କଥାରେ ଅଛି, ଫଳନ୍ତି ବୃକ୍ଷ ନଇଁଯିବା ଭଳି ଜ୍ଞାନୀ, ଗୁଣୀ, ସଫଳ ବ୍ୟକ୍ତିମାନେ ମଧ୍ୟ ତାଙ୍କର ଆଚାର ବ୍ୟବହାରରେ ନମ୍ରତା ରକ୍ଷା କରିବା ଉଚିତ। ଜଣେ ବ୍ୟକ୍ତି ଯେତେ ସଫଳ‌ ହେଲେ ମଧ୍ୟ ଯଦି ତାଙ୍କ ବ୍ୟବହାର ଖରାପ, ତେବେ ସେ ସମାଜରେ କେବେ ବି ଗ୍ରହଣୀୟ ହୋଇପାରିବେନି। ପଡ଼ିଆରେ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଲୋକପ୍ରିୟ ତାରକା ବିରାଟ କୋହଲିଙ୍କ ବ୍ୟବହାର ଏବେ ଲକ୍ଷଲକ୍ଷ କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଛି। କୋହଲି ଜଣେ ଅହଂକାରୀ ବ୍ୟକ୍ତି ବୋଲି ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି। ଯାହାକି ତାଙ୍କ ପାଇଁ କିମ୍ବା ତାଙ୍କ କ୍ୟାରିୟର୍‌ ପାଇଁ ଆଦୌ ଶୁଭଙ୍କର ନୁହେଁ। ତେନ୍ଦୁଲକରଙ୍କୁ ଲୋକେ କ୍ରିକେଟ୍‌ର ଭାଗବାନ ଭାବେ ପୂଜା କରନ୍ତି। ତାହା କେବଳ ତାଙ୍କର ଉଜ୍ଜ୍ବଳ କ୍ୟାରିୟର୍‌ ପାଇଁ ନୁହେଁ, ସେ ଜଣେ ଉତ୍ତମ ବ୍ୟକ୍ତି ବୋଲି ସମସ୍ତେ ତାଙ୍କୁ ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି ଓ ସମ୍ମାନ ଦିଅନ୍ତି। ପ୍ରତିପକ୍ଷ ତାଙ୍କୁ ଯେତେ କଟୁ କଥା କହିଲେ ବି ସେଥିରେ ସେ ବିଚଳିତ ନ ହୋଇ ଜବାବରେ ମୁରୁକି ହସିଥା’ନ୍ତି। ତେଣୁ ଖାଲି କୋହଲି ନୁହେଁ, ତାଙ୍କ ଭଳି ସମାଜରେ ବିଭିନ୍ନ ଉଚ୍ଚ ପଦପଦବିରେ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉତ୍ତମ ଆଚରଣ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ଉଚିତ। ନଚେତ ସେଭଳି ଲୋକଙ୍କୁ ଜନତା ଭଲ ପାଇବା ବଦଳରେ ପ୍ରତ୍ୟାଖ୍ୟାନ କରିବେ। ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ ‘ସାଧାରଣ ଜୀବନରେ କୋହଲିଙ୍କ ପରି ବିରାଟ ଲୋକଙ୍କ ଆଚରଣରେ ଉନ୍ନତି ଲୋଡା’ ପ୍ରସଙ୍ଗରେ ପାଠକମାନେ ଏଭଳି ମତ ଦେଇଛନ୍ତି।

Advertisment

ସାଧାରଣ ଜୀବନରେ କୋହଲିଙ୍କ ପରି ବିରାଟ ଲୋକଙ୍କ ଆଚରଣରେ ପରିବର୍ତ୍ତନ ଆବଶ୍ୟକ। ବେଳେବେଳେ ମହର୍ଷି ଏବଂ ମୁନିଙ୍କର ମଧ୍ୟ ମତି ଭ୍ରମ ହୁଏ। କୋହଲି ଉତ୍ତେଜିତ ହୋଇ କିଛି କହି ଦେଇଛନ୍ତି। ଏଥିରେ ପରିବର୍ତ୍ତନ ଆଣିବା ଆବଶ୍ୟକ।
-ଦିନାନାଥ ଦାସ, ଲକ୍ଷ୍ମୀସାଗର

ସାଧାରଣ ଜୀବନରେ ସମସ୍ତଙ୍କର ଆଚରଣରେ ଉନ୍ନତି ଆବଶ୍ୟକ। ସବୁ ପ୍ରତିଷ୍ଠିତ ଲୋକଙ୍କର ଆଚରଣ ଏବେ ନିମ୍ନସ୍ତରର ହୋଇଯାଇଛି। ତେଣୁ ଭବିଷ୍ୟତ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରିବାକୁ ହେଲେ ଆଚରଣରେ ଉନ୍ନତି ଲୋଡ଼ା।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର

ବିରାଟ ଅନେକ ସମୟରେ ଅନ୍ୟ ଖେଳାଳିଙ୍କୁ ଅସମ୍ମାନ କରିଛନ୍ତି। ସେ ଯେତେ ବଡ଼ ଖେଳାଳି ହେଲେ ମଧ୍ୟ ନିଜ ଆଚରଣ ଓ ଉଚ୍ଚାରଣରେ ଉନ୍ନତି ଆଣିବା ଆବଶ୍ୟକ।
-ନୀଳମଣି ମିଶ୍ର, ସୁନ୍ଦରପଦା

ଅନ୍ୟକୁ ଛୋଟ କରିବା ସ୍ୱଭାବ ବହୁତ୍ ଖରାପ। ନିଜର ସ୍ୱଭାବରେ ପରିବର୍ତ୍ତନ ନ ଆଣିଲେ ସାଧାରଣ ଲୋକଙ୍କଠାରୁ ମଧ୍ୟ ସେ ତଳକୁ ଖସିଯିବେ।
-ଶ୍ରୀବତ୍ସ ମହାନ୍ତି, ଯାଆଁଳା

ଜଣେ ବ୍ୟକ୍ତିର ପ୍ରକୃତ ପରିଚୟ ତାର ଆଚରଣରେ ଥାଏ। ଜୀବନରେ ଯେତେ ସଫଳତା ହାସଲ କରିଲେ ମଧ୍ୟ ସଫଳ ଓ ସମସ୍ତଙ୍କର ପ୍ରିୟ କେବଳ ନିଜର ଉତ୍ତମ ବ୍ୟକ୍ତିତ୍ୱରୁ ନେଇ ହୋଇ ପାରିବେ। କୋହଲି ଏ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ।
-ରାଜେଶ ରାୟ, ଭୁବନେଶ୍ୱର

ମଣିଷ ପ୍ରକୃତି କେବେ ବଦଳି ନଥାଏ। କୋହଲି ପୂର୍ବରୁ ମଧ୍ୟ ଗୌତମ ଗମ୍ଭୀରଙ୍କଠାରୁ ନିଜର ଫ୍ୟାନ୍‌ ସମସ୍ତଙ୍କ ସହିତ ଝଗଡା କରି ଆସିଛନ୍ତି। ଧୋନୀ ତେନ୍ଦୁଲକର ସେମାନେ ବହୁତ୍ ଅଲଗା ଓ ସ୍ୱତନ୍ତ୍ର ଥିଲେ। ହେଲେ ବର୍ତ୍ତମାନର ଖେଳାଳି ଏକ ଭିନ୍ନ ଧରଣର ମାନସିକତା ନେଇ ଖେଳୁଛନ୍ତି।
-ଆହ୍ବାନ କୁମାର ପାଇକରାୟ, ଯାଆଁଳା

ସାଧାରଣ ଜୀବନଶୈଳୀରେ କୋହଲି ଆଜି ପର୍ଯ୍ୟନ୍ତ ନିଜର ପ୍ରତିଭା ସାରା ବିଶ୍ୱରେ ଦେଖାଇଛନ୍ତି। ଯେକୌଣସି ସମସ୍ୟା ଆସିଲେ ମଧ୍ୟ ସ୍ଥିରଚିତ୍ତ ଭାବରେ କୋହଲି ତାକୁ ସମାଧାନ କରନ୍ତି ତେଣୁ ତାଙ୍କର ସରଳ, ନିରାଡ଼ମ୍ବର ଜୀବନଶୈଳୀ ଲୋକମାନଙ୍କ ଉନ୍ନତି ପାଇଁ ଏକାନ୍ତ ଶିକ୍ଷଣୀୟl କୌଣସି କାରଣରୁ ଯଦି ସେ ଭୁଲ କରିଛନ୍ତି ତେବେ ତାଙ୍କ ଦୋଷକୁ ଭୁଲିଯିବା ଆବଶ୍ୟକ।
-ସୁଧାକର ଦାସ, ଖୋର୍ଦ୍ଧା