ପାକିସ୍ତାନର ପରିସ୍ଥିତି ବର୍ତ୍ତମାନ ଭିକ ମାଗିବା ଭଳି। କିନ୍ତୁ ଏଥିପାଇଁ ସେ ହିଁ ଦାୟୀ। ତା’ର ଏ ସଂକଟ ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଏହାବ୍ୟତୀତ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ସବୁବେଳେ ଭାରତର ଅହିତ କରିଆସିଛି। ତେଣୁ ଭାରତ ସହାୟତା କରିବା ଉଚିତ ନୁହେଁ। କିନ୍ତୁ ଆଉ ଗୋଟିଏ କଥା ହେଲା, ବିପଦ ସମୟରେ ଶତ୍ରୁକୁ ସାହାଯ୍ୟ କରିବାର ଉଦାରବାଦୀ ହୃଦୟ କେବଳ ଭାରତ ପାଖରେ ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ଭାରତ ପାକିସ୍ତାନଠାରୁ ବହୁ ଆଗରେ। ତା’ର ଏ ଖରାପ ସମୟରେ ଭାରତ ପୂର୍ବ ଶତ୍ରୁତାକୁ ଭୁଲି ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ପାକିସ୍ତାନର ଏ ଦୁଃସମୟରେ ଭାରତ ସାହାଯ୍ୟ କରିବା ଉଚିତ ନୁହେଁ କି?’‌ରେ ଭାଗ ନେଇଥିବା ପାଠକମାନେ ଏଭଳି ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ତୁର୍କୀରେ ଭୂମିକମ୍ପ ହେବାରୁ ତା’ର ଅର୍ଥନୀତି ସମ୍ପୂର୍ଣ୍ଣ ଦୋହଲି ଯାଇଛି, ଏକଥା ବୁଝା ପଡ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲୋକେ ସେଠାରେ ଅସୁବିଧାରେ ଅଛନ୍ତି। ବିଭିନ୍ନ ଫୋରମ୍‌ରେ ଯଦିଓ ତୁର୍କୀ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସିଛି, କିନ୍ତୁ ଏ ଦୁଃସମୟରେ ଭାରତ ସହଯୋଗର ହାତ ବଢ଼ାଇ ଉଦାର ମନୋଭାବର ପରିଚୟ ଦେଇଛି। ପାକିସ୍ତାନ କଥା କିନ୍ତୁ ଭିନ୍ନ। ପାକିସ୍ତାନର ଏ ବିପତ୍ତି ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଦୁର୍ନୀତି, ଆତଙ୍କବାଦକୁ ପ୍ରୋତ୍ସାହନ ଓ ଅତ୍ୟଧିକ ଚୀନ୍‌ପ୍ରେମ ଯୋଗୁଁ ତା’ର ଏ ଦୁଃସ୍ଥିତି। ତେଣୁ ଭାରତ ସହଯୋଗ କାହିଁକି ବା କରିବ? ଆଉ ଗୋଟେ କଥା ହେଲା, ସେଠି ସରକାର ବଦଳରେ ସେନାର ଶାସନ ଚାଲିଛି। ତେଣୁ ସହାୟତା ଯେ ଲୋକଙ୍କ ପାଖେ ପହଞ୍ଚିବ, ତା’ର ବି କିଛି ଗ୍ୟାରେଣ୍ଟି ନାହିଁ। ସେ ଦେଶର ଲୋକ ଅସୁବିଧାରେ ଅଛନ୍ତି, ସେଥିପାଇଁ ଆମ ଭିତରେ ସମବେଦନା ଅଛି, କିନ୍ତୁ ସହାୟତା କରିବା ଅପାତ୍ରରେ ଦାନ କରିବା ଭଳି କଥା ହେବ।
ଉଲ୍ଲାସ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ପାକିସ୍ତାନ ହେଉ କି ଅନ୍ୟ କେଉଁ ଦେଶ; ଆମର ଯଦି ସାମର୍ଥ୍ୟ ଅଛି, ସହାୟତା କରିବା ଆବଶ୍ୟକ। ଶତ୍ରୁ ବୋଲି ନିଜର ବଡ଼ପଣ ଛାଡ଼ିବା ଠିକ୍‌ ନୁହେଁ।
ମହାବୀର ପ୍ରସାଦ ଶର୍ମା, ଶ୍ରୀରାମ ମନ୍ଦିର ପରିଚାଳକ

ପାକିସ୍ତାନ ବହୁତ ଦିନରୁ କଷ୍ଟରେ ଅଛି। ଏତେ ଦୁଃଖ କଷ୍ଟ ଭିତରେ ସେ ଥାଇ ମଧ୍ୟ ସହଯୋଗ ନ କରିବା ମାନବିକତାର ପରିଚୟ ନୁହେଁ। ଏଥିପ୍ରତି ଧ୍ୟାନ ଦେଇ ସହଯୋଗ କରିବା ଆବଶ୍ୟକ।
ସଞ୍ଜୟ କୁମାର ରଥ, ଚିନ୍ତାମଣିଶ୍ବର

ପାକିସ୍ତାନର କଷ୍ଟ ସମୟରେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ମାନବିକତା ବଞ୍ଚେଇ ରଖିବା ପାଇଁ ଆମକୁ ଆମ କର୍ତ୍ତବ୍ୟ କରିବା ଆବଶ୍ୟକ।
ଆନନ୍ଦ ଚନ୍ଦ୍ର ପ୍ରଧାନ, କେଶୁରା

୫ ମାସ ହେଲା ପାକିସ୍ତାନ ଏକ ବିରାଟ ସଂକଟରେ ପଡ଼ିଛି। ଆର୍ଥିକ ସଂକଟ ଯୋଗୁଁ ସେଠାରେ ଦରଦାମ୍ ହୁ’ ହୁ’ ହୋଇ ବଢ଼ୁଛି। ଏଭଳି ସ୍ଥଳେ ପାକିସ୍ତାନ ଯଦି ସହାୟତା ଲୋଡ଼େ, ଭାରତ ସହଯୋଗର ହାତ ବଢ଼ାଇବା ଉଚିତ। ବିପଦ ବେଳେ ଶତ୍ରୁତା ମନୋଭାବ ପରିହାର କରି ମାନବିକତାକୁ ଆପଣାଇବା ଉଚିତ। ଖାଲି ଭାରତ ନୁହେଁ, ଅନ୍ୟ ରାଷ୍ଟ୍ରମାନେ ବି ସହଯୋଗ ପାଇଁ ଆଗେଇ ଆସିବା ଉଚିତ।
ଶ୍ରୀଧର ବଳିଆରସିଂ, ରୁଚିକା ମାର୍କେଟ୍‌

ଭାରତ ସବୁବେଳେ ଅସୁବିଧା ସମୟରେ ସମସ୍ତଙ୍କୁ ସହଯୋଗ କରିଆସିଛି। ପାକିସ୍ତାନକୁ ବି ଅକୁଣ୍ଠ ଚିତ୍ତରେ ସହଯୋଗ କରିବା ଆବଶ୍ୟକ।
ନୀଳମଣି ମିଶ୍ର, ସୁନ୍ଦରପଦା

ମାନବିକତା ଦୃଷ୍ଟିରୁ ପାକିସ୍ତାନକୁ ଏ ସମୟ ଭାରତ ସହଯୋଗ କରିବା ଆବଶ୍ୟକ। ଆର୍ଥିକ ଦୃଷ୍ଟିକୋଣରୁ ଭାରତ ପାକିସ୍ତାନଠାରୁ ବହୁ ଆଗରେ। ତେଣୁ ଉଦାର ମନୋଭାବ ନେଇ ପାକିସ୍ତାନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିବା ଆବଶ୍ୟକ।
ଅମ୍ବିକା ପ୍ରସାଦ ସାହୁ, ଗୌତମ ନଗର

ପାକିସ୍ତାନର ଏ ସମୟରେ ଭାରତ ସହଯୋଗ କରିବା ଆବଶ୍ୟକ। ଭାରତ ବିଗତ ଦିନରେ ଅନେକ ଦେଶକୁ ସହାୟତାର ହାତ ବଢ଼ାଇଛି। ତେଣୁ ଯେତେ ଖରାପ ହେଲେ ମଧ୍ୟ ପାକିସ୍ତାନକୁ ସହଯୋଗ କରିବା ଆବଶ୍ୟକ। କିନ୍ତୁ ଦେଶ ଯଦି ସହଯୋଗ ନ କରି କେବଳ ମନୋବଳ ଦୃଢ଼ କରିବାକୁ ନିଷ୍ପତ୍ତି ନେବ, ସେଥିରେ ମଧ୍ୟ ଆପତ୍ତି ନାହିଁ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ପାକିସ୍ତାନକୁ ମାନବିକତା ଦୃଷ୍ଟିରୁ କିଛି ରିଲିଫ୍‌ ଆକାରରେ ସହଯୋଗ କରିବା ଆବଶ୍ୟକ। କିଛି ନହେଲେ କିଛି ଖାଦ୍ୟ ପଠାଇ ଭୋକିଲା ଲୋକଙ୍କୁ ସହାୟତା କରିପାରିବା।
ଭବପ୍ରସାଦ ମିଶ୍ର, ନୀଳକଣ୍ଠନଗର

ପାକିସ୍ତାନର ବର୍ତ୍ତମାନ ଭିକ ମାଗିବା ଭଳି ପରିସ୍ଥିତି। ସେ ତା’ ପୁରୁଣା ପାପ ଓ କୁକର୍ମର ଫଳ ପାଉଛି। ତାକୁ ତା’ ଫଳ ଭୋଗିବାକୁ ଦିଆଯାଉ। ତା’ର ଏ ଦୁଃସମୟରେ ଭାରତବାସୀ ଦୁଃଖୀ ହେଲେ ମଧ୍ୟ ସହଯୋଗ କରିବା ଠିକ୍‌ ହେବ ନାହିଁ।
ଦେବାଶିଷ ସାହୁ, ଏକାମ୍ର କଲେଜ

ପାକିସ୍ତାନ ଗୋଟିଏ ବେଇମାନ ଦେଶ। ଏଭଳି ଦେଶକୁ ସହାୟତା କରିବା ଆବଶ୍ୟକ ନୁହେଁ।
ଶ୍ରୀବାସ ମହାନ୍ତି, ରତ୍ନାକରବାଗ

ଦୟା, କ୍ଷମା ଓ ଉଦାର ଗୁଣ ପାଇଁ ତ ଭାରତ ବିଶ୍ବରେ ମହାନ। ତେଣୁ ଯଦି କୌଣସି ରାଷ୍ଟ୍ରକୁ ସହାୟତା କରିବା ପାଇଁ ମୌକା ମିଳୁଛି, ତାହା ଛାଡ଼ିବା ଉଚିତ ହେବ ନାହିଁ।
ଦୁଷ୍ମନ୍ତ ପାଣିଗ୍ରାହୀ, ଚନ୍ଦ୍ରଶେଖରପୁର

ଆମେ ଯେତେ ସାହାଯ୍ୟ କଲେ ମଧ୍ୟ ପାକିସ୍ତାନ ଆମଠାରୁ ସାହାଯ୍ୟ ନେଇ ଆମରି ତଣ୍ଟି କାଟିବ। ସହଯୋଗ କରିବା ଜରୁରି ନୁହେଁ।
କେଦାର ସାହୁ, ଲିଙ୍ଗିପୁର

ଆତଙ୍କ ଛାଡ଼ି ପାକିସ୍ତାନ ଦୁଇ ହାତରେ ସହଯୋଗ ମାଗିଲେ, ଭାରତ ସହଯୋଗ କରିବା ଆବଶ୍ୟକ।
ବ୍ରଜରାଜ ରଥ, ଡେଲ୍‌ଟା ଛକ

ପାକିସ୍ତାନ ଭାରତ ପାଇଁ ବହୁ ଷଡ଼ଯନ୍ତ୍ର କରିଛି। ଏଭଳି ଦେଶକୁ ନିଜେ ନିଜର ଦଣ୍ଡ ପାଇବା ଆବଶ୍ୟକ। ଭାରତ ଆପାତତଃ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇବା କଥା ନୁହେଁ।
ସୂର୍ଯ୍ୟ ମହାନ୍ତି, ପଟିଆ

ବିଷାକ୍ତ ସାପକୁ କ୍ଷୀର ପିଆଇବା ଓ ପାକିସ୍ତାନକୁ ସାହାଯ୍ୟ କରିବା ଉଭୟ ସମାନ। ତେଣୁ ଏଭଳି ଭୁଲ କରିବା ସ୍ୱାଗତଯୋଗ୍ୟ ନୁହେଁ।
ରମାକାନ୍ତ ପଣ୍ଡା, କଳ୍ପନା
ସୁଦର୍ଶନ ସାହୁ, ବଡ଼ରଘୁନାଥପୁର

ପାକିସ୍ତାନକୁ ସାହାଯ୍ୟ କରିବା ଆବଶ୍ୟକ ନୁହେଁ। ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି। ତେଣୁ ଭାରତ ସହଯୋଗ କରିବା ଠିକ୍ ନୁହେଁ।
ସୁନୀଲ ଅଗ୍ରୱାଲ, ରସୁଲଗଡ଼
ମମତା ଦାଶ, ନୂଆପଲ୍ଲୀ

ପାକିସ୍ତାନକୁ ସାହାଯ୍ୟ କରିବା ଉଚିତ।
ପ୍ରତିମା ପାଣିଗ୍ରାହୀ, ଶୈଳଶ୍ରୀବିହାର

ପାକିସ୍ତାନ ଆମର ଭାଇ। ହେଲେ ଆମ ସଫଳତା‌ରେ ସେ ଈଷ୍ବାନ୍ବିତ ହୋଇ ଆମ ବିରୋଧରେ ଲାଗିଛି। କିନ୍ତୁ ତା’ର ଏଭଳି ଦୟନୀୟ ସ୍ଥିତିରେ ଭାରତ ସହଯୋଗର ହାତ ବଢ଼ାଇବା ଆବଶ୍ୟକ।
ସୁରେନ୍ଦ୍ର କୁମାର ନାୟକ, ସୂର୍ଯ୍ୟନଗରପାଟଣା

ପାକିସ୍ତାନକୁ ସହାୟତା କରିବା ଅର୍ଥ ଅପାତ୍ରରେ ଦାନ ଦେବା। ଇତିହାସ ସାକ୍ଷୀ, ପାକିସ୍ତାନକୁ ସହାୟତା କରିବା ପରେ ସେ ସବୁବେଳେ ବିଶ୍ୱାସଘାତ କରିଆସିଛି। ତେଣୁ ସହଯୋଗ ନ କଲେ ଭଲ।
ରମେଶ ଚନ୍ଦ୍ର ପାଟ୍ଟଯୋଶୀ ମହାପାତ୍ର, ଡୁମୁଡୁମା
କୈଳାସ ଚନ୍ଦ୍ର ରଣା, ୟୁନିଟ୍‌-୧
ନିରାକାର ସାହୁ, ୟୁନିଟ୍‌-୩

ପାକିସ୍ତାନର କଷ୍ଟ ସମୟରେ ମଧ୍ୟ ତାକୁ ସହଯୋଗ କରିବା ଠିକ୍‌ ନୁହେଁ। କାରଣ, ସହାୟତା ଟଙ୍କାକୁ ସେ ଆତଙ୍କବାଦରେ ବିନିଯୋଗ କରିବ।
ଶିବନାରାୟଣ ମିଶ୍ର, ଜଗତ୍‌ସିଂହପୁର

ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି ପାକିସ୍ତାନ। କେବେ ବି ତା’ର ପ୍ରକୃତି ବଦଳିବ ନାହିଁ। ତେଣୁ ସହଯୋଗ କରାଯିବା ଉଚିତ ନୁହେଁ। ଯଦି ପାକିସ୍ତାନ ଭାରତକୁ ସାହାଯ୍ୟ ଭିକ୍ଷା ମାଗେ, ତେବେ ଭାରତ କିଛି ସର୍ତ୍ତ ରଖିବା ଉଚିତ।
ସନ୍ତୋଷ କୁମାର ଦାସ, ଯାଜପୁର

ପାକିସ୍ତାନ ବିଶ୍ବାସଯୋଗ୍ୟ ରାଷ୍ଟ୍ର ନୁହେଁ। ସହଯୋଗ କରିବା ପୂର୍ବରୁ ଭାବିବାକୁ ହେବ।
ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ପାକିସ୍ତାନ ସବୁବେଳେ ଅହଂଙ୍କାରୀ। ତାକୁ ସହଯୋଗ କରିବା ଉଚିତ ନୁହେଁ। ପାକିସ୍ତାନକୁ ସହଯୋଗ କରିବା ଅର୍ଥ ସାପକୁ କ୍ଷୀର ଦେଇ ପୋଷିବା।
କିଶୋର ଚନ୍ଦ୍ର ଦାଶ, ୟୁନିଟ୍‌-୯,
ପ୍ରକାଶ ବଳ, ଯାଜପୁର
ସୁରେଶ ଚନ୍ଦ୍ର ତ୍ରିପାଠୀ, ପଟିଆ