ଅନ୍‌ଲାଇନ୍‌ରେ ହେବ ପୋଷା କୁକୁର ପଞ୍ଜୀକରଣ

ଭୁବନେଶ୍ବର: ଏଣିକି ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପ୍ରାଣୀ ରଖିଲେ, ବିଏମ୍‌ସିର ଅନୁମତି ନେବାକୁ ପଡ଼ିବ। ଯେଉଁମାନେ ନୂଆ ଗୃହପାଳିତ ପ୍ରାଣୀ କିଣୁଛନ୍ତି, ଯେଉଁମାନେ ଘରେ ରଖିଛନ୍ତି ଓ ଯେଉଁମାନେ ବେପାର କରୁଛନ୍ତି; ସମସ୍ତେ ବିଏମ୍‌ସିରେ ପଞ୍ଜୀକରଣ କରାଇବେ। ଆସନ୍ତା ବୁଧବାର ସୁଦ୍ଧା ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି ବିଏମ୍‌ସି କହିଛି।

ଏବେ ସହରରେ କେତେ କୁକୁର ଅଛନ୍ତି, ତାହାର ହିସାବ ବିଏମ୍‌ସି ପାଖରେ ନାହିଁ। ପଞ୍ଜୀକରଣ ହେଲେ ସମସ୍ତ ହିସାବ ବିଏମ୍‌ସି ପାଖରେ ରହିବ ଓ ନିଷିଦ୍ଧ ପ୍ରଜାତିର କୁକୁର ଯେପରି କେହି ପୋଷିବେ ନାହିଁ, ତାହାକୁ ମଧ୍ୟ ସୁନିଶ୍ଚିତ କରାଯାଇପାରିବ। ତେବେ ଯେଉଁମାନେ ନିଷିଦ୍ଧ ପ୍ରଜାତିର କୁକୁର ପୋଷିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ଭୁବନେଶ୍ବର ଡଟ୍‌ ମି ପୋର୍ଟାଲ ସହ ସଂଯୋଗ କରାଯିବ। ଫଳରେ ଲୋକମାନେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ସୁବିଧା ପାଇବେ। ତା’ ଛଡ଼ା କୁକୁରମାନଙ୍କୁ ଟିକାକରଣ ବ୍ୟବସ୍ଥା ବି କରାଯିବ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଜଣେ ଶିଶୁକୁ ପୋଷା କୁକୁର କାମୁଡ଼ିବା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କିନ୍ତୁ ଏହା ପଞ୍ଜୀକରଣ ହୋଇ ନଥିବାରୁ ବିଏମ୍‌ସି ଏହି ଘଟଣାରେ ହସ୍ତକ୍ଷେପ କରିପାରି ନଥିଲା। ଠିକ୍‌ ସେହିଭଳି ଲକ୍ଷ୍ମୀସାଗର ଅଞ୍ଚଳରେ ସରକାରୀ ଜମିରେ ଘର ତିଆରି କରି କୁକୁର ବେପାର କରୁଥିବା ଲୋକକୁ ସେଠାରୁ ଗତକାଲି ଉଚ୍ଛେଦ କରାଯାଇଥିଲେ ମଧ୍ୟ ବିଏମ୍‌ସି କୁକୁରମାନଙ୍କୁ ରଖି ପାରିନଥିଲା। ଏବେ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିବା ପରେ ବିଏମ୍‌ସି ଏ ସବୁ ଉପରେ ନିୟନ୍ତ୍ରଣ ରଖିପାରିବ।

ସମ୍ବନ୍ଧିତ ଖବର