ପେଟ୍ରୋଲ୍‌ ପମ୍ପ୍‌ରେ କର୍ମଚାରୀଙ୍କୁ ଶୋଷଣ

ଦରମାରୁ ମାଲିକଙ୍କୁ ଟଙ୍କା ଫେରାଉଛନ୍ତି ସେଲ୍‌ସମ୍ୟାନ୍‌

ଖଣ୍ଡଗିରି: ଯେତିକି ବିଚିତ୍ର କଥା ସେତିକି ସଂଗିନ୍‌ ଅଭିଯୋଗ। ସେଲ୍‌ସମ୍ୟାନ୍‌ ପାଉଥିବା ଦରମା ଟଙ୍କାରୁ ଅଧା ପୁଣି ମାଲିକଙ୍କୁ ଫେରାଇବାକୁ ପଡ଼ୁଛି। ନ ହେଲେ ଚାକିରି ନାହିଁ। ପ୍ରତି ମାସରେ ଏମିତି ଚାଲିଛି। ସରକାରଙ୍କ ହିସାବରେ କର୍ମଚାରୀମାନେ ଭଲ ଦରମା ପାଉଛନ୍ତି, କିନ୍ତୁ ତାହା ଯେ ପୁଣି ପଛୁଆ ଗଳା ବାଟ ଦେଇ ମାଲିକଙ୍କୁ ପକେଟ୍‌କୁ ଯାଉଛି, ସେଥିପ୍ରତି ସରକାରଙ୍କ ନଜର ନାହିଁ। ଏ ହେଉଛି ପେଟ୍ରୋଲ୍‌ ପମ୍ପରେ କାମ କରୁଥିବା ସେଲ୍‌ସମ୍ୟାନ୍‌ମାନଙ୍କ କଥା। ଭାରତୀୟ ତୈଳ ନିଗମ ଦ୍ୱାରା କର୍ମଚାରୀଙ୍କ ଧାର୍ଯ୍ୟ ଦରମା ମାଲିକଙ୍କ ଦ୍ୱାରା ହଡ଼ପ କରାଯାଉଥିବା ନେଇ ଏକ ଅଭିଯୋଗ ଆଜି ଖଣ୍ଡଗିରି ଥାନାରେ ପହଞ୍ଚିଛି। ସେଲ୍‌ସମ୍ୟାନଙ୍କ ସଂଘ ଥାନାରେ ଅଭିଯୋଗ କରିବା ସହ ପେଟ୍ରୋଲ୍‌ ପମ୍ପ ନିକଟରେ ପ୍ରତୀକାତ୍ମକ ଆନ୍ଦୋଳନ କରିଛି।

ଅଭିଯୋଗ ଅନୁସାରେ ପେଟ୍ରୋଲ ପମ୍ପରେ ସେଲ୍‌ସମ୍ୟାନ୍‌ଭାବେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ମାସିକ ୧୧ ହଜାରରୁ ଅଧିକ ଟଙ୍କା ଧାର୍ଯ୍ୟ କରିଛି। ପୂର୍ବରୁ ପେଟ୍ରୋଲ୍‌ ପମ୍ପର ମାଲିକମାନେ ମାସିକ ଏଭଳି କର୍ମଚାରୀଙ୍କୁ ମାତ୍ର ୫/୬ ହଜାର ଟଙ୍କା ଦେଇ ଖଟାଉଥିଲେ। କିନ୍ତୁ ଆଇଓସିଏଲ୍‌ର ନୂଆ ନିୟମ ଲାଗୁ ହେବା ପରେ ଏହି କର୍ମଚାରୀଙ୍କ ବର୍ଧିତ ଦରମା ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଯାଉଛି। ଫଳରେ ମାଲିକମାନେ କମ୍‌ ଦରମା ଦେଇ ଯେଉଁ ମୁନାଫା କମାଉଥିଲେ, ତାହା ହେବା କଥା ନୁହେଁ। ମାତ୍ର ମାଲିକମାନେ ସରକାରୀ ନିୟମକୁ ଫାଙ୍କିବାକୁ ବାଟ କରିଛନ୍ତି। କର୍ମଚାରୀମାନେ ଆକାଉଣ୍ଟରୁ ଦରମାର ଅଧା ଟଙ୍କା ଉଠାଇ ମାଲିକଙ୍କୁ ଫେରସ୍ତ ଦେଉଛନ୍ତି। ଏହି ସର୍ତରେ ସେମାନଙ୍କୁ ଚାକିରିରେ ରଖାଯାଉଛି। ଆଖିରେ ଆଙ୍ଗୁଠି ଗେଞ୍ଜି ମାଲିକ ବିଚରା ଗରିବ କର୍ମଚାରୀମାନଙ୍କ ପେଟକୁ କାଟୁଥିଲେ ବି ସେମାନେ ନାଚାର। ନ ହେଲେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି। ଖଣ୍ଡଗିରି ଆଇଗିଣିଆସ୍ଥିତ ଏକ ପେଟ୍ରୋଲ୍‌ ପମ୍ପରେ ଏଭଳି ଅମାନିଆ ୪ଜଣ କର୍ମଚାରୀଙ୍କୁ ମାଲିକ ଚାକିରିରୁ ବାହାର କରି ଦେଇଛନ୍ତି। ସେମାନେ ହେଲେ ବିକ୍ରମ ସାମଲ, ଜୀବନାନନ୍ଦ ଜେନା, ବିଧାନ ମଲ୍ଲିକ ଓ ଲକ୍ଷ୍ମଣ ବାରିକ। ଏମାନଙ୍କ ଆକାଉଣ୍ଟକୁ ମାସିକ ୧୧୯୦୮ ଟଙ୍କା ଦରମା ଆସୁଛି। କିନ୍ତୁ ମାଲିକ ୬ ହଜାର ଟଙ୍କା ଫେରାଇବାକୁ ବାଧ୍ୟ କରୁଛନ୍ତି। ଏମାନେ ମାଲିକଙ୍କ କଥାରେ ରାଜି ନ ହେବାରୁ ସେମାନଙ୍କୁ କାମରୁ ବାହାରି କରି ଦିଆଯାଇଛି। ତେଣୁ ସେମାନେ ସଂଘର ଦ୍ୱାରସ୍ଥ ହେବା ସହ ମାଲିକଙ୍କ ଏଭଳି ଶୋଷଣ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର