ମୁଗକୁ ଝୁଣିଦେଲେ ଜଉପୋକ: କାମ କରୁନି କୀଟନାଶକ, ହେଉନି ବର୍ଷା, ଦାଉ ସାଧୁଛି କୁହୁଡ଼ି

ବାଲିପାଟଣା/ବାଲିଅନ୍ତା: ଚଳିତ ବର୍ଷ ରବି ଋତୁ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ପାଇଁ ଅନୁକୂଳ ହୋଇନାହିଁ। ଏହି ଅଞ୍ଚଳରେ ହଜାର ହଜାର ଏକର ଜମିରେ ହୋଇଥିବା ମୁଗ ଚାଷ ଏବେ ଜଉ ପୋକଙ୍କ ମୁହଁରେ ଯାଇଛି। ଜଉ ପୋକ ଗଛକୁ ଝୁଣି ସାରିଲେଣି। ରିହାତି ଦରରେ କୀଟନାଶକ ଔଷଧ ମିଳୁନଥିବାବେଳେ ବଜାରରୁ ଯାହା କିଛି ଔଷଧ ମିଳୁଛି, ସେସବୁ ଜଉପୋକ ନିପାତ କରିବା ପାଇଁ କାମ କରୁନି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ବିଭାଗୀୟ ଅଧିକାରୀମାନେ କୁହୁଡ଼ି ଓ ବର୍ଷା ଉପରେ ଦୋଷ ଲଦି କାନ୍ଧ ଖସାଉଥିବା ଅଭିଯୋଗ ହେଉଛି। ଆଦୌ ବର୍ଷା ହେଉନଥିବାବେଳେ କୁହୁଡ଼ି ହେଉଥିବାରୁ ମୁଗ ବିରି ଚାଷରେ ଜଉପୋକ ଧରୁଛନ୍ତି ବୋଲି କୁହାଯାଉଛି। ତେବେ ଜଉପୋକ ଲାଗିବା କାରଣ ଯାହା ହେଉନା କାର୍ହିକି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।

ବାଲିଅନ୍ତା ଅଞ୍ଚଳରୁ ମିଳିଥିବା ସୂଚନାନୁସାରେ ଅଧିକାଂଣ ଜମିରେ ଜଉପୋକ ଲାଗିଛି। ମାତ୍ର ଆବଶ୍ୟକ କୀଟନାଶକ ଔଷଧ ମିଳୁନାହିଁ। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ରିହାତି ମୂଲ୍ୟରେ କୀଟନାଶକ ଔଷଧ ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷୀମାନେ ବଜାରରୁ ଚଢ଼ା ଦରରେ କୀଟନାଶକ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି କୃଷି ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଜଉପୋକ ନିରାକରଣ ନେଇ କୌଣସି ପରାମର୍ଶ ଦେଉ ନଥିବା ମଧ୍ୟ ଅଭିଯୋଗ ହେଉଛି। ରଣପୁର ଗ୍ରାମର ମୁଗଚାଷୀ ପ୍ରଫୁଲ୍ଲ ସେନାପତି ଓ ବିନୋଦ ପରିଡ଼ାଙ୍କ କହିବାନୁଯାୟୀ ଔଷଧ ଦୋକାନରେ କୀଟନାଶକ ମିଳୁନାହିଁ। ଯାହା ମିଳୁଛି, ତାହା ଭଲ କାମ କରୁନାହିଁ। ଏସଂପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଧାର କାର୍ଡ ଓ ଜମିପଟାର ପ୍ରମାଣପତ୍ର ଦେଖାଉଥିବା ଚାଷୀଙ୍କୁ ଅନୁମତି ପତ୍ର ଦିଆଯାଉଛି ଓ ସେମାନେ ଔଷଧ ଦୋକାନରୁ ସିଧାସଳଖ ୫୦ ପ୍ରତଶତ ରିହାତି ପାଉଛନ୍ତି। କିନ୍ତୁ ଅଧିକାଂଶ ଚାଷୀ ଅନୁମତି ପତ୍ର ପାଇଁ ଆସୁନାହାନ୍ତି ବୋଲି ସେ କହିଛନ୍ତି। ମାତ୍ର ଚାଷୀମାନଙ୍କ ଅଭିଯୋଗ ଅନୁସାରେ ବହୁ ସମୟରେ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟାଳୟରେ ରହୁନଥିବାରୁ ସେମାନଙ୍କୁ ଫେରିବାକୁ ପଡ଼ୁଛି। ତେଣୁ ବାରମ୍ବାର ବ୍ଲକ ଯାଇ ସମୟ ନଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି।

ସେହିଭଳି ବାଲିପାଟଣା ଅଞ୍ଚଳରୁ ମିଳିଥିବା ଖବର ଅନୁସାରେ ବାଲିପାଟଣା ବ୍ଲକରେ ପ୍ରାୟ ୩ ହଜାର ହେକ୍ଟର ଜମିରେ ମୁଗ ଚାଷ ହୋଇଛି। ଏବେ ବହୁ ଜମିରେ ମୁଗ ଗଛକୁ ଜଉ ପୋକ ଝୁଣି ସାରିଲେଣି। ପ୍ରାୟ ୬ ଶହ ଏକର ଭଳି ଜମିରେ ମୁଗ ଗଛ ପୂରା ନଷ୍ଟ ହୋଇଗଲାଣି। ଚାଷୀମାନେ ମୁଗ କିଆରୀରେ ୨/୩ ଥର ଔଷଧ ପକାଇ ସାରିଥି‌ଲେ ବି କିଛି ଲାଭ ହେଉନାହିଁ। ବାରମ୍ବାର ଔଷଧ ପକାଇ ସେମାନେ ଖର୍ଚ୍ଚାନ୍ତ ହୋଇ ସାରିଲେଣି। ଏଣେ ବିଭାଗୀୟ କୃଷି ଅଧିକାରୀମାନେ ଔଷଧରେ ଉପଯୁକ୍ତ ମାତ୍ରାରେ ପାଣି ମିଶାଇକୁ କହି ଦେଇ ଚୁପ୍‌ ବସୁଛନ୍ତି। ତେଣୁ ଔଷଧ ପାଇଁ ଚାଷୀମାନେ ଗହରକୁ ମଜୁରିଆଙ୍କ ଦ୍ବାରା ଭାରରେ ପାଣି ବୋହୁଛନ୍ତି ଓ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ମାତ୍ର ବଜାରରେ ଭଲ କୀଟନାଶକ ମିଳୁନଥିବାବେଳେ ସରକାରୀ କଳ ନିରବଦ୍ରଷ୍ଟା ସାଜିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବାଲିପାଟଣା କୃଷି ବିଭାଗ ଅଧିକାରୀ ତରୁଣ କୁମାର ଛୋଟରାୟଙ୍କ କହିବା କଥା ଚଳିତ ବର୍ଷ ପାଣିପାଗ ପରିବର୍ତ୍ତନ ଯୋଗୁଁ ସମସ୍ୟା ଉପୁଜୁଛି। ମୁଗ ଚାଷ ପାଇଁ ଏହି ସମୟରେ ବର୍ଷା ଆବଶ୍ୟକ। ମାତ୍ର ଚଳିତ ବର୍ଷ ମୋଟେ ବର୍ଷା ହେଲାନାହିଁ। ତା’ସାଙ୍ଗକୁ କୁହୁଡ଼ି ମଧ୍ୟ ଲାଗି ରହିଛି। ତେଣୁ ଜଉପୋକ ବଢ଼ିବା ପାଇଁ ପାଣିପାଗ ସୁହାଉଛି। ଚାଷୀମାନେ କୀଟନାଶକ ପକାଉଛନ୍ତି, କିନ୍ତୁ ଉପଯୁକ୍ତ ପରିମାଣର ପାଣି ନ ମିଶାଇଲେ, ତାହା କାମ ଦେବନାହିଁ। ତେଣୁ ଔଷଧ ପକାଇବା ପୂର୍ବରୁ ସେମାନେ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର