ନୂଆଦିଲ୍ଲୀ : ସ୍କୁଲ ଦ୍ବାରା ପୂର୍ଣ୍ଣାଙ୍ଗ ସ୍କୋର୍କାର୍ଡ ତଥା ଉତ୍ତର ପୁସ୍ତିକା ଯୋଗାଇ ଦିଆନଯିବା ଅଭିଯୋଗ କରି ଓଡ଼ିଶାର ସିବିଏସ୍ଇ ଛାତ୍ରଙ୍କ ପକ୍ଷରୁ ସଂପୃକ୍ତ ସ୍କୁଲ୍ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରାଯାଇଛି। ଭୁବନେଶ୍ବର ପଟିଆସ୍ଥିତ ସେଣ୍ଟ୍ ଜାଭିଅର୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଦ୍ବାରା ଜାନୁଆରି ୧୭, ୨୦୨୨ରେ ଛାତ୍ରଛାତ୍ରୀମାନଙ୍କୁ ମାର୍କ ପ୍ରଦାନରେ ନିଜର ଦୁର୍ନୀତି ଲୁଚାଇବା ପାଇଁ ପୂର୍ଣ୍ଣାଙ୍ଗ ସ୍କୋର୍କାର୍ଡ ଏବଂ ଉତ୍ତର ପୁସ୍ତିକା ଯୋଗାଇ ଦିଆଯାଉ ନଥିବା ଅଭିଯୋଗ କରାଯାଇଛି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଏମ୍ ଖାନୱିଲକର ଏବଂ ବିଚାରପତି ଜଷ୍ଟିସ୍ ସିଟି ରବିକୁମାରଙ୍କ ଖଣ୍ଡପୀଠ ଅଭିଯୋଗକାରୀଙ୍କ ଓକିଲ ମମତା ଶର୍ମାଙ୍କୁ ପିଟିସନ୍ର ନକଲ ପ୍ରତିପକ୍ଷ ତଥା କେନ୍ଦ୍ରୀୟ ଏଜେନ୍ସିଙ୍କ ଓକିଲଙ୍କୁ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମାମଲାର ଶୁଣାଣିକୁ ଚଳିତ ମାସ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଶିବାଶିଷ ବେହେରାଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍ ପିଟିସନ୍ (ସିଭିଲ୍)ରେ ଦର୍ଶାଯାଇଛି, ଦଶମ ଶ୍ରେଣୀରେ ଭଲ ମାର୍କ ସ୍କୋର୍ କରି ଉକ୍ତ ସ୍କୁଲ୍ରେ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଚାପ ପକାଯିବା ତଥା ବେଆଇନ ଭାବେ ଅର୍ଥ ଆଦାୟ କରାଯାଇଛି। ଏ ନେଇ ସ୍କୁଲ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା, ସ୍କୁଲ୍ ଅଧ୍ୟକ୍ଷ ଓ ପ୍ରିନ୍ସପାଲଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଜରିମାନା ଲଗାଇବା ପାଇଁ ପିଟିସନ୍ରେ ପ୍ରାର୍ଥନା କରାଯାଇଛି।
ଅଗଷ୍ଟ ୫, ୨୦୨୧ ଆଦେଶରେ ସୁପ୍ରିମକୋର୍ଟ ସିବିଏସ୍ଇ ଓକିଲଙ୍କ ନିବେଦନକୁ ରେକର୍ଡ କରିଥିଲେ। ଯେଉଁଥିରେ ସିବିଏସ୍ଇ ଓକିଲଙ୍କ ଦ୍ବାରା ବୋର୍ଡ ଦ୍ବାରା ପଞ୍ଜୀକୃତ ହୋଇଥିବା ସ୍କୁଲଗୁଡ଼ିକୁ ଇଣ୍ଟରନାଲ ଆସେସମେଣ୍ଟ୍ ମାର୍କସ, ତିନି ବର୍ଷର ସର୍ବାଧିକ ଆଭରେଜ୍ ମାର୍କସ ଏବଂ କେସ୍ ଟୁ କେସ୍ ଆଧାରରେ ପରୀକ୍ଷାଫଳ କମିଟି ଦ୍ବାରା ଦିଆଯାଇଥିବା ମାର୍କସ୍କୁ ଘୋଷଣା କରିବାକୁ ନିର୍ଦ୍ଦେଶ ଜାରି କରାଯିବ ବୋଲି କୁହାଯାଇଥିଲା। ମେ, ୨୦୨୧ର ଆକଳନ ନୀତି ଜାରି କରାଯିବା ପରେ ସ୍କୁଲ୍ ଦ୍ବାରା ଜୁମ୍ ବୈଠକର ଅୟୋଜନ କରାଯାଇଥିଲା। ଭଲ ନମ୍ବର ହାସଲ କରିବା ପାଇଁ ଉତ୍ତର ପୁସ୍ତିକାରେ ଆଉ ଥରେ ଲେଖିବାର ବିକଳ୍ପ ରହିଥିବା ବୈଠକରେ କୁହାଯାଇଥିଲା। ଯେଉଁ ଛାତ୍ରଛାତୀମାନେ ସ୍କୁଲର ଅନୁରୋଧ ମାନି ସ୍କୁଲରେ ନାମ ଲେଖାଇଲେ ଏବଂ ଦାବି କରାଯାଇଥିବା ଅର୍ଥ ପୈଠ କଲେ ସେମାନଙ୍କୁ ଭଲ ମାର୍କସ ମିଳିଲା ଏବଂ ଯେଉଁମାନେ ନାମ ଲେଖାଇଲେ ନାହିଁ ସେମାନଙ୍କ ମାର୍କସକୁ ମନମୁ୍ଖୀ ତଥା ବେଆଇନ ଭାବେ ହ୍ରାସ କରିଦିଆଗଲା। ସିବିଏସଇ ଅକ୍ଟୋବର ୨୯, ୨୦୨୧ରେ ସ୍କୁଲକୁ ସମ୍ବନ୍ଧିତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସ୍କୁଲ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଉତ୍ତର ପୁସ୍ତିକା ପ୍ରଦାନ କରାଯାଇନଥିଲା। ପିଟିସନ୍ରେ ଆବେଦନକାରୀ ଛାତ୍ରଙ୍କ ସ୍କୁଲରୁ ଅସଲି ରେକର୍ଡ ହାସଲ କରିବା ପରେ ସେମାନଙ୍କ ଫଳାଫଳକୁ ସିବିଏସ୍ଇ ଆକଳନ ନୀତି ଆଧାରରେ ଘୋଷଣା କରିବା ପାଇଁ ସିବିଏସ୍ଇକୁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଛି।