ଡିସେମ୍ବର ୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ସାଂସ୍କୃତିକ ପ୍ରତିବାଦ

ଭୁବନେଶ୍ୱର: ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଆଜି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସରକାରୀ ବାସଭବନ ଆଗରେ ଢୋଲ, ମହୁରୀ, ଗୀତ ବାଦ୍ୟ ବଜାଯାଇ ସାଂସ୍କୃତିକ ପ୍ରତିବାଦ ଓ ଧାରଣା ପ୍ରଦର୍ଶନ କରାଯାଇଛି। କିଛି ସମୟ ଧାରଣା ପ୍ରଦର୍ଶନ ପରେ ପୁଲିସ ଶିକ୍ଷକଙ୍କୁ ଗିରଫ କରି ନେଇଥିଲା। ମହାସଂଘର ପ୍ରମୁଖ ଦାବି ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ପାର୍ଟ ଟାଇମ୍‌ ଇନଷ୍ଟ୍ରକ୍ଟରଙ୍କୁ ସ୍ଥାୟୀ ନିଯୁକ୍ତି, ଚାକିରି ସର୍ତାବଳୀ ଲାଗୁ, ସଙ୍ଗୀତ, ଚିତ୍ରକଳା ଓ କ୍ରୀଡ଼ା ନିମନ୍ତେ ପାଠ୍ୟ ଖସଡ଼ା ପ୍ରସ୍ତୁତି ସହ ଜବ୍‌ ଚାଟ୍‌ ବ୍ୟବସ୍ଥା, ଅଣତାଲିମ ପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କୁ ତାଲିମ୍‌ ପ୍ରଦାନ ଆଦି ରହିଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଆରତୀ ଆଚାର୍ଯ୍ୟ, ଜଗଜୀବନ ନାୟକ, ରଶ୍ମିରଞ୍ଜନ ସାହାଣୀ, ଦିବ୍ୟସିଂ ସ୍ୱାଇଁ, ଅନିଲ କୁମାର ମହାନ୍ତି, ଶକୁନ୍ତଳା ମାଣିକ, ଅନସୂୟା ଜେନା ପ୍ରମୁଖ ସାମିଲ ଥିଲେ। ଆବାହକ ପ୍ରଦୀପ ଦାସ କହିଛନ୍ତି, ପ୍ରତିବାଦକୁ ଆହୁରି ତୀବ୍ର କରିବା ପାଇଁ ଆସନ୍ତା ଡିସେମ୍ବର ୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଧାରଣା ଦେବୁ। ଶିକ୍ଷକମାନେ କହିଛନ୍ତି, ଚାରି ବର୍ଷ ହେଲାଣି ଆମେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଛୁ। ପୂର୍ବରୁ ମାସକୁ ୨୪ଟି ପିରିୟଡ୍‌ ହିସାବରେ ଦରମା ମିଳୁଥିବା ବେଳେ ବର୍ତମାନ ଏହି ବ୍ୟବସ୍ଥାର ଉଚ୍ଛେଦ କରି ମାସିକ ବେତନ ଲାଗୁ ହେବା ଫଳରେ ଆମକୁ ସାରା ଦିନ ବିଦ୍ୟାଳୟରେ ରହିବାକୁ ବାଧ୍ୟ କରାଯାଉଛି। ସ୍ୱଳ୍ପ ଦରମାରେ ଦିନ ସାରା ବିଦ୍ୟାଳୟରେ ଉପସ୍ଥିତ ରହିବା ଏକପ୍ରକାର ଅସମ୍ଭବ। କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ରାଜ୍ୟ ସରକାର ସାବତ ପୁଅ ପରି ବ୍ୟବହାର କରୁଛନ୍ତି। ଏହା ସଂପୂର୍ଣ୍ଣ ଅମାନବୀୟ ।

ସମ୍ବନ୍ଧିତ ଖବର