ବାଣୀବିହାରରେ ପିଏଚ୍‌ଡି ପାଇଁ ଯୋଗ୍ୟତା ଅର୍ଜନ କରିପାରୁ ନାହାନ୍ତି ପିଲା, ଚାପ ପରେ ନିଷ୍ପତ୍ତି ବଦଳିଲା

୪୦% ମାର୍କ ରଖିଥିବା ଛାତ୍ରଛାତ୍ରୀ କରିପାରିବେ ପିଏଚ୍‌ଡି, ଅକ୍ଟୋବର ୪ ସୁଦ୍ଧା ମୌଖିକ ପରୀକ୍ଷା, ଛୁଟି ପରେ ପାଠପଢ଼ା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସରେ ଘଟିଛି ବିରଳ ଘଟଣା। ପିଏଚ୍‌ଡି କରିବା ପାଇଁ ଯୋଗ୍ୟତା ଅର୍ଜନ କରିପାରିଲେନି ପିଲା। ୧୫ଟି ବିଭାଗର ଛାତ୍ରଛାତ୍ରୀ ଯୋଗ୍ୟତା ପାଇଁ ସ୍ଥିରିକୃତ ମାର୍କ ରଖିପାରିଲେନି। ଏନେଇ ବିଭିନ୍ନ ମହଲରୁ ଚାପ ସୃଷ୍ଟି ହେବା ପରେ ନିଷ୍ପତ୍ତି ବଦଳାଯାଇଛି। ପ୍ରବେଶିକା ପରୀକ୍ଷାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ୨୦୧୬କୁ କଡ଼ାକଡ଼ି କରିଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିୟମକୁ କୋହଳ କରିଛନ୍ତି। ଏଥିସହ ପୂର୍ବବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ୪୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀ ନାମଲେଖାଇବେ ବୋଲି ଗତକାଲି ବସିଥିବା ପିଜି କାଉନସିଲ୍‌ ବୈଠକରେ ନିଷ୍ପତ୍ତି ହୋଇଛି।

ଗତ ୧୪ ତାରିଖରେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ୫୦ ପ୍ରତିଶତ ମାର୍କ(ସାଧାରଣ ବର୍ଗ) ରଖିବେ ସେମାନେ ନାମଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ୪୫ ପ୍ରତିଶତ ମାର୍କ ଧାର୍ଯ୍ୟ ହୋଇଥିଲା। ଚଳିତବର୍ଷ ପ୍ରଥମ ଥର ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବର ସମେତ ଦିଲ୍ଲୀ, ଗୋହ୍ବାଟି, ହାଇଦ୍ରାବାଦ ଓ ପୁନେ ସହରରେ ପରୀକ୍ଷା କେନ୍ଦ୍ର କରାଯାଇ ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ‌ତେବେ ଆଶାତୀତ ସଫଳତା ମିଳିପାରି ନାହିଁ। ମାତ୍ର ୧୪୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ଏକ ହଜାରରୁ କମ୍‌ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୯୦ ପ୍ରତିଶତ ଛାତ୍ରଛାତ୍ରୀ ଯୋଗ୍ୟତା‌ ମାର୍କ ଡେଇଁପାରିଲେ ନାହିଁ। ଏପରିକି ବାହାର ରାଜ୍ୟରେ ପରୀକ୍ଷା ଦେଇଥିବା ଅଧିକାଂଶ ଛାତ୍ରଛାତ୍ରୀ ବି ଫେଲ୍‌ ମାରିଲେ। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୈଠକରେ ନିଷ୍ପତ୍ତି ହୋଇଛି ଯେ ବିଗତବର୍ଷଗୁଡ଼ିକ‌ ଭଳି ଏଥର ମଧ୍ୟ ସମାନ ନିୟମ ଲାଗୁ ହେବ। ଯେଉଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖିଥିବେ ଓ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀ ୩୫ ମାର୍କ ରଖିଥିବେ ସେମାନେ ପିଏଚ୍‌ଡି ଓ ଏମ୍‌ ଫିଲ୍‌ କରିପାରିବେ। କୌଣସି ଅସୁବିଧା ହେବ ନାହିଁ। ଯେଉଁ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କ ମୌଖିକ ପରୀକ୍ଷା ଅକ୍ଟୋବର ୧ରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯେଉଁ ବିଭାଗରେ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି ସେମାନଙ୍କ ପରୀକ୍ଷା ୩ ଦିନ ଧରି ଚାଲିବ। ଯେଉଁ ବିଭାଗରେ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ରହିଛନ୍ତି ସେମାନଙ୍କ ପରୀକ୍ଷା ଗୋଟିଏ ଦିନରେ ସାରିବାକୁ ସ୍ଥିର ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୯ଟି ନୋଡାଲ କେନ୍ଦ୍ର ଖୋଲାଯିବ। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ପିଲା ଯୋଗ୍ୟତା ଅର୍ଜନ କରି ନ ପାରିବାରୁ ନିଷ୍ପତ୍ତିରେ ପରିବର୍ତନ ହୋଇଛି। ପୂର୍ବ ବର୍ଷ ଭଳି ଛାତ୍ରଛାତ୍ରୀଙ୍କ ନାମଲେଖା ୪୦ ପ୍ରତିଶତ ମାର୍କ ଆଧାରରେ ହେବ। ଅକ୍ଟୋବର ୪ ମଧ୍ୟରେ ମୌଖିକ ପରୀକ୍ଷା ଶେଷ ହେବ। ଦଶହରା ଛୁଟି ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର