ଗପ ଶୁଣିବ‌ାକୁ ଆଉ ଲୋକଙ୍କ ସମୟ ନାହିଁ

ସଦ୍ୟସମାପ୍ତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୫-୦ରେ ପରାଜିତ ହୋଇଛି। ମିଜୋରାମ ଓ ତେଲେଙ୍ଗାନାକୁ ଛାଡ଼ିଦେଲେ ସରକାରରେ ଥାଇ ମଧ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ‌ ଭଳି ହିନ୍ଦୀ ଭାଷାଭାଷୀ ପ୍ରମୁଖ ରାଜ୍ୟରେ ବିଜେପି ନିଜ ଗଡ଼କୁ ସୁରକ୍ଷିତ ରଖି ପାରିନାହିଁ। ପ୍ରଧାନମନ୍ତ୍ରୀ ତଥା ବିଜେପିର ମୁହଁ ଭାବେ ଜଣାଶୁଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ୩ ରାଜ୍ୟର ବହୁ ରୢାଲିରେ ଯୋଗ ଦେଇଥିଲେ ହେଁ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବିଜେପିର ଏହି ପରାଜୟ ନେଇ ମୋଦୀଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ତେଣୁ ଚଳିତ ଥର ଫୋନ୍‌-ଇନ୍‌-ପ୍ଲିଜ୍‌ ଜରିଆରେ ଏ ସଂପର୍କରେ ସାଧାରଣ ପାଠକଙ୍କ ମତାମତ ଲୋଡ଼ା ଯାଇଥିଲା। ବିଷୟ ଥିଲା, ‘ମୋଦୀଙ୍କ ପୂର୍ବ ଚମକ କମିଛି…’

ରାଫେଲ୍‌, ରାମ ମନ୍ଦିର ଓ ବିଦେଶଗସ୍ତ ଖର୍ଚ ମୋଦୀଙ୍କ ଲୋକପ୍ରୟତାକୁ ପ୍ରଭାବିତ କରିବ। ବର୍ତମାନ ମୋଦୀ ସିବିଆଇ, ରିଜର୍ଭ ବ୍ୟାଙ୍କ୍‌ ପ୍ରସଙ୍ଗରେ ବି ମୁଣ୍ଡ ଖେଳାଉଛନ୍ତି। ମୋଦୀ ନିଜ ଆତ୍ମୀୟଙ୍କୁ ହାତବାରିସି କରି ସବୁ ସରକାରୀ ସଂସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଛନ୍ତି। ତେଣୁ ମୋଦୀଙ୍କ ଏପ୍ରକାର ମନମୁଖୀ କାର୍ଯ୍ୟ ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ।
ମନୋରଂଜନ ସ୍ବାଇଁ, ତମାଣ୍ଡୋ, ଭୁବନେଶ୍ବର

ବିଜେପି କାର୍ଯ୍ୟକାଳରେ ପୂରା ଦେଶରେ ବହୁ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ତାଙ୍କୁ କୋର୍ଟରୁ କ୍ଲିନ୍‌ଚିଟ୍‌ ମିଳିଥିଲେ ବି ୨୦୦୨ରେ ହୋଇଥିବା ଗୋଧ୍ରା ଦଙ୍ଗା ପଛରେ ଯେ ତାଙ୍କର ସମ୍ପୃକ୍ତି ନାହିଁ, ତାହା ସ୍ୱୀକାର କରାଯାଇ ନପାରେ। କଥା କହି ସବୁବେଳେ ମନ ଜିଣି ହେବ ନାହିଁ। ଯଦି ଏପରି ଚାଲେ, ତେବେ ଆଗାମୀ ଦିନରେ ମୋଦୀ ସରକାର ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ।
କେଳୁଚରଣ ବେହେରା, ବାଳକାଟି, ଭୁବନେଶ୍ବର

ଦୀର୍ଘ ସମୟ ବ୍ୟାଧିଗ୍ରସ୍ତ ଥିବା ଦେଶର ଅର୍ଥନୀତିକୁ ସୁସ୍ଥ କରିବା ପାଇଁ ଚେଷ୍ଟା କରି ସେ ନିଜେ ବ୍ୟାଧିଗ୍ରସ୍ତ ହୋଇପଡ଼ିଥିବା ହୃଦବୋଧ ହେଉଛି। ବିମୁଦ୍ରୀକରଣ, ଚାଷୀ ଅସନ୍ତୋଷ, ଲଗାତାର ତୈଳଦର ବୃଦ୍ଧି ଏବଂ ଦଳୀୟ କର୍ମୀମାନେ ଲୋକଙ୍କ ସହ ଯୋଡ଼ି ହୋଇ ନ ରହିପାରିବାର ପରିଣାମ ମୋଦୀଙ୍କ ଚମକକୁ ହ୍ରାସ କରୁଛି।
ଛାୟାକାନ୍ତ ନାୟକ, ପୁରୀ

ବିଦେଶରୁ କଳା ଟଙ୍କା ଆଣିବେ ବୋଲି କହିଥିଲେ। ବିକାଶର ଶିଖରରେ ପହଞ୍ଚାଇବେ ବୋଲି କହିଥିଲେ। ମାତ୍ର ତାହା କେତେ ସାକାର ହୋଇଛି, ତାହା ସମସ୍ତେ ଦେଖୁଛନ୍ତି। ରାଜସ୍ଥାନ, ଛତିଶଗଡ଼, ମଧ୍ୟ‌ପ୍ରଦେଶର ନିର୍ବାଚନ ପରିଣାମ ଏସବୁ ସୂଚାଇ ଦେଉଛି। ଏହାର ପ୍ରଭାବ ୨୦୧୯ ନିର୍ବାଚନରେ ପଡ଼ିବ।
ବିଜୟ କୁମାର ଜେନା, ଡେଲାଙ୍ଗ, ପୁରୀ

ଦେଶର ମୁଖ୍ୟ ସମସ୍ୟା ଥିଲା ବେକାରୀ। ଯାହା ମୋଦୀଙ୍କ ସରକାର ଏ ପର୍ଯ୍ୟନ୍ତ ଦୂର କରିବାରେ ସକ୍ଷମ ହୋଇନାହାନ୍ତି। ବହୁ ପଦ ଏବେ ବି ଖାଲି ପଡ଼ିଛି। ମୋଦୀ ଆସିବା ପରେ ନିଶା ସାମଗ୍ରୀ ଉପରେ ମଧ୍ୟ ରୋକ୍‌ ଲାଗିପାରି ନାହିଁ କି ‌ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ତେଣୁ ମୋଦୀଙ୍କ ଚମକ ଯେ କମୁଛି, ତାହାକୁ ଅସ୍ୱୀକାର କରାଯା ଇନପାରେ।
ଟୁକୁନା ନାୟକ, କାଇମାଟିଆ, ଭୁବନେଶ୍ବର

ମୋଦୀଙ୍କ ଚମକ କମିଛି। ବିଜେପିରୁ ଆଡଭାନୀ କିମ୍ବା ଅନ୍ୟ କୌଣସି ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନ ହୋଇ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରିବା, ମାଙ୍କଡ଼ ହାତରେ ଶାଳଗ୍ରାମ ସଦୃଶ। ବାସ୍ତବରେ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ କଂଗ୍ରେସର ସେମିତି କିଛି ଭଲ ନେତୃତ୍ବ ନଥିଲା। ଫଳରେ ବିକଳ୍ପ ଭାବେ ବିଜେପି ନିର୍ବାଚନ ଜିତିଥିଲା। କିନ୍ତୁ ମୋଦୀଙ୍କ ଭଳି ଜଣେ ଅନଭିଜ୍ଞଙ୍କୁ ପ୍ରଧାନମନ୍ତ୍ରୀ କରି ବିଜେପି ବହୁତ ବଡ଼ ଭୁଲ କରିଛି।
ଧନେଶ୍ବର ପାଢ଼ୀ, ପୂର୍ବତନ ସରପଞ୍ଚ, କାକଟପୁର

ହୀରାର ଚମକ ପରଖିବା ପାଇଁ ଏହାକୁ ଅନ୍ଧାରରେ ରଖିବାକୁ ହୁଏ। ସେହିଭଳି ନିକଟ ଅତୀତରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ମୋଦୀଙ୍କ ନେତୃତ୍ବକୁ ପରଖିବା ଭଳି କଥା। ମୋଦୀ ବର୍ତ୍ତମାନ ପରୀକ୍ଷାର ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ଏଥିରୁ ସ୍ପଷ୍ଟ।
ରାଜୀବ ଲୋଚନ ବରାଡ଼, ଓଡ଼ଗାଁ,
ଚନ୍ଦ୍ରକାନ୍ତ ପଣ୍ଡା, ଭୁବନେଶ୍ବର

ବିମୁଦ୍ରୀକରଣ, ଦରଦାମ୍‌ ବୃଦ୍ଧି, ଯୋଜନାଗୁଡ଼ିକର ବିଫଳତା ମୋଦୀ ସରକାରଙ୍କ ଲୋକପ୍ରିୟତା ହ୍ରାସର କାରଣ।
ଆଜାଦ କୁମାର ଆଚାର୍ଯ୍ୟ, ନୟାଗଡ଼

ମୋଦୀ ନିଜ କ୍ଷମତାର ଅପବ୍ୟବହାର କରି ଏମିତି କିଛି ପଦକ୍ଷେପ ନେଇଛନ୍ତି, ଯାହା କି ସାଧାରଣ ଜନତାଙ୍କୁ ହନ୍ତସନ୍ତ କରିଛି। ତେଣୁ ଲୋକେ ତା’ର କଡ଼ା ‌ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି।
ସାଇ ଆଦର୍ଶ ମିଶ୍ର, ନୟାଗଡ଼

ମୋଦୀଙ୍କ ଚମକ କେବେ ବି ନଥିଲା। ଯେତେବେଳେ ଦେଶର ଜନସାଧାରଣ କଂଗ୍ରେସର ମୂଳୋତ୍ପାଟନ ଚାହିଁଲେ, କଂଗ୍ରେସର ବିକଳ୍ପ ସଦୃଶ ବିଜେପିକୁ ବାଛିଥିଲେ। ଯଦି ମୋଦୀଙ୍କର ସେମିତି କିଛି ଚମକ ଥା’ନ୍ତା ତେବେ ନିଜ ରାଜ୍ୟ ଗୁଜୁରାଟର ଭୋଟର୍‌ ତାଙ୍କଠାରୁ ବିମୁଖ ହୋଇ ନଥାନ୍ତେ।
ସତ୍ୟବ୍ରତ ପାଲିତ, ଭୁବନେଶ୍ବର
ସୁଶାନ୍ତ କୁମାର ଦାସ, ବାଲିପାଟଣା

ମୋଦୀ ଖାଲି ମିଠା କଥା କହି ଲୋକଙ୍କୁ ଭଣ୍ଡେଇ ଚାଲିଛନ୍ତି। ବାସ୍ତବରେ ତାଙ୍କ କଥାର କିଛି ସତ୍ୟତା ନାହିଁ। ଅନ୍ଧ ଥରେ ବାଡ଼ି ହଜାଏ। ତେଣୁ ଲୋକ ବି ମୋଦୀଙ୍କୁ ଠିକ୍‌ ଜବାବ ଦେବେ।
ଦିଲ୍ଲୀପ କୁମାର ସାହୁ, ଭୁବନେଶ୍ବର

ମୋଦୀ ଆଉ ଚମକ? ସେ କେବଳ ‘ବୋଲ୍‌ ବଚନ’। ଖାଲି ବଡ଼ ବଡ଼ କଥା କହି ଶିଖିଛନ୍ତି। କିନ୍ତୁ ତାହା ବାସ୍ତବିକତାଠାରୁ ଦୂରରେ। ୪ ବର୍ଷ କାଳ ବିଦେଶ ଯାତ୍ରା କରି ୨୦୦୦ କୋଟି ଟଙ୍କା ଉଡ଼ାଇ ଦେଲେ। ପୁଣି ବିଜେପି ଶାସନ ସମୟରେ ଦୁର୍ନୀତି ସୀମା ଟପିଛି। ଏସବୁ ଲୋକେ ଆଉ ବରଦାସ୍ତ କରିବେ ନାହିଁ।
ଡି.ପି. ଭୁବନେଶ୍ବର

ଗପ ଶୁଣିବ‌ାକୁ ଆଉ ଲୋକଙ୍କ ସମୟ ନାହିଁ। ଜନତା ବାସ୍ତବବାଦୀ ହେଲେଣି। ମୋଦୀ ସରକାରଙ୍କ ଆଚରଣ ଓ ଉଚ୍ଚାରଣରେ ଯେ ଆକାଶ ପାତାଳ ଫରକ ତାହା ଲୋକେ ଜାଣିବାକୁ ବା‌କି ନାହିଁ।
ଶ୍ରୀବତ୍ସ ମହାନ୍ତି, ଯାଁଳା

ଚାଷୀ ସମସ୍ୟା‌, ଛତିଶଗଡ଼ ମହାନଦୀ ଟ୍ରିବ୍ୟୁନାଲ ଆଦି ସମସ୍ୟାଙ୍କୁ ନେଇ ଲୋକମାନେ ମୋଦୀ ସରକାରଙ୍କ ଉପରେ ଖପ୍ପା। ଯାହାର ପ୍ରତିଫଳନ ୫ଟି ରାଜ୍ୟର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ।
ଦେବାଶିଷ ସାହୁ, ନୟାଗଡ଼

ମୋଦୀଙ୍କ ଚମକ କମିଛି। ଆର୍‌ବିଆଇ ଓ ସରକାରଙ୍କ ବିବାଦ ଏହାର ଏକ କାରଣ ହୋଇଥିବା ବେଳେ ନିର୍ବାଚନ ଇସ୍ତାହାରରେ ମୋଦୀ ଦେଇଥିବା ପ୍ରତିଶ୍ରୁତିମାନ କିଛି ବି କାର୍ଯ୍ୟକାରୀ ହୋଇନି।
କେ ରବି, ରସୁଲଗଡ଼

ମୋଦୀ ଦେଶର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଯାହାକି ଆଗକୁ ଜଣାପଡ଼ିବ। କିନ୍ତୁ ସାଧାରଣ ଲୋକଙ୍କୁ ଏଥିରୁ ବହୁ କଷ୍ଟ ସହିବାକୁ ପଡ଼ିଥିବାରୁ ଲୋକେ ଏହାକୁ ବରଦାସ୍ତ କରିପାରିଲେନି। ସେଥିପାଇଁ ତାଙ୍କ ଲୋକପ୍ରିୟତା କମୁଛି। କିନ୍ତୁ ଲୋକେ ବୁଝିବା ଦରକାର, ଆଜି ନିଆଯାଉଥିବା କଠୋର ନିଷ୍ପତ୍ତି, ଆସନ୍ତାକାଲି ନୂତନ ସୂ‌େର୍ଯ୍ୟାଦୟର କାରଣ ହେବ।
ଅଚ୍ୟୁତାନନ୍ଦ ବରାଡ଼, ଭୁବନେଶ୍ବର

ମୋଦୀ ସରକାର ସାମୂହିକ ବିକାଶ ଦିଗରେ କାର୍ଯ୍ୟ ନକରି ପ୍ରଚାର ସର୍ବସ୍ବ ରାଜନୀତିରେ ଓ ବିଦେଶ ଗସ୍ତରେ ହିଁ ବ୍ୟସ୍ତ। ବିଜେପି ସରକାର ଆର୍‌ବିଆଇକୁ ନିଜ ଅଧୀନକୁ ନେବା, ଜାତୀୟ ଗଣମାଧ୍ୟମର କଣ୍ଠରୋଧ କରି ନିଜ ସ୍ବାର୍ଥ ହାସଲ କରିବାକୁ ଚାହେ। ଏକଥା ଆଉ ଲୋକଙ୍କୁ ଅଛପା ନାହିଁ।
ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ବର

ଚମକ କିଛି କମିନି। ଦେଶ ପାଇଁ ବହୁ କାମ କରି ଚାଲିଛନ୍ତି ମୋଦି।
ପରୀକ୍ଷିତ ଦନ୍ତିଆ, ଭୁବନେଶ୍ବର
୨୦୧୪ ନିର୍ବାଚନ ସମୟରେ ନିଜ ଭାଷଣ ଓ କଂଗ୍ରେସଠାରୁ ଅଲଗା ତଥା ଗଠନମୂଳକ ଲାଗିବାରୁ ଲୋକେ ମୋଦୀଙ୍କୁ ଭୋଟ୍‌ ଦେଇଥିଲେ। କିନ୍ତୁ ଦେଶବାସୀଙ୍କ ଏହି ପଦକ୍ଷେପ ଠିକ୍‌ ନଥିବା ଏବେ ‌ଜନତା ଅନୁଭବ କଲେଣି।
ସତ୍ୟବାନ ମହାନ୍ତ, ଢେଙ୍କାନାଳ
୩ଟି ରାଜ୍ୟରେ ନିର୍ବାଚନ ହାରିଯିବା ଅର୍ଥ ନୁହେଁ ମୋଦୀଙ୍କ ଚମକ କମି ଯାଇଛି।
ସନ୍ତୋଷ କୁମାର ପ୍ରହରାଜ, ରଣପୁର

ନିଶ୍ଚିତ ଭାବେ ମୋଦୀଙ୍କ ଚମକ କମିଛି। ଦେଇଥିବା ପ୍ରତିଶ୍ରୁତି ତ ରଖିଲେନି, ଓଲଟା ବିଭିନ୍ନ ପ୍ରକାର ଅବାନ୍ତର ନିଷ୍ପତ୍ତି ନେଇ ଲୋକଙ୍କୁ ହଇରାଣ କଲେ ଯାହା ଗତ ଦିନର ୫ଟି ରାଜ୍ୟର ନିର୍ବାଚନ ଫଳାଫଳର ଏକ ଟ୍ରେଲର୍‌ ଥିଲା। ଆଗକୁ ମୋଦୀ ବଡ଼ ଏକ ବିପର୍ଯ୍ୟୟର ସାମ୍ନା କରିବା‌କୁ ଯାଉଛନ୍ତି।
ତୁଷାରକାନ୍ତ ଓଝା, ଚଣ୍ଡିଖୋଲ

ସମ୍ବନ୍ଧିତ ଖବର