ଫୋନ୍‌-ଇନ୍‌-ପ୍ଲିଜ୍‌‌‌‌ : ଧୋନୀ ‘ଅଦ୍ୱିତୀୟ’ ବୋଲି ବିସିସିଆଇ ଭୁଲି ନଯାଉ

ଚଳିତଥର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ବିଷୟ ଥିଲା, ‘ଧୋନୀଙ୍କୁ ଶେଷଥର ପାଇଁ ଆଉ ଏକ ସୁଯୋଗ ମିଳିବା ଉଚିତ’। ଏହା ଉପରେ ମତ ଦେଇ ଅଧିକାଂଶ ପାଠକ ଧୋନୀଙ୍କ ସପକ୍ଷରେ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଧୋନୀ ଜଣେ ବିଶ୍ବସ୍ତରୀୟ ଖେଳାଳି। ଧୋନୀଙ୍କ ଭଳି ଖେଳାଳି ବିଶ୍ବରେ ଦ୍ବିତୀୟ କେହି ନାହାନ୍ତି। ତେଣୁ ତାଙ୍କୁ ଏପରି ଅପମାନଜନକ ଭାବେ ବିଦା ନ କରି ବିସିସିଆଇ ତାଙ୍କୁ ଆଉ ଏକ ମ୍ୟାଚ୍‌ ଖେଳିବାର ଶେଷ ସୁଯୋଗ ଦେଉ। ଧୋନୀଙ୍କ ପ୍ରତି ଅପମାନ ଅର୍ଥାତ୍‌ କ୍ରିକେଟ୍‌ ପ୍ରତି ଅପମାନ।

ମହେନ୍ଦ୍ର ସିଂହ ଧୋନୀ ଜଣେ ବିଶ୍ୱ ପ୍ରସିଦ୍ଧ ପୂର୍ବତନ ଅଧିନାୟକ ଭାବେ ପରିଚିତ। ଧୋନୀ ତାଙ୍କ କ୍ରିକେଟ ଜୀବନରେ ଅନେକ ସଂଘର୍ଷମୟ ପରିସ୍ଥିତିକୁ ଏଡ଼ାଇ ଭାରତୀୟ କ୍ରିକେଟ ଦଳକୁୀ ଶୀର୍ଷରେ ପହଁଚାଇଛନ୍ତି। ଧୋନୀ ଯେଉଁ ମ୍ୟାଚରେ ଖେଳି ଥାନ୍ତି, ସେଥିମଧ୍ୟରୁ ଅଧିକାଂଶ ସେ ମ୍ୟାଚ ଫିନିସର ଭାବେ କାମ କରିଥାନ୍ତି। ତେଣୁ ଧୋନୀଙ୍କ ପୁଣି ଥରେ ଶେଷ ସୁଯୋଗ ଦେବା ଆବଶ୍ୟକ।
ଦେବାଶିଷ ସାହୁ, ମିଶ୍ର କଲୋନି, ନୟାଗଡ଼

କ୍ରିକେଟ ଜଗତରେ ଧୋନୀ ଏକ ବିରଳ ବ୍ୟକ୍ତିତ୍ୱ। ତାଙ୍କ ନେତୃତ୍ୱରେ ଭାରତ କ୍ରିକେଟ ଖେଳରେ ବିଶ୍ୱଜୟୀ ହୋଇପାରିଛି। ଖେଳର ଶେଷ ଭାଗକୁ ଆସି ଭାରତକୁ ଜିତାଇଥାନ୍ତି। କ୍ରିକେଟ ଖେଳ ପ୍ରତି ଥିବା ତାଙ୍କର ନିଷ୍ଠାକୁ ସମ୍ମାନ ଜଣାଇ ତାଙ୍କୁ ଶେଷଥର ପାଇଁ ସୁଯୋଗ ଦେବା ଉଚିତ।
ଦିବ୍ୟଲୋଚନ ଭାରୀମଲ୍ଲ, ଜଙ୍କିଆ, ଖୋର୍ଧା
ଅଶୋକ କୁମାର ପ୍ରଧାନ, ନୟାଗଡ଼ ଟାଉନ

ଧୋନୀଙ୍କୁ ନିଶ୍ଚିତ ଭାବେ ଆଉଥରେ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଭାରତ ତାଙ୍କ ନେତୃତ୍ୱରେ ଦୁଇ ଥର ବିଶ୍ୱ ଚାମ୍ପିଅନ୍‌ ହୋଇଛି। ସେ ଜଣେ ଉଚ୍ଚକୋଟୀର ଖେଳାଳି, ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ଦେଲେ ଭାରତ ପାଇଁ ଶୁଭଙ୍କର ହେବ।
ଆଶୁତୋଷ ଦାସ, ପ୍ରଶାନ୍ତି ବିହାର, ଭୁବନେଶ୍ୱର

ଆଉ ଗୋଟିଏଥର ସମ୍ମାନର ସହିତ ଖେଳିବାକୁ ସୁଯୋଗ ଦେବା ଉଚିତ। ତାଙ୍କୁ ସମ୍ମାନର ସହିତ ଅବସର ଦେବା କଥା। କିନ୍ତୁ ଏଭଳି ନିଷ୍ପତି ଆଗାମୀ ଦିନରେ ଖେଳାଳିଙ୍କ ଉପରେ ପଡ଼ିବ।
ଶିଶିର ମିଶ୍ର, ମାଉସୀମା ଛକ, ଭୁବନେଶ୍ୱର
ସଚି ଦୁଳାଳ ବସ୍ତିଆ, ପୁରୁଣା ଭୁବନେଶ୍ୱର

ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ତାଙ୍କ ଭଳି ଜଣେ ଖେଳାଳିଙ୍କୁ ଏଭଳି ବିଦା କରିବା ଉଚିତ ନୁହେଁ। ଶେଷଥର ପାଇଁ ସୁଯୋଗ ଦେବା ଉଚିତ।
ମନୋରରଂଜନ ସ୍ୱାଇଁ, ତମାଣ୍ଡୋ
ସତ୍ୟପ୍ରକାଶ ପରିଡ଼ା, ପୁରୀ
ରମେଶ ସାହୁ, କଟକ
ସୁକାନ୍ତ ଦାସ, ଭୁବନେଶ୍ୱର

ଧୋନୀଙ୍କୁ ଶେଷ ସୁଯୋଗ ମିଳିବା ଉଚିତ। ସେ ଜଣେ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନ୍‌ ଓ ୱିକେଟ୍‌କିପର୍‌। ତାଙ୍କୁ ୩୮ବର୍ଷ ହୋଇ ଗଲା ବୋଲି ଟିମରୁ ବାହାର କରିବା ଯୁକ୍ତିଯୁକ୍ତ ନୁହେଁ। ମୋ ମତରେ ଅଷ୍ଟ୍ରେଲିଆର ବ୍ରାଡମ୍ୟାନ୍‌ ୪୨ବର୍ଷ ଯାଏ ଖେଳିଥିଲେ। ବିସିସିଆଇ ତାଙ୍କୁ ସୁଯୋଗ ଦେବା ଉଚିତ।
ଡ.ନଗେନ୍ଦ୍ର ନାଥ ମିଶ୍ର, ସଭାପତି,
ୟୁନୋସ୍କୋ କ୍ଲବ, ପୁରୁଣା ଭୁବନେଶ୍ୱର
ସନତ ମହାପାତ୍ର, ବମିଖାଲ, ଭୁବନେଶ୍ୱର

ଧୋନୀ ଭଳି ଆହୁରି ଯୁବକ ଖେଳାଳି ଅଛନ୍ତି। ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ।
ଗୌରାଙ୍ଗ ଚରଣ ସେଠୀ, ପୁରୁଣା ଭୁବନେଶ୍ୱର, ଲିଙ୍ଗରାଜ ବିହାର

ମୋ ମୋତରେ ଧୋନୀଙ୍କୁ ସୁଯୋଗ ଦେବା ଉଚିତ। ତାଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ଅର୍ଜନ କରିଛି। ତାଙ୍କ ଅଭିଜ୍ଞତା ଦେଶ ପାଇଁ ବହୁ ଉପାଦେୟ।
ରଙ୍ଗନାଥ ଦାଶ, ପୁରୀ ଟାଉନ
ବିଶ୍ୱନାଥ ଦାସ, ନୟାଗଡ଼

କପିଳ ଦେବଙ୍କ ପରେ ଧୋନୀ ହେଉଛନ୍ତି, ଭାରତର ଏମିତି ଜଣେ ଖେଳାଳି, ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତିଥିଲା। ଇରଫାନ ପଠାଣଙ୍କ ଭଳି ଧୋନୀ ମଧ୍ୟ ରାଜନୀତିର ଶିକାର ହୋଇଛନ୍ତି ବୋଲି ମୁଁ ସନ୍ଦେହ କରୁଛି। ତେଣୁ ତାଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ।
ଦାଶରଥୀ ନାୟକ ନୀଳାଦ୍ରିବିହାର, ଭୁବନେଶ୍ୱର

ଧୋନୀଙ୍କୁ ଶେଷ ଥର ପାଇଁ ସୁଯୋଗ ଦିଆଯିବା ଉଚିତ।
କୁମାର କାନ୍‌ହା,ପୁରୀ
ସରୋଜ କୁମାର ସାହୁ, ଭଦ୍ରକ
ପ୍ରଦୀପ କୁମାର ନାଥ, ଖାରବେଳନଗର, ଭୁବନେଶ୍ୱର

ଧୋନୀ ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ ଜିତାଇଥିଲେ। ତାଙ୍କ ଭଳି ପ୍ରତିଭାଶାଳୀ ଖେଳାଳି ମିଳିବା କଷ୍ଟକର। ଏକାଧିକ ମ୍ୟାଚ ସେ ଏକୁଟିଆ ଜିତାଇ ପାରୁଥିଲେ। ଏଭଳି ଜଣେ ଅଧିନାୟକଙ୍କୁ ସମ୍ମାନ ସହିତ ବିଦାୟ ଦେବା ଆବଶ୍ୟକ।
ରାଜୀବ ଲୋଚନ ବରାଡ଼, ଓଡ଼ଗାଁ, ନୟାଗଡ଼
ଜୟକୃଷ୍ଣ ପ୍ରଧାନ, ୟୁନିଟ-୩, ଭୁବନେଶ୍ୱର
ନବୀନ କୁମାର ମହାପାତ୍ର, ନୟାଗଡ଼

ଟିମ୍‌ରେ ତାଙ୍କୁ ସ୍ଥାନ ମିଳିବା ନ ମିଳିବା କିଛି ଫରକ୍ ପଡେନି। ସେ ନିଜେ ଯେବେ ଚାହିଁବେ ସେ ଟିମ୍‌କୁ ଫେରି ପାରିବେ। କାରଣ ସେ ଦିନିକିଆରୁ ଅବସର ନେଇ ନାହାନ୍ତି।
ଦେବାଶିଷ ମହାପାତ୍ର, ନୟାଗଡ଼

ଧୋନୀଙ୍କୁ ଆଉ ଏକ ସୁଯୋଗ ମିଳୁ । ଧୋନୀ, ରିଷଭ ପନ୍ତ, ସଂଜୁ ସାମସନ୍‌, କେ.ଏଲ୍‌ ରାହୁଲ, ଦିନେଶ କାର୍ତିକଙ୍କଠାରୁ ମଧ୍ୟ ଜଣେ ଉଚ୍ଚକୋଟୀର ଖେଳାଳି। ତାଙ୍କ ବିକଳ୍ପ ଭାରତ ଏଯାଏ ଖୋଜି ପାଇ ନାହିଁ। ତାଙ୍କୁ ୨୦୨୦ ଟ୍ୱେଟିଂ ଟ୍ୱେଟିଂ ବିଶ୍ୱକପ ପର୍ଯ୍ୟନ୍ତ ସୁଯୋଗ ଦେବା ଉଚିତ।
ସୌମ୍ୟରଂଜନ ମଲ୍ଲିକ, ଜୟଦେ ବିହାର

ଧୋନୀ ଯେ ପର୍ଯ୍ୟନ୍ତ ପଡ଼ିଆରେ ଥା’ନ୍ତି, ସମସ୍ତଙ୍କ ବିଶ୍ୱାସ ଥାଏ ଭାରତ ଜିତିବ। ତାଙ୍କୁ ଏଭଳି ବିଦାୟ ଜଣେ ଅଧିନାୟକ ଓ ଜଣେ ଖେଳାଳି ପ୍ରତି ବହୁ ବଡ଼ ଅପମାନ। ଯେଉଁମାନେ ଏଭଳି କରିଛନ୍ତି, ସେମାନେ ମଧ୍ୟ ଭବିଷ୍ୟତରେ ଏଭଳି ବିଦାୟର ସମ୍ମୁଖୀନ ହେବେ। କିନ୍ତୁ ଏହା ଏକ ଖରାପ ପରମ୍ପରା। ଧୋନୀଙ୍କର ଖେଳିବାର ଦକ୍ଷତାରେ ହ୍ରାସ ହୋଇ ନାହିଁ। ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ଦେବା ଉଚିତ।
ଲୋପାମୁଦ୍ରା ଦାସ, କେଶପୁର, କେନ୍ଦ୍ରାପଡ଼ା,
ମମତାମୟୀ ମହାପାତ୍ର, ଜୟଦେ ବିହାର, ଭୁବନେଶ୍ୱର
ହୃଷିକେଶ ମିଶ୍ର, ବୀରରାମପୁର, ସାକ୍ଷୀଗୋପାଳ

ଧୋନୀଙ୍କ ଭଳି ଖେଳାଳି ସାରା ବିଶ୍ୱରେ ଖୋଜିଲେ ମଧ୍ୟ ମିଳିବେ ନାହିଁ। ସେ କେବଳ ଜଣେ ବ୍ୟାଟସମ୍ୟାନ ନ ଥିଲେ ଜଣେ ୱିକେଟ୍‌ କିପର ଓ ଅଭିଜ୍ଞତା ସମ୍ପନ୍ନ ଖେଳାଳି ଥିଲେ। ଅନେକ ସମୟରେ ବିରାଟ କୋହଲି ତାଙ୍କ ପରାମର୍ଶ ନେଉଥିବା ଦେଖିବାକୁ ମିଳିଛି ।
ହିମାଂଶୁ ଶେଖର ସୁବୁଦ୍ଧି, ପୁରୀ, ଧାନକୋଠି ସାହି
ଅଶୋକ ଜେନା, ନୟାଗଡ଼
ପ୍ରଦୀପ କୁମାର ଆର୍ଯ୍ୟ, ନିମସାହି, କଟକ

ଧୋନୀଙ୍କ ଯୁଗ ଶେଷ ହୋଇନାହିଁ। ଧୋନୀ ଯେଉଁ ଖେଳ ପ୍ରଦର୍ଶନ କରିଛନ୍ତି, ତାହା ସମୁଦାୟ ବିଶ୍ୱ ଦେଖିଛି। ସେ ଭାରତର ନୁହେଁ ବିଶ୍ୱର ଜଣେ ସମ୍ପତ୍ତି। ତେଣୁ ଧୋନୀଙ୍କୁ ଆଉ ଥରେ ସୁଯୋଗ ମିଳୁ।
ଜିତେନ୍ଦ୍ର କୁମାର ଜେନା, ଖେଳାର, ନିମାପଡ଼ା
ସଂଜୟ ରଥ, ଭୁବନେଶ୍ୱର
କୁନା ମହାପାତ୍ର, ବାହାଡା ଢ଼ୋଲା, ନୟାଗଡ଼

ସମ୍ବନ୍ଧିତ ଖବର