ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଶତପ୍ରତିଶତ ଅପରାଧ ରୋକିପାରିବ ନାହିଁ। କିନ୍ତୁ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସକୁ ସାହାଯ୍ୟ କରିବ। ମାତ୍ର ଏହା ଦେଶର ସବୁ ଗାଡ଼ିରେ ଯେମିତି ଲାଗିବ, ସରକାର ତାହା ସୁନିଶ୍ଚିତ କରିବା ଦରକାର। ନଚେତ୍ ଯେଉଁ ମହତ୍ତ୍ବାକାଂକ୍ଷା ରଖି ଏହି ଯୋଜନା କରାଯାଇଛି, ସଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନପାରିଲେ ଖାଲି ପ୍ରହସନ ହୋଇ ରହିଯିବ। ଅପରପକ୍ଷେ ନମ୍ବର ପ୍ଲେଟ୍କୁ ଟାମ୍ପର୍ କରାଯାଇପାରୁଛି ବୋଲି ଯେଉଁ ଅଭିଯୋଗ ଉଠୁଛି, ସେ ସଂପର୍କରେ ମଧ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ଓ କମ୍ ଦାମ୍ରେ ଏହି ନମ୍ବର ଯୋଗାଇ ଦିଆଯାଉ। ଚଳିତ ଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅପରାଧ ରୋକିପାରିବ କି?’ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତ ରଖିଛନ୍ତି।
ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିଦେଲେ, ସାଧାରଣ ଲୋକ କେତେ ମାତ୍ରାରେ ଉପକୃତ ହେବେ, ତାହା ଜଣାନାହିଁ। କିନ୍ତୁ ଏହା ଦ୍ବାରା ସରକାରୀ ଅଧିକାରୀଙ୍କ ନିଶ୍ଚିତ ଭାବେ ଲାଭ ହେବ। ସେମାନେ କମିସନ୍ ବାବଦକୁ କୋଟି କୋଟି ଟଙ୍କା ହରଣଚାଳ କରିବେ। ଆଉ ସାଧାରଣ ଲୋକ ଅଯଥାରେ ଖର୍ଚ୍ଚାନ୍ତ ହେବ। ୧୫୦ ଟଙ୍କାରେ ମିଳୁଥିବା ଜିନିଷକୁ ୮୦୦ ଟଙ୍କା ଦେଇ କିଣିବା ଆଦୌ ଗ୍ରହଣୀୟ ନୁହେଁ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯେ ଅପରାଧକୁ ଶତପ୍ରତିଶତ ରୋକିପାରିବ, ସେକଥା ନୁହେଁ। ହଁ, ଏଥିରୁ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସକୁ ସହଜ ହେବ।
-ମନୋଜ କୁମାର ଦାସ, ପୁରୀ
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇଲେ ଚୋରି ରୋକି ହେବ। ହେଲେ ସାଧାରଣ ଲୋକ କିପରି ସହଜରେ ଓ କମ୍ ଟଙ୍କାରେ ଏହାକୁ ଗାଡ଼ିରେ ଲଗାଇପାରିବେ, ସେ ଦିଗରେ ସରକାର ଚିନ୍ତା କରିବା ଦରକାର।
-ବୀରେନ୍ଦ୍ର ଭୂଷଣ ହୋତା, ପୁରୀ
ମୋ ମତରେ, ଏ ନୂଆ ନମ୍ବର ପ୍ଲେଟ୍ ଅପରାଧକୁ ରୋକିପାରିବ ନାହିଁ। ଯଦି ସରକାର ଏମିତି ଭାବୁଛନ୍ତି, ତେବେ ଲୋକଙ୍କୁ ମାଗଣାରେ ବାଣ୍ଟନ୍ତୁ।
-ଦେବପ୍ରସାଦ ବିଶୋଇ, ଡୁମୁଡୁମା
-ଜୟନ୍ତ କୁମାର ପାଢ଼ୀ କଳିଙ୍ଗ ବିହାର
ନିଶ୍ଚିତ ଭାବେ ଅପରାଧ କମିବ। ଏହି ନୂଆ ନମ୍ବର ପ୍ଲେଟ୍ରେ ଥିବା ୟୁନିକ୍ ଲେଜର୍ କୋଡ୍ ବାହାନ ପୋର୍ଟାଲ ସହ ଯୋଡ଼ା ହୋଇଛି। ଏହାକୁ ଟାମ୍ପରିଂ ବି କରାଯାଇପାରିବ ନାହିଁ। ଏଣୁ ଗାଡ଼ି ଚୋରି ହେଲେ କିମ୍ବା କୌଣସି ଅପରାଧରେ ବ୍ୟବହୃତ ହୋଇଥିଲେ, ଗାଡ଼ିକୁ ଖୋଜି ବାହାର କରିବା ପୁଲିସ୍ ପକ୍ଷେ ସହଜ ହେବ। ଅପରାଧୀ ବି ଧରାପଡ଼ିଯିବେ। ଏହା ଏକ ସୁଚିନ୍ତିତ ତଥା ଜନକଲ୍ୟାଣକାରୀ ପଦକ୍ଷେପ।
-ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ
ଖାଲି ପ୍ରହସନ। ପୁଲିସ ଓ ପରିବହନ ବିଭାଗ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରି ଏମିତି ଗୋଟାଏ ଫାର୍ସ ଆରମ୍ଭ କରିଛନ୍ତି।
-ଶ୍ରୀବାସ ମହାନ୍ତି, ଭୁବନେଶ୍ୱର
ଯାନବାହାନ ଚୋରି ବୃଦ୍ଧି ପାଉଛି। ଏହାକୁ ଆୟତ୍ତକୁ ଆଣିବା ପାଇଁ ସରକାର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କରିଛନ୍ତି। ହେଲେ ଖାଲି ନିୟମ କରିଦେଲେ ହେବ ନାହିଁ। ସବୁ ଗାଡ଼ିରେ ଯେପରି ବାଧ୍ୟତାମୂଳକ ଭାବେ ଲାଗିବ, ତାହା ମଧ୍ୟ ସରକାର ସୁନିଶ୍ଚିତ କରାଇବାର ଆବଶ୍ୟକତା ରହିଛି।
-ଶେଖ୍ ୟାକୁବ, ଗୋପ
ଗ୍ରାହକମାନଙ୍କୁ ଲୁଟିବା ଓ ହଇରାଣ କରିବା ପାଇଁ ସରକାରଙ୍କ ଏହା ଗୋଟିଏ ନୂଆ ଯୋଜନା। କାରଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ। ଏହାକୁ ପେଟ୍ରୋଲ ଦ୍ବାରା ଟାମ୍ପର୍ କରିହେବ। ଅପରପକ୍ଷେ ମାତ୍ର ହାତଗଣତି ସଂସ୍ଥାକୁ ନମ୍ବରପ୍ଲେଟ୍ ତିଆରି କରିବାର ଅନୁମତି ମିଳିଥିବାରୁ ଲକ୍ଷ ଲକ୍ଷ ଛୋଟ ବ୍ୟବସାୟୀ ନିଜ ରୋଜଗାର ହରାଇବେ।
-ଆହ୍ବାନ କୁମାର ପାଇକରାୟ, ୟୁନିଟ୍-୩
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଶତପ୍ରତିଶତ ଅପରାଧ ରୋକିପାରିବ ନାହିଁ। ଅନେକ ଅପରାଧରେ ଏହା ପୁଲିସ୍ ପାଇଁ ସୁରାକ୍ ଭଳି କାମ କରିବ। ୟା’କୁ ଆଧାର କରି ପୁଲିସ ଅପରାଧୀଙ୍କ ପାଖରେ ପହଞ୍ଚି ପାରିବ। ଏଥିରେ ସନ୍ଦେହର ଅବକାଶ ନାହିଁ।
-କୈଳାସ ଚନ୍ଦ୍ର ପୃଷ୍ଟି, ନବୀନାବାଗ, ଖୋର୍ଦ୍ଧା
ଠକ ଯଦି ଏ ନମ୍ବରପ୍ଲେଟ୍କୁ ନକଲ କିମ୍ବା ଟାମ୍ପର୍ କରିନପାରିବେ, ତେବେ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ସାବ୍ୟସ୍ତ ହେବ।
-ଛୟାକାନ୍ତ ନାୟକ, ପୁରୀ
ନମ୍ବର ପ୍ଲେଟ୍ ପାଇଁ କମ୍ ଦର ରଖାଯାଉ। କାରଣ ସମସ୍ତଙ୍କ ନିକଟରେ ଏହା ପହଞ୍ଚି ପାରିଲେ ଯାଇ ଅପରାଧ ରୋକିବାରେ ସହାୟ ହୋଇପାରିବ।
-କିଶୋର ସ୍ବାଇଁ, ଭିଏସ୍ଏସ୍ନଗର
ଅପରାଧ ରୋକିବାରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କିଛି ମାତ୍ରାରେ ସହାୟକ ହୋଇପାରିବ ନିଶ୍ଚୟ। ମାତ୍ର ଅପରାଧ ରୋକିବା ପାଇଁ ହେଲେ ପୁଲିସକୁ ଅଧିକ ତତ୍ପର ହେବାର ଆବଶ୍ୟକତା ରହିଛି। କାରଣ ଯିଏ ଚୋରି କରିବା ପାଇଁ ଚାହିବ, ସେ କୌଣସି ଉପାୟରେ ବି କରିପାରିବ।
-କାଳିଶଙ୍କର ମିଶ୍ର, ଭୁବନେଶ୍ବର,
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅପରାଧ ରୋକିବାରେ ସହାୟକ ହେବ। କାରଣ ଏଥିରେ ଲାଗିଥିବା ବାର୍ କୋଡ୍ଟି ଗାଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କଠାରୁ ଆରମ୍ଭ କରି ଗାଡ଼ି ଚୋର ଓ ଅପରାଧରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ସହଜରେ ଠାବ କରିହେବ। ଏହାଦ୍ବାରା ଅପରାଧୀଙ୍କୁ ଧରିବା ପୁଲିସ୍ ପାଇଁ ସହଜ ହେବ।
-ଦିନନାଥ ଦାସ, ଲକ୍ଷ୍ମୀସାଗର
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଫଳରେ ଅଧିକାଂଶ ଚୋରି ରୋକିବାରେ ସହାୟକ ହେବ। ସେହିପରି ଅନ୍ୟର ନମ୍ବରକୁ ବ୍ୟବହାର କରି ଅପରାଧୀମାନେ ଘଟାଉଥିବା ଅପରାଧ ରୋକିବାରେ ସହାୟକ ହେବ।
-ପୂର୍ଣ୍ଣଚନ୍ଦ୍ର ନନ୍ଦ, ସାକ୍ଷୀଗୋପାଳ,
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତପୁର
ହାଇସିକ୍ୟୁରିଟ୍ ନମ୍ବରପ୍ଲେଟ୍ ଅପରାଧ ରୋକି ପାରିବ ନାହିଁ। କାରଣ ଅପରାଧୀଟି ଗାଡ଼ି ଚୋରି କରିବା ପରେ ନିଶ୍ଚିତ ଭାବେ ନମ୍ବର ପ୍ଲେଟ୍ ବଦଳାଇ କୌଣସି ଉପାୟରେ ଅପରାଧ କରିବ। ପ୍ରଥମେ ବିନା ପଞ୍ଜୀକରଣରେ ଚାଲୁଥିବା ଗାଡ଼ିକୁ ଚିହ୍ନଟ କରାଯାଉ।
-ଦିବ୍ୟଶଙ୍କର ବାରିମୂଳ, ଖୋର୍ଦ୍ଧା
-ଭାଗୀରଥି ଦାଶ, ସତ୍ୟବିହାର
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅପରାଧ ରୋକିବାରେ ସେତେମାତ୍ରାରେ ସହାୟକ ହେବ ନାହିଁ। କାରଣ ଚୋର ଚୋରି କରିବା ପରେ ଗାଡ଼ିକୁ ନଷ୍ଟ କରିଦେବାର ସମ୍ଭାବନା ଥାଏ। ତେଣୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସହ ଇଞ୍ଜିନ୍ରେ ଜିପିଏସ୍ ଲଗାଇବା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିବା ଦରକାର।
-ଭରତ ଚନ୍ଦ୍ର ବେହେରା, ରସୁଲଗଡ଼
ଖାଲି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇଦେଲେ ଅପରାଧ ରୋକିବା ସମ୍ଭବ ନୁହେଁ। ହାଇସିକ୍ୟୁରିଟି ନମ୍ବର ଅପେକ୍ଷା ପୁଲିସ ପ୍ରଶାସନକୁ ଅଧିକ ମାତ୍ରାରେ ନିୟୋଜିତ କରି ଅପରାଧ ରୋକିବା ଦରକାର।
-ନୀଳମଣି ମିଶ୍ର, ବେଙ୍ଗାଲୁରୁ
ଅପରାଧ ରୋକିବା କିମ୍ବା ନିୟନ୍ତ୍ରଣ କରିବାରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର ଅପେକ୍ଷା ଦେଶରେ ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯିବା ଦରକାର। ରାସ୍ତାରେ ହାଇସିକ୍ୟୁରିଟି ସିସିଟିଭି ଲଗାଇବା ଦରକାର।
-ଅଶୋକ କୁମାର ଆଢ଼୍ୟ, ପୁରୀ
ଅପରାଧ ନିୟନ୍ତ୍ରଣରେ ସହାୟକ ହେବ। କାରଣ ଏହି ନମ୍ବର ପ୍ଲେଟ୍ ଥରେ ଲାଗିଗଲେ ପରେ ଆଉ ଖୋଲି ହେବ ନାହିଁ। ଏଥିରେ ସ୍ବତନ୍ତ୍ର ଭାବେ ଥିବା ବାର୍କୋଡ୍ ଜରିଆରେ ଗାଡ଼ିକୁ ଶୀଘ୍ର ଠାବ କରିହେବ। ତେଣୁ ଏହାକୁ ଆଧାର କରି ପୁଲିସ୍ ଅପରାଧୀ ନିକଟରେ ବି ଶୀଘ୍ର ପହଞ୍ଚି ପାରିବ।
-ରାକେଶ ବଳ, ଭୁବନେଶ୍ବର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/37-3.jpg)