ଫୋନ୍‌-ଇନ୍‌-ପ୍ଲିଜ୍‌: ଅଣ୍ଡାମାଡ଼ ହୀନ ମାନସିକତା

କାହାକୁ ବିରୋଧ କରିବାର ଅଛି ତ, ତା’ ଉପରକୁ ଅଣ୍ଡାଟେ ଫିଙ୍ଗି ଦିଅ। ଏବେ ଓଡ଼ିଶା ରାଜନୀତିରେ ଅଣ୍ଡାମାଡ଼ ଏକ ଟ୍ରେଣ୍ଡ୍‌ ପାଲଟି ଗଲାଣି। ୩ ପ୍ରମୁଖ ଦଳ ଏବେ ଅଣ୍ଡାକୁ ପ୍ରମୁଖ ଅସ୍ତ୍ର କରିଛନ୍ତି। ନେତା ନ ନେତା, ମୁଖ୍ୟମନ୍ତ୍ରୀ, ସାଂସଦଙ୍କୁ ବି ଛାଡ଼ୁ ନାହାନ୍ତି। ଏହାଦ୍ବାରା ଓଡ଼ିଶା ରାଜନୀତିରେ ଏକ ଅସୁସ୍ଥ ପରମ୍ପରା ଜନ୍ମ ନେଲାଣି। ବିରୋଧର ଅନେକ ପରିଭାଷା ଅଛି, ତେଣୁ ଏମିତି କରି ଶହଶହ ଅଣ୍ଡା ନଷ୍ଟ କରାନ ଯାଉ। ଥିଲାବାଲା ଅଣ୍ଡାର ଗୁରୁତ୍ବ ବୁଝିପାରିବେନି, କିନ୍ତୁ ଗରିବ ଲୋକଟିଏ ପାଇଁ ତାହା କେତେ ମୂଲ୍ୟବାନ, ସେ କଥା ଅଣ୍ଡା ମାଡ଼ କରୁଥିବା ଲୋକ ବୁଝିବା ଉଚିତ। ତେଣୁ ନେତା, ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବା ପରିବ‌ର୍ତ୍ତେ ତାହାକୁ ଗରିବ ଲୋକଙ୍କୁ ବାଣ୍ଟିଦେଲେ, ସେମାନେ ଖୁସି ହେବେ, ସମର୍ଥନ ଓ ଆଶୀର୍ବାଦ ବି କରିବେ। ଚଳିତ ଥରର ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ଅଣ୍ଡାମାଡ଼ ଦାରିଦ୍ର୍ୟ ପ୍ରତି ଉପହାସ’‌ରେ ଭାଗ ନେଇଥିବା ପ୍ରାୟ ସମସ୍ତ ପାଠକ ଏପରି ମତ ଦେଇଛନ୍ତି।

ଅଣ୍ଡା ଏକ ପୁଷ୍ଟିକର ଆମିଷ ଖାଦ୍ୟ। ଏଥିପାଇଁ ବେଶି ଟଙ୍କା ବି ଦେବାକୁ ପଡ଼େନା। ମାଛ, ମାଂସ କିଣି ପାରୁନଥିବା ଗରିବ ଲୋକ ପାଖରେ ଅଣ୍ଡା କିଣିବାର କ୍ଷମତା ଅଛି। କିନ୍ତୁ ବିରୋଧ ନାଁରେ ଏବେ ଯେପରି ଶହ ଶହ ଅଣ୍ଡା ନଷ୍ଟ କରାଯାଉଛି, ତାହା ଉଚିତ ନୁହେଁ। ଏହା ଗରିବଙ୍କ ପ୍ରତି ଉପହାସ। ବିରୋଧ କରିବାର ବହୁ ଉପାୟ ଅଛି। କିଛି ଦିନ ତଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଇ ପ୍ରସଙ୍ଗରେ ଗଣମାଧ୍ୟମରେ ସୁନ୍ଦର କଥାଟିଏ କହିଥିଲେ। ସେ କହିଥିଲେ ଯେ ନେତା, ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରି ନଷ୍ଟ କରିବା ପରିବର୍ତ୍ତେ ତାହାକୁ ଗରିବଙ୍କ ଭିତରେ ବାଣ୍ଟି ଦେବା ଉଚିତ। ବିରୋଧୀମାନେ ଅଣ୍ଡା ବାଣ୍ଟି ସରକାରଙ୍କ ଦୋଷ, ଦୁର୍ବଳତା ସଂପର୍କରେ ଲୋକଙ୍କୁ ବୁଝାଇବା ଉଚିତ। ଏହାଦ୍ବାରା ସେମାନଙ୍କୁ ସମର୍ଥନ ବି ମିଳିବ। ସୌମ୍ୟବାବୁଙ୍କ ଏ ବିଚାରଧାରାରେ ମୁଁ ସଂପୂର୍ଣ୍ଣ ଏକମତ।
-ଡାକ୍ତର ଦୀନାନାଥ ଦାସ, ଲକ୍ଷ୍ମୀସାଗର

ଆନ୍ଧ୍ରରୁ ଅଣ୍ଡା ଆଣି ଏମିତି ନଷ୍ଟ କରିବା ସତରେ ଦରିଦ୍ର ପାଇଁ ଉପହାସ ଓ କଷ୍ଟଦାୟକ। ଗଣତନ୍ତ୍ରରେ ବିରୋଧ କରିବାର ଅନେକ ଉପାୟ ଅଛି। କିନ୍ତୁ ଏବେ ଓଡ଼ିଶାରେ ଅଣ୍ଡାମାଡ଼ ରାଜନୀତି ଏକ ଟ୍ରେଣ୍ଡ ପାଲଟି ଗଲାଣି। ଯାହାକୁ ବିରୋଧ କରିବାର ଅଛି, ତା’ ଉପରକୁ ଅଣ୍ଡାମାଡ଼ କରାଯାଉଛି। ଏହାଦ୍ବାରା ରାଜନୀତିରେ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି ହେଉଛି।
-ନୀଳମଣି ମିଶ୍ର, ସୁନ୍ଦରପଦା

ଏଭଳି ବିରୋଧ ପ୍ରଦର୍ଶନ କିଛି ନୂଆ କଥା ନୁହେଁ। ଆଗରୁ ବି ଏମିତି ହୋଇଛି। କିନ୍ତୁ ମୋ ମତରେ ଏହା ଏକ ଲଜ୍ଜାଜନକ କଥା। ଦେଶ, ରାଜ୍ୟରେ ତ ପୁଳାପୁଳା ସମସ୍ୟା, ଶାସନକର୍ତ୍ତାଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ଅଛି। କିନ୍ତୁ ନେତା, ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଦେଲେ କ’ଣ ତା’ର ସମାଧାନ ହୋଇଯିବ। ଏଭଳି କାର୍ଯ୍ୟରୁ ରାଜନୈତିକ ଦଳଗୁଡ଼ିକ ନିବୃତ୍ତ ରହିବା ଉଚିତ।
-ସନ୍ତୋଷ ରାଉତ, ନୟାଗଡ଼

ଏଭଳି ଉପାୟରେ ବିରୋଧ ହୀନ ମାନସିକତାର ପରିଚୟ। ଏହା କୌଣସି ଆପରାଧିକ କାର୍ଯ୍ୟକଳାପଠାରୁ କମ୍‌ ନୁହେଁ। ବି‌ଦେଶରେ ତ ଏଥିପାଇଁ ଜରିମାନାର ବ୍ୟବସ୍ଥା ଅଛି। ଏବେ ରାଜନୈତିକ ଦଳଗୁଡ଼ିକ ଅଣ୍ଡାମାଡ଼ କରି ଯେଉଁଭଳି ଉତ୍ପାତ କରୁଛନ୍ତି, ମୋ ମତରେ, ଓଡ଼ିଶାରେ ବି ସେମିତି ତଣ୍ଡ ବ୍ୟବସ୍ଥା ଲାଗୁ କରାଯିବା ଉଚିତ।
-ଆହ୍ବାନ୍‌ ପାଇକରାୟ, ୟୁନିଟ୍‌-୩

ଏଭଳି ବିରୋଧ ପ୍ରଦର୍ଶନ ରାଜନୈତିକ ଦଳମାନଙ୍କର ନଗ୍ନ ମାନସିକତାକୁ ପଦାରେ ପକାଉଛି। ସାଧାରଣ ଲୋକଟିଏ କେବେ ଏମିତି କରିବ ନାହିଁ। ଏହା କେବଳ ଅପରାଧ ମାନସିକତା ଲୋକ ହିଁ କରିପାରେ।
-ଭରତ କୁମାର ବେହେରା, ରସୁଲଗଡ଼
-ନିରଞ୍ଜନ ବରାଳ, ଗଣିଆ
-ଉଲ୍ଲାସ ବେହେରା, ଚନ୍ଦ୍ରଶେଖରପୁର

ଏବେ ସବୁ ରାଜନୈତିକ ଦଳରେ ଖଳ ଲୋକଙ୍କ ସଂଖ୍ୟା ଅଧିକ ହୋଇଗଲାଣି। ସେମାନଙ୍କ ମୁଣ୍ଡକୁ ହିଁ ଏମିତି ତଦ୍ରୂପ ଭାବନା ଆସୁଛି। ବିରୋଧ ପାଇଁ କ’ଣ ଆଉ କିଛି ରାସ୍ତା ନାହିଁ। ଏ ଦିଗରେ ସରକାର କିଛି ପଦକ୍ଷେପ ନ ନେଲେ ଏମିତି ଶହଶହ ଅଣ୍ଡା ନଷ୍ଟ ହେଉଥିବ। ଟଙ୍କା ୫ଟା ଭାବି ସେମାନେ ଯାହାକୁ ନଷ୍ଟ କରି ଦେଉଛନ୍ତି, ଗୋଟିଏ ଗରିବ ଲୋକ ପାଇଁ କେତେ ମୂଲ୍ୟବାନ, ତାହା ସେମା‌ନେ ବୁଝିବା ଉଚିତ।
-ରଶ୍ମି ପଣ୍ଡା, ବାଲେଶ୍ବର

ପ୍ରତିବାଦ ପାଇଁ ଅଣ୍ଡାମାଡ଼ର ଆବଶ୍ୟକତା ନାହିଁ। ପ୍ରତିବାଦ କରିବାର ବହୁ ଉପାୟ ଅଛି। ତେଣୁ ଅଯଥାରେ ଅଣ୍ଡାକୁ ନଷ୍ଟ ନ କରି ରାଜ୍ୟର ଆର୍ଥିକ ଅନଗ୍ରସର, ଦୁର୍ବଳ ଶ୍ରେଣୀ ଲୋକଙ୍କୁ ବାଣ୍ଟି ଦିଆଯାଉ।
-ସୁରେନ୍ଦ୍ର ବିଶ୍ୱାଳ, ବଲାଙ୍ଗୀର
-ରଶ୍ମୀରଂଜନ ପଣ୍ଡା, ବାଲେଶ୍ୱର
-ଦେବରଂଜନ କର, ଭୁବନେଶ୍ୱର

ଅଣ୍ଡାମାଡ଼ ଏକ ବିକୃତ ମାନସିକତା। ନେତା, ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବା ବଦଳରେ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଓ ରାସ୍ତାରେ ରହୁଥିବା ନିରାଶ୍ରୟ ଲୋକଙ୍କ ଦେଲେ ଭଲ ହୁଅନ୍ତା। ସେମାନେ ଖୁସି ହୋଇ ପ୍ରତିବାଦକାରୀମାନଙ୍କୁ ଆଶୀର୍ବା‌ଦ ଦିଅନ୍ତେ।
-ରାଜୀବ ଲୋଚନ ବରାଡ, ଓଡଗାଁ, ନୟାଗଡ
-ଶ୍ରୀଧର ବଳିୟାରସିଂହ, ବରମୁଣ୍ଡା
-କମଳାକାନ୍ତ ସେନାପତି, ନାଗେଶ୍ବର ଟାଙ୍ଗୀ

ନେତା, ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରି ଦରିଦ୍ରଙ୍କୁ ଉପହାସ କରାଯାଉଛି। ଅଣ୍ଡାମାଡ଼ କରୁଥିବା ବ୍ୟକ୍ତି ଆକାଶକୁ ଛେପ ପକାଇବା ସହ ସମାନ। ଯେଉଁମାନେ ବି ଏଭଳି ହୀନ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବୁଦ୍ଧିଭ୍ରଷ୍ଟ ହୋଇଯାଇଛି।
-ଶ୍ରୀବତ୍ସ ମହାନ୍ତି, ଯାଁଳା

ବିରୋଧ କରିବା କିମ୍ବା ପ୍ରତିବାଦ କରିବା ଗାଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅଂଶ। ମାତ୍ର ଏହାର ତରିକା ରାଜନୈତିକ ଦଳ ନେତା ଆଉ ତାଙ୍କର କର୍ମୀଙ୍କର ଚରିତ୍ର ଉପରେ ନିର୍ଭର କରେ। ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ପାଇଁ ନେତାମାନେ ଯେଉଁଭଳି ପନ୍ଥା ଆପାଣାଉଛନ୍ତି, ତାହା ଏକ ସଭ୍ୟ ସମାଜରେ ଅଗ୍ରହଣୀୟ।
-ଛାୟାକାନ୍ତ ନାୟକ ବାଲିଘାଟ, ପୁରୀ
-ଶେଖ୍ ୟାକୁବ୍‌, ଗୋପ ପୁରୀ
-ବ୍ରଜକିଶୋର ସାହୁ ,ଚନ୍ଦନପୁର , ପୁରୀ
-ଗୌରାଙ୍ଗ ଚରଣ ସେଠୀ, ପୁରୁଣା ଭୁବନେଶ୍ୱର

ସରକାର, ପ୍ରଶାସନ, ନେତା ଓ ମନ୍ତ୍ରୀମାନେ ବାଟବଣା ହେଲେ, ସେମାନଙ୍କୁ ବାଟକୁ ଆଣିବା ପାଇଁ ବେଳେବେଳେ ଏପରି ପନ୍ଥା ଆପଣାଯିବା ଉଚିତ।
-ବିଦ୍ୟାଧର ମହାପାତ୍ର, ଭୁବନେଶ୍ୱର
-ବିଶ୍ବେଶ୍ୱର ଦାସ, ଦଶପଲ୍ଲା, ନୟାଗଡ଼

ସମ୍ବନ୍ଧିତ ଖବର