‌ଫୋନ୍‌-ଇନ୍‌-ପ୍ଲିଜ୍‌: କୋହଲିଙ୍କ ସମୟ ସରିନି, କଳାହରଣ ହୋଇଯାଇଛି

ଭାରତୀୟ କ୍ରିକେଟ୍‌କୁ ‌କୋହଲିଙ୍କ ଭଳି ଜଣେ ମହାନ୍‌ ଖେଳାଳିଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। କିନ୍ତୁ ଉତ୍ଥାନ ଭଳି ସମସ୍ତଙ୍କ କ୍ୟାରିୟର୍‌ରେ ପତ୍ତନର ବି ସମୟ ଆସେ। କୋହଲିଙ୍କ କ୍ଷେତ୍ରରେ ସେ ସମୟ ଏବେ ଉପନୀତ ହୋଇଛି। କ୍ରମାଗତ ଖରାପ ପ୍ରଦର୍ଶନ କରି ସେ ଚୟନକର୍ତ୍ତା ଓ ଦର୍ଶକଙ୍କ ମନରେ ଏ ପ୍ରଶ୍ନ ସୃଷ୍ଟି କରିସାରିଛନ୍ତି। ତେଣୁ ନିଜ ପ୍ରଦର୍ଶନରେ ସୁଧାର ଆଣି ଦଳରେ ସ୍ଥାନ ବଜାୟ ରଖିବେ ନା ଦଳର ଭଲ ପାଇଁ ନିଜ ଆଡ଼ୁ ଓହରିଯିବେ, ତାହା ତାଙ୍କ ଉପରେ ନିର୍ଭର କରେ। କାରଣ କୋହଲିଙ୍କ ହାତରେ ବହୁତ ସମୟ ଅଛି, ତାଙ୍କୁ ବେଶି ବୟସ ବି ହୋଇନାହିଁ। ଏଥର ସମ୍ବାଦ ଫୋନ୍-‌ଇନ୍-ପ୍ଲିଜ୍‌ର ପ୍ରସଙ୍ଗ ‘କୋହଲିଙ୍କ ସମୟ ସରି ଆସୁଛି’ରେ ଭାଗ ନେଇଥିବା ପାଠକମାନେ ଏଭଳି ମତ ରଖିଛନ୍ତି।

କୋହଲି ଜଣେ ମହାନ୍‌ ଖେଳାଳି। ତାଙ୍କ ହାତରେ ବହୁତ ସମୟ ଅଛି। ସେମିତିରେ ବି ତାଙ୍କୁ ବେଶି ବୟସ ହୋଇନାହିଁ। ସେ ନିଜ ତ୍ରୁଟିକୁ ସମୀକ୍ଷା କରି ପୁଣି ନିଷ୍ଠାର ସହ ଖେଳ‌ିଲେ ନିଜ ପୂର୍ବ ସ୍ଥାନକୁ ଫେରି ପାରିବେ। ତେଣୁ କୋହଲିଙ୍କ ସମୟ ସରି ସରି ଆସୁଛି କହିବା ଠିକ୍‌ ହେବ ନାହିଁ।
ଦିଲ୍ଲୀପ କୁମାର ମିଶ୍ର, ଲିଙ୍ଗରାଜ ବିହାର

ଗତବର୍ଷ ଟି-୨୦ ବିଶ୍ୱକପ୍‌ରେ ଭାରତର ଖରାପ ପ୍ରଦର୍ଶନ ପରେ ବିରାଟ ମାତ୍ର ଦୁଇଟି ଟି-୨୦ ମ୍ୟାଚ୍ ଖେଳିଥିଲେ। କିନ୍ତୁ ତାଙ୍କ ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସିନଥିଲା। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ମଧ୍ୟ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ତେଣୁ ଯୁବ ନିର୍ଭୀକ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖି ବିରାଟଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ବିଶ୍ବକପ୍ ପୂର୍ବରୁ କୋହଲିଙ୍କ ବାରମ୍ବାର ବିଫଳତା ଭାରତୀୟ ଦଳକୁ ଚିନ୍ତାରେ ପକାଇଛି। ସେ ଲଗାତାର ବିଫଳ ହେବା ସତ୍ତ୍ବେ ନିଜ ତ୍ରୁଟି ସୁଧାରୁ ନାହାନ୍ତି। ଜାଣିଶୁଣି ସେ ଏଭଳି କରୁଛନ୍ତି ନା ତାଙ୍କର ଖରାପ ସମୟ ଚାଲିଛି, ଦର୍ଶକ ବି ବୁଝିପାରୁନାହାନ୍ତି। ଏବେ ଯେମିତି ଲାଗିଲାଣି ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଯୋଗ୍ୟ ନୁହଁନ୍ତି। ତେଣୁ ତାଙ୍କର ସମୟ ସରି ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ରମେଶ ଚନ୍ଦ୍ର ନାୟକ, କେଶରପୁର, ବକ୍ସି ବଜାର, କଟକ

ଅଧିନାୟକ ପଦରେ ଥିବା ବେଳେ ବିରାଟ କୋହଲିଙ୍କ ପ୍ରଦର୍ଶନ ଯେମିତି ଥିଲା, ଏବେ ତାହା ନାହିଁ। କ୍ରିକେଟ୍‌ ପ୍ରତି ତାଙ୍କର ସ୍ପୃହା କମି କମି ଯାଉଥିବା ଲାଗୁଛି। ତେଣୁ ଭାରତୀୟ ଦଳରେ କୋହଲି ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ନୀଳମଣି ମିଶ୍ର, ସୁନ୍ଦରପଦା

ସମସ୍ତଙ୍କର ଗୋଟିଏ ଉତ୍ଥାନ ଓ ପତ୍ତନର ସମୟ ଥାଏ। ଏକଦା କୋହଲିଙ୍କୁ ରନ୍‌-ମେସିନ୍‌ କୁହାଯାଉଥିଲା। କିନ୍ତୁ ଏବେ ତାଙ୍କ ବ୍ୟାଟ୍‌ ଆଉ କଥା କହୁନାହିଁ। ତେଣୁ ତାଙ୍କ ସମୟ ସରିଯାଇଛି ବୋଲି ଅତ୍ୟୁକ୍ତି ହେବ ନାହିଁ। ମୋ ମତରେ କୋହଲିଙ୍କ ସ୍ଥାନରେ ଦୀପକ ହୁଡ଼ା ନଚେତ୍ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବା ଉଚିତ। ଏବେଠାରୁ ଏହି ଦୁଇଜଣଙ୍କୁ ପରୀକ୍ଷାନିରୀକ୍ଷା କରାଯାଉ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

୨୦୧୯ ପରଠାରୁ ବିରାଟ କୋହଲିଙ୍କ ଯେମିତି କଳା ହରଣ ହୋଇଯାଇଛି। ସେ ବାରମ୍ବାର ଖରାପ ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ ସେ ଜଣେ ମହାନ୍ ଖେଳାଳି। ଏବେ ତାଙ୍କୁ ବିଶ୍ରାମ ଦିଆଯିବା ଆବଶ୍ୟକ। ୟା‌’ ଭିତରେ ସେ ମହାନ୍‌ ଖେଳାଳିଙ୍କ ପରାମର୍ଶ ନେଇ ନିଜ ବ୍ୟାଟିଂଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ।
ବିଶ୍ବନାଥ ଦାସ, ଖୋର୍ଦ୍ଧା

କୋହଲିଙ୍କ ସମୟ ସରି ଆସିଲାଣି। ଯୌବନାବସ୍ଥାରେ ମଣିଷ ସଫଳତାର ଶୀର୍ଷକୁ ଛୁଇଁପାରେ। କିନ୍ତୁ ତା’ ପରବର୍ତ୍ତୀ ଅବସ୍ଥାରେ ତା’ର ଉଦ୍ୟମତା ଓ ଲଢ଼ୁଆ ପ୍ରକୃତି କମି କମି ଯାଏ। ସମସ୍ତଙ୍କ କ୍ଷେତ୍ରରେ ଏହା ହୋଇଥାଏ। କୋହଲିଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୋଇଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଦୀନାନାଥ ଦାସ, ଲକ୍ଷ୍ମୀସାଗର
କୋହଲିଙ୍କ ସମୟ ସରି ଆସିଲାଣି। ତାଙ୍କୁ ଦଳରୁ ବାଦ୍‌ ଦେବା ଆବଶ୍ୟକ। ବିଶ୍ୱକପ ପାଇଁ ଦଳକୁ ସଂପୂର୍ଣ୍ଣ କରିବାକୁ ହେବ। ତାଙ୍କ ସ୍ଥାନ ପୂରଣ ହେବା ଆବଶ୍ୟକ।
ଶିବରାମ ଦାସ, ଜାମୁଝରି, ଖୋର୍ଦ୍ଧା

ମୁଁ କୋହଲିଙ୍କ ଜଣେ ଦୃଢ଼ ପ୍ରଶଂସକ। ଏବେ ତାଙ୍କର ଖରାପ ସମୟ ଆସିଛି। ସମସ୍ତଙ୍କର ଆସେ। ସେ ସବୁ ଫର୍ମାଟରେ ବିଶ୍ଵର ଏକ ନମ୍ବର ଖେଳାଳି। ତେଣୁ ତାଙ୍କୁ ଏବେ ସମୟ ଦିଆଯିବା ଆବଶ୍ୟକ। ତାଙ୍କୁ ଦଳରୁ ବାହାର କରି ଦେବା ଠିକ୍‌ ହେବ ନାହିଁ।
ବିଷ୍ଣୁପ୍ରସାଦ ସାହୁ, ଶରଣକୁଳ, ନୟାଗଡ଼

ବିରାଟ କୋହଲି ନିଜ ଟି-୨୦ କ୍ୟାରିୟରକୁ ନେଇ ନିଜେ ସମୀକ୍ଷା କରିବା ଆବଶ୍ୟକ। ଯେମିତି ମୋର୍ଗାନ୍‌ ସମୀକ୍ଷା କରି ଦଳର ହିତ ପାଇଁ ଅବସର ନେଲେ, ସେମିତି କୋହଲି ଟି-୨୦ରୁ ଅବସର ନେଇ ୱାନ୍-ଡେ’ ଏବଂ ଟେଷ୍ଟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଭାରତୀୟ କ୍ରିକେଟ୍‌ ପ୍ରତି କୋହଲିଙ୍କ ଅବଦାନ ଅତୁଳନୀୟ। ତାଙ୍କ ଦକ୍ଷତାକୁ ନେଇ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ବର୍ତ୍ତମାନର ଟି-୨୦ ଦଳରେ ତାଙ୍କର ଆବଶ୍ୟକତା ନାହିଁ। ଇଶାନ୍ କିଷାନ୍ ଏବଂ ଦୀପକ ହୁଡ଼ା ନିୟମିତ ଖେଳିବା ଆବଶ୍ୟକ।
ଶୁଭ୍ରାଶୁଂ ସେନାପତି, ଭଦ୍ରକ

କୋହଲିଙ୍କ ସମୟ ସରିନାହିଁ। କେବଳ ତାଙ୍କ କ୍ରୀଡ଼ା ଜୀବନରେ ଆକାଶର ଭସା‌ ବାଦଲ ପରି ଏକ ଆସ୍ତରଣ ସୃଷ୍ଟି ହୋଇଛି। ତାଙ୍କର ଏକାଗ୍ରତା, ଯୋଗ୍ୟତା, ତାଙ୍କ ଉପରେ ଲୋକଙ୍କ ବିଶ୍ବାସ ଓ ସମର୍ଥନ ବଳରେ ସେ ପୁଣିଥରେ ସୂର୍ଯ୍ୟଙ୍କ ଭଳି ଚମକିବେ। ତେଣୁ ତାଙ୍କୁ ଦଳରୁ ବାହାର କରିବା ଠିକ୍‌ ନିଷ୍ପତ୍ତି ହେବ ନାହିଁ।
କିରଣ ମହାରଣା, ଭୁବନେଶ୍ବର

ଭାରତୀୟ କ୍ରିକେଟ୍ ଦଳରେ କୋହଲିଙ୍କ ପ୍ରଦର୍ଶନ ଭାରୀ ଶୋଚନୀୟ ହୋଇପଡ଼ିଛି। କିନ୍ତୁ ଦିନେଶ୍ କାର୍ତିକଙ୍କ ଭଳି ଅଭିଜ୍ଞ ବ୍ୟାଟସମ୍ୟାନ୍‌ ଯଦି ନିଜ ନିଷ୍ଠା ଓ ପରିଶ୍ରମ ବଳରେ ଭାରତୀୟ ଦଳକୁ ଫେରି ପାରିଲେ, କୋହଲି ବି ବଡ଼ ଆରାମରେ ତାହା କରିପାରିବେ। ତେଣୁ ତାଙ୍କର ସମୟ ସରି ସରି ଆସୁଛି ବୋଲି କହିବା ଠିକ୍‌ ହେବ ନାହିଁ।
ଦେବାଶିଷ ସାହୁ, ଜାଗମରା, ଭୁବନେଶ୍ବର

ସମ୍ବନ୍ଧିତ ଖବର