ରୋଗୀମୃତ୍ୟୁକୁ ନେଇ ଏମ୍‌ସରେ ଉତ୍ତେଜନା

ଖଣ୍ଡଗିରି: ରବିବାର ଭୋର୍‌ ସମୟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ଏମ୍‌ସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ଉଭୟ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ମୁହାଁମୁହିଁ ଏମିତିିକି ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ଏ ନେଇ ଉଭୟ ପକ୍ଷରୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରୋଗୀ ସମ୍ପର୍କୀୟମାନେ ମୃତଦେହ ରଖି ଧାରଣା ଦେଇଥିଲେ ବି ପରେ ପୁଲିସ ଓ ଏମ୍‌ସ କର୍ତୃପକ୍ଷଙ୍କ ତଦନ୍ତ ପ୍ରତିଶ୍ରୁତି ପାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାନୁସାରେ ଶନିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ଛୋଟରାୟପୁରର ନନ୍ଦ କିଶୋର ପ୍ରଧାନ(୭୮)ଙ୍କୁ ପରିବାର ଲୋକେ ଭୁବନେଶ୍ୱର ଏମ୍‌ସରେ ଭର୍ତି କରିଥିଲେ। ସେତେବେଳେ ଡ୍ୟୁଟିରେ ଥିଲେ ରେସିଡେଣ୍ଟ ଡକ୍ଟର ଚିନ୍ମୟ କୁମାର ସାହୁ। ଡ. ସାହୁ ତୁରନ୍ତ ନନ୍ଦଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ନନ୍ଦଙ୍କୁ ମୃତ ଘୋଷଣା କରାଯାଇଥିଲା। ଚିକିତ୍ସା କରିବାର ମାତ୍ର ଅଳ୍ପ ସମୟ ଭିତରେ ହଠାତ୍‌ ନନ୍ଦଙ୍କ ମୃତ୍ୟୁ ହୋଇଯିବାରୁ ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ଅଭିଯୋଗ କରିଥିଲେ। ଫଳରେ ଡ. ସାହୁ ଓ ଅନ୍ୟ ହସ୍ପିଟାଲର କର୍ମଚାରୀମାନଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏ ଭିତରେ ସକାଳ ହୋଇଯାଇଥିଲା। ଖବର ପାଇ ଗାଁର ଶତାଧିକ ଲୋକ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଚିକିତ୍ସାରେ ଅବହେଳା କରାଯାଇଥିବାରୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ଧାରଣାରେ ବସିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଡ. ସାହୁଙ୍କ ଅଭିଯୋଗ ଅନୁସାରେ ମୃତ ନନ୍ଦଙ୍କ ପରିବାର ଲୋକେ ତାଙ୍କୁ ଠେଲାପେଲା ଓ ଆକ୍ରମଣ କରିଥିଲେ। ସେହିଭଳି ନନ୍ଦଙ୍କ ଦୁଇ ପୁଅ ସୁମନ୍ତ ଓ ସୁକାନ୍ତଙ୍କ ଅଭିଯୋଗ ଅନୁସାରେ ସିକ୍ୟୁରିଟି ଗାର୍ଡଙ୍କୁ ଲଗାଇ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ପୁଲିସକୁ ଲିଖିତ ଅଭିଯୋଗ କରାଯାଇଥିଲା। ଶେଷରେ ଏମ୍‌ସ କର୍ତୃପକ୍ଷ ଦୁଇ ପକ୍ଷରୁ ଅଭିଯୋଗକୁ ଗ୍ରହଣ କରିବା ସହ ସିସିଟିଭି ଫୁଟେଜ୍‌ ତନଖି କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆତ୍ମାର ସଦ୍‌ଗତି ପାଇଁ ସଂକୀର୍ତ୍ତନ କରି ଆଖି ବୁଜିଲେ
ନନ୍ଦ କିଶୋର ପ୍ରଧାନ ସ୍ଥାନୀୟ ଅଞ୍ଚଳରେ ଜଣେ ଜଣାଶୁଣା ଓଡ଼ିଶୀ ସଂକୀର୍ତ୍ତନ ଗାୟକ। ଶନିବାର ରାତିରେ ତାଙ୍କ ଗାଁରେ ଜଣେ ଯୁବକଙ୍କ ଚତୁର୍ଦଶାହ କାର୍ଯ୍ୟକ୍ରମରେ ସେ ସଂକୀର୍ତ୍ତନ କରିଥିଲେ। ଆତ୍ମାର ସଦ୍‌ଗତି ପାଇଁ ଉଦ୍ଦିଷ୍ଟ ଏହି ସଂକୀର୍ତ୍ତନରେ ସେ ରାମନାମ ଗାନ କରିଥିଲେ। କିନ୍ତୁ ସେହି ରାତିର ରାମନାମ ଯେ ତାଙ୍କର ଶେଷ ଗାୟନ ହେବ ବୋଲି କେହି ଭାବି ନଥିଲେ। ସଂକୀର୍ତ୍ତନ ସାରି ସେ ଘରକୁ ଫେରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତୁରନ୍ତ ତାଙ୍କୁ ଏମ୍‌ସରେ ଭର୍ତି କରାଯାଇଥିଲା। ମାତ୍ର ଆରପାରିର ଡାକରା ତାଙ୍କୁ ଟାଣି ନେଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର