ନିରବତା ହିଁ ବର୍ତ୍ତମାନ ସମୟରେ ବୁଦ୍ଧିମାନର କାମ

ଫୋନ୍‌-ଇନ୍‌-ପ୍ଲିଜ୍‌

ଆଫଗାନ ସଂକଟ‌ରେ ନିରବ ରହିବା ଭାରତର ଅସହାୟତା ନୁହେଁ, ବରଂ ବୁଦ୍ଧିମାନର କାର୍ଯ୍ୟ। ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ଓ ତାଲିବାନ୍‌ କାବୁଲ ଦଖଲ କରିବା ପରେ ଆନ୍ତର୍ଜାତିକସ୍ତରରେ ସବୁ ସମୀକରଣ ବଦଳି ଯାଇଛି। ଏହି ମୌକାରେ ତାଲିବାନକୁ ମୋହରା କରି ଚୀନ୍‌ ଓ ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ମସୁଧା ଚଳାଇଛନ୍ତି। ଏପରିକି ତାଲିବାନ୍‌ ସହାୟତାରେ ପାକିସ୍ତାନ କାଶ୍ମୀରକୁ ହାତେଇବ ବୋଲି ମଧ୍ୟ ସ୍ବପ୍ନ ଦେଖୁଛି। ଅପରପକ୍ଷେ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ଅବଲମ୍ବନ କରି ଭାରତ ବିଶ୍ବ ଦରବାରରେ ନିଜର ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିଛି। ତେଣୁ ଏମିତି ହଠାତ୍‌ ତାଲିବାନ୍‌ ବିରୋଧରେ କିମ୍ବା ସପକ୍ଷରେ ମତାମତ ଦେବା ବା କାର୍ଯ୍ୟ କରିବା ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ କୋଉ ପାଣି କୁଆଡ଼େ ଯାଉଛି, ତାହାକୁ ଅନୁଧ୍ୟାନ କରିବା ପରେ ଭାରତ ପଦକ୍ଷେପ ନେବା ଉଚିତ। ଅତୀତରେ ମଧ୍ୟ ଏହାଠାରୁ ଅଧିକ କଠିନ ପରିସ୍ଥିତିର ଭାରତ ସାମ୍ନା କରି ବିଜୟ ହାସଲ କରିଛି। ଚଳିତଥରର ଫୋନ୍‌-ଇନ୍‌-ପ୍ଲିଜ୍‌ ପ୍ରସଙ୍ଗ ‘ଆଫଗାନ ସଂକଟରେ ନିରବତା ଭାରତର ଅସହାୟତାକୁ ଦର୍ଶାଉଛି’‌‌ରେ ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

ଆଫଗାନ ସଂକଟରେ ନିରବତା ଭାରତର ଅସହାୟତାକୁ ଦର୍ଶାଉଛି। ଭାରତ ୨୨ହଜାର କୋଟି ଟଙ୍କା ନିବେଶ କରି ସେଠାରେ ଏକ ସଖୀ କଣ୍ଢେଇ ସରକାରକୁ ସମର୍ଥନ କରୁଥିଲା। ଯାହାର ସୈନ୍ୟମାନେ ତାଲିବାନ ସହ ଲଢ଼ିବାକୁ ଚାହିଲେ ନାହିଁ ଓ ବିନା ସର୍ତ୍ତରେ ଆତ୍ମସମର୍ପଣ କଲେ। ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କରି ସମଗ୍ର ବିଶ୍ୱକୁ ଆତଙ୍କବାଦକୁ ଠେଲି ଦେଲା। କିନ୍ତୁ ଏହା ପୂର୍ବରୁ ଭାରତ ସରକାର ତାଲିବାନ୍‌ ସହ କଥାବାର୍ତ୍ତା ଆରମ୍ଭ କରିଦେବା ଉଚିତ ଥିଲା। ଚୀନ୍ ଓ ପାକିସ୍ତାନ ଏହି ସୁଯୋଗର ସୁବିଧା ନେଇ ଭାରତକୁ ଅଡୁଆରେ ପକାଇବାକୁ ଚେଷ୍ଟା ନିଶ୍ଚିତ କରିବେ। ତାଲିବାନ୍‌ ଆତଙ୍କୀଙ୍କ ସହାୟତାରେ କାଶ୍ମୀର‌ରେ ଅସ୍ଥିରତା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ମୋଟ ଉପରେ କହିବାକୁ ଗଲେ, ଏହା ଆମ ବୈଦେଶିକ ନୀତିର ଏକ ବିରାଟ ବିଫଳତା।
ଡାକ୍ତର ଦୀନାନାଥ ଦାସ, ଲକ୍ଷ୍ମୀସାଗର

