୧୪ ଡ୍ୟାନ୍‌ସବାର୍‌କୁ ଅନୁମତି, ରାତି ୧୨ଯାଏ ମତୁଆଲା ହେବେ ଗ୍ରାହକ

ଭୁବନେଶ୍ବର: ରାଜଧାନୀର ୧୪ଟି ଡ୍ୟାନ୍‌ସ ବାର୍‌କୁ ଅବକାରୀ ବିଭାଗ ଅନୁମତି ଦେଇଛି। ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଗ୍ରାହକମାନେ ବାର୍‌ ନର୍ତ୍ତକୀଙ୍କ ନୃତ୍ୟ ଓ ଗୀତରେ ମତୁଆଲା ହେବେ। ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଡ୍ୟାନ୍‌ସ ବାର୍‌ ଉପରେ କଟକଣା ଲାଗୁ ହୋଇଥିଲା। ଏବେ ସେହି କଟକଣାକୁ କୋହଳ କରାଯାଇଛି। ତେବେ ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି କମିସନରେଟ୍‌ ପୁଲିସର ମାର୍ଗଦର୍ଶିକା ଅନୁସାରେ ବାର୍‌ଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି।

ଅବକାରୀ ବିଭାଗର ସୂଚନାନୁସାରେ ଓଡ଼ିଶା ଅର୍ବାନ‌ ପୁଲିସ ଆକ୍ଟ୍ ଆଧାରରେ ଏହି ଡ୍ୟାନ୍‌ସ ବାର୍‌ଗୁଡ଼ିକରେ ମ୍ୟୁଜିକାଲ୍‌ ଓ ଲାଉଡ୍‌ ସ୍ପିକର ବ୍ୟବହାର ହେବ। ବଡ଼ କଥା ହେଉଛି ସବୁ ଡ୍ୟାନ୍‌ସବାର୍‌ରେ ଫାୟାର ସେଫ୍‌ଟି ବ୍ୟବସ୍ଥା କଡ଼ାକଡ଼ି ଲାଗୁହେବ। ନିୟମାନୁସାରେ, ୧୦ ଫୁଟ୍ ଓ ୧୨ଫୁଟ୍ ଡ୍ୟାନ୍ସ ଫ୍ଲୋର୍‌ରେ କେବଳ ୮ଜଣ ନର୍ତ୍ତକୀ ନୃତ୍ୟ ପ୍ରଦର୍ଶନ କରିପାରିବେ। ଡ୍ୟାନ୍ସର ଯେଉଁ ଷ୍ଟେଜ୍‌ରେ ନାଚିବେ, ତା’ ଚାରିପଟେ ୩ ଫୁଟ୍‌ର ବାଡ଼ ରହିବ। ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ ୫ଫୁଟ୍‌ର ଦୂରତା ରହିବ। ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରାଯାଇପାରିବ ନାହିଁ। ନର୍ତ୍ତକୀମାନେ ଉତ୍ତେଜକ ପୋଷାକ ପିନ୍ଧିପାରିବେ ନାହିଁ।

ମହିଳା ଡ୍ୟାନ୍ସରଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ଲାଗୁ କରିବେ ବାର୍ କର୍ତ୍ତୃପକ୍ଷ। ସେହିଭଳି ଡ୍ୟାନ୍ସରଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯିବା ଆସିବା ସମୟରେ ସିକ୍ୟୁରିଟିର ବ୍ୟବସ୍ଥା କରିବେ ବାର୍‌ମାଲିକ। ଡ୍ୟାନ୍ସବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜ୍‌ରେ ତିନି ମାସର ବ୍ୟାକ୍‌ଅପ୍‌ ରହିବ‌ା ବାଧ୍ୟତାମୂଳକ। ଡ୍ୟାନ୍ସ ବାର୍‌ରେ ସେକ୍ସ ରାକେଟ୍ ଚାଲୁଥିବା ଜଣାପଡ଼ିଲେ, ଉକ୍ତ ବାର୍‌କୁ ୨୫ହଜାର ଟଙ୍କା ଜରିମାନା ସହିତ ଲାଇସେନ୍ସ ରବ୍ଦ ହେବ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେବେ ବାର୍‌ମାଲିକଙ୍କ କହିବା କଥା ମାସିକିଆ ଲାଇସେନ୍‌ସ ବ୍ୟବସ୍ଥାକୁ ହଟାଇ ବର୍ଷିକିଆ ଲାଇସେନ୍‌ସ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ମାସିକିଆ ଲାଇସେନ୍‌ସ ବ୍ୟବସ୍ଥାରେ ସେମାନଙ୍କର ସବୁ ମାସରେ ପ୍ରାୟ ଗୋଟିଏ ସପ୍ତାହ ନଷ୍ଟ ହେଉଛି। ତେଣୁ ସେମାନେ କ୍ଷତି ସହୁଛନ୍ତି। ବର୍ଷିକିଆ ଲାଇସେନ୍‌ସ ବ୍ୟବସ୍ଥା ହେଲେ ବାର୍‌ ମାଲିକଙ୍କ ସହ କର୍ମଚାରୀ ଓ ଅନ୍ୟମାନେ ଉପକୃତ ହେବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର