ଠିକା କମ୍ପାନି ଅଧିକାରୀଙ୍କୁ ପୁଲିସର ପଚରାଉଚରା
ସୀମାଞ୍ଚଳ ଅନ୍ୟ ଏକ କମ୍ପାନିରେ କାମ କରୁଥିଲେ
ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣସ୍ଥଳରୁ ମିଳିଥିବା ଦେହାବଶେଷକୁ ଆଜି ଡିଏନ୍ଏ ପରୀକ୍ଷା ଲାଗି ରାଜ୍ୟ ଫରେନସିକ ଲାବରୋଟାରିକୁ ପଠାଯାଇଛି। ଦେହାବଶେଷଗୁଡ଼ିକୁ ୨୧ଟି ଡବାରେ ଭର୍ତ୍ତି କରି ପଠାଯାଇଛି। ଏହାସହ ଘଟଣାସ୍ଥଳରୁ ମିଳିଥିବା ପୋଷାକ, ଚପଲ, ଏଟିଏମ୍ କାର୍ଡ, ବାଲି, ଲୁହା ଖଣ୍ଡ ଓ ପାରିପାର୍ଶ୍ବିକ ପ୍ରମାଣକୁ ପ୍ରାୟ ୨୦ଟି ପ୍ୟାକେଟ୍ରେ ପଠାଯାଇଛି। ଆଜି ତଦନ୍ତକାରୀ ଅଧିକାରୀ ଏହି ସାମଗ୍ରୀକୁ ଏସଡିଜେଏମ୍ କୋର୍ଟରେ ଦାଖଲ କରିଥିଲେ। ଅନୁମତି ମିଳିବା ପରେ ଏହାକୁ ପଠାଯାଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଘଟଣା ଉପରୁ ପରଦା ଉଠାଇବା ପାଇଁ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ଶେଷ ହୋଇଥିବା ବେଳେ ସାଇଣ୍ଟିଫିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଠିକା କାମ ନେଇଥିବା ସଂସ୍ଥାର ଅଧିକାରୀଙ୍କୁ ଏ ସମ୍ପର୍କରେ ଆଜି କ୍ୟାପିଟାଲ ଥାନାରେ ପଚରାଉଚରା କରାଯାଉଛି। କେମିତି, କେଉଁ ପରିସ୍ଥିତିରେ ଆଇଓସିଏଲ୍ଠାରୁ କାମ ନେଇଥିଲା ଫରିଦାବାଦର ଏହି କମ୍ପାନି? ଏ ସମ୍ପର୍କରେ କ’ଣ କାଗଜପତ୍ର ରହିଛି? କେତେଜଣ କାମ କରୁଥିଲେ? ସେ ନେଇ ପଚରାଉଚରା କରିବା ସହ ଅଧିକାରୀଙ୍କ ବୟାନ ରେକର୍ଡ କରିଛି। ଠିକାସଂସ୍ଥାର ଅଧିକାରୀଙ୍କୁ ଆଜି ପେସୋ (ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍) ପକ୍ଷରୁ ମଧ୍ୟ ପଚରାଉଚରା କରାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁସାରେ, ତାଙ୍କ ସଂସ୍ଥାର ମାତ୍ର ଜଣେ କର୍ମଚାରୀ ରିତୁ ଦମନ ଶ୍ରୀବାସ୍ତବ ଓରଫ୍ ଭରଦ୍ବାଜ୍ ଶ୍ରୀବାସ୍ତବ କାମ କରୁଥିଲେ। ସେ ଏବେ ଗୁରୁତର ଆହତ ହୋଇ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ସୀମାଞ୍ଚଳ ପରିଡ଼ା କୋଲକାତାର ଏକ କମ୍ପାନିରେ କାମ କରୁଥିଲେ। ତାଙ୍କ ସହ ଆଉ କିଛି କର୍ମଚାରୀ କାମ କରୁଥିଲେ। କୋଲକାତାର ସେହି କମ୍ପାନିକୁ କାମ ଦେଇଥିଲା କିଏ? ସେହି ସଂସ୍ଥା କାମ ନେବାର କ’ଣ କାଗଜପତ୍ର ରହିଛି? ଏ ସବୁକୁ ନେଇ ପେସୋ ଖୋଳତାଡ଼ କରୁଛି। ପୁଲିସ ପାଖରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯିବା ସହ ଶ୍ରୀବାସ୍ତବଙ୍କୁ ପଚରାଉଚରା କରାଗଲେ, ରହସ୍ୟ ଖୋଲିବ ବୋଲି ପେସୋର ଜଣେ ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କୁ ଚିହ୍ନଟ ଲାଗି ଗତ ଶୁକ୍ରାବାର ତାଙ୍କ ବାପା ଓ ମା’ଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି। ଏହାକୁ ମେଳ କରିବା ଲାଗି ଘଟଣାସ୍ଥଳରୁ ସଂଗୃହୀତ ହୋଇଥିବା ଦେହାବଶେଷ ସହ ବାପା ଓ ମାଙ୍କର ସଂଗୃହୀତ ନମୁନାର ଡିଏନଏ ପ୍ରୋଫାଇଲିଂ କରାଯିବ। କେବଳ ଜଣେ ନା ଏକାଧିକଙ୍କର ମୃତ୍ୟୁ ହୋଇଛି, ତାହା ମଧ୍ୟ ଡିଏନ୍ଏ ପରୀକ୍ଷାରୁ ସ୍ପଷ୍ଟ ହୋଇଯିବ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଟେକନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ସୀମାଞ୍ଚଳ ପରିଡ଼ା ନିଖୋଜ ଅଛନ୍ତି।
ଏନଏଚଆରସିଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ପରେ ସହର ଭିତରେ ପେଟ୍ରୋଲ ପମ୍ପରେ ଥିବା ସିଏନ୍ଜି ଓ ଏଲପିଜି ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ଆଇନଜୀବୀ ବି. ଦାଶ। ଏନେଇ ସେ ଏନଏଚଆରସିଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ପିଟିସନ୍ ଉପରେ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏନଏଚ୍ଆରସି କେନ୍ଦ୍ର ପେଟ୍ରୋଲିୟମ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି, ତାହା ଜଣାଇବା ଲାଗି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/petrol-pump-balst-bbsr-8b.jpg)