ସାହିତ୍ୟର ଉନ୍ନତି ପାଇଁ ବ୍ୟକ୍ତିଗତ, ଆନୁଷ୍ଠାନିକ ତତ୍ପରତା ଆବଶ୍ୟକ

ଭୁବନେଶ୍ବର ସାହିତ୍ୟ ପର୍ବ ଉଦ୍‌ଘାଟିତ

ଭୁବନେଶ୍ବର: ମା’, ମାଟି ଓ ମାତୃଭାଷା ହେଉଛି ସଂପର୍କର ଭିତ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ପାଶ୍ଚାତ୍ୟ ପ୍ରଭାବ ହେତୁ ମାତୃଭାଷା ଉନ୍ନତିରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଆନୁଷ୍ଠାନିକ ଓ ବ୍ୟକ୍ତିଗତ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ। ଏଥିପାଇଁ ସରକାରୀସ୍ତରରେ ମଧ୍ୟ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଭୁବେନଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଭୁବନେଶ୍ବର ସାହିତ୍ୟ ପର୍ବ’କୁ ଉଦ୍‌ଘାଟନ କରି ବିଶିଷ୍ଟ ଭାଷାବିଜ୍ଞାନୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ଉଦଘାଟନୀ ଅଧିବେଶନରେ ଅନ୍ୟତମ ଅତିଥି ଭାବେ ଡ. ରା‌ଜେଂଦ୍ର କିଶୋର ପଂଡା ଯୋଗଦେଇ ଭାଷାର କ୍ରିୟାଶୀଳତା ଓ ସାଧାରଣ ବ୍ୟା‌ବହାରିକତା ଉପରେ ଗୁରୁତ୍ବାରୋପ କରିଥିଲେ। ଭାଷାର ସୁରକ୍ଷା ପାଇଁ କେବଳ ମାର୍ଗଦର୍ଶିକା ଜାରି କରାଯିବା ଯଥେଷ୍ଟ ନୁହେଁ। ଏଥିପାଇଁ କଡ଼ା ଆଇନ ପ୍ରଣୟନ କରାଯିବା ଜରୁରୀ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ସମାଜସେବୀ ଡ. ସୌମ୍ୟରଞ୍ଜନ ସାମଲ କହିଲେ, ସମାଜ ଓ ଜୀବନର ପଥପ୍ରଦର୍ଶକ ସାହିତ୍ୟ। ସାହିତ୍ୟ ହିଁ ସମାଜକୁ ଉଚିତ ବାଟ ଦେଖାଇଥାଏ। ଅନୁଷ୍ଠାନର ସଭା‌ପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଡ. ତୁହିନାଂଶୁ ରଥଙ୍କୁ ‘କୈଳାସ ଲେଙ୍କା ସୃଜନ ସମ୍ମାନ’ ଓ ଶିଳ୍ପୀ ପଞ୍ଚାନନ ସାମଲଙ୍କୁ ‘ଦିନନାଥ ପାଠୀ ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ ସିଂହ ସ୍ବାଗତ ଭାଷଣ ଦେଇଥିବାବେଳେ ଉପସଭାପତି କବି ରକ୍ଷକ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ବିଧୁଭୂଷଣ ତ୍ରିପାଠୀ, ସରୋଜିନୀ ମିଶ୍ର ଓ ମିନତି ଦାଶଙ୍କ ଲିଖିତ କବିତା ଗ୍ରନ୍ଥ ‘ଜୀବାଶ୍ମ’, ‘ଆତ୍ମଗୀତି’ ଓ ‘ସେ’ ସମେତ ଅନୁଷ୍ଠାନର ବାର୍ଷିକ କବିତା ମୁଖପତ୍ର ଏବଂ ଭୁବନେଶ୍ବର ସାହିତ୍ୟପର୍ବର ସ୍ମରଣିକା ଲୋକାର୍ପିତ ହୋଇଥିଲା। ସଂପାଦିକା ସୋନାଲି ମହାପାତ୍ର ବିବରଣୀ ପାଠ କରିଥିଲେ।

ପରେ ଅନୁଷ୍ଠିତ ‘ଓଡ଼ିଆ ଭାଷା: ସ୍ଥିତି ସମୀକ୍ଷା’ ଶୀର୍ଷକ ଆଲୋଚନାରେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ଡ. ହୃଷୀକେଶ ମଲ୍ଲିକ, ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ଡ. ବସନ୍ତ ପଣ୍ଡା ଓ ବିଶିଷ୍ଟ ସ୍ତମ୍ଭକାର ଅସିତ୍‌ ମହାନ୍ତି ଯୋଗ ଦେଇଥିଲେ। ଡ. ଶୁଭଶ୍ରୀ ଲେଙ୍କା ଏହାକୁ ସଂଚାଳନ କରିଥିଲେ। ପରେ ‘ଆମ ମଞ୍ଚ, ଆମ ନାଟକ’ ଶୀର୍ଷକ ଆଲୋଚନାରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ସହିତ ଜଣାଶୁଣା ମଞ୍ଚ ଅଭିନେତ୍ରୀ ଭାସ୍ବତୀ ବସୁ ଆଲୋଚନା କରିଥିଲେ। ଏଥିରେ ନାଟକର ପୃଷ୍ଠଭୂମି, ବିଭିନ୍ନ ଆଞ୍ଚଳିକ ଭାଷାରେ ନାଟକ, ସମାଜ ସଚେତନତାଭିତ୍ତିକ ନାଟକ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଅପରାହ୍‌ଣ‌ରେ ଡ. ହିରଣ୍ମୟୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ‘କିନ୍ନରଙ୍କ ସୃଜନ ପୃଥିବୀ’ ଆଲୋଚନାଚକ୍ରରେ ସମାଜସେବୀ ମୀରା ପରିଡ଼ା, ସାଧନା ମିଶ୍ର, ଐଶ୍ବର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ପ୍ରମୁଖ ଅଶଂଗ୍ରହଣ କରି ସେମାନଙ୍କ ଜୀବନର ଅଭିଜ୍ଞତା, ଅନୁଭବ ଓ ସୃଜନଶୀଳ କାର୍ଯ୍ୟଗୁଡ଼ିକ ଉପରେ ମତାମତ ରଖିଥିଲେ। ଶେ‌ଷରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ତାଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଯୋଗ‌ଦେଇ ଏହି ସିନେମା ନିର୍ମାଣ ପଛରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର