ଖଣ୍ଡଗିରି: ଯେଉଁଠି ସାମୂହିକ ଚେତନା ପାଇଁ ନିଷ୍ଠାପର ଉଦ୍ୟମ ନଥାଏ, ସେଠାରେ ବ୍ୟକ୍ତିଗତ ସାଧନା ଫଳପ୍ରଦ ହୁଏ ନାହିଁ। କଲେଜ ଅଫ ବେସିକ ସାଇନ୍ସ ଓ ହ୍ୟୁମାନିଟିଜ୍ର ବାର୍ଷିକ ଉତ୍ସବ ଆଥଲେଟିକ ଓ ଲିଟେରାରି ସମାରୋହ ‘ଦର୍ପଣ’ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟ କୃଷି ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ। ସେ ଆହୁରି ମଧ୍ୟ କହିଛନ୍ତି, ସାମୂହିକ ଉଦ୍ୟମ ପାଇଁ ବ୍ୟକ୍ତିଗତ ସାଧନା ଜରୁରୀ। ସମାଜର ଉନ୍ନତି ଓ ଦେଶର ଉନ୍ନତି ପାଇଁ ସମସ୍ତଙ୍କର ଅବଦାନ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନର ନବୀକୃତ ପରୀକ୍ଷା ଗୃହ ଓ ଲାବରେଟୋରି ଉଦ୍ଘାଟିତ ହୋଇଥିଲା। ସିବିଏସଏଚର ଡାଇରେକ୍ଟର ସିଏସକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟୁଡେଣ୍ଟ କମିଟି ଆଡଭାଇଜର୍ ପ୍ରଦୀପ କୁମାର ଜେନା ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଷ୍ଟୁଡେଣ୍ଟ କମିଟି ଅର୍ଗନାଇଜିଙ୍ଗ ଚେୟାରମ୍ୟାନ ପ୍ରିୟବ୍ରତ ସିଆଲଦା ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚରେ ସତ୍ୟଶିବ ମହାନ୍ତି, ବିଭୁଦତ୍ତ ରାଉତ, ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରୁ ପୂର୍ବରୁ ଆୟୋଜିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ସୋମବାର ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାନୁଷ୍ଠାନର ଋଣ ଶୁଝିବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗ ଦେଇ କହିଥିଲେ, ମଣିଷ ଭିତରେ ତା’ ପିଲାପଣ ବଞ୍ଚି ରହିବା ଦରକାର। ମଣିଷ ପ୍ରକୃତି ସହିତ ଯୋଡ଼ି ହୋଇ ରହିଲେ ଯାଇ ମଣିଷ ହୋଇ ପାରିବ। ତା’ ଭିତରେ ସହାନୁଭୂତି, କରୁଣା, ନମ୍ରତା ବଜାୟ ରହିବ। ସମ୍ମାନିତ ଅତିଥି ଭାବେ ଉତ୍କଳ ଷ୍ଟିଲ ଏବଂ ପାୱାରର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ଦାସ ଉପସ୍ଥିତ ଥିଲେ।