍ତମାନେ ପାତର ଅନ୍ତରର ଶିକାର ହେଉଛନ୍ତି। ଫଳରେ ଆକ୍ରାନ୍ତଙ୍କୁ ସୁବିଧା ସୁଯୋଗ ମିଳିପାରୁ ନାହିଁ। ଏ ନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବଙ୍କ ସମେତ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ସଂପର୍କରେ ଜଣାଯାଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଥାଲାସିମିଆ ‌ରୋଗୀଙ୍କୁ ସାର୍ଟିଫିକେଟ୍ ପ୍ରଦାନରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ବିଭାଗ ନିକଟରେ ପହଞ୍ଚିଛି। ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ ନାଁରେ ରାଜ୍ୟରେ ଏକ ରୢାକେଟ୍ କାର୍ଯ୍ୟ କରୁଛି। ଗତ କିଛିମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଜାଲ୍‌ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଧରା ପଡ଼ିଛି। ତେବେ ଥାଲାସିମିଆ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ କେତେ ପ୍ରତିଶତର କୌଣସି ଅର୍ଥ ନାହିଁ।‌ ସାରା ଜୀବନ ସେମାନେ ଚିକିତ୍ସିତ ହେବେ। ସ୍ଥାୟୀ ସାର୍ଟିଫିକେଟ୍ ନ ମିଳିଲେ ସେମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ମିଳିପାରିବ ନାହିଁ। ତେଣୁ ନିକଟରେ ସବୁ ରାଜ୍ୟର ସିଡିଏମ୍‌ଓମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେମାନଙ୍କୁ ସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର