ଫୋନ୍‌-ଇନ୍‌-ପ୍ଲିଜ୍‌: ଦେଶବାସୀ ସବୁ ଜାଣିଛନ୍ତି, ବିଜେପି ଫଳ ଭୋଗିବ

ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିରୋଧୀ ଦଳ ନରହିଲେ ଶାସକ ସ୍ବେଚ୍ଛାଚାରୀ ହୋଇଯାଏ। ହେଲେ ବିଜେପି ସରକାର ଦେଶରେ ବିରୋଧୀ ଦଳକୁ ନିଶ୍ଚିହ୍ନ କରିବାକୁ ଉଦ୍ୟମ ଚଳାଇଛି। ଏଭଳି ଏକଛତ୍ରବାଦ ମନୋବୃତି ପାଇଁ ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହାଦ୍ବାରା କଂଗ୍ରେସର ଲୋକପ୍ରିୟତା ବଢ଼ିବା ସହ ବିଜେପି ପ୍ରତି ଜନସାଧାରଣଙ୍କ ଆସ୍ଥା କମିବ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ବିଜେପି ପାଇଁ ବୁମେରାଂ ହେବ। ଚଳିତ ଥର ‘ଫୋନ୍‌-ଇନ୍‌ ପ୍ଲିଜ୍‌’ ରାହୁଲଙ୍କୁ ଜେଲ୍ ଦଣ୍ଡ ଓ ଲୋକସଭା ସଦସ୍ୟତା ରଦ୍ଦ ବିଜେପି ପାଇଁ ବୁମେରାଂ ହେବ ପ୍ରସଙ୍ଗରେ ଅଧିକାଂଶ ପାଠକ ଏଭଳି ମତ ଦେଇଛନ୍ତି।

• ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ବିଜେପି ପାଇଁ ବୁମେରାଂ ହେବ। ଗାନ୍ଧୀ ପରିବାର ପ୍ରତି ଲୋକଙ୍କର ଆନ୍ତରିକତା ରହିଛି। ସେ ଜେଲ୍‌ ଗଲେ ଲୋକେ ସହିବେନି।
-ନୀଳମଣି ମିଶ୍ର, ସୁନ୍ଦରପଦା

• ବିଜେପି ରାହୁଲ ଗାନ୍ଧି ଓ କଂଗ୍ରେସ ଉଭୟକୁ ଭୟ କରୁଛି। ବହୁ ପୂର୍ବରୁ ବିଜେପି ରାହୁଲଙ୍କୁ ହରଡ଼ ଘଣାରେ ପକାଇବାକୁ ଚେଷ୍ଟା ଚଳାଇଥିଲା। ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ଅଗଣତାନ୍ତ୍ରିକ।
-ବୁଲୁ ପଟ୍ଟନାୟକ, ମାଷ୍ଟରକ୍ୟାଣ୍ଟିନ

• ଆଇନ୍ ଆହୁରି କଠୋର ହେବା କଥା। ରାହୁଲଙ୍କ ଲୋକସେବା ସଦସ୍ୟତା ରଦ୍ଦ ଆଗରୁ ହେବାର ଥିଲା। ଏ ନେଇ କଂଗ୍ରେସର ବ୍ୟାପକ କ୍ଷତି ହେବ।
-ନଳିନୀ ନନ୍ଦନ ନାୟକ,ବରମୁଣ୍ଡା
-ସନ୍ତୋଷ ଦାଶ, ଶୈଳଶ୍ରୀ ବିହାର

• ରାହୁଲଙ୍କ ସାଂସଦ ପଦ ରଦ୍ଦ ନିଶ୍ଚିତ ହେବାର ଥିଲା। ଏତେ ବଡ଼ ନେତା ହେଇ ଏଭଳି ମନ୍ତବ୍ୟ ଦେବା ନିହାତି ନିନ୍ଦନୀୟ।
-ଅରୁଣ କୁମାର ପଣ୍ଡା, ଶୈଳଶ୍ରୀ ବିହାର

• ବିଜେପି ସରକାର ଦେଶରେ ବିରୋଧୀ ଦଳକୁ ନିଶ୍ଚିହ୍ନ କରିବାକୁ ଉଦ୍ୟମ ଚଳାଇଛି। ଏଭଳି ଏକଛତ୍ରବାଦ ମନୋବୃତି ପାଇଁ ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।
-ଶ୍ରୀବାସ ମହାନ୍ତି, ଟଙ୍କପାଣି ରୋଡ

• ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରି ଲୋକଙ୍କ ପ୍ରିୟଭାଜନ ହୋଇଥିଲେ। ବର୍ତ୍ତମାନ ବିଜେପି ଚକ୍ରାନ୍ତ କରି ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଇଛି। ଯାହାର ଫଳ ଭୋଗିବାକୁ ହେବ।
-ଦେବାଶିଷ ସାହୁ, ଏକାମ୍ରକଲେଜ

• ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ଘଟଣାରେ ଗଣତନ୍ତ୍ରର ହତ୍ୟା ହୋଇଛି। ମୋଦୀ ସରକାରଙ୍କୁ ଲୋକେ ଦେଶ ଶାସନ କରିବାକୁ ଭୋଟ ଦେଇଥିଲେ। ହେଲେ ବିରୋଧୀ ଉପରେ ନିଜର ଏକଛତ୍ରବାଦ ଶାସନ ଚଳାଇବା ଗ୍ରହଣୀୟ ନୁହେଁ।
-ନିରଞ୍ଜନ ପ୍ରଧାନ, ବାଲିପଦର

• ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ଗ୍ରହଣୀୟ ନୁହେଁ। ବିଜେପି ପାଇଁ ଏହା ବୁମେରାଂ ହେବା ସୁନିଶ୍ଚିତ।
-ବାଳକୃଷ୍ଣ ଷଡ଼ଙ୍ଗୀ, ନୟାଗଡ଼

• ଆଇନ ଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି। ଗାନ୍ଧି ପରିବାର ଲୋକ ବୋଲି ନିଜକୁ ଭଗବାନ ଭାବିବା ଉଚିତ୍ ନୁହେଁ। ରାହୁଲ୍ ଏବେ ମଧ୍ୟ କଥା କହି ଜାଣନ୍ତି ନାହିଁ। ଯିଏ ନିଜ ଦେଶକୁ ସମ୍ମାନ ଜଣାଇବା ଜାଣିନି ସେ ଦେଶ ପାଇଁ କଳଙ୍କ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

• ଭାରତୀୟ ଜନତା ପାର୍ଟି ପାଇଁ ଏହା ନିଶ୍ଚିତ ଭାବେ ବୁମେରାଂ ହେବ। ଏହା ଫଳରେ ରାହୁଲଙ୍କ ଜନପ୍ରିୟତା ବଢ଼ିବ।
-ଜାନକୀକାନ୍ତା ପଟ୍ଟନାୟକ, ଭୁବନେଶ୍ୱର

• କଂଗ୍ରେସ ଏବେ ମଧ୍ୟ ପରିପକ୍ୱ ଚିନ୍ତା ଧାରା ନେଇ କାମ କରୁନି। ତେଣୁ ବିଜେପି ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ।
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

• ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ଏହା ଏକ ଷଡ଼୍‌ଯନ୍ତ୍ର। ଏଭଳି ଘଟଣା ରାହୁଲଙ୍କୁ ଅଧିକ ଲୋକପ୍ରିୟ କରାଇବ। ଲୋକସଭା ସଦସ୍ୟତା ରଦ୍ଦ ନିଶ୍ଚିତଭାବେ ନିନ୍ଦନୀୟ।
-ରାମକୃଷ୍ଣ ପରିଡ଼ା, ସୁନ୍ଦରପଦା

• କଂଗ୍ରେସର ପ୍ରଗତିରେ ବିଜେପି ବିଚଳିତ ହୋଇପଡ଼ିଛି। ତେଣୁ ଏ ସବୁ ପ୍ରାୟୋଜିତ କରି ରାହୁଲଙ୍କୁ ଫସେଇ ଦିଆଯାଉଛି। ବିଜେପି ପାଇଁ ଏହା ବୁମେରାଂ ହୋଇପାରେ।
-ବ୍ରଜରାଜ ରଥ, ଡେଲ୍ଟା ଛକ
-ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼

• ରାହୁଲ ଜଣେ ଅପରିପକ୍ବ ନେତା। ଆଇନ ଅନୁଯାୟୀ ସମସ୍ତ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସଙ୍ଗରେ ବିଜେପିକୁ ଦୋଷ ଦେବା ଠିକ୍ ନୁହେଁ।
-ରାଜଜ୍ୟୋତି ରାୟ, ଖଣ୍ଡଗିରି
-ସନ୍ତୋଷ କୁମାର ଦାସ, ଚନ୍ଦ୍ରଶେଖରପୁର

• ରାହୁଲ ଜଣେ ଟାଣୁଆ ନେତା। ତାଙ୍କପ୍ରତି କ୍ରୋଧାନ୍ୱିତ ହେଇ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ଜନତା ତାଙ୍କୁ ଜିତେଇ ଥିବାରୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ।
-ସୁରେନ୍ଦ୍ର କୁମାର ନାୟକ, କଟକ

• ରାହୁଲ ଗାନ୍ଧି ଭାରତର ଆଇନକୁ ସମ୍ମାନ ଦେବା ଜାଣି ନାହାନ୍ତି। ସେ କ୍ଷମା ମାଗିଥିଲେ ଏତେ ଘଟଣା ଘଟିନଥାନ୍ତା। ଗାନ୍ଧୀଙ୍କ ଦାୟାଦ ହୋଇ ଆଇନକୁ ସମ୍ମାନ ଦେବା ଆବଶ୍ୟକ।
-ପ୍ରକାଶ ଚନ୍ଦ୍ର ପଣ୍ଡା, ଶ୍ରୀରାମ ନଗର

• ରାହୁଲଙ୍କ ପାଇଁ ବିଜେପିର କୌଣସି କ୍ଷତି ହେବନାହିଁ। କଂଗ୍ରେସ ଯେଉଁଭଳି ଭାବରେ ବିଭିନ୍ନ ରାଜ୍ୟରେ ରେଳରୋକ କରୁଛି ତାହା ଗ୍ରହଣୀୟ ନୁହେଁ। ଏଭଳି କରିବା ଫଳରେ କଂଗ୍ରେସ ଦଳର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର

•ଆଇନ ଆଗରେ ସମସ୍ତେ ସମାନ। ଯିଏ ଆଇନ ଭାଙ୍ଗିବ ଦଣ୍ଡିତ ହେବ। ଆଗରୁ ଅନେକ ଏମିତି ହୋଇଛି। ରାହୁଲଙ୍କ ପାଇଁ ଏତେ ତମ୍ବିତୋଫାନ କାହିଁକି?
-କିଶୋର ଚନ୍ଦ୍ର ଦାଶ, ୟୁନିଟ-୯

• ଯାହା ଆଶଙ୍କା ଥିଲା ସତ ହେଲା। ମୋଦୀ ଏବଂ ବିଜେପି ନିଜ କଳବଳ କୌଶଳ ସହ ସବୁ ସାମର୍ଥ୍ୟ ଲଗେଇ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିଦେଲେ। କିନ୍ତୁ ଧୀରେ ଧୀରେ ସାଧାରଣ ଲୋକେ ମୋଦୀଙ୍କ ଏ କୂଟନୀତି ବୁଝିବାରେ ଲାଗିଛନ୍ତି। ସବୁବେଳେ ବିରୋଧୀଙ୍କୁ ହଇରାଣ କରିବା ହେତୁ ଲୋକେ ବିଜେପିକୁ ଏବେ ସନ୍ଦେହ ଦୃଷ୍ଟିରେ ଦେଖିବାରେ ଲାଗିଲେଣି। ଏବଂ ଯେଉଁଭଳି ଭାବେ କୋର୍ଟ ରାୟ ଆସିବାର ମାତ୍ର ୨୪ଘଣ୍ଟା ନପୂରୁଣୁ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ସନ୍ଦେହଜନକ। ରାହୁଲଙ୍କ ଘଟଣା ଲୋକଙ୍କ ମନରେ ଏକ ସମବେଦନା ଯୋଗାଡ କରିବ।
-ଦିଲ୍ଲୀପ କୁମାର ସ୍ୱାଇଁ, ବରମୁଣ୍ଡା, ଭୁବନେଶ୍ୱର

• ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ହେବାରେ ବିଜେପି ଦାୟୀ। ବିଜେପି ପାଇଁ ଏହା ବୁମେରାଂ ହେବ।
-ଶ୍ରୀବତ୍ସ ମହାନ୍ତି, ଯାଆଁଳା

• ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ଏବଂ ଦଣ୍ଡାଦେଶ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ର ରାଷ୍ଟ୍ରରେ ଶାସକ ଦଳ ଭଳି ବିରୋଧୀ ଦଳର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିରୋଧୀ ଦଳ ନ ରହିଲେ ଶାସକ ସ୍ବେଚ୍ଛାଚାରୀ ହୋଇଯାଏ।
-ଭୁବନାନନ୍ଦ ରାଉତ, ଭରତପୁର

• ଅପରାଧ କେଉଁ ପ୍ରକାରର, କେତେ ଗମ୍ଭୀର ତାହା ଉପଯୁକ୍ତ ଭାବରେ ବିଚାର କରାନଯାଇ ଜନ ପ୍ରତିନିଧିଙ୍କ ସଦସ୍ୟତା ପଦ ରଦ୍ଦ କରିବା ସମ୍ପୂର୍ଣ୍ଣ ଭାବରେ ଅନ୍ୟାୟ। ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ଘଟଣା ଗ୍ରହଣୀୟ ନୁହେଁ।
-ସୁଧାକର ଦାସ, ପି.ଏନ କଲେଜ ଖୋର୍ଦ୍ଧା

• ସମସ୍ତଙ୍କର କହିବାର ଅଧିକାର ରହିଛି। ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ।
-ସୁଦର୍ଶନ ପଟ୍ଟନାୟକ, ପଟିଆ

• ରାହୁଲଙ୍କୁ ଷଡ଼୍‌ଯନ୍ତ୍ର କରି ଫସାଇ ଦିଆଯାଇଛି। ସେ ଜେଲ୍‌ ଗଲେ ଆହୁରି ସୁଦୃଢ଼ ହୋଇ ଫେରିବେ। ମୋଦୀଙ୍କ ଷଡ଼୍‌ଯନ୍ତ୍ର ଭଣ୍ଡୁର ହେବ।
-ନିରଞ୍ଜନ ଗଡବାଡ, ଅନ୍ଧାରୁଆ

• ମୋଦୀଙ୍କର କିମ୍ବା ବିଜେପିର କୌଣସି କ୍ଷତି ହେବନାହିଁ। ଦୋଷୀ ଦଣ୍ଡ ପାଇବାରେ ଆପତ୍ତି କେଉଁଠି?
-ଅକ୍ଷୟ କୁମାର ମୁଦୁଲି, ଯାଜପୁର

• ନିମ୍ନକୋର୍ଟର ନିର୍ଦ୍ଦେଶ ଥିଲେ ମଧ୍ୟ ଆମେ ଉପର କୋର୍ଟକୁ ଯାଇ ପାରିବା। ଏତେ ତତ୍ପର ହେଇ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବା ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏପରି କରାଯାଏ ତେବେ ଅନେକ ସାଂସଦ ଓ ନେତା ନିଜ ପଦ ହରାଇବେ।
-ବିଶ୍ୱଜିତ ପଟ୍ଟନାୟକ, ଚନ୍ଦ୍ରଶେଖରପୁର

• କେବଳ ବିଜେପି ପାଇଁ ନୁହେଁ ସମସ୍ତ ଦଳ ପାଇଁ ଏହା ବୁମେରାଂ ହେବ। କଂଗ୍ରେସ ଏଥର ଖୁବ୍ ଭଲ ପ୍ରଦର୍ଶନ କରି ଶାସନକୁ ଆସିବ।
-କାବୁ ମିଶ୍ର, ଗୌତମନଗର।

ସମ୍ବନ୍ଧିତ ଖବର