ଚାଷୀଙ୍କ ଚିନ୍ତା ବଢ଼ାଇଲା ଚକଡ଼ା ପୋକ, ଗହୀରରୁ ଗହୀରକୁ ଡେଇଁଲେଣି

ବାଲିପାଟଣା : ଆଉ ଦିନ କେଇଟା ପରେ ଚାଷୀ ବିଲରୁ ଧାନ ଅମଳ କରିବ। କିଛି କିଛି ଜମିରେ ଧାନ ବାହାରି ପାଚିବାକୁ ବସିଲାଣି ତ ଗହୀରର ଅଭ୍ୟନ୍ତରରେ ଥିବା ଆଉ କିଛି ଜମିରେ ଧାନ ଗର୍ଭାବସ୍ଥାରେ। ମାତ୍ର ଏତିକିବେଳେ ପ୍ରକୃତି ଦାଉ ସାଧିଲାଣି। ଚକଡ଼ା ପୋକ ଚାଷୀଙ୍କ ଚିନ୍ତା ବଢ଼ାଇଲାଣି। ଗର୍ଭାବସ୍ଥାରେ ଥିବା ଧାନଗଛକୁ ଚକଡ଼ା ପୋକମାନେ ଝୁଣିବା ଆରମ୍ଭ କରିସାରିଲେଣି। ସେହିଭଳି ଧାନ କେଣ୍ଡା ବାହାରି ଆସିଥିବା କିଛି ଜମିରେ ଜଉ ପୋକ ଲାଗିଲେଣି। ଏଭଳି ଅବସ୍ଥାରେ କୃଷି ବିଭାଗ ଚାଷୀଙ୍କ ପାଖରେ ଠିଆ ନହେବା ଦୁଃଖ ବ‌ଳେଇ ପଡ଼ିଛି। ଧାର କରଜ କରି ଚାଷୀ ଔଷଧ କିଣୁଛି, କିନ୍ତୁ ଚକଡ଼ା ପୋକ ମାରିବାରେ ସେସବୁ ଔଷଧ କାମ ଦେଉନି ବୋଲି ଅଭିଯୋଗ ହେଉଛି। ତେଣୁ କୃଷି ବିଭାଗ ଏଭଳି ଦୁଃସମୟରେ ଚାଷୀଙ୍କ ସହ ଛିଡ଼ା ନହେଲେ ସେମାନେ ଭାସିଯିବେ ବୋଲି କହିଛନ୍ତି। ଏଣେ ଗହୀରରୁ ଗହୀରକୁ ଚକଡ଼ା ପୋକ ମାଡ଼ିମାଡ଼ି ଯିବା ଦେଖିବାକୁ ମିଳିଲାଣି।

ସୂଚନାନୁସାରେ ବାଲିପାଟଣା ବ୍ଲକ ସୋମଣା ପଞ୍ଚାୟତ ଅନ୍ତର୍ଗତ ରଏଡ଼ ଦେଉଳି ଗାଁ ଗହୀର ଏବେ ଚକଡ଼ା ପୋକ କବଳରେ। ପ୍ରାୟ ୩୦ ଏକରରୁ ଅଧିକ ଜମିରେ ଚକଡ଼ା ପୋକ ଲାଗିଗଲେଣି। ଗାଁର ଜାମଳ ବିଶ୍ୱାଳ, ନଟ ବିଶ୍ୱାଳ, ସନ୍ତୋଷ ସାହୁ, ଭୋଳି ବାରିକ, ଦୁଃଶାସନ ବିଶ୍ୱାଳ ଏମିତି ୧୦ରୁ ଅଧିକ ଚାଷୀଙ୍କ ୩୦ ଏକର ଧାନ ଜମିରେ ଚକଡ଼ା ପୋକ ଲାଗିଥିବା ଅଭିଯୋଗ ହୋଇଛି। ଚକଡ଼ା ପୋକଙ୍କ ଲାଗି ଗଛ ସବୁ ହଳଦିଆ ପଡ଼ି ଆସିଲାଣି ଓ ଗଛ ଆପେ ଆପେ ଛୋଟ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଗର୍ଭରେ ଥିବା ଧାନ କେଣ୍ଡା ଭିତରେ ହିଁ ମରି ସାରିଲାଣି। ଚକଡ଼ା ପୋକ ଲାଗିଥିବା ଜମିରୁ କିଛି ଗଉଣିଏ ଧାନ ମିଳିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ସେମାନଙ୍କ କହିବା କଥା ଧାରକରଜ କରି ବଜାରରେ ମିଳୁଥିବା ଔଷଧ କିଣି ସେମାନେ ବିଲରେ ପକାଇଛନ୍ତି। କିନ୍ତୁ ଔଷଧ କାମ ଦେଉନି। କୃଷି ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ବି ସେମାନେ ଜମି ପରିଦର୍ଶନ କରିବା ନାଁ ଧରୁନାହାନ୍ତି। ସେହିପରି ବହୁ ଅଞ୍ଚଳରେ ଜଉ ପୋକ ଲାଗିଛି। ଫଳରେ ଧାନ କେଣ୍ଡା ଭଲରେ କ୍ଷୀର ଧରିବ ନାହିଁ ଓ ଅଗାଡ଼ି ହୋଇଯିବ। ଚଳିତ ବର୍ଷ ଖରିଫ ଧାନ ବେଶ୍ ଭଲ ହୋଇଥିଲା। ଚାଷୀ ଭଲ ଅମଳ କରିବ ବୋଲି ଭାବିଥିଲା। କିନ୍ତୁ ଠିକ ଅମଳ ପୂର୍ବରୁ ଚକଡ଼ା ପୋକ ଓ ଜଉ ପୋକ ଚାଷୀଙ୍କ ନିଦ ହଜେଇ ଦେଇଛି। ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଅଭିଯୋଗ କଲେ କିଛି ଲାଭ ମିଳୁନି। ଗାଁକୁ ଯାଇ ଜମି ପରିଦର୍ଶନ କରିବେ କହି କେହି ଆସୁନାହାନ୍ତି। ଗ୍ରାମସେବକମାନେ ମଧ୍ୟ ଠିକ ମାର୍ଗ ଦେଖାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ଅଧିକାରୀ ତରୁଣ କୁମାର ଛୋଟରାୟଙ୍କ ସହ ଯୋଗାଯୋଗ କରିବା ପରେ ସେ ଚକଡ଼ା ଓ ଜଉ ପୋକ ଲାଗିଥିବା କଥାକୁ ସ୍ବୀକାର କରିଛନ୍ତି। ତେବେ ସେ ବିଭାଗୀୟ ଅଣହେଳାକୁ ଖଣ୍ଡନ କରିଛନ୍ତି। ତାଙ୍କ ସୂଚନାନୁସାରେ ସରକାରଙ୍କ ତରଫରୁ ଗାଁ ଗହଳିରେ ସଚେତନତା ପାଇଁ ପୋଷ୍ଟର ଲଗାଯାଇଛି ଓ କାନ୍ଥବାଡ଼ରେ ବିଜ୍ଞାପନ ଲେଖାହେଉଛି। କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଆରମ୍ଭରୁ ଔଷଧ ପ୍ରୟୋଗ ନକରି ବିଳମ୍ବ କରୁଛନ୍ତି।

ସମ୍ବନ୍ଧିତ ଖବର