ଫୋନ୍‌-ଇନ୍‌-ପ୍ଲିଜ୍‌ : କୁଆଡ଼େ ଗଲା ଅସଲ ଚାବି?

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପରେ ରାଜ୍ୟ ସାରା ତମ୍ବିତୋଫାନ ହେଲା। ତଦନ୍ତ କମିଟି ବି ବସିଲା। ଚାବି ମିଳିଲା, ମାତ୍ର ତାହା ଅସଲି ଚାବି ନୁହେଁ ବୋଲି ଏବେ ଚର୍ଚା ଜୋର୍‌ ଧରିଛି। ନକଲି ଚାବି ଯଦି ରହିଛି, ତେବେ ମୁଖ୍ୟ ଚାବି କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ ଏହି ଚାବି ପ୍ରସଙ୍ଗକୁ ନେଇ ‘ସମ୍ବାଦ’ ପକ୍ଷରୁ ଫୋନ୍‌ ମାଧ୍ୟମରେ ପାଠକଙ୍କ ମନର କଥାକୁ ନେଇ ଆମର ଏହି ଉପସ୍ଥାପନା…

ଭକ୍ତଙ୍କ ଭାବ ସହ ଖେଳ ଚାଲିଛି
ଏବେ ଯାହା ଛାଲିଛି ଏହା ଭକ୍ତଙ୍କ ଭାବ ସହ ଖେଳ ଚାଲିଛି। ଏହା ବିଶ୍ୱର ଏକ ଦୁଃଖଦ ଘଟଣା। ନକଲି ଚାବି ଅଛି ଯଦି ଅସଲ ଚାବି ବି ରହିଛି। ସରକାର ଏହାର ତୁରନ୍ତ ତଦନ୍ତ କରନ୍ତୁ। ଏବେ ଯାହା ସବୁ ଯୋଜନା କରାଯାଉଛି ତାହା କାଗଜପତ୍ରରେ ରହିଯାଉଛି। ଏହାର ସତ୍ୟତାକୁ ଲୋକଲୋଚନକୁ ଅଣାଯାଉ। ଏବଂ ଏହି ପ୍ରସଙ୍ଗ ଉପରେ ପୂର୍ଣ୍ଣଚ୍ଛେଦ ପକାଯାଉ।
ତୁଷାରକାନ୍ତ ଓଝା, ଚଣ୍ଡିଖୋଲ

ଏହା ପଣ୍ଡାମାନଙ୍କର କାରସାଦି
ଜଗନ୍ନାଥଙ୍କର ମହିମା ନାହିଁ। ନବକଳେବରଠାରୁ ଏହି ସବୁ ଅବହେଳା ଦେଖାଯାଇଛି। ପଣ୍ଡାମାନଙ୍କର ଏହା ସବୁ କାରସାଦି, ଅନ୍ୟ କିଛି ନୁହେଁ।
ଅଳକାନନ୍ଦ ମହାପାତ୍ର, ପଳାଶପଲ୍ଲୀ

ଏବେ ରତ୍ନ ଭଣ୍ଡାର ଖୋଲିବାର ରହସ୍ୟ କଣ
ମୋର ଗୋଟିଏ ପ୍ରଶ୍ନ ଯେ ବହୁ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଇଥିଲା। ତାହାପରେ କାହିଁକି ଖୋଲାଯାଇ ନାହିଁ। ଏତେ ବର୍ଷ ବ୍ୟବଧାନ ପରେ ଖୋଲିବାର ରହସ୍ୟ କଣ?
ଚନ୍ଦ୍ରମଣି ପ୍ରଧାନ, ଶିଶୁପାଳଗଡ଼

ନିରପେକ୍ଷ ତଦନ୍ତ କରାଯାଉ
ବିଜେଡି ବିଜେପିକୁ ବିଜେପି ବିଜେଡିକୁ ଦୋଷ ଦେବାରେ ଲାଗିଛନ୍ତି। ଏହାକୁ ଧ୍ୟାନ ନ ଦେଇ ନିରପେକ୍ଷ ତଦନ୍ତ କରାଯାଉ। ମନ୍ତ୍ରୀ ପ୍ରତାପ ଜେନା ଏହା ଉପରେ ମତ ଦେଲେ ଠିକ୍‌ ହେବ।
ସମୀର ଜେନା, ଖୋର୍ଦ୍ଧା

ଭକ୍ତଙ୍କ ଭାବ ସହ ଖେଳା ନଯାଉ
ଦିନରେ ଲଣ୍ଠନ ଦେଖାଯାଉଛି। ଭକ୍ତଙ୍କ ଭାବ ସହ ଚାବି ଜଡ଼ିତ ଅଛି। ସେଥିପାଇଁ ଭାବ ସହ ଖେଳ ନ କରି ଏହାର ତଦନ୍ତ କରାଯାଉ। ଚାବି ମିଳିନି, ଏହି ପ୍ରସଙ୍ଗ ପ୍ରତି କିଏ ଦାୟୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ।
ଛାୟାକାନ୍ତ ନାୟକ, ଖାଉଟି ସୁରକ୍ଷା ମଞ୍ଚ ଆବାହକ, ପୁରୀ

ଚାବି କେମିତି ହଜିଲା?
ଦେଢ଼ ଫୁଟର ଚାବି କିପରି ହଜିଗଲା ସରକାର ଏ ନେଇ ଅବଗତ ନୁହନ୍ତି। ସେବାୟତମାନେ ସବୁ ସମ୍ପତ୍ତିକୁ ଖାଇ ଲୁଟିଛନ୍ତି। ଏବେ ଏସବୁ ପ୍ରହସନ ଚାଲିଛି।
ଧର୍ମପଦ ମହାରଣା, ବ୍ରହ୍ମଗିରି

ପ୍ରସଙ୍ଗର ତଦନ୍ତ ହେବା ଦରକାର
ପାରମ୍ପରିକ ଭାବେ ପ୍ରଶାସନ ପୂର୍ବରୁ ଗଜପତିଙ୍କ ପାଖରେ ଚାବି ରହୁଥିଲା। ଏବେ ଚାବି ହଜିଛି ସେଥିପାଇଁ ଏହାର ତଦନ୍ତ ହେବା ଦରକାର। ବର୍ତମାନ ଜିଲ୍ଲାପାଳଙ୍କୁ ସଫେଇ ଦେବାର ଆବଶ୍ୟକତା ନାହିଁ। ବଡ଼ କଥା ହେଉଛି ମନ୍ଦିର ଭିତରେ ଥିବା ସମ୍ପତ୍ତି ଏବେ ସୁରକ୍ଷିତ ଅଛି କି ନାହିଁ। ଅସଲ ଚାବି ହଜି ଯାଇଛି ନା ହଜାଯାଇଛି। ଏହା ବଡ଼ ପ୍ରଶ୍ନ?
ଡ. ବଳରାମ ଦାସ, ପୁରୀ

ପ୍ରଶାସନର ଏଥିରେ କିଛି ହାତ ନାହଁ
ଜିଲ୍ଲାପାଳଙ୍କୁ ଅଭିଯୋଗ ହେଉଛି ଯାହା ଆଦେ ଗ୍ରହଣ ଯୋଗ୍ୟ ନୁହେଁ। ମନ୍ଦିର ଭିତରୁ ସବୁ ସମ୍ପତ୍ତିକୁ ଅପହରଣ କରାଯାଇଛି ବୋଲି ମୋର ଧାରଣା। କିଛି ଲୋକଙ୍କ ଉପରେ ସନ୍ଦେହ ଅଛି କିନ୍ତୁ ଏହାକୁ ମୁଁ ଉତ୍‌ଥାନ କରିବାକୁ ଚାହୁଁ ନାହିଁ। ପ୍ରଶାସନର ଏଥିରେ କିଛି ହାତ ନାହିଁ।
ଗୋବିନ୍ଦ ଚନ୍ଦ୍ର ମହାରଣା, ବାଟମଙ୍ଗଳା ପୀଠ

ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରାଯାଉଛି
ଚାବି ହଜିନାହିଁ। ସରକାର ଚାବି ହଜାଇଛନ୍ତି। ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।
ସନ୍ତୋଷ ପାତ୍ର, ବାରଙ୍ଗ

ଚାବି ହଜିବା ଏକ ପ୍ରହସନ
ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାନିଯୋଗ ମଧ୍ୟରେ ସମନ୍ଵୟ ଅଭାବରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଚାବି ହଜିବା ଏକ ପ୍ରହସନ। ଏହାକୁ ଭିନ୍ନ ରୂପ ଦିଆଯାଉଛି।
ନବନୀତ ଧଳ, ଖଣ୍ଡଗିରି

ମନ୍ଦିର ପ୍ରଶାସନ ଓ ସରକାର ଦାୟୀ
ରତ୍ନ ଭଣ୍ଡାର ଚାବି ହଜିବାରେ ମନ୍ଦିର ପ୍ରଶାସନ ମୁଖ୍ୟ ଓ ସରକାର ଦାୟୀ।
ପଦ୍ମନଭ୍ରତା, ରାୟଗଡ଼ା

ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ
ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅନୁରୋଧ, ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ।
ହରିହର ସମର୍ଥା, ପୁରୀ, ମାର୍କେଣ୍ଡେଶ୍ୱର ସାହି

ସମସ୍ତ ପଦାଧିକାରୀଙ୍କୁ ଡାକି ତଦନ୍ତ ହେଉ
ଶ୍ରୀମନ୍ଦିର ଚାବି କେମିତି ହଜିଲା? ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି। ବିଶେଷ କରି ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ନିଶ୍ଚୟ ରହିଛି। ଅସଲି ଚାବି ନାହିଁ ଯଦି ଏହାର ନକଲି କେଉଁଠୁ ଆସିଲା? ଶେଷଥର ରତ୍ନ ଭଣ୍ଡାର ଖୋଲା ହେବାଠାରୁ ଆଜି ପର୍ଯ୍ୟନ୍ତର ସମସ୍ତ ପଦାଧିକାରୀଙ୍କୁ ଡାକି ତଦନ୍ତ କରାଗଲେ ପ୍ରକୃତ ସତ ସାମ୍ନାକୁ ଆସିବ।
ପ୍ରବୀର କୁମାର ଦାଶ, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର

ଜଗନ୍ନାଥଙ୍କୁ ନେଇ ରାଜନୀତି ନହେଉ
ରତ୍ନଭଣ୍ଡାର ଖୋଲା ହେବା ଉଚିତ୍‌। ତା’ ଭିତରେ ମହାପ୍ରଭୁଙ୍କର ଯାହା ବି ସମ୍ପତ୍ତି ରହିଛି, ସେସବୁର ତାଲିକା କରାଯାଇ ଲୋକଙ୍କ ସମ୍ମୁଖରେ ରଖାଯାଉ। ଜଗନ୍ନାଥଙ୍କୁ ନେଇ କୌଣସି ରାଜନୀତି ନ କରାଯାଇ ବରଂ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରାଯାଉ।
ମଦନମୋହନ ମହାପାତ୍ର, ବାଣପୁର

ସେହି ୧୨ଜଣଙ୍କଠାରୁ ତଦନ୍ତ ଆରମ୍ଭ ହେଉ
ରତ୍ନଭଣ୍ଡାର ମାର୍ଚ୍ଚ ୨୦ତାରିଖରେ ଖୋଲିବାର ଥିଲା, ତାହା କାହିଁକି ଖୋଲିଲା ନାହିଁ? ଏହି ପ୍ରଶ୍ନର ଉତ୍ତର ସହ ଚାବି କାହା ପାଖରେ ରୁହେ ଓ ନକଲି ଚାବି ପ୍ରକୃତରେ କାହା ପାଖରେ ଥିଲା ସେନେଇ ତଦନ୍ତ କରାଯାଉ। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତା’ ଦାୟିତ୍ୱ ଠିକ୍‌ ଭାବରେ କରୁ ନଥିବାରୁ ଏତେ ସବୁ ଅସୁବିଧା ହେଉଛି। ଶେଷ ଥର ପାଇଁ ଯେବେ ଚାବି ଖୋଲା ଯାଇଥିଲା, ସେତେବେଳେ ଯେଉଁ ୧୨ଜଣ ଉପସ୍ଥିତ ଥିଲେ ସେମାନଙ୍କଠାରୁ ହିଁ ତଦନ୍ତ ଆରମ୍ଭ ହେଉ।

କୈଳାସ ମାଝୀ, ବୋଲଗଡ଼
ରାଜ୍ୟ ସରକାର ସବୁ ଜାଣିଛନ୍ତି
ଗଜପତି ମହାରାଜ ଏନେଇ ନିରବ ଅଛନ୍ତି। ରାଜ୍ୟ ସରକାର ମଧ୍ୟ କିଛି କିଛି ଜାଣିଛନ୍ତି। ସମସ୍ତେ ସବୁ ଜାଣି ନିଜ ସ୍ୱାର୍ଥ ପାଇଁ ଚୁପ୍‌ ବସିପଡ଼ିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ ପହଞ୍ଚାଉଛି।
ଅଖିଳ ନାଥ ସାହୁ, ନୟାଗଡ଼

ଡୁପ୍ଲିକେଟ୍‌ ଚାବିର ଆବିର୍ଭାବ ନେଇ ତଦନ୍ତ ହେଉ
ଦୁଇ ମାସ ପୂର୍ବରୁ ଯେଉଁ କାର୍ଯ୍ୟ କରାଯିବାର ଥିଲା, ତାକୁ ନେଇ ଅବହେଳା କରାଯାଇଛି। ତେବେ ଚାବି ହଜିବା ଏବଂ ହଠାତ୍‌ ଚାବି ମିଳିବା ଖବର ଶୁଣି ଲାଗୁଛି ଯେମିତି କେହି ଜଣେ ଚାପରେ ପଡ଼ି ଏମିତି କରିଛି। ଘଟଣାଟି ସମ୍ପୂର୍ଣ୍ଣ ରହସ୍ୟମୟ ଲଗୁଛି। ଏହା ସହ ରତ୍ନଭଣ୍ଡାରରେ ପଡ଼ିଥିବା ୩ଟି ତାଲା ମଧ୍ୟରୁ ଗୋଟିଏରେ ଜଉ ମୁଦ ଦିଆଯାଇଛି। ଅନ୍ୟ ଦୁଇଟିରେ ଦିଆଯାଇନାହିଁ। ତେବେ ଏଭଳି କେବେ ଓ କାହିଁକି ହୋଇଛି ସେନେଇ ତନାଘନା କରାଯାଉ।
ଦୟାନିଧି ତ୍ରିପାଠୀ

ସମ୍ବନ୍ଧିତ ଖବର