ଭୁବନେଶ୍ୱର: ଆସନ୍ତା ଜାନୁଆରି ୨୪ ତାରିଖରୁ ଖଣ୍ଡଗିରିରେ ଆରମ୍ଭ ହେବ ମାଘ ସପ୍ତମୀ ମେଳା ବା ଖଣ୍ଡଗିରି ମେଳା। ହେଲେ ଏହି ମେଳା ପୂର୍ବବର୍ଷ ଗୁଡ଼ିକ ପରି ୧୫ଦିନ ହେବନି। ୧୦ଦିନ ପାଇଁ କମିସନରେଟ୍ ପୁଲିସ ଅନୁମତି ଦେଇଛି।ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମୁଥିବାବେଳେ ଏହାକୁ ୧୫ଦିନରୁ ୧୦ଦିନକୁ କମାଇବା ନେଇ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, ବିଏମ୍ସି ୧୦ଦିନ ମେଳା କରିବାକୁ କହିବାରୁ ଆମେ ୧୦ଦିନ ପାଇଁ ଅନୁମତି ଦେଇଛୁ। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଆୟୋଜକ ଏଥର ମେଳା ଅବଧି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆମେ ସେହି ଅନୁଯାୟୀ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲୁ। ଚଳିତବର୍ଷ ମେଳାରେ ଯେପରି କୌଣସି ପ୍ରକାରର ଦୁର୍ଘଟଣା ନ ଘଟିବ, ମେଳା ସୁରୁଖୁରରେ ହେବ ସେଥିପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନେବାକୁ ନିଷ୍ପତ୍ତିି ହୋଇଛି। ଖଣ୍ଡିଗରି ମେଳା ପାଇଁ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଲୋକଙ୍କ ଭିଡ଼କୁ ନଜରରେ ରଖି ମେଳାକୁ ସୁରକ୍ଷା ବଳୟରେ ରଖିବାକୁ ନିଷ୍ପତ୍ତି ହୋଇଛି। ଖଣ୍ଡଗିିରି ମେଳା ଯାତ୍ରା ପାଇଁ ବି ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଦୈନିକ ହଜାର ହଜାର ଯାତ୍ରା ପ୍ରେମୀଙ୍କ ଭିଡ଼ ଜମିଥାଏ। ତେଣୁ ଏହାକୁ ନଜରରେ ରଖି ଖଣ୍ଡଗିରିରେ ବ୍ୟାପକ ପ୍ରସ୍ତୁତି କରିବାକୁ ପ୍ରସ୍ତୁତି ବୈଠକରେ ସ୍ଥିିର ହୋଇଛି। ମେଳାକୁ ଯେତିକି ଗୁରୁତ୍ୱ ଦିଆଯିବ ଯାତ୍ରା ପଡ଼ିଆରେ ବି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଚଳିତବର୍ଷ ମେଳା ସମୟରେ ପକେଟମାର୍, ଲୁଟ୍, ଅସଦାଚରଣ, ଗଣ୍ଡଗୋଳ ଭଳି ସ୍ଥିତିକୁ ନଜରରେ ରଖିବା ପାଇଁ ଖଣ୍ଡଗିରରି ଓ ଉଦୟଗିରି ପାହାଡ଼ ପାଦଦେଶରୁ ଆରମ୍ଭ କରି ଜାଗମରା ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ।
ଆଜିର ପ୍ରସ୍ତୁତି ବୈଠକରେ ଡେପୁଟି ମେୟର କେ.ଶାନ୍ତି, ଅତିରିକ୍ତ କମିସନର ଶୁଭମ୍ ସାକସେନା, ଡେପୁଟି କମିସନର ଶ୍ରୀମନ୍ତ ମିଣଶ୍ର ଏବଂ ବିଭିନ୍ନ ଜୋନ୍ର ଡେପୁଟି କମିସନର, ଖଣ୍ଡଗିରି ଥାନା ଅଧିକାରୀ, ଟ୍ରାଫିକ ପୁଲିସ, ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର କର୍ପୋରେଟର ଯୋଗଦେଇଥିଲେ।
ପିଣ୍ଡି ଭଡ଼ା ୫୦୦ଟଙ୍କା ବଢ଼ିଲା
ଗତ କିଛି ବର୍ଷ ହେଲା ମେଳାରେ ୩୫୦ଟି ପିଣ୍ଡି ଆବଣ୍ଟନ ହେଉଥିବାବେଳେ ପିଣ୍ଡି ପିଛା ୫ହଜାର ଟଙ୍କା ନିଆଯାଉଥିଲା। କିନ୍ତୁ ଚଳିତବର୍ଷ ଏହା ୫,୫୦୦ଟଙ୍କାକୁ ବଢ଼ାଯାଇଛି। ଏନେଇ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ୧୦% ପିଣ୍ଡି ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହି ଆଧାରରେ ପିଣ୍ଡି ଭଡ଼ା ବଢ଼ିଛି। ପିଣ୍ଡି ଆବଣ୍ଟନ ବିଏମସି କାର୍ଯ୍ୟାଳୟରୁ ହିଁ ହେବ। କୌଣସି ଦଲାଲ୍ଙ୍କ ଠାରୁ ପିଣ୍ଡି ନ ନେବାକୁ ବିଏମସି ପକ୍ଷରୁ କୁହାଯାଇଛି। ବ୍ୟବସାୟୀମାନେ ସୁବିଧାରେ ଯେପରି ପିଣ୍ଡି ପାଇବେ ସେଥିପାଇଁ ଅଧିକ ପ୍ରଚାର ପ୍ରସାର କରାଯିବ। ମେଳାକୁ ଆସୁଥିବା ଲୋକ ଓ ବ୍ୟବସାୟୀଙ୍କର ସୁରକ୍ଷାକୁ ନଜରରେ ରଖି ବିଭିନ୍ନ ଷ୍ଟଲ ମଧ୍ୟରେ ପ୍ରତି ୧୫ଫୁଟ ବ୍ୟବଧାନରେ ଯାତାୟତ ପାଇଁ ରାସ୍ତା ରହିବ ବୋଲି ନିଷ୍ପତ୍ତି ହୋଇଛି। ଚଳିତବର୍ଷ କେତେ ପିଣ୍ଡି ଆବଟନ ହେବ ତାହା ଗୁରୁବାର ନିଷ୍ପତ୍ତି ନିଆଯିବ। ଏଥିପାଇଁ ବିଏମ୍ସିର ଜୋନାଲ ଡେପୁଟି କମିସନରଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ, କମିସନେରଟ୍ ପୁଲିସର ଅଧିକାରୀ ଗୁରୁବାର କ୍ଷେତ୍ର ପରିଦର୍ଶନ କରିବେ। ଚଳିତବର୍ଷ ୩୫୦ଟି ପିଣ୍ଡି ଆବଣ୍ଟନ ହେବ କି ପିଣ୍ଡି ସଂଖ୍ୟା ବଢ଼ିବ ତାହା କ୍ଷେତ୍ର ପରିଦର୍ଶନ ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଏହାବାଦ୍ ପାର୍କିଂସ୍ଥଳୀ, ଯାତ୍ରା ସ୍ଥାନ, ଜବରଦଖଲ ଆଜି ଚିହ୍ନଟ ହେବ।
ପ୍ରତିଦିନ ସିଲିଣ୍ଡର ଯାଞ୍ଚ୍ ହେବ
ଏଥର ମେଳାରେ ଯେପରି ନିମ୍ନମାନର ଗ୍ୟାସ୍ ସିଲିଣ୍ଡର ବ୍ୟବହାର ନ ହେବ ସେଥିପାଇଁ ବିଏମସି କଠୋର ପଦକ୍ଷେପ ନେଇଛି। ମେଳାରେ ଷ୍ଟଲ ଖୋଲୁଥିବା ଫାଷ୍ଟଫୁଡ୍, ଚାର୍ଟ, ପପ୍କର୍ଣ୍ଣ, ମଥୁରା କେକ୍ ବିକ୍ରି ହେଉଥିବା ଦୋକାନଗୁଡ଼ିକରେ ନିମ୍ନମାନର ସିଲିଣ୍ଡର ଲାଗୁଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଛି। ତେଣୁ ଏହାକୁ ନଜରରେ ରଖି ମେଳାରେ ନିମ୍ନ ମାନର ସିଲିଣ୍ଡରକୁ ବେଆଇନ ଘୋଷଣା କରାଯାଇଛି। ମେଳାରେ ସିଲିଣ୍ଡର ଯାଞ୍ଚ ପାଇଁ ବିଏମ୍ସି ଓ ଅଗ୍ନି ନିର୍ବାପକ ବିଭାଗର ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ହେବ। ଏହା ମେଳାରେ ପ୍ରତିଦିନ ବିଭିନ୍ନ ଷ୍ଟଲ୍ରେ ଅଚାନକ ଚଢ଼ଉ କରିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ମେଳାରେ ଅଗ୍ନି ନିର୍ବାପନ ପାଇଁ ଦୁଇଟି ସ୍ୱତନ୍ତ୍ର ଦମକଳ ଗାଡ଼ି ୨୪ଘଣ୍ଟା ମୁତୟନ ହେବ।
ହୋର୍ଡିଂ ଉପରେ କଟକଣା
ଖଣ୍ଡଗିରି ମେଳା ଆସିଲେ ଖଣ୍ଡଗିରି ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ ବିଭିନ୍ନ ଯାତ୍ରା ପାର୍ଟିଙ୍କ ହୋର୍ଡିଂରେ ଛାଇଯାଏ। ଏପରିକି ଷ୍ଟ୍ରିଟ ଲାଇଟ୍ ଖୁଣ୍ଟରୁ ଆରମ୍ଭ କରି ରାସ୍ତା କଡ଼େକଡ଼େ ବାଉଁଶ ପୋତି ଅସ୍ଥାୟୀ ହୋର୍ଡିଂ ଲଗାଇ ଦିଅନ୍ତି। ରାସ୍ତା କଡ଼ରେ ହୋର୍ଡିଂ ଲାଗିବା ଦ୍ୱାରା ଦୁର୍ଘଟଣା ବଢ଼ୁଥିବାରୁ ଏବଂ ଏବେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ ହୋର୍ଡିଂ ମୁକ୍ତ ଅଞ୍ଚଳ ଘୋଷଣା ହୋଇଥିବାରୁ ଖଣ୍ଡଗିରି ମେଳା ସମୟରେ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ଏହାବାଦ୍ ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kandagiri.jpg)