ଫୋନ୍‌-ଇନ୍‌-ପ୍ଲିଜ୍‌, ନିଷ୍ପତ୍ତିକୁ ପସନ୍ଦ

ନିକଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ର ଏକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ସେତେବେଳେ କଂଗ୍ରେସ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏପରିକି ପୂର୍ବତନ ରାଷ୍ଟ୍ରପତିଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ ଏ ସମସ୍ତ ବିରୋଧ ସତ୍ତ୍ୱେ ଶ୍ରୀ ମୁଖାର୍ଜୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଘର କର୍ମକର୍ତା ଓ ସଭ୍ୟମାନଙ୍କୁ ତାଙ୍କ ଭାଷଣରେ ଯେଉଁ ଉପଦେଶ ଓ ପରାମର୍ଶ ଦେଇଥିଲେ ତାହାକୁ କେବଳ କଂଗ୍ରେସ ନୁହେଁ ଅନେକ ବୁଦ୍ଧିଜୀବୀ ମଧ୍ୟ ପ୍ରଶଂସା କରିଥିଲା। ତେବେ ଶ୍ରୀ ମୁଖାର୍ଜୀଙ୍କ ଏପରି ନିଷ୍ପତ୍ତିଠାରୁ ଆରମ୍ଭ କରି କାର୍ଯ୍ୟକ୍ରମରେ ତାଙ୍କର ବକ୍ତ୍ୟବକୁ ନେଇ ସାଧାରଣରେ ଭିନ୍ନମତ ପ୍ରକାଶ ପାଇଛି। କେହି କେହି ଶ୍ରୀ ମୁଖାର୍ଜୀଙ୍କ ଏପରି ନିଷ୍ପତ୍ତିକୁ ପସନ୍ଦ କରିଥିବା ବେଳେ କେହି କେହି ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। କିଛି ଲୋକ ପୂର୍ବତନ ରାଷ୍ଟ୍ରପତିଙ୍କ ଏପରି ପଦକ୍ଷେପ ଓ ବକ୍ତବ୍ୟକୁ ଶିକ୍ଷଣୀୟ ବୋଲି ମତ ଦେଇଛନ୍ତି। ଏପରି ଏକ ପ୍ରସଙ୍ଗକୁ ନେଇ ‘ସମ୍ବାଦ’ ପକ୍ଷରୁ ଫୋନ୍‌ ମାଧ୍ୟମରେ ପାଠକମାନଙ୍କ ମତାମତ ଲୋଡ଼ା ଯାଇଥିଲା। ଏହାକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା।

ଏଭଳି ସ୍ୱାଗତଯୋଗ୍ୟ ନିଷ୍ପତ୍ତିକୁ ରାଜନୀତିକରଣ ନ କରାଯାଉ
ପ୍ରଣବ ମୁଖାର୍ଜୀ ଆମ ଦେଶର ଜଣେ ଅଭିଜ୍ଞ ରାଜନୈତିଜ୍ଞ। ସେ ଏକଦା ଦେଶର ଅର୍ଥମନ୍ତ୍ରୀ ଥିଲେ ପୁଣି ରାଷ୍ଟ୍ରପତି ମଧ୍ୟ। ଜଣେ ରାଷ୍ଟ୍ରପତି ସବୁବେଳେ ସମସ୍ତ ଧର୍ମ ଓ ଦଳରୁ ଊର୍ଧ୍ୱରେ ରହି ଦେଶ ପାଇଁ ଚିନ୍ତା କରେ। ପୁଣି ଶ୍ରୀ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ସମସ୍ତେ ସମାନ ବୋଲି ପ୍ରମାଣ ଦେଇଛନ୍ତି। ଏଭଳି ଭଲ ଉଦ୍ଦେଶ୍ୟ ରଖି ଅପର ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ରାଜନୈତିକ ରୂପ ନ ଦିଆଯାଉ। ପୁଣି ଭବିଷ୍ୟତରେ ଆର୍‌ଏସ୍‌ଏସ୍‌ ଏଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ଅବ୍ୟାହତ ରଖୁ।
ହିମାଂଶୁ ଭୂଷଣ ପଣ୍ଡା, ରାକମ, ଭାପୁର,ନୟାଗଡ଼

ଉଚିତ ନଥିଲାଗୋଟିଏ ଦଳର ହୋଇ ଅନ୍ୟ ଏକ ଦଳର କାର୍ଯ୍ୟକ୍ରମକୁ ଯିବା ଉଚିତ ନଥିଲା।
ଅକବର ଅଲ୍ଲୀ, ବଡ଼ଙ୍ଗା, ପୁରୀ

ରାଜନୀତି ଛାଡ଼ି ଧର୍ମନିରପେକ୍ଷତାର ପାଠ ପଢ଼ାଇଲେ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଜନୀତି ନ ଦେଖି ଧର୍ମନିରପେକ୍ଷତାକୁ ଗୁରୁତ୍ୱ ଦେବା ନିହାତି ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହା ଉପରେ ଅଧିକ ଆଲୋଚନା ସମାଲୋଚନା ଉଚିତ୍‌ ନୁହେଁ। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ସମସ୍ତେ ସମାନ ଏହି ପାଠ ଦେଶବାସୀଙ୍କୁ ପୁଣି ଥରେ ପଢ଼େଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ।
ନିଶିକାନ୍ତ କରଣ, ରଗଡ଼ିପଡ଼ା, ବଡ଼ମ୍ବା, କଟକ

ଏକ ଶିକ୍ଷଣୀୟ ଅଧ୍ୟାୟ
ସମୟ ପରିବର୍ତ୍ତନ ହୋଇଛି। ସଂକୀର୍ଣ୍ଣ ମନୋଭାବକୁ ପରିତ୍ୟାଗ କରି ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗ ଦେବା ଏକ ଶିକ୍ଷଣୀୟ ଅଧ୍ୟାୟ ନିଶ୍ଚୟ। ସର୍ବଧର୍ମକୁ ସମ୍ମାନ ଦେଇ ସମସ୍ତଙ୍କୁ ସମାନ ନଜରରେ ଦେଖିଲେ ଦେଶ/ରାଷ୍ଟ୍ରର ଉନ୍ନତି ସମ୍ଭବ। ପ୍ରଣବ ମୁଖାର୍ଜୀଙ୍କ ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେବ।
ପ୍ରସନ୍ନ କୁମାର ମହାପାତ୍ର, ପୁରୀ

ଦଳ ଓ ରାଜନୀତିରୁ ଊର୍ଧ୍ୱରେ ରାଷ୍ଟ୍ରପତି
ରାଷ୍ଟ୍ରପତି ହେବା ପରେ ଜଣେ ବ୍ୟକ୍ତି ଦଳ ଓ ରାଜନୀତିରୁ ଊର୍ଧ୍ୱରେ ଥାଏ। ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପଦରୁ ଯାଇଥିଲେ ମଧ୍ୟ ସେ ସମସ୍ତ ରାଜନୀତିରୁ ଊର୍ଧ୍ୱରେ ଅଛନ୍ତି। ଦେଶରେ ଅସହିଷ୍ଣୁତାର ଡିଣ୍ଡିିମ ପିଟି ହେଉଥିବା ବେଳେ ଦଳ ଓ ରାଜନୀତିର ଖେଳରୁ ବାହାରି ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ।
ନିଗମାନନ୍ଦ ସାହୁ, ଓଡ଼ଶପୁର, କଟକ

ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ସେ ଯୁଆଡ଼େ ଚାହିଁବେ ସିଆଡ଼େ ଯିବେ
ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ ଶିବିରରେ ଯୋଗଦେବା ସମୀଚୀନ। ବର୍ତ୍ତମାନ ସେ ରାଷ୍ଟ୍ରପତି ସେବାରୁ ନିବୃତ୍ତ। ସେ କୌଣସି ରାଜନୈତିକ ଦଳର ନୁହନ୍ତି। ଦେଶର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ସେ ଯେଉଁଠିକି ଚାହିଁବେ ସେଠାକୁ ଯିବେ। ତେବେ ଦୁଇଟି ଭିନ୍ନ ମତବାଦର ଗୋଟିଏ କାର୍ଯ୍ୟକ୍ରମରେ ମିଶ୍ରଣ ହେବା ଭାରତୀୟ ପରମ୍ପରା ପାଇଁ ତଥା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଶୁଭ ଲକ୍ଷଣ।
ଛାୟାକାନ୍ତ ନାୟକ, ପୁରୀ ଟାଉନ୍‌

ଏହା ତାଙ୍କ ବଡ଼ପଣକୁ ଦର୍ଶାଉଛି
ଭାରତର ପୂର୍ବତନ ରାଷ୍ଟ୍ରପତି ଭାବରେ ତାଙ୍କ ପାଇଁ କୌଣସି ସ୍ଥାନ ଅପହଞ୍ଚ ନୁହେଁ। ଆର୍‌ଏସ୍‌ଏସ୍‌ କର୍ମୀଙ୍କ ଅନୁରୋଧ ରକ୍ଷା କରି ସେଠାକୁ ଯିବା ତାଙ୍କର ବଡ଼ପଣକୁ ଦର୍ଶାଉଛି। ତେଣୁ ପ୍ରଣବ ମୁଖାର୍ଜୀଙ୍କର ପଦକ୍ଷେପ ପ୍ରଶଂସୀନୟ।
କିଶୋର ଚନ୍ଦ୍ର ପଣ୍ଡା, ପୋଖରିଆ ପଡ଼ା, କେନ୍ଦ୍ରାପଡ଼ା

ଏହାକୁ ନେଇ ରାଜନୀତି ହେବା ଠିକ୍‌ ନୁହେଁ
ଆର୍‌ଏସ୍‌ଏସ୍‌ ଶିବିରକୁ ଯାଇ ପ୍ରଣବ ଠିକ୍‌ କରିଛନ୍ତି। ସେଠାରେ ଉପସ୍ଥିତ ରହି ସେ ନିଜର ବକ୍ତବ୍ୟରେ ନିର୍ଭିକ ମତାମତ ଦେଇଛନ୍ତି। ଦଳର ଦୋଷତ୍ରୁଟି ସମ୍ପର୍କରେ ମଧ୍ୟ କହିଛନ୍ତି। ତେଣୁ ଏହାକୁ ନେଇ ରାଜନୀତି ହେବା ଠିକ୍‌ ନୁହେଁ।
ସୁକାନ୍ତ ନାୟକ, ଗୋପ ବ୍ଲକ୍‌

ପ୍ରଣବ କୌଣସି ଭୁଲ କରିନାହାନ୍ତି
ଜଣେ ବ୍ୟକ୍ତି ଥରେ ରାଷ୍ଟ୍ରପତି ହୋଇସାରିବା ପରେ ସେ ଆଉ କୌଣସି ଦଳର ନୁହନ୍ତି। ଦଳଗତ ବିବିଧତାକୁ ନେଇ ତାଙ୍କୁ କୌଣସି ରାଜନୈତିକ ଦଳ କୌଣସି ସ୍ଥାନକୁ ଯିବାକୁ ବାରଣ କରିବା ଠିକ୍‌ ନୁହେଁ। ତେଣୁ ପ୍ରଣବ ମୁଖାର୍ଜୀ ଦଳୀୟ ରାଜନୀତିରୁ ଊର୍ଧ୍ୱରେ ରହି ଏଭଳି ଏକ ପଦକ୍ଷେପ ନେଇ କିଛି ଭୁଲ କରିନାହାନ୍ତି।
ବିଶ୍ୱଜିତ୍‌ ପଟ୍ଟନାୟକ, ଭୁବନେଶ୍ୱର

୨ଟି ଅଲଗା ବିଚାରଧାରା ଏକାଠି ଆସିବା ଉଚିତ
ପ୍ରଣବ ଦା’ ଆର୍‌ଏସ୍‌ଏସ୍‌ କ୍ୟାମ୍ପକୁ ଯିବା ଠିକ୍‌। ଆର୍‌ଏସ୍‌ଏସ୍‌ ଏକ ସାଂସ୍କୃତିକ ସଂଗଠନ। ପ୍ରଣବ ମୁଖାର୍ଜୀଙ୍କର ଦେଶ ନିର୍ମାଣରେ ଯୋଗଦାନ ଅଛି। ୨ଟି ଅଲଗା ବିଚାରଧାରା ସବୁବେଳେ ଏକାଠି ଆସିବା ଉଚିତ। ଏହା ଦ୍ୱାରା ଭାଷାର ଆଦାନପ୍ରଦାନ ହେବ। ତେବେ ପ୍ରଣବଙ୍କ ଏହି ପଦକ୍ଷେପକୁ ନେଇ କୌଣସି ରାଜନୀତି କରାଯିବା ଆଦୌ ଉଚିତ୍‌ ନୁହେଁ।
ଶ୍ୟାମଳେନ୍ଦୁ ମହାନ୍ତି, ତୁରୁଖା ଝଙ୍କଡ଼, ଜଗତସିଂହପୁର

ଆର୍‌ଏସ୍‌ଏସ୍‌ ପ୍ରଣବଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଡାକିଛି
ମାନ୍ୟବର ପୂର୍ବତନ ରାଷ୍ଟ୍ରପତିଙ୍କର ଆର୍‌ଏସ୍‌ଏସ୍‌ ଶିବିରକୁ ଯିବା ଆଦୌ ଠିକ୍‌ ହୋଇନାହିଁ। ଆର୍‌ଏସ୍‌ଏସ୍‌ ପ୍ରଣବକୁ ଯେ ଉଦ୍ଦେଶ୍ୟମୂଳକ ଭାବେ ଡାକିଛି ସେକଥା ପ୍ରଣବ ବୁଝିନାହାନ୍ତି। କାରଣ କଂଗ୍ରେସ ଦଳ ପ୍ରତି ପ୍ରଣବ ଖୁସି ନଥିବାବେଳେ ଏହା କେବଳମାତ୍ର ଆର୍‌ଏସ୍‌ଏସ୍‌ର ଚକ୍ରାନ୍ତ। ସେମାନେ ଚାହିଁଥିଲେ ସୋନିଆ କି ରାହୁଲ ଗାନ୍ଧୀଙ୍କୁ ବି ଡାକିପାରିଥାଆନ୍ତେ। କିନ୍ତୁ ପ୍ରଣବଙ୍କୁ ଡାକି ସେମାନେ କୌଣସି ଲୁକ୍କାୟିତ ଉଦ୍ଦେଶ୍ୟ ସାଧନ କରିବାକୁ ଚାହୁଁଛନ୍ତି।
ସାରଦା ପ୍ରସନ୍ନ ପଣ୍ଡା, ବଡ଼ଗଡ଼, ଭୁବନେଶ୍ୱର

ଭଦ୍ର ସମାଜର ସମ୍ମାନସ୍ପଦ ବ୍ୟକ୍ତି ନିମନ୍ତ୍ରଣ ରକ୍ଷା କରି ଯିବା ସମୀଚୀନ
ପ୍ରଣବ ମୁଖାର୍ଜୀ ବହୁତ ଭଲ ପଦକ୍ଷେପ ନେଇଛନ୍ତି। ଏ ଘଟଣାକୁ ଯଦି କିଏ କଦର୍ଥ କରୁଛି ସେଇଟା ଅଲଗା କଥା। ଭଦ୍ର ସମାଜରେ ରହୁଥିବା ଜଣେ ସମ୍ମାନସ୍ପଦ ବ୍ୟକ୍ତି କାହାର ନିମନ୍ତ୍ରଣ ରକ୍ଷା କରି କୌଣସି ସଭା ସମିତି ବା ଉତ୍ସବକୁ ଯିବା ସମୀଚୀନ ଅଟେ।
ସଞ୍ଜୟ ରଥ, ଚିନ୍ତାମଣିଶ୍ୱର, ଭୁବନେଶ୍ୱର

ପ୍ରଣବଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ
ପ୍ରଣବ ମୁଖାର୍ଜୀଙ୍କର ପଦକ୍ଷେପକୁ ସ୍ୱାଗତ କରିବା ଆବଶ୍ୟକ। ସେ ଆର୍‌ଏସ୍‌ଏସ୍‌ କ୍ୟାମ୍ପକୁ ଯାଇ କୌଣସି ଭୁଲ କରିନାହାନ୍ତି। ବରଂ ଜନହିତକର କାର୍ଯ୍ୟ କରିଛନ୍ତି।
ଦେବୀ ପ୍ରସାଦ ଭଟୁଆର, ସାକ୍ଷୀଗୋପାଳ

ସେଇଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର
ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସେ କ’ଣ କରିବେ ନକରିବେ ସେଇଟା ତାଙ୍କ ବ୍ୟକ୍ତିଗତ ବ୍ୟାପାର। ସେ ଆରଏସ୍‌ଏସ୍‌ କାର୍ଯ୍ୟକ୍ରମକୁ ଯାଇ ଠିକ୍‌ କରିଛନ୍ତି।
ଶ୍ରୀବତ୍ସ ମହାନ୍ତି, ଯାଁଳା, ଭୁବନେଶ୍ୱର

ପ୍ରଣବଙ୍କ ପଦକ୍ଷେପ ସମୀଚୀନ
ପ୍ରତ୍ୟେକ ଜ୍ଞାନୀ ଲୋକ ସଭାକୁ ଯିବା ଦରକାର। ସେହି ଜ୍ଞାନୀଙ୍କ ମଧ୍ୟରୁ ପ୍ରଣବ ମୁଖାର୍ଜୀ ଅନ୍ୟତମ। ଆମ ପୂର୍ବତନ ରାଷ୍ଟ୍ରପତି ଯାହା କରିଛନ୍ତି ଠିକ୍‌ କରିଛନ୍ତି।
ସୁବାସ ଚନ୍ଦ୍ର ରାଉତରାୟ, ଜଗନ୍ନାଥ ପୁର, ବାଲିଅନ୍ତା

ସମ୍ବନ୍ଧିତ ଖବର