ଭୁବନେଶ୍ବର: ଅନୁମତି ମିଳିଲା, ଦୋକାନ ଖୋଲୁନି

କର୍ମଚାରୀ ଅଭାବରୁ ଖୋଲିପାରୁନି ଜଳଖିଆ ଦୋକାନ, ରେସ୍ତୋରାଁ

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ପରେ କଟକଣାରେ କିଛି କୋହଳ ହୋଇଛି। ବଡ଼ ମଲ୍‌ଗୁଡ଼ିକୁ ବାଦ୍‌ ଦେଲେ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ‌ଖୋଲିବାକୁ ଅନୁମତି ମିଳିଛି। କ୍ଷମତା ଥିଲେ ବି ବିଏମ୍‌ସି ଅତିରିକ୍ତ କଟକଣା ଲଦି ଦେଇନାହିଁ। ମାତ୍ର ସବୁ ପ୍ରକାର ଦୋକାନ ଖୋଲି ପାରିନାହିଁ। ‌କିଛି ବ୍ୟବସାୟୀ ଦୋକାନ ଖୋଲିବେ ନା ନାହିଁ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପୁଣି ଅନେକ ବ୍ୟବସାୟୀ ଅନୁମତି ଥିବା ଜାଣିଥିଲେ ହେଁ ଦୋକାନ ଖୋଲୁନାହାନ୍ତି। ବିଏମ୍‌ସି ଏସ୍‌ଓପି ଜାରି କରି କେତେକ ନିର୍ଦ୍ଦିଷ୍ଟ ନୀତି ନିୟମ ପାଳନ ସହ ଦୋକାନ ଖୋଲିବାକୁ ନିର୍ଦେଶ ଦେଇଛି। ଏହା କିନ୍ତୁ ବ୍ୟବସାୟୀଙ୍କୁ ସୁହାଉନାହିଁ। ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କୁ ସନ୍ଧ୍ୟାରେ ଘରୁ ବାହାରିବାକୁ ଅନୁମତି ନାହିଁ। ଏଣେ ‌କରୋନା ଆକ୍ରାନ୍ତ ହେବା ଭୟରେ ଅଧିକାଂଶ ଲୋକେ ଘରୁ ବାହାରୁ ନାହାନ୍ତି। ଲୋକେ ପୁଣି ମାପିଚୁପି ଖର୍ଚ୍ଚ କରୁଛନ୍ତି। ତେଣୁ ଦୋକାନ ଖୋଲିବାକୁ ବ୍ୟାକୁଳ ଥିବା ବ୍ୟବସାୟୀମାନେ ଏବେ ବଜାରର ଅବସ୍ଥା ପରଖିଲା ପରେ ସେମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।

ମାର୍କେଟ୍‌ ବିଲ୍‌ଡିଂ: ‌ଦୋକାନ ତୁଳନାରେ ଗ୍ରାହକ ନାହାନ୍ତି
ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ମାର୍କେଟ୍‌ ବିଲ୍‌ଡିଂ ସବୁଠୁ ଜନଗହଳିପୂର୍ଣ୍ଣ ମାର୍କେଟ୍‌ ଭ‌ାବେ ଜଣାଶୁଣା। ମାତ୍ର ଆଜି ଏଠାରେ ବେପାରୀଙ୍କ ତୁଳନାରେ ଗ୍ରାହକଙ୍କ ସଂଖ୍ୟା କମ୍‌ ଥିବା ଦେଖାଯାଉଛି। ମାର୍କେଟ୍‌ ବିଲ୍‌ଡିଂର ବ୍ୟବସାୟୀ ଦୁଃଶାସନ ସାହୁଙ୍କ କହିବା ମୁତାବକ, ମାର୍କେଟ୍‌ ବିଲ୍‌ଡିଂରେ ୨ହଜାରରୁ ଅଧିକ ବ୍ୟବସାୟୀ ନିର୍ଭରଶୀଳ। ଲକଡାଉନ୍‌-୪ରେ କଟକଣା କୋହଳ ପରେ କିଛି କିଛି ବ୍ୟବସାୟୀ ଦୋକାନ ଖୋଲିଛନ୍ତି। ହେଲେ ବେପାର ହେଉନାହିଁ। ଲୋକଙ୍କର ଦେଖାନାହିଁ। ମାର୍କେଟ୍‌ ବିଲ୍‌ଡିଂରେ ସନ୍ଧ୍ୟା ସମୟରେ ହିଁ ସିଂହଭାଗ ବିକ୍ରିବଟା ହୁଏ। ହେଲେ ସାଢ଼େ ୬ଟାରେ ଦୋକାନ ବନ୍ଦ କରିବା ନିର୍ଦେଶ ଥିବାରୁ ଲୋକଙ୍କ ଆଗମନ ହେଉନାହିଁ। ଯଦିବା କାଁ ଭାଁ ଲୋକ ଆସୁଛନ୍ତି, ସେମାନେ ହାତ ଖୋଲି ଜିନିଷ କିଣୁନାହାନ୍ତି।

ଆସୁନାହାନ୍ତି ବିହାରୀ ବ୍ୟବସାୟୀ
ମାର୍କେଟ୍‌ ବିଲ୍‌ଡିଂ ବାହାରେ ବ୍ୟାଗ୍‌, ଜୋତା ଓ ବେଲ୍‌ଟ ଆଦି ବିକ୍ରି କରୁଥିବା ବ୍ୟକ୍ତିମାନେ ହେଉଛନ୍ତି ବିହାରର ବାସିନ୍ଦା। ଏହାବ୍ୟତୀତ ଏଠାରେ ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ବ୍ୟକ୍ତି ମଧ୍ୟ ବ୍ୟବସାୟ କରନ୍ତି। ଯେବେଠୁ କରୋନାର ଭୟାବହତା ଜଣାପଡ଼ିଲା, ସେବେଠାରୁ କିଛି ବ୍ୟବସାୟୀ ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଲକ୍‌ଡାଉନ୍‌ କଟକଣା ଯୋଗୁଁ ଗାଡ଼ି ମୋଟର ଚାଲୁ ନ ଥିବାରୁ ସେମାନେ ଫେରି ପାରୁନାହାନ୍ତି। ଫଳରେ ସବୁ ଦୋକାନ ଖୋଲିବା ସମ୍ଭବ ହୋଇନାହିଁ ବୋଲି କହିଛନ୍ତି ମାର୍କେଟ୍‌ ବିଲ୍‌ଡିଂରେ ବ୍ୟବସାୟ କରୁଥିବା ବିହାରର ବ୍ୟାଗ୍‌ ବ୍ୟବସାୟୀ ମୁକେଶ କୁମାର ଶାହ। ସେ କହିଛନ୍ତି, ଆମେ କୋଲକାତାରୁ ଜୋତା, ବ୍ୟାଗ୍‌, ବେଲ୍‌ଟ ଆଣି ଏଠାରେ ବିକ୍ରି କରୁ। ହେଲେ ଏବେ ନୂଆ ଜିନିଷ ଆଣିବା ସମ୍ଭବ ହେଉନାହିଁ। ବେପାର ବି ସେମିତି ହେଉନାହିଁ। କାଲି ମୋ’ର ୫୦ ଟଙ୍କା ଆୟ ହୋଇଛି। ତେଣୁ ମନ ଭାଙ୍ଗି ଯାଉଛି।

ଦ୍ବନ୍ଦ୍ବରେ ଗୁପ୍‌ଚୁପ୍‌, ଦହିବରା ବେପାରୀ
ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି ମୁତାବକ, ସମସ୍ତ ଖାଦ୍ୟ ବ୍ୟବସାୟୀ ଦୋକାନ ଖୋଲିପାରିବେ। କିନ୍ତୁ ବ୍ୟବସାୟସ୍ଥଳରେ ଖାଇବାକୁ ଦେଇପାରିବେ ନାହିଁ। ଭୁବନେଶ୍ବରର ଦହିବରା ଆଳୁଦମ ଓ ଗୁପଚୁପ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ କହିଛନ୍ତି ଯେ ଭୁବନେଶ୍ବରରେ ଦହିବରା ଓ ଗୁପଚୁପ ବ୍ୟବସାୟୀଙ୍କ ସଂଖ୍ୟା ୩ ହଜାର ୫ଶହ। ମାତ୍ର ଆମେ ଏପର୍ଯ୍ୟନ୍ତ ମଧ୍ୟ ଦ୍ବନ୍ଦ୍ବରେ ଅଛୁ ଯେ ଗୁପ୍‌ଚୁପ ଓ ଦହିବରା ବେପାର ହୋଇପାରିବ ନା ନାହିଁ? ଏନେଇ ଆମେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗୁପ୍‌ଚୁପ, ଚାଟ୍‌, ଦହିବରା ବ୍ୟବସାୟୀମାନେ ବ୍ୟବସାୟ କରିପାରିବେ। କିନ୍ତୁ ସେମାନେ ବି କେବଳ ପାର୍ସଲ ଦେଇପାରିବେ। ଏହା ବ୍ୟତୀତ ଅନ୍ୟ ଗାଇଡ୍‌ଲାଇନ୍‌ ମଧ୍ୟ ମାନିବାକୁ ପଡ଼ିବ।

ସମ୍ବନ୍ଧିତ ଖବର