ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାର୍କେଟ୍‌ ବିଲ୍‌ଡିଂ ପୁଣି ବନ୍ଦ

ସବୁ ନାଟର ଗୋବର୍ଦ୍ଧନ ବିଏମ୍‌ସି

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂରେ ଉଠା ଦେକାନୀଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆଜି ସ୍ଥାୟୀ ଦୋକାନୀ ଓ ଉଠାଦୋକାନୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ୧୦ବର୍ଷ ଧରି ଏଭଳି ବିବାଦ ଲାଗି ରହିଛି। ନାଟର ଗୋବର୍ଦ୍ଧନ ହେଉଛି ଖୋଦ୍ ବିଏମ୍‌ସି। ନା ସେମାନଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରୁଛି ନା ଏଠାରୁ ସ୍ଥାୟୀ ଭାବରେ ଉଚ୍ଛେଦ କରୁଛି। ଫଳରେ ବ୍ୟବସାୟୀଙ୍କ ମଧ୍ୟରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି। ଖବର ପାଇ କ୍ୟାପିଟାଲ ଥାନା‌ ପୁଲିସ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ସ୍ଥାୟୀ ଭାବରେ ଉଠାଦୋକାନୀ ହଟିବେ ଓ ଆକ୍ରମଣକାରୀ ଗିରଫ ହେବା ଦାବିରେ ସଂଘ ମାର୍କେଟ୍‌ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛି।

ଗତ ଜାନୁଆରିରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ବ୍ୟବସାୟୀ ସଂଘ ଏହି ଉଠାଦୋକାନୀଙ୍କୁ ବିରୋଧ କରିବାରୁ ତୁମୁଳକାଣ୍ଡ ହୋଇଥିଲା। ବ୍ୟବସାୟୀ ସଂଘ ମାର୍କେଟ୍‌ ବନ୍ଦ ରଖିଥିଲା। ପ୍ରାୟ ୩ଦିନ ବନ୍ଦ ରହିବା ପରେ ପୁଲିସ୍‌, ବିଏମ୍‌ସି, ବ୍ୟବସାୟୀ ସଂଘ ଓ ଉଠାଦୋକାନୀ ଏକାଠି ବସି ଆଲୋଚନା କରିବା ପରେ ଉଠାଦୋକାନୀ ଭିତରକୁ ଯାଇ ପସରା ମେଲାଇବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ କିଛି ଦିନ ପରେ ଅବସ୍ଥା ଯଥା ପୂର୍ବଂ ତଥା ପର ହୋଇଯାଇଥିଲା। ଜଣକ ପରେ ଜଣେ ଉଠା ଦୋକାନୀ ବସିବା ଆରମ୍ଭ କରିଥିଲେ। ଅଭିଯୋଗ ହୋଇଥିଲା କି କେତେକ ସ୍ଥାୟୀ ବ୍ୟବସାୟୀ ନିଜ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଉଠାଦୋକାନୀଙ୍କୁ ବସିବାକୁ ସୁଯୋଗ ଦେଇଥିଲେ। ଶେଷରେ ବ୍ୟବସାୟୀ ସଂଘ ବିଏମ୍‌ସି ଅଫିସ୍‌ ଘେରାଉ କରିଥିଲା। ଉଠା ଦୋକାନୀଙ୍କୁ ସେଠାରେ ବସାଇ ଦିଆଯିବ ନାହିଁ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା।

ବ୍ୟବସାୟୀ ସଂଘ କିନ୍ତୁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲା। ହେଲେ ବିଏମ୍‌ସି ପରେ ଦେବ କହି ଆଉ ଦେଇନଥିଲା। ଏବେ ପୁଣି ଥରେ ଅଭିଯୋଗ ପାଇବା ପରେ ଗତ ରବିବାରଠାରୁ ବିଏମ୍‌ସି ଏହି ମାର୍କେଟ୍‌ ବିଲ୍ଡିଂରେ ଉଚ୍ଛେଦ ଜାରି ରଖିଥିଲା। ଖୋଦ୍‌ ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ମାର୍କେଟ୍‌ ବିଲ୍ଡିଂରେ ପହଞ୍ଚି ଉଠାଦୋକାନୀଙ୍କୁ ହଟିଯିବା ପାଇଁ କହିଥିଲେ। ଏହା ପରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ ଆରମ୍ଭ କରିଥିଲା। ଟିମ୍‌ ଚାଲିଯିବା ପରେ ସେମାନେ ପୁଣି ବସି ଯାଉଥିଲେ। ୩ଦିନ ଧରି ଲଗାତାର ଉଚ୍ଛେଦର ଶିକାର ହେବା ପରେ ଉଠାଦୋକାନୀ ଆଜି ରକ୍ତମୁଖା ହୋଇଥିଲେ। କୌଣସି ପରିସ୍ଥିତିରେ ଆଜି ଉଠିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ବ୍ୟବସାୟୀ ସଂଘ ସେମାନଙ୍କୁ ହଟିଯିବା ପାଇଁ କହିବାରୁ ତୁମୁଳକାଣ୍ଡ ହୋଇଥିଲା। ସଂଘ ପକ୍ଷରୁ ସବୁ ସ୍ଥାୟୀ ଦୋକାନକୁ ବନ୍ଦ କରିଦିଆଗଲା। ସେଠାରେ ପୁଲିସ ପହଞ୍ଚି ଉଠାଦୋକାନୀଙ୍କୁ ଭିତରୁ ହଟାଇଦେଲା। ଫଳରେ ଆଜି ସନ୍ଧ୍ୟାରେ ମାର୍କେଟ୍‌ ବିଲ୍‌ଡିଂ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ରବିବାର ଯୋଗୁଁ ବହୁ ଲୋକ ସେଠାକୁ କିଣାକିଣି କରିବାକୁ ଯାଇ ହତାଶ ହୋଇ ଫେରିଥିଲେ।

