ରାଜନେତାଙ୍କ ସହ ଅପରାଧୀର ଫଟୋ ପଦାକୁ ଆସିଲେ, ଏହାକୁ ନେଇ ରାଜନୀତିରେ ତୁମ୍ବିତୋଫାନ ହୁଏ। ବିରୋଧୀ ଏହାକୁ ପ୍ରସଙ୍ଗ କରି ସଂପୃକ୍ତ ରାଜନେତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରନ୍ତି। ନିକଟ ଅତୀତରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ବି ଗୃହ ଭିତରେ ଏଭଳି ପରିସ୍ଥିତି ଦେଖାଦେଇଥିଲା। ଏହି ପ୍ରସଙ୍ଗକୁ ନେଇ ଚଳିତ ଥରର ‘ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍’ର ବିଷୟ ଥିଲା ‘ରାଜନେତାଙ୍କ ସହ ଅପରାଧୀଙ୍କ ଫଟୋକୁ ଗୁରୁତ୍ୱ ନଦେଲେ ଭଲ’। ଏଥିରେ ଭାଗ ନେଇଥିବା ଅଧିକାଂଶ ପାଠକ କହିଛନ୍ତି ଯେ ଅପରାଧୀଙ୍କ ସହ ରାଜନେତାଙ୍କ ଫଟୋକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ।
ଏପରି ଫଟୋକୁ ଗୁରୁତ୍ୱ ନ ଦେବା ଭଲ। ରାଜନେତା କିମ୍ବା ଜଣାଶୁଣା ବ୍ୟକ୍ତିଙ୍କ ସହ ମିଶିବା ଓ ଫଟୋ ଉଠାଇବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। ତେଣୁ ଅଭିଯୁକ୍ତ କିମ୍ବା ଅପରାଧୀଟିଏ ଯଦି ଏପରି କରେ, ସେଥିରେ ସଂପୃକ୍ତ ରାଜନେତାଙ୍କ ଦୋଷ କ’ଣ? ଏମିତି ବି ହୋଇପାରେ ସଂପୃକ୍ତ ରାଜନେତାଜଣଙ୍କ ଆଦୌ ସେ ଅପରାଧୀକୁ ଚିହ୍ନି ବା ଜାଣି ନଥିବେ।
ନୀଳମଣି ମିଶ୍ର, ସୁନ୍ଦରପଦା
ରାଜନେତାମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଅପରାଧୀଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ରାଜନୀତିରେ ଅପରାଧୀଙ୍କ କୌଣସି ଭୂମିକା ନାହିଁ। ତେଣୁ ଜଣେ ରାଜନେତା ସହ ଏକ ଅପରାଧୀର ଫଟୋ ପଦାକୁ ଆସିଲେ, ତାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହା ସ୍ବାଭାବିକ କଥା।
ରଜତ କୁମାର ମଲ୍ଲିକ, ଭୁବନେଶ୍ୱର
ରାଜନେତାମାନେ ଲୋକସେବା ଅପେକ୍ଷା ନିଜ ସ୍ୱାର୍ଥକୁ ବେଶି ଦେଖୁଛନ୍ତି। କାମ ହାସଲ ପାଇଁ ସେମାନେ କିଛି ଗୁଣ୍ଡାଶ୍ରେଣୀର ଲୋକଙ୍କୁ ହାତମୁଠାରେ ରଖିଥା’ନ୍ତି। ଏହି ଅପରାଧୀମାନେ ରାଜନେତାଙ୍କ ପାଇଁ ବହୁ ଅନୈତିକ କାର୍ଯ୍ୟ ମଧ୍ୟ କରିଥା’ନ୍ତି। ତେଣୁ ରାଜନେତାଙ୍କ ସହ ଅପରାଧୀଙ୍କ ଫଟୋକୁ ଗୁରୁତ୍ବ ଦିଆଯାଉଛି। ଦିଆଯିବା ଆବଶ୍ୟକ ମଧ୍ୟ।
ବ୍ରଜରାଜ ରଥ, ଡେଲ୍ଟା ଛକ
ରାଜନେତାଙ୍କ ସହ ଅପରାଧୀଙ୍କ ଫଟୋକୁ ଗୁରୁତ୍ୱ ଦେବା ଆବଶ୍ୟକ। ଜଣେ ରାଜନେତା ନିଜ କାର୍ଯ୍ୟକୁ ସ୍ୱଚ୍ଛ ରଖିବା ସହ ଅପରାଧୀଙ୍କଠାରୁ ଦୂରେଇ ରହିବା ଉଚିତ।
ଶ୍ରୀବାସ ମହାନ୍ତି, ଟଙ୍କପାଣି ରୋଡ୍
ଅପରାଧୀଙ୍କ ସହ ରାଜନେତାଙ୍କ ଫଟୋ ନ ରହିଲେ, ଲୋକେ ତାଙ୍କୁ ଭୟ କରିବେ ନାହିଁ। ଫଳରେ ନେତାମାନଙ୍କ ଭୋଟ୍ ମଧ୍ୟ କମିଯିବ। ଅନେକ ରାଜନେତା ଜାଣିଶୁଣି ଅପରାଧୀଙ୍କ ସହ ଫଟୋ ଉଠାଇ ଲୋକଙ୍କଠାରୁ ଭୋଟ୍ ନେବାକୁ ଚେଷ୍ଟା କରନ୍ତି। ଏହାକୁ ନିର୍ବାଚନ କମିସନ୍ ମଧ୍ୟ ଗୁରୁତ୍ବ ଦେବା ଉଚିତ।
ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା
ରାଜନେତାଙ୍କ ସହ ଅପରାଧୀଙ୍କ ଫଟୋକୁ ଅତି ଗୁରୁତ୍ୱର ସହ ନେବା ଆବଶ୍ୟକ। ଏକ ଅପରାଧୀ ରାଜନେତା ସହ କେଉଁ କାରଣରୁ ଓ କିଭଳି ମିଶିଲା, ସେନେଇ ମଧ୍ୟ ତନାଘନା କରାଯିବା ଆବଶ୍ୟକ।
ଗୌତମ ସାମଲ, ତିଗିରିଆ
ରାଜନେତାମାନେ ଅନେକ ସମୟ ଲୋକଙ୍କ ସହ ମିଶି କାର୍ଯ୍ୟ କରିଥା’ନ୍ତି। ସେଭଳି ପରିସ୍ଥିତିରେ କେବଳ ଅପରାଧୀ ନୁହେଁ, ଯିଏ ନାହିଁ ସେ ତାଙ୍କ ସହ ଫଟୋ ଉଠାଇପାରିବ। ତେଣୁ ଏଭଳି ଫଟୋକୁ ଗୁରୁତ୍ୱ ଦେବା ଆବଶ୍ୟକ ନୁହେଁ।
କାବୁ ମିଶ୍ର, ଗୌତମ ନଗର
କିଛି ଅପରାଧୀ ଜାଣିଶୁଣି ରାଜନେତାଙ୍କ ସହ ଫଟୋ ଉଠାଇ ପରେ ତାହାକୁ ଭୁଲ୍ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି। ଏହିଭଳି ଭାବେ ସେମାନେ ମଧ୍ୟ ରାଜନୀତିକୁ ପଶିଥା’ନ୍ତି।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାୟପୁର
ଅପରାଧୀମାନେ ସମସ୍ତେ ହାଜତ ଭିତରେ ଅଛନ୍ତି, ବାହାରେ ବୁଲୁଥିବା ଛୋଟମୋଟ ଖଳ ଲୋକଙ୍କୁ ଅପରାଧୀ କହି ରାଜନେତାଙ୍କ ସହ ତାଙ୍କ ଫଟୋକୁ ଗୁରୁତ୍ୱ ଦେବା ଆବଶ୍ୟକ ନୁହେଁ।
ଦିଲ୍ଲୀପ କୁମାର ମିଶ୍ର, ପୁରୁଣା ଭୁବନେଶ୍ୱର
ରାଜନୀତି କରୁଥିବା କିଛି ବ୍ୟକ୍ତି ପ୍ରଥମରୁ ନିଜେ ଅପରାଧୀ କିମ୍ୱା ରାଜନୀତି ସହ ଅପରାଧ କରି ଆସୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ବାକି ଅପରାଧୀଙ୍କ ସହ ତାଙ୍କ ଫଟୋ କିଛି ନୂଆ ନୁହେଁ। ଏହାକୁ ଗୁରୁତ୍ୱ ନ ଦେବା ଭଲ।
ସୁଧାକର ଦାସ, ପି.ଏନ୍ କଲେଜ ଖୋର୍ଦ୍ଧା