ଭୁବନେଶ୍ବର: ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲରେ ନୂଆ ଖୋଲିଥିବା ଦୁଇଟି ବିଭାଗରେ ନାମଲେଖା ସରିଲା। ପୂର୍ବରୁ ୬ଟି ବିଭାଗରେ ନାମଲେଖା ହେଉଥିବା ବେଳେ ଚଳିତ ବର୍ଷ ନିଶ୍ଚେତକ ଓ ଚକ୍ଷୁ ବିଭାଗରେ ନାମ ଲେଖା ହୋଇଛି। ୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଚଳିତ ବର୍ଷ ମୋଟ ୩୦ ଜଣ ଛାତ୍ରଛାତ୍ରୀ ପିଜି ନାମ ଲେଖାଇଛନ୍ତି। ଆସନ୍ତାବର୍ଷ ପାଇଁ ମାଇକ୍ରୋବାୟୋଲୋଜି ଓ ପାଥୋଲୋଜିରେ ପିଜି ନାମଲେଖା ପାଇଁ ଅନୁମତି ଲାଗି ନ୍ୟାସନାଲ ମେଡିକାଲ କମିସନ(ଏନଏମସି)କୁ ଚିଠି ଲେଖାଯାଇଛି। ଏହାସହିତ ଅନ୍ୟ ବିଭାଗରେ ସିଟ୍‌ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶିକା ‌ପ୍ରଫେସର ସୁଜାତା ମିଶ୍ର କହିଛନ୍ତି, ପିଜିଆଇ ହେବା ପରଠାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ରୋଗୀଙ୍କ ଭରସା ବଢ଼ିଲାଣି। ପୂର୍ବରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଓପିଡିକୁ ଦୈନିକ ପ୍ରାୟ ୧୫୦ ରୋଗୀ ଆସୁଥିବା ବେଳେ ଏବେ ୩୫୦ ରୋଗୀ ଆସୁଛନ୍ତି। ସେହିପରି ମେଡିସିନ, ଅର୍ଥୋପେଡିକ ବିଭାଗରେ ଦୁଇ ବର୍ଷ ଭିତରେ ଦୁଇ ଗୁଣା ରୋଗୀ ଆସୁଛନ୍ତି। ସବୁ ବିଭାଗ‌ରେ ମିଶାଇ ଦୈନିକ ୫୦୦୦ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ତେଣୁ ସବୁ ବିଭାଗରେ ଯେପରି ପିଜି ବିଭାଗ ଖୋଲିବ ଓ ଉନ୍ନତମାନର ଚିକିତ୍ସା‌ ଯୋଗାଇ ଦିଆଯିବ ‌ସେ ନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଫେସର ମିଶ୍ର କହିଛନ୍ତି। 

Advertisment

ସର୍ଜରି ବିଭାଗରେ ବିରଳ ‌ଅସ୍ତ୍ରୋପଚାର: ରାଜ୍ୟରେ ପ୍ରଥମ ପାନକ୍ରିୟାଜ କ୍ୟାନସର ସର୍ଜରି

ssccxc

ପିଜିଆଇଏମଇଆର ଏବଂ କ୍ୟପିଟାଲ ହସ୍ପିଟାଲରେ ରାଜ୍ୟର ପ୍ରଥମ ଗ୍ୟାଷ୍ଟ୍ରୋସର୍ଜରି ଓ କ୍ୟାନସର ସର୍ଜରି ଅସ୍ତ୍ରୋପଚାର କରାଯାଇଛି। ପ‌ାନକ୍ରିୟାଜ(ଅଗ୍ନାଶୟ) କ୍ୟାନସରକୁ କ୍ୟାପିଟାଲ ହସ୍ପିଟାଲର ଡାକ୍ତରୀ ଟିମ୍ ୧୦ ଘଣ୍ଟାର ପରିଶ୍ରମ କରି ଲାପାରୋସ୍କୋପିକ୍ ମାଧ୍ୟମରେ ଅସ୍ତ୍ରୋପଚାର କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ସୂଚନାନୁସାରେ ଜଗତସିଂହପୁର ନୂଆଗାଁର ୫୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ବହୁ ଦିନ ଧରି ପେଟ ଯନ୍ତ୍ରଣା ଲାଗି ରହିବା ଫଳରେ ସେ କ୍ୟାପିଟାଲ ହସ୍ପିଟାଲ ଆସି ସର୍ଜରି ବିଭାଗର ପ୍ରଫେସର ଶ୍ରୀକାନ୍ତ ପାତ୍ରଙ୍କ ନିକଟରେ ଦେଖାଇଥିଲେ। ଡାକ୍ତର ପାତ୍ର ତାଙ୍କ ପରୀକ୍ଷା କରି ତାଙ୍କର କ୍ରୋନିକ୍ ପାନକ୍ରିଆଟିକସ୍ କ୍ୟାନସର ଆଡ଼କୁ ଗତି କରୁଛି ବୋଲି ଜାଣିବାକୁ ପାଇଥିଲେ। ତେଣୁ ସେ ଅପରେସନ କରିବାକୁ କହିଥିଲେ। ଗତ ଶନିବାର ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୦ ଘଣ୍ଟା ଧରି ଅପରେସନ କରାଯାଇଥିଲା। ରୋଗୀଙ୍କ ପେଟରୁ ୨୫ରୁ ୩୦ ସେମିର ମାଂସ କା‌ଟି ବାହାର କରାଯାଇଥିଲା। ବର୍ତ୍ତମାନ ରୋଗୀ ସୁସ୍ଥ ଅଛନ୍ତି। ଏହି ବିରଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌ରେ ପ୍ରଫେସର ପାତ୍ରଙ୍କ ନେତୃତ୍ବରେ ଡା. ପ୍ରିୟମ୍ବଦା ସାହୁ, ଡା. ଶ୍ରୀରାମ ଦାସ, ଡା. ଡିଭି ରବି କୁମାର ସାମିଲ ହୋଇଥିଲେ। ଏହାସହିତ ସର୍ଜରି ବିଭାଗ ମୁଖ୍ୟ ସୁଶିଲ ପଟ୍ଟନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ନିହାର ସେନାପତି ଓ ଡା. ନିବେଦିତା ପାଣି ପ୍ରମୁଖ ସହଯୋଗ କରିଥିଲେ।

ହଷ୍ଟେଲ ଓ କ୍ଲାସ ରୁମ ପାଇଁ ଅସୁବିଧା
ପିଜିଆଇରେ ଏବେ ୪୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆଉ ୩୦ ଜଣ ନାମ ଲେଖାଇଛନ୍ତି। ସେମାନଙ୍କ ପାଇଁ ଅସ୍ଥାୟୀଭାବେ ଭଡ଼ାସୂତ୍ରରେ ହଷ୍ଟେଲ ବ୍ୟବସ୍ଥା‌ କରାଯାଇଛି। କିନ୍ତୁ ଆସନ୍ତାବର୍ଷରୁ ନୂଆ ନାମ ଲେଖା ହେଲା ପରେ ଆଉ ସେହି ହଷ୍ଟେଲରେ ଯାଗା ହେବ ନାହିଁ। ତେଣୁ ଯଥାଶୀଘ୍ର ହଷ୍ଟେଲ କାମ ସାରିବାକୁ ଦାବି କରାଯାଇଛି। ଏହାଛଡ଼ା ପିଜିଆଇ ପାଇଁ ନୂଆ ବିଲ୍ଡିଂ କାମ ଚାଲୁ ରହିଛି। ଅବଧି ପୂରିଥିଲେ ହେଁ କାମ ସରିନା‌ହିଁ। ଫଳରେ ନୂଆ ବିଭାଗରେ ନାମ ଲେଖା ପାଇଁ ପୁରୁଣା ବିଲ୍ଡିଂରେ ଆବଶ୍ୟକୀୟ ରୁମ ଓ ସରଞ୍ଜାମ ସ୍ଥାପନ କାଠିକର ପାଠ ହେଉଛି। ବିଭିନ୍ନ ବିଭାଗରେ ପିଜି ନୂଆ ବିଭାଗ ଖୋଲିବାକୁ କ୍ଲାସରୁମ, ସେମିନାର ହଲ, ମ୍ୟୁଜିୟମ, ପ୍ରଫେସର ରୁମ ଆଦିର ଆବଶ୍ୟକତା ରହିଛି। ଆଉ ଦୁଇଟି ବିଭାଗରେ ପିଜି ନାମଲେଖା ପାଇଁ ଚିଠି ଲେଖାଯାଇଛି। କିନ୍ତୁ ସେହି ଆବଶ୍ୟକୀୟ ରୁମ ନାହିଁ। ତେଣୁ ହସ୍ପିଟାଲ ପଛ‌ରେ ଚାଲିଥିବ‌ା ପିଜି ବିଲ୍ଡିଂ କାମ ସରିଲେ ସେହି ବିଭାଗରେ ନୂଆ ପାଠ୍ୟକ୍ରମ ଆ‌ରମ୍ଭ ପାଇଁ ପ୍ରସ୍ତୁତି କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।