ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା: ବିତିଲା ୧୫ ଦିନ, ସରୁନି ତଦନ୍ତ

ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ୪ ଜଣିଆ ଟିମର ଛାନଭିନ୍, ଫାଟିଥିବା ଗ୍ୟାସ ଟ୍ୟାଙ୍କର ମୋଟେଇକୁ ନେଇ ପେସୋର ସନ୍ଦେହ

ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ଏଲ୍‌ପିଜି ଭୂତଳ ଟାଙ୍କିରେ କେମିତି ଲାଗିଲା ନିଆଁ? ନିଆଁ ଲାଗିବା ପଛର କାରଣ କ’ଣ? କାହାର ଭୁଲ୍ ଯୋଗୁ ଏତେ ବଡ଼ ଭୟଙ୍କର ବିସ୍ଫୋରଣ ଘଟିଲା? ପୂରା ଘଟଣା ପାଇଁ କିଏ ଦାୟୀ? ୧୫ ଦିନ ହେଲା କମିସନରେଟ ପୁଲିସ ସମେତ ଏକାଧିକ ସଂସ୍ଥା ଦୁର୍ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏହି ସବୁ ପ୍ରଶ୍ନର ଉତ୍ତର ମିଳିପାରିନାହିଁ। ପ୍ରଥମ ଥର ପାଇଁ ଘଟିଥିବା ଏଭଳି ଦୁର୍ଘଟଣାର କାରଣ ବାବଦରେ ଜାଣିବା ପାଇଁ ରାଜ୍ୟବାସୀ ଅନାଇ ବସିଛନ୍ତି। ଆଜି ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଏକ ୪ ଜଣିଆ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ଘଟିଲା, ତାକୁ ନେଇ ଦୁଇ ଜଣ ବରିଷ୍ଠ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କାରଣ ଏଭଳି ଘଟଣା ପୂର୍ବରୁ କେବେ, କେଉଁଠି ଘଟିଥିବା ନଜିର ନାହିଁ। ତେଣୁ ଏହି ମାମଲାର ସରଜମିନ୍ ତଦନ୍ତ କରି ପ୍ରକୃତ କାରଣ ଖୋଜି ବାହାର କରିବାକୁ ଲକ୍ଷ୍ୟ ରଖିଛି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ।

ପେସୋ(ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍) ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ବିସ୍ଫୋରଣ ସ୍ଥଳରୁ ସଂଗ୍ରହ କରିଥିବା ଟାଙ୍କିର ଲୁହା ଖଣ୍ଡ ମୋଟେଇକୁ ନେଇ ସନ୍ଦେହ ପ୍ରକାଶ କରିଛି ପେସୋ। ପେସୋ ଅଧିକାରୀ ରୁଆବ୍‌ ଅଲ୍ଲୀଙ୍କ କହିବା ଅନୁସାରେ, ଭୂତଳ ଟାଙ୍କିର ମୋଟେଇ ୧୪ରୁ ୧୫ ଏମ୍ଏମ୍ ରହିବା କଥା। ଏହି ଟାଙ୍କିର ମୋଟେଇ ସେତିକି ଥିଲା କି ନାହିଁ ତାହାର ଯାଞ୍ଚ କରାଯାଉଛି। ଯେହେତୁ ଏହା ପ୍ରଥମ ଘଟଣା ତେଣୁ ବିଭିନ୍ନ ଦିଗ ଏବେ ଗୁରୁତ୍ବପୂର୍ଣ୍ଣ। ନିଆଁ ଲାଗିବା ଓ ବିସ୍ଫୋରଣ ଘଟିବାର କାରଣ ସାରା ଦେଶ ପାଇଁ ଉଦାହରଣ ହୋଇ ରହିବ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ରିତୁ ଦମନ ଶ୍ରୀବାସ୍ତବ ଓରଫ୍ ଭରଦ୍ବାଜ୍ ଶ୍ରୀବାସ୍ତବଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ସେ ଗୁରୁତର ଆହତ ଅଛନ୍ତି। ସୁସ୍ଥ ହେଲା ପରେ ସେ ହିଁ ଗୁମର ଖୋଲିପାରିବେ ବୋଲି ଆଶା ରହିଛି। କମିସନରେଟ ପୁଲିସ ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରିସାରିଛି। ମୋବାଇଲ୍ କଲ୍‌ ଡିଟେଲ୍ସ ରେକର୍ଡ ମଧ୍ୟ ପାଇ ସାରିଛି। କିନ୍ତୁ ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ସାଇଣ୍ଟିଫିକ୍ ରିପୋର୍ଟ ଓ ଶ୍ରୀବାସ୍ତବଙ୍କ ବୟାନ ନିର୍ଣ୍ଣାୟକ ହେବ ବୋଲି ଆଶା ରଖିଛି ପୁଲିସ। କିନ୍ତୁ କେବେ ରହସ୍ୟ ଉନ୍ମୋଚନ ହେବ ସେ ନେଇ କିଛି ସ୍ପଷ୍ଟ କରିପାରି ନାହିଁ। ଡିଏନ୍ଏ ରିପୋର୍ଟ ଆସିବାକୁ ପ୍ରାୟ ସପ୍ତାହେ ଲାଗିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୭ ତାରିଖରେ ରାଜଭବନ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଟେକ୍ନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ଘଟିଥିଲା। ନିଖୋଜ ଇଞ୍ଜିନିୟର ସୀମାଞ୍ଚଳଙ୍କର ପତ୍ତା ମିଳୁ ନ ଥିବାବେଳେ ଘଟଣାସ୍ଥଳରୁ ମିଳିଥିବା ଦେହାବଶେଷ ତାଙ୍କର ହୋଇଥିବା ଅନୁମାନ କରାଯାଉଛି। ଡିଏନ୍ଏ ରିପୋର୍ଟ ଆସିବା ପରେ ଏହାର ରହସ୍ୟ ଖୋଲିବ।

ସମ୍ବନ୍ଧିତ ଖବର