ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ମାମଲା : ସିସିଟିଭି ଯାଞ୍ଚରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଅଙ୍ଗପ୍ରତ୍ୟଙ୍ଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ଡିଏନ୍ଏ ପରୀକ୍ଷାକୁ ଅପେକ୍ଷା, ପେଟ୍ରୋଲ ପମ୍ପ ସିଲ୍ କଲା ଆଇଓସିଏଲ୍

ଭୁବନେଶ୍ୱର : ରାଜଧାନୀର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପୂର୍ବରୁ ନିଆଁ କେମିତି ଲାଗିଲା? ସେତେବେଳେ ଟାଙ୍କି ନିକଟରେ କିଏ କାମ କରୁଥିଲେ? ନିଆଁ ଲାଗିବାର ମାଧ୍ୟମ କଣ ରହିଥିଲା? କେତେଜଣ କାମ କରୁଥିଲେ? ନିଆଁ କେଉଁଥିରୁ ଉତ୍ପନ୍ନ ହୋଇଥିଲା? ଏ ସବୁ ଜାଣିବା ଲାଗି ଆଜି ଦିନତମାମ୍ ଘଣ୍ଟାଚକଟା କରିଛି ପୁଲିସ। ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାପିଟାଲ ଥାନାରେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଛନ୍ତି। ଏହି ଫୁଟେଜ୍‌ରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଭାଲ୍‌ଭ ଖୋଲାଯିବା ସମୟରେ ହିଁ ଅଗ୍ନିସଂଯୋଗ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ନିଆଁ କେମିତି ଓ କେଉଁଠି ଉତ୍ପନ୍ନ ହେଲା, ଅଧିକ ଜାଣିବା ଲାଗି ପୁଲିସ ପେଟ୍ରୋଲିୟମ୍ ବିଶେଷଜ୍ଞ ଟିମ୍ ଓ ଆଇଟି ଏକ୍ସପର୍ଟଙ୍କ ସହାୟତା ନେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଆଇଓସିଏଲ୍ ମୁଖ୍ୟାଳୟରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ମଧ୍ୟ ଯାଞ୍ଚ କରିଥିବା ଜଣାପଡ଼ିଛି।

ସେହିପରି ରାଜ୍ୟ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ସଂଗ୍ରହ କରିଥିବା ନମୁନାକୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି। ଫରେନସିକ୍ ରିପୋର୍ଟ ମଧ୍ୟ ପୁଲିସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଜଣେ ଅଧିକାରୀ କହିଛନ୍ତି। ଦିନେ କିମ୍ବା ଦୁଇ ଦିନ ଭିତରେ ପୂରା ରହସ୍ୟ ଉପରୁ ପରଦା ଉଠିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ (ପେସୋ) ସେହି ଫୁଟେଜ୍‌କୁ ଆଉ ଥରେ ଯାଞ୍ଚ କରିବ। ଯେହେତୁ ଓଡ଼ିଶାରେ ଏହା ପ୍ରଥମ ଘଟଣା ସେମାନେ ମଧ୍ୟ ଏହାର କାରଣ ଖୋଜି ବାହାର କରିବେ। ଏଥିପାଇଁ କିଏ ଦାୟୀ? କାହାର ଅବହେଳାରୁ ଏତେ ବଡ଼ ବିସ୍ଫୋରଣ ଘଟିଲା ତାହା ମଧ୍ୟ ସ୍ପଷ୍ଟ ହେବ। ଏହିପରି ଘଟଣା ଯେମିତି ଆଉ କେଉଁଠି ନ ଘଟେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯିବ ବୋଲି ପେସୋର ଜଣେ ଅଧିକାରୀ କହିଛନ୍ତି।

ପୁଲିସ ଏବେ ତିନିଟି ଦିଗକୁ ନେଇ ତଦନ୍ତ ଜାରି ରଖିଛି। ପ୍ରଥମଟି ହେଲା ନିଆଁ କେମିତି ଲାଗିଲା ତାହା ଜାଣିବା ଲାଗି ପୁଲିସ ସିସିଟିଭି ଫୁଟେଜ୍ ସହ ଫୋନ୍ କଲ ଡିଟେଲ୍ସ ରେକର୍ଡକୁ ଯାଞ୍ଚ କରୁଛି। ବିସ୍ଫୋରଣରେ ନିଖୋଜ ହୋଇ ଯାଇଥିବା ସୀମାଞ୍ଚଳ ପରିଡ଼ା ଓ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଭରଦ୍ବାଜ ହର୍ଷବର୍ଦ୍ଧନ, ଏହି ଦୁଇଜଣ ଘଟଣାସ୍ଥଳରେ ଯାଞ୍ଚ କାମ କରୁଥିଲେ। ପୁଲିସ ହାତରେ ଏହି ଦୁଇଜଣଙ୍କର ମୋବାଇଲ ଫୋନ୍ କଲ ଡିଟେଲ୍ସ ରେକର୍ଡ ଲାଗିଥିବା ବେଳେ ସେହି ସମୟରେ ସେମାନଙ୍କ ମୋବାଇଲ ଫୋନକୁ କଲ୍ ଆସିଥିଲା କି ନାହିଁ, ତାହା ସ୍ପଷ୍ଟ ହେବ। ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଜେରା ପରେ ପୂରା ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ଆଶା ରଖିଛି।

ଦ୍ବିତୀୟ ଦିଗଟି ହେଲା, ଘଟଣା ପାଇଁ କିଏ ଦାୟୀ? ଏଲପିଜି ଭୂତଳ ଟାଙ୍କିର ଯାଞ୍ଚ କାମ ଯେଉଁ ସଂସ୍ଥାକୁ ଦିଆଯାଇଥିଲା ତାହାର ଅନୁମତି ଅଛି କି ନାହି? କେଉଁ ଆଧାରରେ ଦିଆଯାଇଥିଲା, ତାହାର ମଧ୍ୟ ତଦନ୍ତ କରାଯାଉଛି। ତୃତୀୟ ଦିଗଟି ହେଲା, ଯେଉଁ ମାଂସ ଖଣ୍ଡଗୁଡ଼ିକ ମିଳିଛି, ତାହା ଶରୀରର କେଉଁ କେଉଁ ଅଂଶ? ସମସ୍ତ ଦେହାବଶେଷର କ୍ୟାପିଟାଲ ହସ୍ପିଟାଲରେ ଏଫଏମଟି ବିଭାଗରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ମାଂସ ଖଣ୍ଡଗୁଡ଼ିକ କେବଳ ମନୁଷ୍ୟ ଶରୀରର ନା ଆଉ କେଉଁ ଜୀବଜନ୍ତୁଙ୍କର ରହିଛି? ତାହା ଜାଣିବା ଲାଗି ଏଫଏମଟି ବିଜ୍ଞାନ ଦ୍ବାରା ଗୋଟି ଗୋଟି କରି ଯାଞ୍ଚ କରାଯିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ତଦନ୍ତକାରୀ ଅଧିକାରୀ ଡିଏନ୍ଏ ପରୀକ୍ଷା ଲାଗି ଆସନ୍ତା ସପ୍ତାହର ସୋମବାର କିମ୍ବା ମଙ୍ଗଳବାର କୋର୍ଟଙ୍କ ଅନୁମତି ଲୋଡ଼ିବେ। ଅନୁମତି ମିଳିବା ପରେ ଡିଏନ୍ଏ ପରୀକ୍ଷା ଲାଗି କିଛି ଅଂଶକୁ ରାଜ୍ୟ ଫରେନସିକ୍ ଲାବରେଟୋରିକୁ ପଠାଯିବ। କ୍ୟାପିଟାଲ ହସ୍ପିଟାଲ ଏଫଏମଟି ବିଭାଗରୁ ଚିହ୍ନଟ ହୋଇ ଯାଇଥିବା ମାଂସ ଖଣ୍ଡଗୁଡ଼ିକର ନିଖୋଜ ସୀମାଞ୍ଚଳଙ୍କର କି ନାହିଁ ତାହାର ଡିଏନ୍ଏ ପ୍ରୋଫାଇଲିଂ(ମେଳ) କରାଯିବ। ସୀମାଞ୍ଚଳଙ୍କ ପରିବାର ବ୍ୟକ୍ତିଙ୍କଠାରୁ ସଂଗୃହୀତ ନମୁନା ସହ ଏହାକୁ ମେଳ କରାଯିବା ପରେ ସ୍ପଷ୍ଟ ହେବ। ସଂଗୃହୀତ ଦେହାବଶେଷ ଭିତରୁ ଯଦି କିଛି ଅଂଶ ସୀମାଞ୍ଚଳଙ୍କ ଡିଏନ୍ଏ ସହ ମେଳ ଖାଇଲା ଓ ଅନ୍ୟଗୁଡ଼ିକ ମେଳ ହୋଇ ପାରିଲାନି ତାହାଲେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବ।

ପେଟ୍ରୋଲ ପମ୍ପକୁ ଆଇଓସିଏଲ୍ ପକ୍ଷରୁ ସିଲ୍ କରି ଦିଆଯାଇଛି। ସିଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ପେଟ୍ରୋଲ ପମ୍ପ ପରିସରରେ ଥିବା ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର, ସଫଲ୍ ସୋ’ ରୁମ୍, ପଙ୍କଚର୍ ଦୋକାନରୁ ସବୁ ସାମଗ୍ରୀ ଖାଲି କରି ଦିଆଯାଇଛି। ଦୋକାନ ମାଲିକଙ୍କୁ ସେମାନଙ୍କ ସାମଗ୍ରୀ ଜିମାରେ ଦିଆ ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖ ଦିନ ପ୍ରାୟ ୧ଟାରେ ଇଣ୍ଡିଆନ ଅଏଲର ଏହି ପେଟ୍ରୋଲ ପମ୍ପରେ ଏଲପିଜି ଗ୍ୟାସ ଭର୍ତ୍ତି ହେବା ପୂର୍ବରୁ ଯାଞ୍ଚ କାମ ଚାଲିଥିବା ବେଳେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଆହତଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଟେକ୍ନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁନି। ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହରେ ଖୋଳତାଡ଼ ଜାରି ରଖିଛି ପୁଲିସ।

ବିସ୍ଫୋରଣରେ କାନ ପରଦା ଫାଟିଗଲା
ଭୁବନେଶ୍ୱର : ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବିସ୍ଫୋରଣରେ ତେଲ ପକାଇବାକୁ ଆସିଥିବା ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ବିସ୍ଫୋରଣ ଶବ୍ଦରେ ତାଙ୍କର କାନ ପରଦା ଫାଟି ଯାଇଛି। ଯୁବକ ଜଣକ ହେଲେ, କ୍ଷୀରୋଦ କୁମାର ସାହୁ। କ୍ଷୀରୋଦଙ୍କ କହିବା କଥା ସେ ତେଲ ପକାଇବାକୁ ଲାଇନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏହି ଘଟଣା ଘଟିଥିଲା। ତାଙ୍କ ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଭୟଭୀତ ହୋଇ ଘରକୁ ପଳାଇଥିଲେ। କାନକୁ ନ ଶୁଭିବାରୁ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ଶବ୍ଦରେ ତାଙ୍କର କାନ ପରଦା ଫାଟି ଯାଇଥିବା ଜାଣିବାକୁ ପାଇଥିଲେ। ଚିକିତ୍ସା ଓ ଅପରେସନ ଲାଗି ୫୦ ହଜାର ଟଙ୍କା ଲାଗିବ ବୋଲି ସେ କହିଛନ୍ତି। ଆଜି ଥାନାକୁ ଆସି ତାଙ୍କ ବାଇକ୍ ନେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର