ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା: ଫରିଦାବାଦ୍‌ ଯିବ ପୁଲିସ

ଭୁବନେଶ୍ବର,: ଅକ୍ଟୋବର ୭ ତାରିଖରେ ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ଫରେନ୍‌ସିକ୍‌ ଟେଷ୍ଟ୍‌ ରିପୋର୍ଟ ଆସିଛି। ରିଫିଲ୍‌ ପୂର୍ବରୁ ଟାଙ୍କି ଯାଞ୍ଚ ଓ ମରାମତି କରିବା ପାଇଁ ଆସିଥିବା ସଂସ୍ଥା ସୌରଶକ୍ତି ଭେସେଲ୍ସର ତ୍ରୁଟି ପାଇଁ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା ବୋଲି ସ୍ପଷ୍ଟ ହୋଇଛି। ତେବେ ଏହାର ଅଧିକ ତଦନ୍ତ ପାଇଁ କମିସନରେଟ୍‌ ପୁଲିସ ଉକ୍ତ ସଂସ୍ଥାର ମୁଖ୍ୟାଳୟ ଫରିଦାବାଦ୍‌ ଯିବାକୁ ଯୋଜନା କରିଛି। ମରାମତି କାମ କରୁଥିବା ଉକ୍ତ ସଂସ୍ଥାର ସ୍ବୀକୃତି ରହିଛି କି ନାହିଁ, ଏହି ଅଘଟଣ ପରେ ସଂସ୍ଥା କି ପଦକ୍ଷେପ ନେଇଛି, ଆଦି ପ୍ରଶ୍ନର ଉତ୍ତର ପାଇବା ପାଇଁ ଦୀପାବଳି ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଫରିଦାବାଦ୍‌ ଯିବ ବୋଲି ସୂଚନା ମିଳିଛି। କେବଳ ଫରିଦାବାଦ୍‌ ନୁହେଁ, କୋଲକାତାରେ ଥିବା ସୌରଶକ୍ତି ଭେସେଲ୍ସ କାର୍ଯ୍ୟାଳୟରେ ମଧ୍ୟ ପୁଲିସ ତନାଘନା କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୌରଶକ୍ତି ଭେସେଲ୍‌ସର ତ୍ରୁଟି ଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ିଥିଲେ ହେଁ ନିଆଁ କେମିତି ଲାଗିଲା ସେ ନେଇ କେହି କୌଣସି ସୂଚନା ଦେଇପାରୁନାହାନ୍ତି। ଯାଞ୍ଚ ପାଇଁ ଆସିଥିବା ସଂସ୍ଥାର ତ୍ରୁଟି ଯୋଗୁଁ ଅଘଟଣ ଘଟିଥିବା ଜଣାପଡ଼ିଥିଲେ ମଧ୍ୟ ନିଆଁ କେଉଁଠୁ ଲାଗିଲା ‌ସେ ନେଇ କେହି ସ୍ପଷ୍ଟ କରିପାରୁନାହାନ୍ତି। ସଂସ୍ଥାର କେଉଁ ତ୍ରୁଟିରୁ ନିଆଁ ଲାଗିଲା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେଣୁ ଫରିଦାବାଦ୍ ଓ କୋଲକାତାରୁ ଫେରିବା ପରେ ଏହି ସବୁ ରହସ୍ୟର ପର୍ଦ୍ଦା‌ଫାସ ହେବ ବୋଲି ପୁଲିସ ଆଶା କରିଛି ବୋଲି ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଏହି ବିସ୍ଫୋରଣରେ ସଂସ୍ଥାର କର୍ମଚାରୀ ସତ୍ୟ ନାୟକ ଓ ସାଇଟ୍‌ ଇଂଜିନିୟର୍‌ ସୀମାଞ୍ଚଳ ପରିଡ଼ାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର