ଭୁବନେଶ୍ବର ମହାନଗର ସଂସ୍କରଣ
ମହାବିଦ୍ୟାଳୟସ୍ତରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ଠିକ୍ ନୁହେଁ। ଶୈକ୍ଷିକ ବାତାବରଣ ରହୁନାହିଁ କହି ଛାତ୍ରନେତା ଗଢ଼ିବାର ପ୍ରକ୍ରିୟାର ବିନାଶ କରାଯାଉଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରକୁ ଶିଖାଇବାର ବାଟ ସରକାର ବନ୍ଦ କରୁଛନ୍ତି।
ରମେଶ ଚନ୍ଦ୍ର ନାୟକ, କଟକ
ଛାତ୍ରନେତା ତିଆରି ହେବାର ଛାତ୍ର ସଂସଦ ନିର୍ବାଚନର ଭୂମିକା ଗୁରୁତ୍ବପୂର୍ଣ୍ଣ। ୬ ବର୍ଷ ହେଲା ଏହା ବନ୍ଦ ହେବା ଫଳରେ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଉ ନାହାନ୍ତି। ନିଜ ହକ୍ ପାଇଁ ଲଢ଼ିବାର ମାଧ୍ୟମ ମଧ୍ୟ ବନ୍ଦ ହୋଇଛି।
ନୀଳମଣି ମିଶ୍ର,ସୁନ୍ଦରପଦା
ମହାବିଦ୍ୟାଳୟସ୍ତରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ଶୁଭଙ୍କର ନୁହେଁ। ଛାତ୍ରମାନେ ନାଗରିକ ହେବା ଅଗରୁ ଯେଉଁ ଶିକ୍ଷା ପାଇବା କଥା ତାହା ପାଇପାରୁ ନାହାନ୍ତି।
ଆନନ୍ଦ ମିଶ୍ର, ଭୁବନେଶ୍ୱର
ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ବର୍ତ୍ତମାନର ନେତାଙ୍କ ପାଇଁ ଭଲ ଲକ୍ଷଣ ନୁହେଁ। ତାଙ୍କପରେ ରାଜନେତା କିଏ ହେବେ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ।
ସୁକାନ୍ତ କୁମାର ସାହୁ, ପୁରୁଣା ଭୁବନେଶ୍ୱର
ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ହେଉଛି ନେତାଙ୍କ ଏନ୍ତୁଡ଼ିଶାଳ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କୁହନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେବାର ଅର୍ଥ ଯୁବ ନେତୃତ୍ୱର ଭ୍ରୂଣହତ୍ୟା କରିବା। ନେତାଜୀ ସୁଭାଷ ବୋଷ ମଧ୍ୟ କହିଥିଲେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବା ଉଚିତ। ତେଣୁ ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳାର ସହ କରାଯିବା ଆବଶ୍ୟକ।
ସୁଧାକର ଦାସ, ପିଏନ କଲେଜ
ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତ ରାଜନେତା ତିଆରି ହେବାର କାରଖାନା। ନିଜର ଅପାରଗତା ଲୁଚାଇବାକୁ ସରକାର ମହାବିଦ୍ୟାଳୟସ୍ତରରେ ଏଭଳି ଏକ ଚଞ୍ଚକତା କରିଛନ୍ତି।
ସନ୍ତୋଷ କୁମାର ମହାପାତ୍ର, ସୁନ୍ଦରପଦା
ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ଛାତ୍ରଛାତ୍ରୀଙ୍କ ନେତୃତ୍ୱର ଭ୍ରୂଣହତ୍ୟା ସହ ସମାନ।
ଦିନାନାଥ ଦାସ, ଲକ୍ଷ୍ମୀସାଗର
ଛାତ୍ରମାନେ ଦେଶର ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟରେ ମହାବିଦ୍ୟାଳୟରେ ନିର୍ବାଚନ ବନ୍ଦ ହେଲେ ନୂଆ ନେତୃତ୍ୱ ସୃଷ୍ଟି ହେବେ ନାହିଁ। ହେଲେ ଏବେଠାରୁ ନେତୃତ୍ବର ଭ୍ରୂଣହତ୍ୟା କରିବା ଠିକ୍ ନୁହେଁ।
ମାନସ ଦାସ, ପଟିଆ
ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ନିନ୍ଦନୀୟ। ଶିକ୍ଷିତ ଯୁବକ ଯୁବତୀ ରାଜନେତା ହେବାପାଇଁ ଆଉ ଆଗ୍ରହ ଦେଖାଇବେ ନାହିଁ। ଫଳରେ ଓଡ଼ିଶାରେ ଭଲ ନେତା ବାହାରିବେ ନାହିଁ।
ଦିଲ୍ଲୀପ କୁମାର ବିଶୋଇ, ଓଡ଼ଗାଁ
ଛାତ୍ର ସଂସଦ ନିର୍ବାଚନକୁ ବାରମ୍ବାର ବନ୍ଦ କରିବା ଛାତ୍ର ସମାଜର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ଛାତ୍ର ସଂସଦ ନିର୍ବାଚନରେ ସାମିଲ ହେବା ଓ ସେମାନଙ୍କ ପ୍ରତିନିଧି ବାଛିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାର। ରାଜ୍ୟ ସରକାର ଛାତ୍ରଙ୍କ ମତକୁ ଦମନ କରି ଛାତ୍ର ନେତୃତ୍ବର ଭ୍ରୂଣ ହତ୍ୟାରେ ଲିପ୍ତ। ଛାତ୍ର ସମାଜର ଅଧିକାର ପାଇଁ ଲଢ଼େଇ କରୁଥିବା ପ୍ରତ୍ୟେକ ଛାତ୍ରନେତାମାନଙ୍କୁ ସରକାରଙ୍କ ଏହି ଦମନ ନୀତି ବିରୋଧରେ ଲଢେ଼ଇ କରିବାକୁ ପଡ଼ିବ।
ବାଦଲ ସାହୁ, କାକଟପୁର
ଛାତ୍ର ସଂସଦ ନିର୍ବାଚନ ବନ୍ଦ ଶୁଭଙ୍କର ନୁହେଁ। ଏହାଦ୍ବାରା ଦେଶର ଉନ୍ନତି ଅସମ୍ଭବ।
ପରମାନନ୍ଦ ଛୋଟରାୟ, ପୁରୁଣା ଭୁବନେଶ୍ବର
ଗଣତନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି କଲେଜ। ନେତୃତ୍ବର ଭ୍ରୂଣହତ୍ୟା କରିବାକୁ ଯାଇ ଛାତ୍ର ଓ ଛାତ୍ରୀମାନଙ୍କ ସାମ୍ବିଧାନିକ ଅଧିକାରକୁ ସରକାର ବିଗତ ୬ ବର୍ଷ ହେଲା ଛଡ଼େଇ ନେଇଛନ୍ତି। ଫଳରେ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟର ବିକାଶ ସଠିକ ଭାବରେ ହେଇ ପାରୁନାହିଁ। ସରକାର ଗଣତନ୍ତ୍ରର ହତ୍ୟା କରି ଦଳତନ୍ତ୍ରର ବିକାଶ ପାଇଁ ଚେଷ୍ଟା କରୁଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ଛାତ୍ର ସମାଜ ଓ ଛାତ୍ର ଶକ୍ତିକୁ ସରକାର ପ୍ରବଳ ଭୟ କରୁଛନ୍ତି। ନେତୃତ୍ବର ଅଙ୍କୁରାରୋପଣ ପାଇଁ ଛାତ୍ର ସଂସଦ ନିର୍ବାଚନ ଏକ ଉତ୍କୃଷ୍ଟ ମାଧ୍ୟମ ଅଟେ। ନିର୍ବାଚନ ପାଇଁ ରାଜ୍ୟ ସରକାର ପୁଣି ଥରେ ଚିନ୍ତା କରିବା ଆବଶ୍ୟକ।
ଆକାଶ ମିଶ୍ର, ଭୁବନେଶ୍ବର
ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଅପାରଗ ରାଜ୍ୟ ସରକାର ଛାତ୍ର ନେତୃତ୍ବର ହତ୍ୟା କରୁଛନ୍ତି। ଛାତ୍ର ସଂସଦ ନିର୍ବାଚନ ହେଉନଥିବାରୁ କଲେଜଗୁଡ଼ିକରେ କୌଣସି ପ୍ରକାର ବାର୍ଷିକ ଉତ୍ସବ, ଖେଳ, ବିଭିନ୍ନ ସମସ୍ୟା ସମାଧାନ ହେଉନାହିଁ। ଛାତ୍ର ସଂସଦ ନିର୍ବାଚନ ହେଲେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସ୍ୱର କର୍ତ୍ତୃପକ୍ଷଙ୍କ ନିକଟରେ ଠିକ୍ ଭାବେ ଉପସ୍ଥାପନା ହୋଇପାରିବ। ତେଣୁ ଏଥିପ୍ରତି ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ଅନୁରୋଧ।
ରଜତ କୁମାର ପରିଡ଼ା, ରାଜଧାନୀ ମହାବିଦ୍ୟାଳୟ
ବ୍ରହ୍ମପୁର ସଂସ୍କରଣ
କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା କଥା ନୁହେଁ। ଏପରି କରି ରାଜ୍ୟ ସରକାର ଛାତ୍ରନେତାଙ୍କ ବାଟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଯେଉଁଠାରେ ବିବାଦ ଦେଖାଦେଉଛି ସେଠାରେ ନିର୍ବାଚନ ବନ୍ଦ କରି ଅନ୍ୟ ସମସ୍ତ କଲେଜରେ ନିର୍ବାଚନ କରାଯାଉ।
ଅନନ୍ତ କୁମାର ମହାରଣା, ଦେଉଳପଡ଼ା
ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରି ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି। ରାଜ୍ୟ ସରକାର କଲେଜ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ ଥିବାରୁ ଏହାକୁ ବନ୍ଦ କରିଦେଇଛନ୍ତି। ଏହାର ପ୍ରତିବାଦ ହେବା ଉଚିତ।
ଡି. ପ୍ରକାଶ ରାଓ, ଚିକଲଖଣ୍ଡି
ପ୍ରାୟ ୬ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଫଳରେ କଲେଜର ବାତାବରଣ ଶାନ୍ତ ରହିଛି। ନିର୍ବାଚନ ବେଳେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଗୋଷ୍ଠୀ ବିବାଦ ଦେଖାଦେଇ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ନିର୍ବାଚନ ବନ୍ଦ ହେବାରୁ ପିଲାମାନେ ଶାନ୍ତିରେ ପାଠ ପଢ଼ୁଛନ୍ତି।
କାମରାଜୁ ଗୌଡ଼, ଦେଉଳପଲ୍ଲୀ
ଜୟପୁର ସଂସ୍କରଣ
ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ଜଣେ ଛାତ୍ରନେତା ପରବର୍ତ୍ତୀ ସମୟରେ ରାଜ୍ୟ ଓ ଦେଶର ନେତୃତ୍ବ ନେବା ଉଦାହରଣ ଅପେକ୍ଷାକୃତ ଅତି କମ୍। ତେଣୁ ଜଣେ ଯୁବକଙ୍କ ନେତୃତ୍ବ ପାଇଁ ମହାବିଦ୍ୟାଳୟର ନିର୍ବାଚନ ଏକ ମାତ୍ର ମଧ୍ୟମ ବୋଲି ମୁଁ ଅନୁଭବ କରୁନାହିଁ। କଲେଜ ନିର୍ବାଚନରେ କିଛି ନେତୃତ୍ବ ବାହାରି ଥାଇପାରନ୍ତି କିନ୍ତୁ ନେତୃତ୍ବ ବିକାଶ ହେବାର ଏକ ମାତ୍ର ପୃଷ୍ଠଭୂମି କଲେଜ ରାଜନୀତି ନୁହେଁ।
ସବ୍ୟସାଚୀ ପରିଡ଼ା, ଜୟପୁର, କୋରାପୁଟ
ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ନିଶ୍ଚିତ ଭାବେ ନେତୃତ୍ବର ଭ୍ରୂଣହତ୍ୟା ବୋଲି କୁହାଯାଇ ପାରିବ। କାରଣ ଛାତ୍ର ସଂସଦ ନିର୍ବାଚନରେ ନେତୃତ୍ବ ନେଉଥିବା ବହୁ ଛାତ୍ର ପରବର୍ତ୍ତୀ ସମୟରେ ଦେଶର ନେତୃତ୍ବ ନେବାର ନିଜର ରହିଛି। ସେହିପରି କଲେଜ ସମସ୍ୟାର ସମାଧାନ କରିବାରେ ଛାତ୍ରନେତା ସଫଳ ହେଉଥିଲେ। ଜଣେ ପାଠ ପଢ଼ିଲେ ହିଁ ସୁନାରିକ ହେବେ ସେମିତି ନୁହେଁ। ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ପାଇଁ ଛାତ୍ର ସଂସଦ ସେମାନଙ୍କୁ ମଞ୍ଚ ପ୍ରଦାନ କରୁଥିଲା।
ଆଶୁତୋଷ ସାନ୍ତ୍ରାପାତ୍ର, ଜୟପୁର, କୋରାପୁଟ
ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେତୃତ୍ବର ଭ୍ରୂଣହତ୍ୟା। ନିର୍ବାଚନ ହିଂସା ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ଯୁକ୍ତିହୀନ ତର୍କ। ସଂସଦ ଓ ବିଧାନସଭାର ନିର୍ବାଚନ ଯଦି ଶାନ୍ତିଶୃଙ୍ଖଳାରେ କରାଯାଇ ପାରୁଛି, ତେବେ ମହାବିଦ୍ୟାଳୟ ନିର୍ବାଚନ କରିବାରେ ଅସୁବିଧା କଣ?
ନିଶାରାଣୀ ସାହୁ, ପାଞ୍ଜିଆଗୁଡ଼ା, ଜୟପୁର
କିଛି ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ନେତୃତ୍ବର ଭ୍ରୂଣହତ୍ୟା କରାଯାଇଛି ବୋଲି କୁହାଯାଇପାରିବ। ମହାବିଦ୍ୟାଳୟ ନିର୍ବାଚନ ଆୟୋଜିତ ନହେଲେ ଜଣେ ଛାତ୍ର ନେତୃତ୍ବ ନେବାର ସୁଯୋଗ କେଉଁଠୁ ପାଇବେ? ସୁଯୋଗ ନପାଇଲେ ନିଜକୁ ଗଢ଼ିବେ କିପରି? ତେଣୁ ସରକାର ଶୃଙ୍ଖଳ ରକ୍ଷା କରି ନିର୍ବାଚନ କରିବା ଉଚିତ ହେବ।
କାହ୍ନୁଚରଣ ମହାଭୋଇ, ଜୟପୁର, କୋରାପୁଟ
ଆମେ ଭୁଲିବା ଉଚିତ ନୁହଁ, ମହାବିଦ୍ୟାଳୟରେ ମଞ୍ଚସ୍ଥ ହୋଇଥିବା ନାଟକର ଅଭିନୟ ଯୋଗୁଁ ଶ୍ରୀରାମ ପଣ୍ଡା ଚଳଚ୍ଚିତ୍ର କରିବାକୁ ସୁଯୋଗ ପାଇଥିଲେ। ନାଟ୍ୟ ସଂସଦ ହେତୁ ତାହା ସମ୍ଭବପର ହୋଇପାରିଥିଲା। ତେଣୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି କେବଳ ନେତୃତ୍ବର ଭ୍ରୂଣହତ୍ୟା ହେଉନି ବରଂ କଳାକାର ଓ କ୍ରୀଡ଼ାବିତ୍ଙ୍କ ପ୍ରତିଭାର ବିକାଶରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହେଉଛି।
ଅଳକା ସାହୁ, ରାୟଗଡ଼ା
ନିଶ୍ଚିତ ଭାବେ ଗତ କିଛି ବର୍ଷ ହେଲା ଛାତ୍ର ନେତୃତ୍ବର ଭ୍ରୂଣହତ୍ୟା ହୋଇଚାଲିଛି। କ୍ୟାମ୍ପସ ହିଂସା ପାଇଁ ଯଦି ନିର୍ବାଚନ ବନ୍ଦ କରାଯାଇଛି, ତେବେ ନିର୍ବାଚନ ବନ୍ଦ କରିବା ପରେ ହିଂସା ହ୍ରାସ ପାଇଛି କି? ତେଣୁ ଏଭଳି ଯୁକ୍ତିର କିଛି ମୂଲ୍ୟ ନାହିଁ।
ମୃତ୍ୟୁଞ୍ଜୟ ସେଠୀ, କୋରକୁଣ୍ଡା, ମାଲକାନଗିରି
ସ୍ବାଭାବିକ ଭାବେ ନେତୃତ୍ବର ଭ୍ରୂଣହତ୍ୟା ହେଉଛି। ଜଣେ ଛାତ୍ର ମହାବିଦ୍ୟାଳୟରେ କେବଳ ପ୍ରଶାସନିକ ଅଧିକାରୀ ହେବା ପାଇଁ ନୁହେଁ, ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭା ବିକାଶ କରିବା ଉଦ୍ଦେଶ୍ୟରେ କଲେଜକୁ ଆସିଥାଏ।
ବିକାଶ କୁମାର ଭୂୟା, ଧୋଡ୍ରା, ନବରଙ୍ଗପୁର
ଛାତ୍ର ସଂସଦ ନିର୍ବାଚନ ବନ୍ଦ, ନେତୃତ୍ବର ଭ୍ରୂଣହତ୍ୟା ଅକ୍ଷରାର୍ଥେ ସଂପୂର୍ଣ୍ଣ ସତ। କାରଣ ପୂର୍ବରୁ ଅନେକ ରାଜନେତା ଛାତ୍ର ଜୀବନରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରି ଛାତ୍ରନେତା ହୋଇଥିଲେ। ଶିକ୍ଷା ସମାପ୍ତ ପରେ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହୋଇ ଦେଶର ସେବା କରିବାର ଅନେକ ନଜିର ରହିଛି।
ନରସିଂହ ପାଢୀ ସାମ୍ବାଦିକ, ରାୟଗଡା
ଛାତ୍ର ସଂସଦ ନିର୍ବାଚନ ହେଲେ ନୂଆ ଛାତ୍ରନେତା ବାହାରିବା ସହ ଛାତ୍ରଙ୍କ ସମସ୍ୟା ସହ ଜଡିତ ହୋଇ ନେତୃତ୍ୱ ନେବାର ଦକ୍ଷତା ହାସଲ କରିପାରିବେ।
ସତୀଶ ସାହୁ, ଜୟପୁର
ନିର୍ବାଚନ ନ କରାଇବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି। ସାଧାରଣ ନିର୍ବାଚନରେ ୧୮ବର୍ଷ ଅତିକ୍ରମ କଲେ ଜଣେ ଯଦି ଭୋଟ ଦେଇପାରୁଛି, କଲେଜରେ କାହିଁକି ନିର୍ବାଚନ ହୋଇପାରିବନାହିଁ। ଗଣତନ୍ତ୍ରରେ ରାଜତନ୍ତ୍ରର ପ୍ରଭାବ ରହିବା ଠିକ ନୁହେଁ, ଏହା ଗଣତନ୍ତ୍ରକୁ ହତ୍ୟା ସଦୃଶ।
ସୂର୍ଯ୍ୟ ପଟ୍ଟନାୟକ, ଜୟପୁର
ଛାତ୍ରନେତା ବାହାରିଲେ ସୁସ୍ଥ ଓ ବିକଶିତ ସମାଜ ଗଠନ ହୋଇପାରିବ। ପରିବାର ରାଜନୀତିରେ ଅଙ୍କୁଶ ଲାଗିବ। ତେଣୁ ବେଳ ଥାଉଣୁ ରାଜ୍ୟ ସରକାର ଛାତ୍ର ନିର୍ବାଚନ କରାଇ ସରକାର ପିଲାଙ୍କୁ ସେମାନଙ୍କ ଅଧିକାର ଦିଅନ୍ତୁ।
ସନ୍ଦୀପ ସାମନ୍ତରାୟ, ଜୟପୁର
ମାର୍ଗଦର୍ଶିକା ଅନୁସାରେ ଏବଂ ଶୃଙ୍ଖଳିତ ପରିବେଶ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯାଉ। ଛାତ୍ରଛାତ୍ରୀଙ୍କୁ ନିଜ ସମସ୍ୟା ଜଣାଇବା ପାଇଁ ନିର୍ବାଚିତ ଛାତ୍ରନେତାଙ୍କୁ ସୁଯୋଗ ଦିଆଯାଉ।
ଅନିତା ପରିଡ଼ା, ଛାତ୍ରୀ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ
ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଦ୍ୱାରା ଅଶିକ୍ଷିତ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କ ପ୍ରଭାବ ଅଧିକରୁ ଅଧିକ ବୃଦ୍ଧି ପାଇବ। ସେହିପରି ସମାଜ ଭବିଷ୍ୟତରେ ଜଣେ ଶିକ୍ଷିତ, ସାହସୀ ଓ ସଂଗ୍ରାମୀ ନେତାଙ୍କୁ ପାଇବାରୁ ବଞ୍ଚିତ ହେବ।
ନରହରି ହରିଜନ, ଜୟପୁର
ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇ ଏକପ୍ରକାର ଭଲ ହୋଇଛି। ଛାତ୍ରଛାତ୍ରୀ ଅଧ୍ୟୟନ କରିବାରେ ଅଧିକ ସମୟ ମନୋନିବେଶ କରିପାରୁଛନ୍ତି। ମହାବିଦ୍ୟାଳୟରେ ରାଜନୀତି ପ୍ରବେଶ କରିବା ଉଚିତ ନୁହେଁ।
ଗୋପାଳଚନ୍ଦ୍ର ମହାରଣା, ଜୟପୁର
ଅନୁଗୁଳ ସଂସ୍କରଣ
ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଲଗାତାର ଭାବେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବା ଆଦୌ ଉଚିତ ନୁହେଁ। ନିର୍ବାଚିତ ଛାତ୍ର ସଂସଦ ଗଠନ କରିବା ଛାତ୍ରଛାତ୍ରୀମାନଙ୍କ ମୌଳିକ ଅଧିକାର। ରାଜ୍ୟ ସରକାର ଛାତ୍ରନେତା ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ପରିବାରବାଦ ରାଜନୀତିକୁ ଗୁରୁତ୍ବ ଦେଉଛନ୍ତି। ଏପରି ହେଲେ ଆଗାମୀ ଦିନରେ ଛାତ୍ରମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବା ସମ୍ଭାବନା ରହିଛି। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ନେତୃତ୍ବର ଭ୍ରୂଣହତ୍ୟା କରିବା ସଦୃଶ।
ବିନୋଦ ବିହାରୀ ମହାପାତ୍ର
କଇଁଛପଦା, ଛେଣ୍ଡିପଦା
ଅତୀତରେ ଛାତ୍ର ରାଜନୀତିରୁ ରାଜ୍ୟ ଅନେକ ଚର୍ଚ୍ଚିତ ନେତୃତ୍ବ ପାଇଛି। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ନେତୃତ୍ବର ଭ୍ରୂଣହତ୍ୟା କରିବା ସଦୃଶ। ଛାତ୍ରମାନେ ଦେଶର ଭବିଷ୍ୟତ। ଆଗାମୀ ଦିନର ରାଜନେତା। ଛାତ୍ର ସଂସଦ ନିର୍ବାଚନ ସେମାନଙ୍କୁ ନେତୃତ୍ବ ନେବାର ଶିକ୍ଷା ଦେଇଥାଏ। ହେଲେ ରାଜ୍ୟ ସରକାର ଏବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ନେତା ସୃଷ୍ଟିର ବାଟ ବନ୍ଦ କରିଛନ୍ତି। ଏହା ଠିକ୍ ନୁହେଁ।
ସିଦ୍ଧେଶ୍ବର ଆଚାର୍ଯ୍ୟ
କଲେଜ୍ ଛକ, ଅନୁଗୁଳ
ଛାତ୍ର ସଂସଦ ନିର୍ବାଚନର ଆବଶ୍ୟକତା ରହିଛି। ଏହା ଦ୍ବାରା ଛାତ୍ର ନେତାମାନେ ସେମାନଙ୍କ କଲେଜର ବିଭିନ୍ନ ସମସ୍ୟା ଯଥା ଅଧ୍ୟାପକ ପଦବି ଖାଲି ରହିବା, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ଅନିୟମିତତା, ଭିତ୍ତିଭୂମିର ଅଭାବ, ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଆଦି ପ୍ରସଙ୍ଗ ଉଠାଇଛନ୍ତି। ସେସବୁ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। ଛାତ୍ରନେତାଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ ମଧ୍ୟ ପଡ଼ିଥାଏ। ତେଣୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ନେତୃତ୍ବର ଭ୍ରୂଣହତ୍ୟା କରିବା ସଦୃଶ।
ଅବିନାଶ ସାହୁ
ପୂର୍ବତନ ଛାତ୍ର ନେତା
ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ
ସମ୍ବଲପୁର ସଂସ୍କରଣ
ସରକାରଙ୍କ ଦୋଷ ଦୁର୍ବଳତାକୁ ଦେଖାଇ ଛାତ୍ରନେତାମାନେ ଆନ୍ଦୋଳନ କରନ୍ତି ବୋଲି ନିର୍ବାଚନ ବନ୍ଦ କରୁଛନ୍ତି।
ନ୍ୟୂନଚନ୍ଦ୍ର ପୂଜାରୀ, ବଲାଙ୍ଗୀର
ଛାତ୍ରନେତା ଭବିଷ୍ୟତରେ ପ୍ରତ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବେ। ଏଣୁ ସରକାର ଛାତ୍ର ନିର୍ବାଚନ କରିବାକୁ ପଦକ୍ଷେପ ନେବାକଥା।
ବୈଷ୍ଣବ ବୀର, ଭବାନୀପାଟଣା, କଳାହାଣ୍ଡି
ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେବା ଉଚିତ।
ଜୟଭଗବାନ ଜୈନ, କେସିଙ୍ଗା, କଳାହାଣ୍ଡି
ସରକାର ଛାତ୍ର ସଂସଦ ନିର୍ବାଚନ ଆରମ୍ଭ କରିଥିଲେ। ତାଙ୍କର ଅସୁବିଧା ଯୋଗୁଁ ଏବେ ବନ୍ଦ କରିବା ମନେ ହେଉଛି। ଯଦ୍ବାରା ଭ୍ରୂଣହତ୍ୟା ଭଳି ମନେ ହେଉଛି।
ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା, କଳାହାଣ୍ଡି
ଛାତ୍ର ସଂସଦ ନିର୍ବାଚନ ନିହାତି ହେବା ଦରକାର। ଯେହେତୁ ନେତୃତ୍ବ ଏଠାରୁ ସୃଷ୍ଟି ହେଉଛି। ଏଥିପ୍ରତି ଧ୍ୟାନ ଦିଆଯିବା କଥା।
ଚିତ୍ତରଞ୍ଜନ ମିଶ୍ର, ରତାଖଣ୍ଡି, ବଲାଙ୍ଗୀର
ଛାତ୍ର ସଂସଦ ଗଠନ ହେବା ଅତ୍ୟନ୍ତ ଜରୁରି। ଏହା ଦ୍ବାରା ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସ୍ବର ଉତ୍ତୋଳନ କରିପାରିବେ।
ସୁନୀଲ ଭୋଇ, ବଲାଙ୍ଗୀର
ଛାତ୍ର ସଂସଦ ନିର୍ବାଚନ ପ୍ରତି ବର୍ଷ ହେବା କଥା। ହେଲେ ଏଥିରେ ରାଜନୀତୀକରଣ ପଶିବା କଥା ନୁହେଁ।
ବାବୁଲୁ ଦାସ, ଚିଚିଣ୍ଡା, ବରଗଡ଼
ଭୁବନେଶ୍ବର ରୁରାଲ୍ ସଂସ୍କରଣ
ଛାତ୍ର ସଂସଦ ନିର୍ବାଚନ ନକରିବା ଉଚିତ। କାରଣ ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ବନେବାର ଗୁଣ କମିବ। ନିର୍ବାଚନ ଦ୍ବାରା ଗଣତନ୍ତ୍ର ଓ ଗାଣତାନ୍ତ୍ରିକ ପ୍ରକ୍ରିୟାକୁ ବୁଝିବାରେ ସହଜ ହେଉଥିଲା, କିନ୍ତୁ ଏହା ବନ୍ଦ କରିଦେବା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ବୌଦ୍ଧିକ ସୁପ୍ତତା ବୃଦ୍ଧି ପାଇବ।
କୌସ୍ତୁଭ ନାୟକ, ପୁରୀ
ଛାତ୍ର ସଂସଦ ନିର୍ବାଚନକୁ ୬ ବର୍ଷ ଧରି ବନ୍ଦ କରିରଖାଯାଇଛି। ସରକାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ବର ଗୁଣାବଳୀ ବିକଶିତ କରିବାକୁ ଚାହୁଁନାହାନ୍ତି ବରଂ ସେମାନଙ୍କୁ ପରବର୍ତ୍ତୀ ଜୀବନରେ ତାଙ୍କ ଦଳର ବୋକଚାବୁହା ଓ ଜିନ୍ଦାବାଦ ଆର୍ମି ସୃଷ୍ଟି କରିବାକୁ ଚାହାନ୍ତି। ଅପରପକ୍ଷରେ, ଏହି ପ୍ରସଙ୍ଗରେ ଯେଉଁମାନେ ଛାତ୍ର ରାଜନୀତିରୁ ନେତାମନ୍ତ୍ରୀ ହୋଇଛନ୍ତି ସେମାନେ ନିରବ ରହିବା ଏକ ପ୍ରକାର ବିଡ଼ମ୍ବନା ମଧ୍ୟ।
ଦିଲୀପ କୁମାର ବିଷୋୟୀ, ନୟାଗଡ଼
ଏକ ନାଗରିକ ପାଇଁ ମତଦାନ ଯେଭଳି ମୌଳିକ ଅଧିକାର ସେଭଳି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ର ସଂସଦ ନିର୍ବାଚନ ମଧ୍ୟ ଏକପ୍ରକାର ମୌଳିକ ଅଧିକାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହାବୋଲି ମହାବିଦ୍ୟାଳୟରେ ଅତ୍ୟଧିକ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ହେବା ଆବଶ୍ୟକ।
ଛାୟାକାନ୍ତ ନାୟକ, ପୁରୀ
ଛାତ୍ର ସଂସଦ ନିର୍ବାଚନକୁ ଅନୁମତି ମିଳିବା ଆବଶ୍ୟକ। ଛାତ୍ରଛାତ୍ରୀ ଏକ ଭଲ ନାଗରିକ ହେବା ଓ ଦେଶଜାତିର ଉନ୍ନତି ପାଇଁ କାମ କରିବା ପାଇଁ ଭଲ ପାଠପଢ଼ିବା ଯେଭଳି ଆବଶ୍ୟକ, ଛାତ୍ରସଂସଦ ନିର୍ବାଚନ ଦ୍ବାରା ନିର୍ବାଚନପ୍ରକ୍ରିୟା ଆଦି ସମ୍ପର୍କରେ ସମ୍ୟକ ଜ୍ଞାନ ଆହରଣ କରିବା ମଧ୍ୟ ସେତିକି ଆବଶ୍ୟକ। ଏକ ନୀତିନିୟମ ଓ ଶୃଙ୍ଖଳା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସରକାର ଅନୁମତି ଦିଅନ୍ତୁ।
ମହମ୍ମଦ ଖାରୁନ ଖାଁ, ଖୋର୍ଦ୍ଧା