ଏ ନେଇ ବ୍ୟବସାୟୀ ସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି, ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ହୋଇଥିଲା। ଏଠାରୁ ଉଠାଦୋକାନୀଙ୍କୁ ସ୍ଥାୟୀ ଭାବରେ ହଟାଇବା ପାଇଁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ବିଏମ୍‌ସି ଲଗାତାର ଉଚ୍ଛେଦ ବି କରିଥିଲା। କିନ୍ତୁ ସେମାନେ ଶୁଣୁ ନାହାନ୍ତି। ଆଜି ଆକ୍ରମଣ ବି କରିଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବଜାର ବନ୍ଦ ରହିଛି। ପୁଲିସ ଯଦି ସେମାନଙ୍କୁ ଗିରଫ ନ କରେ ତେବେ ଆସନ୍ତାକାଲି ମଧ୍ୟ ବଜାର ବନ୍ଦ ରହିବ। ଅନ୍ୟପଟେ ଆସନ୍ତାକାଲି ବିଏମ୍‌ସିରେ ଏନେଇ ଆଲୋଚନା ହେବ। ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ତେବେ ମାର୍କେଟ୍‌ ବିଲ୍‌ଡିଂର ଏହି ବିବାଦ ଆଜିର ନୁହେଁ। ଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ଏଠାରେ ସ୍ଥାୟୀ ଦୋକାନୀ-ଉଠାଦୋକାନୀ ମୁହାଁମୁହିଁ ହେଉଛନ୍ତି। ବ୍ୟବସାୟୀ ସଂଘର ଅଭିଯୋଗ ହେଲା, ଉଠାଦୋକାନୀମାନେ ଏତେ ସଂଖ୍ୟାରେ ବସିବା ଦ୍ବାରା ରାସ୍ତାଘାଟ ଜାମ୍‌ ହେବା ସହ ଗାଡ଼ି ରଖିବା ଜାଗା ମଧ୍ୟ ରହୁନାହିଁ। ସେମାନେ ରାସ୍ତାଘାଟ ଆବର୍ଜନାମୟ କରି ପକାଉଛନ୍ତି। ଏଣୁ ସେମାନଙ୍କୁ ଏଠାରୁ ହଟାଇ ଦେବା ପାଇଁ ବ୍ୟବସାୟୀ ସଂଘ ବିଏମ୍‌ସିକୁ ଅନେକଥର ଲିଖିତ ଭାବେ ଅନୁରୋଧ କରିଛି। ବିଏମ୍‌ସି ସବୁବେଳେ ବିବାଦର ସାମୟିକ ସମାଧାନ କରି ଦାୟିତ୍ବ ଖସାଇ ନେଇଛି। ପରୋକ୍ଷରେ ଉଭୟ ପକ୍ଷଙ୍କୁ ମୁହାଁମୁହିଁ ହେବାକୁ ଛାଡ଼ି ଦେଇଛି। କାହା ଚାପରେ ବିଏମ୍‌ସି ଏହି ସମସ୍ୟାର ସମାଧାନ କରୁନି, ତାହା ବେଶ୍‌ ରହସ୍ୟଜନକ ହୋଇଛି। ପୂର୍ବରୁ ଅନେକଥର ବୈଠକ ବସିଥିଲେ ବି ତାହା ନିଷ୍ଫଳ ହୋଇଛି। ତେଣୁ ଆସନ୍ତାକାଲିର ବୈଠକରେ ସ୍ଥାୟୀ ସମାଧାନର ବାଟ ବାହାରିବ ନା ସାମୟିକ ଭାବେ ସମସ୍ୟାକୁ ଟାଳି ଦିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର