କ୍ୟାପିଟାଲ ହସ୍ପିଟାଲ୍‌ର ଦୁଇ ବିଭାଗକୁ ମିଳିଲା ପିଜି ନାମଲେଖା ଅନୁମତି, ମେଡିସିନ୍‌କୁ ୫ ସିଟ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପିଜି ପାଇଁ ୬ଟି ବିଭାଗରୁ ଦୁଇଟି ବିଭାଗକୁ ଅନୁମତି ମିଳିଛି। ମେଡିସିନ ଓ ଅସ୍ଥିଶଲ୍ୟ ବିଭାଗକୁ ମିଶାଇ ମୋଟ ୭ଟି ସିଟ୍‌ରେ ନାମ ଲେଖା ପାଇଁ ଅନୁମତି ଦେଇଛି ଜାତୀୟ ମେଡିକାଲ କମିସନ (ଏନ୍‌ଏମ୍‌ସି)। ଭେଷଜ ବିଭାଗରେ ୫ଟି ଓ ଅସ୍ଥିଶଲ୍ୟ ବିଭାଗରେ ୨ଟି ସିଟ୍‌ରେ ନାମ ଲେଖା ହେବ।

ଅପରପକ୍ଷରେ ହସ୍ପିଟାଲ ପକ୍ଷରୁ ଅସ୍ଥିଶଲ୍ୟ ବିଭାଗକୁ ୩ଟି ସିଟ୍ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଏନଏମସି ଦଳ ଯେଉଁ ଦିନ ବିଭାଗକୁ ପରିଦର୍ଶନ ପାଇଁ ଆସିଥିଲେ ସେହି ଦିନ ଜଣେ ପ୍ରଫେସର କାର୍ଯ୍ୟରେ ବିଳମ୍ବରେ ଯୋଗ ଦେବାରୁ ଗୋଟିଏ ସିଟ୍ ହରାଇବାକୁ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହି ଘଟଣାକୁ ଖଣ୍ଡନ କରିଛନ୍ତି ପିଜିଆଇ ନିର୍ଦ୍ଦେଶିକା ଡା. ନିବେଦିତା ପାଣି। ସେ କହିଛନ୍ତି ଯେ ଏନ୍‌ଏମ୍‌ସି ପକ୍ଷରୁ ସେଭଳି କୌଣସି ଲିଖିତ କାରଣ ଆସିନାହିଁ।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ପ୍ରଥମେ ଏନଏମସି ପରିଦର୍ଶନରେ ଆସିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ନାମଲେଖା ଅନୁମତି ମିଳିନାହିଁ। ତେଣୁ ସଂପୃକ୍ତ ବିଭାଗରେ ଏ ବର୍ଷ ନାମଲେଖା ହେବ କି ନାହିଁ ତାହାକୁ‌ ନେଇ ଆଶଙ୍କା ପ୍ରକାଶ ପାଇଛି। ବିଭାଗରେ ଡାକ୍ତର ଓ କର୍ମଚାରୀ ଅଭାବ ନେଇ ଏନଏମସି ପରିଦର୍ଶନ ଦଳ ଆପତ୍ତି ଉଠାଇଥିଲେ। ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ନିଯୁକ୍ତି ଦିଆଯାଇ ଖାଲି ପଦବି ପୂରଣ କରାଯାଇଥିଲା। ପରବର୍ତୀ ସମୟରେ ଏନ୍‌ଏମ୍‌ସିକୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ତେଣୁ ଏନଏମସିର ପରିଦର୍ଶନ ଦଳ ଆଉ ଥରେ ସଂପୃକ୍ତ ବିଭାଗକୁ ଆସିପାରେ କିମ୍ବା ଭିଡିଓ କନଫରେନ୍ସ ଜରିଆରେ ଏହାର ଅନୁଧ୍ୟାନ କରିପାରେ ବୋଲି ଡାକ୍ତର ପାଣି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର