ପେ‌ଟ୍ରୋଲ୍‌ ପମ୍ପ ବିସ୍ଫୋରଣ ମାମଲା: ରହସ୍ୟ ଖୋଲିଲା ଡିଏନ୍ଏ ଟେଷ୍ଟ୍‌, ସ୍ପଷ୍ଟ ହେଲା ସୀମାଞ୍ଚଳଙ୍କ ମୃତ୍ୟୁ

ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଆଇଓସିଏଲ୍‌କୁ ଅବଗତ କରାଯିବ
ଖୁବ୍‌ ଶୀଘ୍ର ବିସ୍ଫୋରଣ କାରଣର ପର୍ଦ୍ଦାଫାସ ହେବ: ସିପି

ଭୁବନେଶ୍ୱର : ରାଜଭବନ ନିକଟସ୍ଥ ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପ ବିସ୍ଫୋରଣର ୨୨ଦିନ ପରେ ଘଟଣାସ୍ଥଳରୁ ନିଖୋଜ ସାଇଟ୍‌ ଇଂଜିନିୟର ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ ହୋଇଛି। ଡିଏନ୍ଏ ପରୀକ୍ଷା ରିପୋର୍ଟ ଆସିବା ପରେ ଆଜି ପୁଲିସ ସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହା ସ୍ପଷ୍ଟ କରିଛନ୍ତି। ସୀମାଞ୍ଚଳଙ୍କ ପରିବାର ଲୋକଙ୍କଠାରୁ ସଂଗୃହୀତ ରକ୍ତ ନମୁନା ଓ ଦୁର୍ଘଟଣାସ୍ଥଳରୁ ସଂଗୃହୀତ ହୋଇଥିବା ଦେହାବଶେଷରୁ ନିଆଯାଇଥିବା ଡିଏନ୍‌ଏ ମେଳ ଖାଇଛି। ତେଣୁ ଘଟଣାସ୍ଥଳରୁ ସଂଗୃହୀତ ଦେହାବଶେଷ ମୃତ ସୀମାଞ୍ଚଳଙ୍କର ବୋଲି ସ୍ପଷ୍ଟ ହୋଇଛି। ଏହି ରିପୋର୍ଟ ଆସିବା ପରେ ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି। ତେଣୁ ସୀମାଞ୍ଚଳଙ୍କ ମୃତ୍ୟୁକୁ ମିଶାଇ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନାନୁସାରେ ବିସ୍ଫୋରଣସ୍ଥଳରୁ ସଂଗ୍ରହ କରାଯାଇଥିବା ଦେହାବଶେଷ ଗୁଡ଼ିକ ଜଣେ ବ୍ୟକ୍ତିଙ୍କର। ଏ କଥା ମଧ୍ୟ ଡିଏନ୍ଏ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ସୀମାଞ୍ଚଳଙ୍କ ମୃତ୍ୟୁ ସମ୍ପର୍କରେ ଆଇଓସିଏଲ୍‌କୁ ଅବଗତ କରାଯିବ। ଫଳରେ ତାଙ୍କ ପରିବାର ଲୋକଙ୍କୁ ଆଇଓସିଏଲ୍ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି ମିଳିପାରିବ। ତେବେ କେମିତି ନିଆଁ ଲାଗି ବିସ୍ଫୋରଣ ଘଟିଲା ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ଭିତରେ ଘଟଣାର ପର୍ଦ୍ଦାଫାସ୍ ହେବ ଓ ଗଣମାଧ୍ୟମକୁ ପୂରା ସୂଚନା ଦିଆଯିବ।

ଆଜି ସିପିଙ୍କ ସାମ୍ବାଦିକ ସମ୍ମିଳନୀରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ହାତରେ ବିସ୍ଫୋରଣ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ପୂର୍ବରୁ ସିସିଟିଭି ଫୁଟେଜ୍‌ ଯାଞ୍ଚ ହୋଇଥିଲା। ଏବେ ସାଇଣ୍ଟିଫିକ୍ ରିପୋର୍ଟ ପୁଲିସ ହାତରେ ଲାଗିଛି। ସିସିଟିଭି ହାର୍ଡଡିସ୍କର ଫରେନସିକ୍ ରିପୋର୍ଟ ମଧ୍ୟ ପୁଲିସକୁ ମିଳିଛି। ଘଟଣାସ୍ଥଳରେ ହୋଇଥିବା ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ମଧ୍ୟ ମିଳିସାରିଛି। ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଟେକ୍ନିସିଆନ୍ ଭରଦ୍ବାଜ ଶ୍ରୀବାସ୍ତବଙ୍କର ବୟାନ ରେକର୍ଡ କରାଯାଇଛି। ସେ ପୂରା ତଥ୍ୟ ପୁଲିସକୁ ଦେଇଛନ୍ତି। ତେବେ ପରେ ବିସ୍ଫୋରଣ ରହସ୍ୟ ଉପରୁ ପର୍ଦ୍ଦା ଉଠିବ ବୋଲି ସେ ଜଣାଇଛନ୍ତି।

ଅସ୍ଥି ନେବେ ପରିବାର ଲୋକ
ବିସ୍ଫୋରଣ ପରେ ଇଂଜିନିୟର୍‌ ସୀମାଞ୍ଚଳଙ୍କର ପତ୍ତା ମିଳି ନ ଥିଲା। କିନ୍ତୁ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରୁ ମଣିଷର ପାପୁଲି, ଖପୁରି, ମେରୁଦଣ୍ଡ, ମାଂସ ଖଣ୍ଡ ଆଦି ମିଳିଥିଲା। ସୀମାଞ୍ଚଳ ଘଟଣାସ୍ଥଳରେ କାମ କରୁଥିବାରୁ ଏହି ଦେହାବଶେଷ ତାଙ୍କର ହୋଇଥିବା ଅନୁମାନ କରାଯାଉଥିଲା। କିନ୍ତୁ ସ୍ପଷ୍ଟ ହୋଇନଥିଲା। ତେବେ ପରିବାର ଲୋକେ ଆପାତତଃ ନିଶ୍ଚିତ ହୋଇ ସାରିଥିଲେ। ତେଣୁ ପରିବାର, ପଡ଼ୋଶୀ ଓ ସମ୍ପର୍କୀୟମାନେ ଘଟଣାର ତିନି ଦିନ ପରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗହୋଙ୍ଗରେ ସୀମାଞ୍ଚଳଙ୍କ କୁଶପୁତ୍ତଳିକା ତିଆରି କରି ପ୍ରତୀକାତ୍ମକଭାବେ ଗାଁ ଶ୍ମଶାନରେ ସତ୍କାର କରିଥିଲେ। ପୁଅର ଶବ ଚିହ୍ନଟ ପାଇଁ ଡିଏନ୍ଏ ଟେଷ୍ଟର ଆବଶ୍ୟକ ଥିବାରୁ ଗତ ୧୫ ତାରିଖରେ ସୀମାଞ୍ଚଳଙ୍କ ବାପା ଓ ମା’ଙ୍କୁ ଆଣି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଦଶାହ କର୍ମରେ ଅସ୍ଥି ବିସର୍ଜନ କରିବା ଲାଗି ପରିବାର ଲୋକେ ଖଣ୍ଡେ ଅସ୍ଥି ମାଗିଥିଲେ। କିନ୍ତୁ ସେତେବେଳେ ଆଇନ ପ୍ରତିବନ୍ଧକ ସାଜିଥିଲା। ଏବେ ଡିଏନ୍ଏ ପରୀକ୍ଷା ଶେଷ ହୋଇଥିବାରୁ ଖଣ୍ଡେ ଅସ୍ଥି ନେଇ ବିସର୍ଜନ କରିବେ ବୋଲି ସୀମାଞ୍ଚଳଙ୍କ ପରିବାର ଲୋକ କହିଛନ୍ତି। ଏ ନେଇ ପୁଲିସ ପକ୍ଷରୁ ମଧ୍ୟ ସମ୍ମତି ପ୍ରଦାନ କରାଯାଇଛି।

ସିସିଟିଭି ଯାଞ୍ଚ କଲା ପେସୋ
ଇଣ୍ଡିଆନ୍‌ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତରେ ଆଉ ପାଦେ ଆଗେଇଛି ପେଟ୍ରୋଲିଅମ୍ ଆଣ୍ଡ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍(ପେସୋ)। ପେସୋ ଉକ୍ତ ପେଟ୍ରୋଲ ଟାଙ୍କିରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଛି। ବିସ୍ଫୋରଣ ପୂର୍ବରୁ ଓ ପରେ ଏହି ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିବା ଚିତ୍ରକୁ ଆଜି ଦିନ ତମାମ୍ ପେସୋର ତଦନ୍ତକାରୀ ଟିମ୍ ଯାଞ୍ଚ କରିଛନ୍ତି। କିନ୍ତୁ କେମିତି ନିଆଁ ଲାଗିଲା ଓ ବିସ୍ଫୋରଣ ଘଟିଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ପାଇପାରିନଥିବା ଜଣାପଡ଼ିଛି। ତେଣୁ ଆସନ୍ତାକାଲି ପୁଣି ଥରେ ସେହି ଫୁଟେଜ୍‌କୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଏଭଳି ବିସ୍ଫୋରଣ ପ୍ରଥମ ଘଟଣା ହୋଇଥିବାରୁ ପେସୋ ଏହାର କାରଣ ଉନ୍ମୋଚନ କରିବା ଲାଗି ତଦନ୍ତ କରୁଛି। ବିସ୍ଫୋରଣରେ ଆହତ ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଭରଦ୍ବାଜ ଶ୍ରୀବାସ୍ତବଙ୍କୁ ମଧ୍ୟ ଏହି ଟିମ୍ ଦିନେ ଦୁଇ ଦିନ ଭିତରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଶ୍ରୀବାସ୍ତବଙ୍କ ବୟାନକୁ ଆଧାର କରି ପେସୋ ତା’ର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର