ସାଲିଆ ସାହିରେ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହ୍ୟୁମାନ ଡେଭଲପମେଣ୍ଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ସାଲିଆ ସାହିର ବିବେକାନନ୍ଦ ଶିକ୍ଷାଶ୍ରମଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃଶୁଳ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏହି କର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଦୁଇଘଣ୍ଟା ଅବଧିର ୨୦ଟି କ୍ଲାସ ଅର୍ଥାତ ୪୦ ଘଣ୍ଟା ମାଧ୍ୟମରେ ଜୀବନ ଦକ୍ଷତାର ତାଲିମ ଦିଆଯିବ। ଏହି ତାଲିମରେ ପିଲାମାନଙ୍କୁ ସୃଜନାତ୍ମକ ପ୍ରଣାଳୀ ଅବଲମ୍ବନ କରି ଖେଳକୁଦ ଓ ବୁଦ୍ଧି ପରୀକ୍ଷା ଇତ୍ୟାଦି ମାଧ୍ୟମରେ ଶିକ୍ଷା ଦିଆଯିବ।

ଏହି ଉଦଘାଟନ ଉତ୍ସବରେ ଲେଖିକା ଓ ସମାଜସେବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଦୈନିକ ସମ୍ବାଦପତ୍ର ସକାଳର ବରିଷ୍ଠ ସାମ୍ବାଦିକ ସଞ୍ଜୟ ସୁବୁଦ୍ଧି, ସାଲିଆ ସାହିର ଗୋଷ୍ଠୀ ସଭାପତି କାଳନ୍ଦୀ ପ୍ରଧାନ ଓ ସ୍କୁଲର ପ୍ରଧାନ ଶିକ୍ଷକ ଆଶିକ ଅଲ୍ଲୀ ଯୋଗ ଦେଇ ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସୋନାଲି ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଟ୍ରଷ୍ଟି କୀର୍ତ୍ତି ଦାସ ସଭାପତିତ୍ୱ କରିଥିଲେ।

୨୦୧୭ରୁ ଆରମ୍ଭ ହୋଇଥିବା ଏହି ନିଃଶୁଳ୍କ ତାଲିମ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, କୋରାପୁଟର ଦାମନଯୋଡି ଓ କେନ୍ଦ୍ରାପଡ଼ାର ରାଜନଗରଠାରେ ୪୨୬ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି।

ସମ୍ବନ୍ଧିତ ଖବର