ତାଲିବାନ୍‌ କାବୁଲ ଦଖଲ କରିବା ନିଶ୍ଚିତ ଭାବେ ଭାରତ ପାଇଁ ଚିନ୍ତାର ବିଷୟ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏମିତି କହିବା ଠିକ୍ ହେବ ନାହିଁ। ଆତଙ୍କବାଦ ବିରୋଧରେ ଭାରତ ସବୁବେଳେ ଶୂନ୍ୟ-ସହନଶୀଳ (ଜିରୋ ଟଲେରାନ୍ସ) ନୀତି ଆପଣାଇ ଆସିଛି। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ ଭାବେ ଉଭା ହୋଇଛି। ତାଲିବାନ୍‌ ବିରୋଧରେ କିମ୍ବା ସପକ୍ଷରେ ଗୋଟିଏ ମାତ୍ର ବୟାନ ଭାରତକୁ ଅଡ଼ୁଆରେ ପକାଇପା‌ରେ। ବିରୋଧ କଲେ ତାଲିବାନ୍‌ ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିପା‌ରେ। ସପକ୍ଷରେ କହିଲେ ବିଶ୍ବ ଦରବାରରେ ଭାରତର ଛବି ଖରାପ ହେବାର ସମ୍ଭାବନା ରହିଛି। ତେଣୁ ଏବେ ନିରବ ରହିବା ହିଁ ଶ୍ରେୟସ୍କର। କିନ୍ତୁ ତାଲିବାନ୍‌କୁ ମୋହରା କରି ପାକିସ୍ତାନ ଓ ଚୀନ୍‌ ଭାରତ ବିରୋଧରେ ବଡ଼ ଷଡ଼୍‌ଯନ୍ତ୍ର କରିପାରନ୍ତି, ଏଥିପ୍ରତି ଭାରତ ସବୁବେଳେ ସଜାଗ ରହିବା ଉଚିତ।
ଅଶୋକ କୁମାର ଆଢ଼୍ୟ, ଭୁବନେଶ୍ବର
ମରୀଚିକୋଟ ଗଳି, ପୁରୀ

ଆଫଗାନିସ୍ତାନରେ ଭାରତ ସରକାର ବହୁତ ବଡ଼ ନିବେଶ କରିଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଭାରତ ସେଠାରେ ପୁଞ୍ଜି ବିନିଯୋଗ କରିଛି, ସେଗୁଡ଼ିକ ଯେମିତି ବ୍ୟର୍ଥ ନଯାଏ, ସେଥିପାଇଁ ଭାରତକୁ ବହୁ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିବ। ତେଣୁ ସାଂପ୍ରତିକ ପରିସ୍ଥିତିରେ ଭାରତ ନିରବ ରହିବା ହିଁ ଭଲ।
ଆର୍ଯ୍ୟନ୍ ଆଚାର୍ଯ୍ୟ ,ଭୁବନେଶ୍ୱର

ଭାରତର ନିରବତାକୁ ଅସହାୟତା ବୋଲି ଭାବିବା ଆଦୌ ଉଚିତ ନୁହେଁ। କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ କରିବା ଭଳି ମୋଦି ସରକାର ଆଫଗାନ ସଂକଟର ସମାଧାନ ପାଇଁ ନିଶ୍ଚିତ ଭାବେ ଭିତରେ ଭିତରେ ଯୋଜନା ପ୍ରସ୍ତୁତ କରୁଥିବେ ବୋଲି ଆମର ଦୃଢ଼ ବିଶ୍ୱାସ। ତଥାପି ମୋ ମତରେ, ଆତଙ୍କବାଦ ବିରୋଧରେ ଯେହେତୁ ଭାରତ ଶୂନ୍ୟ-ସହନଶୀଳ ନୀତି ଆପଣାଇ ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିଛି, ସେଇ ଦୃଷ୍ଟିରୁ ତାଲିବାନ୍‌କୁ ସିଧାସଳଖ ବିରୋଧ ନ କଲେ ବି ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ମାନବତାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ଉଚିତ। ଏହାସହ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ସଙ୍ଗଠନମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବା ଉଚିତ।
ଦୀନବନ୍ଧୁ ଷଡ଼ଙ୍ଗୀ,
ଅବସରପ୍ରାପ୍ତ ନୌସୈନିକ, ରଣପୁର

ଭାରତ ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେଉଛି। ଦେଶ ଉପରକୁ କୌଣସି ବିପଦ ଆସିବା ଭୟରେ ଭାରତ ଚୁପ୍‌ ରହିଛି।
ବୃନ୍ଦାବନ ପ୍ରଧାନ , ଲକ୍ଷ୍ମୀସାଗର

ଭାରତ ନିରବ ରହିବା ଠିକ୍ ନୁହେଁ।
ପ୍ରକାଶ ଚନ୍ଦ୍ର ବାରିକ, ନୟାହାଟ, ପୁରୀ

ଆମେରିକା ହେଉ କି ରୁଷ; ଏହି ବିଦେଶୀ ରାଷ୍ଟ୍ରମାନେ ସୁରକ୍ଷା ଦେବା ନାଁରେ ଆଫଗାନିସ୍ତାନକୁ ଧୂଳିସାତ୍‌ କରିବା ଛଡ଼ା ଅନ୍ୟ କିଛି କରିନାହାନ୍ତି। କିନ୍ତୁ ଭାରତ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ କାର୍ଯ୍ୟରେ କୋଟି କୋଟି ଟଙ୍କା ବିନିଯୋଗ କରି ଆଫଗାନିସ୍ତାନକୁ ମଜଭୁତ୍‌ କରିବା ପାଇଁ ଚେଷ୍ଟା କରିଛି। ଆମେରିକା ଏବେ ଲାଙ୍ଗୁଡ଼ ଜାକି ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ନିହାତି ଭାବେ ଲଜ୍ଜାଜନକ ଓ ଆଫଗାନବାନୀଙ୍କ ପାଇଁ ଏକପ୍ରକାର ବିଶ୍ବାସଘାତ। କିନ୍ତୁ ତାଲିବାନ୍‌କୁ ଭୟ କରି ଭାରତ ଏବେ ଚୁପ୍‌ ରହିବା ଉଚିତ ନୁହେଁ। ଭାରତ ଯେ ସତରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ, ତାହା ପ୍ରମାଣ କରିବାର ଏହା ପ୍ରକୃତ ସମୟ।
ଶେଖ୍ ମନୱର୍‌, କାକଟପୁର, ପୁରୀ

ତାଲିବାନ୍‌ ପାକିସ୍ତାନର ମାନସ ସନ୍ତାନ ଏବଂ ଭାରତ ବିରୋଧୀ। ତାଲିବାନ୍‌କୁ ମୋହରା କରି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହେ। ତାଲିବାନ୍‌ କାବୁଲ ଦଖଲ ପରେ ପୂରା ଅନ୍ତର୍ଜାତୀୟସ୍ତରରେ ସ୍ଥିତି ଗମ୍ଭୀର ରହିଛି। ତେଣୁ ଭାରତ ଅପେକ୍ଷା କରିବା ହିଁ ଶ୍ରେୟସ୍କର।
ନୀଳମଣି ମିଶ୍ର, ସୁନ୍ଦରପଦା

ଆଫଗାନ ସଂକଟରେ ଭାରତ ନିରବ ରହିବା ଠିକ୍‌ ଲାଗୁନାହିଁ। ଆଫଗାନିସ୍ତାନର ଖଣି ଉପରେ ଆମେରିକା, ଚୀନ୍‌, ଇରାନ ଓ ରୁଷିଆ ଭଳି ରା୍ଷ୍ଟ୍ରଗୁଡ଼ିକର ଲୋଲୁପ ଦୃଷ୍ଟି ରହିଛି। ଚୀନ୍‌ ଏବେ ସେଠାରେ ଖଣି ଖାଦାନ କାର୍ଯ୍ୟ ଆରମ୍ଭ କରିଦେଇଛି। ଇରାନ୍‌ ବି ଆଫଗାନିସ୍ତାନ ସହ ବିଭିନ୍ନ ଚୁକ୍ତି କରିବାକୁ ଚାହୁଛି। ତେଣୁ ଭାରତ ନିରବ ରହିଲେ, ଆଫଗାନିସ୍ତାନରେ ଖଟାଇଥିବା କୋଟିକୋଟି ଟଙ୍କାର କିଛି ମୂଲ୍ୟ ମିଳିବନି।
ଫଜଲୁର୍‌ ରହମାନ୍ ଇସ୍ଲାହୀ
କାକଟପୁର୍, ପୁରୀ

ଆଫଗାନ୍‌ ସଂକଟରେ ଭାରତ ନିରବ ରହିବା ଏକ ବୁଦ୍ଧିମାନର ପରିଚୟ। ବଡ଼ ବଡ଼ ଦେଶମାନଙ୍କର ଆଭିମୁଖ୍ୟ କ’ଣ ରହୁଛି, ତାହାକୁ ଅନୁଧ୍ୟାନ କରିବା ପରେ ଭାରତ ପଦକ୍ଷେପ ନେବା ଜରୁରୀ।
ଜଲିଲ୍‌ ଖାଁ, ନୂଆପଲ୍ଲୀ

ଭାରତ ଆନ୍ତର୍ଜାତିକସ୍ତରରେ ଆତଙ୍କବାଦ ପ୍ରତି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। କିନ୍ତୁ ଏବେ ଆଫଗାନିସ୍ତାନ ସଂକଟ‌ରେ ଭାରତ ସତର୍କ ଦୃଷ୍ଟି ରଖିବା ଏବଂ ଅପେକ୍ଷା କରିବା ବିଜ୍ଞତାର ପରିଚୟ। ବିଶ୍ୱର ବିକଶିତ ରାଷ୍ଟ୍ର ମଧ୍ୟରୁ କେତେକ ପରିସ୍ଥିତିକୁ ଦେଖି ନିଜର ସ୍ବାର୍ଥରକ୍ଷା ପାଇଁ କୂଟନୈତିକ ଚାଲ ଚଲାଉଛନ୍ତି। ତେଣୁ ଏ କ୍ଷେତ୍ରରେ ଭାରତ ଅଯଥା ବୟାନବାଜି କରି ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ପ୍ରତିପକ୍ଷ ହେବା ଉଚିତ ନୁହେଁ। ତେଣୁ ସାଂପ୍ରତିକ ପରିସ୍ଥିତିରେ ଭାରତର ନିରବତା ଅସହାୟତା ନୁହେଁ ବରଂ ବିଜ୍ଞତା ଓ ଦାମ୍ଭିକତା।
କେଶବ ଚରଣ ସାହୁ, ବ୍ରହ୍ମଗିରି, ପୁରୀ
ରବୀନ୍ଦ୍ର ସିଂହ,ବାଲେଶ୍ବର
ମମତା ଦାଶ, ନୂଆପଲ୍ଲୀ

ଚୀନ୍‌, ପାକିସ୍ତାନ ସହ ରୁଷିଆ ତାଲିବାନକୁ ଖୋଲାଖୋଲି ସମର୍ଥନ କରିବା ଭାରତ ପାଇଁ ବିପଦ। ଏକ ଶାନ୍ତିପୂର୍ଣ୍ଣ, ଗାଣତାନ୍ତ୍ରିକ, ଆଫଗାନିସ୍ତାନ ଭାରତର ଲକ୍ଷ୍ୟ। ଆଫଗାନିସ୍ତାନ ସଂକଟ ଦୂର କରିବା ପାଇଁ ଆନ୍ତର୍ଜାତିକ ଚାପ ସୃଷ୍ଟି କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଛି। ତେଣୁ ଏଭଳି ବିଷମ ପରିସ୍ଥିତିରେ ନିରବ ରହିବା ବୁଦ୍ଧିମତାର ପରିଚୟ କୁହାଯିବ।
ଛାୟାକାନ୍ତ ନାୟକ, ପୁରୀ
ଶ୍ରୀବାସ ମହାନ୍ତି, ଭୁବନେଶ୍ବର

ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆଫଗାନିସ୍ତାନ ନିଜର ସର୍ବନାସକୁ ଡାକି ଆଣିଛି। ଯେଉଁ ଦୁଇ ଦେଶ ତାଲିବାନ ସରକାରକୁ ସମର୍ଥନ କରୁଛନ୍ତି, ସେହି ଦୁଇଦେଶ ସହ ଭାରତର ସଂପର୍କ ଭଲ ନୁହେଁ। ତେଣୁ କେଉଁ ପାଣି କୁଆଡ଼େ ଯାଉଛି, ତାକୁ ଧୈର୍ଯ୍ୟର ସହ ଦେଖିବା ପରେ ଯାଇ ଭାରତ ପଦକ୍ଷେପ ନେବା ଜରୁରୀ। ଏବେ ଚୁପ୍‌ ରହିବା ହିଁ ଭଲ।
ସୁରେନ୍ଦ୍ର କୁମାର ନାୟକ, ନିଆଳି

ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ଭଲ ନାହିଁ। ସେଠାରେ ବହୁ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ କିଭଳି ସେଠାର ଉଦ୍ଧାର କରାଯିବ, ସେ ଦିଗରେ ଭାରତ ସରକାର ଉଦ୍ୟମ କରୁଛନ୍ତି। ଜାତିସଂଘରେ ମଧ୍ୟ ଆତଙ୍କବାଦ ବିରେଧରେ ସ୍ବର ଉତ୍ତୋଳନ କରିଆସୁଛି।
ଶେଖ ୟାକୁବ୍, ଗୋପ
ସଞ୍ଜୟ କୁମାର ରଥ, ଚନ୍ତାମଣିଶ୍ବର
ଇଂ କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ଭାରତ ପ୍ରକୃତରେ ଅସହାୟ ହୋଇପଡ଼ିଛି। ବିଶ୍ୱର ୪ର୍ଥ ବୃହତ୍ତମ ସାମରିକ ଶକ୍ତି‌ ହେବା ସତ୍ତ୍ବେ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପରୁ ଦୂରେଇ ରହିଲା। କାରଣ ଏପରି କରିବା ଦ୍ବାରା ତାଲିବାନ୍‌ ପ୍ରତିଶୋଧ ସ୍ବରୂପ କାଶ୍ମୀରରେ ଅସ୍ଥିରତା ବଢ଼ାଇପାରେ। ତେବେ କେଉଁଠି ନା କେଉଁଠି ଆମର ବୈଦେଶିକ ନୀତି ବିଫଳ ହୋଇଛି ବୋଲି କୁହାଯାଇପାରେ।
ଆହ୍ବାନ କୁମାର ପାଇକରାୟ, ୟୁନିଟ-୩
ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର
ସସ୍ମିତା ମିଶ୍ର, ସାମନ୍ତରାପୁର

ଆଫଗାନିସ୍ତାନରେ ଭାରତର ନିବେଶକୁ ତାଲିବାନ୍‌ ଟାର୍ଗେଟ୍‌ କରିଛି। ଭାରତ ସହ ତାଲିବାନ୍‌ର ସଂପର୍କ ମଧ୍ୟ ଭଲ ନୁହେଁ। ତେଣୁ ଏବେ ସାଂପ୍ରତିକ ପରିସ୍ଥିତିରେ ଭାରତ ନିରବ ରହିବା ଜରୁରୀ। ବିଶ୍ବର ବଡ଼ ବଡ଼ ଦେଶଙ୍କ ଆଭିମୁଖ୍ୟ କ’ଣ ରହୁଛି, ତାହା ଜାଣିବା ପରେ ଭାରତ ପଦକ୍ଷେପ ନେବା ଜରୁରୀ।
ସୁଧାକର ଦାସ, ଖଣ୍ଡପଡ଼ା

ସମ୍ବନ୍ଧିତ ଖବର