ଭୁବନେଶ୍ବର: ସ୍ୱାଧୀନତା ଦିବସକୁ ନେଇ ଆରମ୍ଭ ହୋଇଯାଇଥିବା ଉତ୍ସାହର ମାହୋଲ୍ରେ ଏମ୍ଡି କ୍ରିଏସନସ ଆଣ୍ଡ ଗ୍ରୁପ ପକ୍ଷରୁ ‘ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ଥାନୀ’ ଶୀର୍ଷକରେ ସଙ୍ଗୀତ କାର୍ଯ୍ୟକ୍ରମ ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ତତ୍ପର ସୈନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ସାମଲ ମୁଖ୍ୟ ଅତିଥି, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, କଣ୍ଠଶିଳ୍ପୀ ପମି ମିଶ୍ର, ଶରତ ଦାଶ, ମୀରା ପରିଡ଼ା, ଶୁଚିସ୍ମିତା ପୃଷ୍ଟି ଏବଂ ଅଭିନେତା ଦୁଷ୍ମନ୍ତ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ଶୈଳଭାମା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ସଙ୍ଗୀତ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦେଶଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା।
ଏହା ସହିତ ଜୁମ୍ବା ଡାନ୍ସ ଗ୍ରୁପ ପକ୍ଷରୁ ଦେଶାତ୍ମବୋଧ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ସନ୍ଧ୍ୟା ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି, ଇଡ୍କୋ ନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଇନ୍ସପେକ୍ଟର ଜେନେରାଲ ସୀମା ସୁରକ୍ଷା ବାହିନୀ ସିଡି. ଅଗ୍ରୱାଲ, ଇନ୍ସପେକ୍ଟର ଜେନେରାଲ ରିଜର୍ଭ ପୁଲିସ ଫୋର୍ସ ଅର୍ଚ୍ଚନା ଶିଭାରେ, ପୁଲିସ କମିସନର ସଂଜୀବ ପଣ୍ଡା, ବ୍ରିଗେଡିଅର ମନୀଷ କୁମାର, କମାଣ୍ଡିଙ୍ଗ ଅଫିସର ରାଜଲକ୍ଷ୍ମୀ, ଅବସରପ୍ରାପ୍ତ ଇନ୍ସପେକ୍ଟର ଜେନେରାଲ ଅଶ୍ୱିନୀ କୁମାର ସିଂହ ଓ ଅବସରପ୍ରାପ୍ତ ଜେନେରାଲ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆରମ୍ଭରେ ସହିଦଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ପରିବାରକୁ ସମ୍ବର୍ଦ୍ଧନା ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ପରେପରେ ପଜଲ ଆଣ୍ଡ ଏକ୍ସପ୍ରେସନ ଗ୍ରୁପ ଦ୍ୱାରା ମ୍ୟୁଜିକ୍ ଫ୍ୟୁଜନ ପରିବେଷିତ ହୋଇଥିଲା। ମନୋରଞ୍ଜନ, ମମତା, ସୁଜାତା, ଇନ୍ଦିରା, ରେଖା, ବିଷ୍ଣୁ, ଗିରିଜା, ସୋନୁ, ଶ୍ରୀମା, ରୀତା, ମନୋଜ, ଶିବ, ଶ୍ରୀନିବାସ, ଶେଫାଳି, ଲିପ୍ସା ରୋମନାଥ ପ୍ରମୁଖ କଣ୍ଠଶିଳ୍ପୀ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ। ପରିଶେଷରେ ଏମ୍ଡି କ୍ରିଏସନସ ଓ ଗ୍ରୁପ ଦ୍ବାରା ସଙ୍ଗୀତ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମକୁ କୁମାର ଗୌରବ ଓ ଗୁଲସନ୍ ନଦୀମ ପରିଚାଳନା କରିଥିବା ବେଳେ ମମତା ଦାଶ ଓ ମନୋରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ।